/odisha-reporter/media/post_attachments/uploadimage/library/16_9/16_9_0/IMAGE_1755095096.jpg)
Rahul Gandhi
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜର ଭୋଟ ଚୋରି ଅଭିଯୋଗକୁ ଆହୁରି ତୀବ୍ର କରିଛନ୍ତି। ଆଜି ସେ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କିଛି ଲୋକଙ୍କ ସହ ଚା’ ପିଇବା ସହ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କୁ ରାହୁଲ ଗାନ୍ଧି ‘ମୃତ ଭୋଟର’ ବୋଲି ଚିତ୍ରଣ କରୁଥିବା ବେଳେ ଏପରି ମିଟିଂର ଅଭିଜ୍ଞତା ପାଇଁ ସେ ନିର୍ବାଚନ କମିଶନଙ୍କୁ ଶ୍ରେୟ ଦେଇଛନ୍ତି।
୩ ମିନିଟରୁ ଅଧିକ ସମୟର ଭିଡିଓକୁ ନିଜ ଏକ୍ସ ଆକାଉଣ୍ଟରେ ଶେୟାର କରି ରାହୁଲ କହିଛନ୍ତି, “ଜୀବନରେ ବହୁତ ରୋମାଞ୍ଚକର ଅନୁଭୂତି ହୋଇଛି। କିନ୍ତୁ କେବେ ହେଲେ ‘ମୃତ ଲୋକ’ଙ୍କ ସହ ଚା’ ପିଇବାର ଅଭିଜ୍ଞତା ମିଳି ନଥିଲା। ଏପରି ଏକ ବିରଳ ଅନୁଭୂତି ପାଇଁ ନିର୍ବାଚନ କମିଶନଙ୍କୁ ଧନ୍ୟବାଦ।”
ଭିଡିଓରେ ରାହୁଲ ଗାନ୍ଧି ଯେଉଁମାନଙ୍କ ସହ କଥା ହେଉଛନ୍ତି ସେମାନେ ସମସ୍ତେ ବିହାରର। ସେମାନଙ୍କ ନାଁ ଭୋଟର ତାଲିକାରୁ କଟି ଯାଇଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କୁ ମୃତ ଭୋଟର ଭାବେ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ କମିଶନ ସେମାନଙ୍କୁ ମୃତ ଭୋଟର କରୁଥିଲେ ହେଁ ସେମାନେ ଜୀବିତ ଥିବା ପ୍ରମାଣ ଦେବାକୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଏହାପରେ ସେମାନେ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତ।
ରାହୁଲ ସେମାନଙ୍କ ସହ କଥା ହେବା ବେଳେ କହୁଛନ୍ତି ଯେ “ମୁଁ ଶୁଣିବାକୁ ପାଇଛି ଯେ କ’ଣ ଆପଣମାନେ ଜୀବିତ ନାହାନ୍ତି। ନିର୍ବାଚନ କମିଶନ ଆପଣମାନଙ୍କୁ ମାରି ଦେଇଛି। ଆପଣମାନେ ମୃତ ବୋଲି କେମିତି ଜାଣିଲେ?” ଏହାର ଜବାବରେ ଜଣେ କହିଥିଲେ ଯେ ନିର୍ବାଚନ କମିଶନଙ୍କ ଭୋଟର ଲିଷ୍ଟରୁ ଆମେ ଏହା ଜାଣିବାକୁ ପାଇଛୁ।
ରାହୁଲ ଗାନ୍ଧି ଜଣେ ବ୍ୟକ୍ତିଙ୍କୁ ପଚାରିଥିଲେ ଯେ ଏଭଳି କେତେ ମାମଲା ରହିଛି? ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଗୋଟିଏ ପଞ୍ଚାୟତରେ ଏଭଳି ୫୦ ମାମଲା ରହିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନିର୍ବାଚନ ମଣ୍ଡଳୀରେ ଅନେକ ଜୀବିତ ଥିବା ଭୋଟରଙ୍କୁ ମୃତ ଘୋଷଣା କରାଯାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ତାଲିକାରୁ ସ୍ପଷ୍ଟ ହୋଇଛି। ଏହାର ଲିଖିତ ପ୍ରମାଣ ରହିଛି। ଅନେକ ନିଜର ଭୋଟ ଅଧିକାରକୁ ଅତୁଟ ରଖିବା ପାଇଁ ସୁପ୍ରିମକୋର୍ଟରେ ୬ ଘଣ୍ଟା ଧରି ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ ବୋଲି ରାହୁଲଙ୍କୁ ଜଣାଇଛନ୍ତି।
ରାହୁଲ ଗାନ୍ଧି ଓ ତାଙ୍କୁ ଭେଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ଏପରି ମାମଲାର ସୂଚନା ଦେଉ ନାହାନ୍ତି। ଅଭିଯୋଗକାରୀଙ୍କ କହିବା କଥା ଯେ କିଛି ଲୋକ ଦୀର୍ଘ କିମି ବାଟ ଯାତ୍ରା କରି ନିଜ ସମସ୍ୟା କଥା ଜଣାଉଛନ୍ତି। ଏଥିପାଇଁ ସେମାନେ ରାଜନୀତିକ ଦଳଗୁଡ଼ିକୁ ଏକାଠି ହୋଇ ଏପରି ଅନିୟମିତତାରୁ ବିହାରକୁ ରକ୍ଷା କରିବା ପାଇଁ ରାହୁଲ ଆଗରେ ନିବେଦନ କରିଛନ୍ତି।
जीवन में बहुत दिलचस्प अनुभव हुए हैं,
लेकिन कभी 'मृत लोगों' के साथ चाय पीने का मौका नहीं मिला था।इस अनोखे अनुभव के लिए, धन्यवाद चुनाव आयोग! pic.twitter.com/Rh9izqIFsD
— Rahul Gandhi (@RahulGandhi) August 13, 2025
କର୍ଣ୍ଣାଟକା ଭୋଟ ଚୋରି ଓ ବିହାର ଏସଆଇଆର ବିରୋଧରେ ବିରୋଧୀଙ୍କ ରଣହୁଙ୍କାର ମଧ୍ୟରେ ଏପରି ଘଟଣା ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
