Advertisment

ନୀତୀଶଙ୍କ ଧୋକା ପରେ ପ୍ରଥମଥର ମୁହଁ ଖୋଲିଲେ ରାହୁଲ ଗାନ୍ଧି

ଇଣ୍ଡିଆ ମେଣ୍ଟ ଲୋକମାନଙ୍କୁ ସାମାଜିକ ନ୍ୟାୟ ଦେବ। ଏଥିପାଇଁ ନୀତୀଶ କୁମାରଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ରାହୁଲ ଗାନ୍ଧି କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଇଣ୍ଡିଆ ମେଣ୍ଟ ଛାଡ଼ି ପୁଣି ବିଜେପି ସହ ହାତ ମିଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏକଦା ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ପାଲଟିଥିବା ନୀତୀଶ କୁମାରଙ୍କ ହଠାତ ପଟ ପରିବର୍ତ୍ତନ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି।

Advertisment

ସୁବିଧାବାଦୀ ରାଜନୀତି କରୁଥିବା ନୀତୀଶ କୁମାର ପୂର୍ବରୁ ମଧ୍ୟ ଅନେକ ଥର ଏପରି ଦଳ ପରିବର୍ତ୍ତନ କରିବାର ନଜିର ରହିଛି। ଏଥିପାଇଁ ତାଙ୍କୁ ସମସ୍ତେ ପଲଟୁରାମ ମଧ୍ୟ କୁହନ୍ତି। ଏସବୁ ଭିତରେ ନୀତୀଶ କୁମାରଙ୍କ ୟୁ-ଟର୍ଣ୍ଣକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧି।

ବର୍ତ୍ତମାନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଥିବା ରାହୁଲ ଗାନ୍ଧି ବିହାରରେ ହିଁ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟକୁ ନୀତୀଶ କୁମାରଙ୍କ ଆବଶ୍ୟକ ନାହିଁ। ତାଙ୍କ ଉପରେ ସାମାନ୍ୟ ଚାପ ପଡ଼ିବାରୁ ସେ ୟୁ-ଟର୍ଣ୍ଣ ମାରିଛନ୍ତି। ତାଙ୍କ ଉପସ୍ଥିତି ଓ ଅନୁପସ୍ଥିତି କୌଣସି ଫରକ ପକାଇ ପାରିବ ନାହିଁ ବୋଲି ରାହୁଲ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ନୀତୀଶ କୁମାର ବିହାର ଜାତିଗତ ସର୍ଭେ ଯୋଗୁ ଇଣ୍ଡିଆ ମେଣ୍ଟରୁ ବାହାରି ଯାଇଛନ୍ତି। ରାହୁଲ ବିହାରରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି, “ନୀତୀଶ କୁମାର କେମିତି ଅଟକି ଗଲେ ସେକଥା ବୁଝାପଡ଼ୁଛି। ମୁଁ ତାଙ୍କୁ ସିଧାସଳଖ କହିଥିଲି ଯେ ଆପଣଙ୍କୁ ବିହାରରେ ଜାତିଗତ ଜନଗଣନା କରିବାକୁ ପଡ଼ିବ।

ଆରଜେଡି ଓ ଆମେ(କଂଗ୍ରେସ) ନୀତୀଶ କୁମାରଙ୍କୁ କହି ସର୍ଭେ କରାଇଛୁ। କିନ୍ତୁ ବିଜେପି ଏହା ଦେଖି ଭୟଭୀତ। ସେମାନେ ଏହି ଯୋଜନାକୁ ବିରୋଧ କରିଥିଲେ। ଏସବୁ ଭିତରେ ନୀତୀଶ କୁମାର ଅଟକି ଯାଇଥିଲେ। ବିଜେପି ତାଙ୍କୁ ଖସି ଯିବାକୁ ପଛ ଦୁଆର ଖୋଲି ଦେଇଥିଲା। ସେ ସେହି ବାଟେ ଖସି ଯାଇଛନ୍ତି।”

ଇଣ୍ଡିଆ ମେଣ୍ଟ ଲୋକମାନଙ୍କୁ ସାମାଜିକ ନ୍ୟାୟ ଦେବ। ଏଥିପାଇଁ ନୀତୀଶ କୁମାରଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ରାହୁଲ ଗାନ୍ଧି କହିଛନ୍ତି। ରବିବାର ରେକର୍ଡ ୯ମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେ ଆରଜେଡି ଓ କଂଗ୍ରେସକୁ ଧୋକା ଦେଇ ବିଜେପି ସହ ହାତ ମିଳାଇଛନ୍ତି। ଇଣ୍ଡିଆ ମେଣ୍ଟକୁ ଆଗକୁ ନେବାକୁ ନୀତୀଶ କୁମାର ପଣ କରିଥିବା ବେଳେ ତାଙ୍କର ପଟ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି।

Rahul Gandhi Bihar Nitish Kumar Bharat Jodo Yatra