Advertisment

ମୋଦିଙ୍କ ଲୋକସଭା ଭାଷଣକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ପ୍ରଧାନମନ୍ତ୍ରୀ ହସିବାରେ ଲାଗିଥିଲେ। ସେ ଥଟ୍ଟାମଜା କରିଛନ୍ତି। ଏହା ତାଙ୍କୁ ଆଦୌ ଶୋଭା ଦେଉନାହିଁ। ସେ ଲଜ୍ଜାଜନକ ଭାବେ ହସିବା ସମସ୍ତଙ୍କୁ ମର୍ମାହତ କରିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଆଜି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି ଗୁରୁବାର ଲୋକସଭାରେ ମୋଦି ଦେଇଥିବା ଭାଷଣକୁ ସମାଲୋଚନା କରିଛନ୍ତି। ଏଥିସହ ଲୋକସଭାରେ ମୋଦି ଭାଷଣ ଦେଉଥିବା ବେଳେ ଲଜ୍ଜାଜନକ ଭାବେ ହସିଥିଲେ ଓ ସଂସଦ ମଣିପୁର ଉପରେ ଆଲୋଚନା କରୁଥିବା ବେଳେ ସେ ଏହାକୁ ତାଚ୍ଛଲ୍ୟ ମଧ୍ୟ କରିଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି, “ଗତକାଲି ପ୍ରଧାନମନ୍ତ୍ରୀ ସଂସଦରେ ପ୍ରାୟ ୨ ଘଣ୍ଟା ୧୩ ମିନିଟ ଭାଷଣ ଦେଇଥିଲେ। ଭାଷଣର ଶେଷରେ ସେ ୨ ମିନିଟ ପାଇଁ ମଣିପୁର ଉପରେ କହିଥିଲେ। ମଣିପୁର ମାସାଧିକ କାଳ ହେଲାଣି ଜଳୁଛି। ଲୋକମାନେ ପ୍ରାଣ ହରାଉଛନ୍ତି। ଦୁଷ୍କର୍ମ ଭଳି ଘଟଣା ଘଟୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ହସିବାରେ ଲାଗିଥିଲେ। ସେ ଥଟ୍ଟାମଜା କରିଛନ୍ତି। ଏହା ତାଙ୍କୁ ଆଦୌ ଶୋଭା ଦେଉନାହିଁ। ସେ ଲଜ୍ଜାଜନକ ଭାବେ ହସିବା ସମସ୍ତଙ୍କୁ ମର୍ମାହତ କରିଛି।”

ରାହୁଲ ଗାନ୍ଧି ମଣିପର ହିଂସାର ସମାଧାନ ପ୍ରସ୍ତାବ ଦେଇ କହିଛନ୍ତି, “ମଣିପୁରରେ ଯାହା ସବୁ ଚାଲିଛି, ତା’କୁ ଭାରତୀୟ ସେନା ୨ ଦିନରେ ବନ୍ଦ କରିଦେବ। କିନ୍ତୁ ପ୍ରଧାନମନ୍ତ୍ରୀ ମଣିପୁର ଜଳୁ ବୋଲି ଚାହୁଁଛନ୍ତି। ସେ ମଣିପୁର ନଆଁକୁ ଲିଭାଇବାକୁ ଚାହୁଁ ନାହାନ୍ତି।”

Advertisment

ବିରୋଧୀ ୨୦୨୮ରେ ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ମୋଦି ତାଚ୍ଛଲ୍ୟ କରି କହିଥିଲେ। ଏହା ଉପରେ ଜବାବ ରଖି ରାହୁଲ ଗାନ୍ଧି କହିଛନ୍ତି, “୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ, ତା’ ଏଠାରେ ପ୍ରଶ୍ନ ନୁହେଁ। ଏଠାର ବଡ଼ ପ୍ରଶ୍ନ ହେଉଛି ମଣିପୁର, ଯେଉଁଠାରେ ଶିଶୁ ଓ ଲୋକ ପ୍ରାଣ ହରାଉଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଭାଷଣ ଭାରତ ଉପରେ ନଥିଲା। ଏହା ନରେନ୍ଦ୍ର ମୋଦିଙ୍କ ଉପରେ ରହିଥିଲା। ସେ ନିଜର ଲକ୍ଷ୍ୟ, ରାଜନୀତି ଓ ସ୍ୱପ୍ନ କଥା କହିଛନ୍ତି। ସେ ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ, ତା’ ବଡ଼ ପ୍ରଶ୍ନ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମଣିପୁର ଜଳୁଛି। ପ୍ରଧାନମନ୍ତ୍ରୀ ଅତି କମରେ ମଣିପୁର ଯାଆନ୍ତୁ ଓ ସେଠାରେ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ସହ କଥା ହୁଅନ୍ତୁ। ସେମାନଙ୍କୁ କୁହନ୍ତୁ ଯେ ‘ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀ’। କଥାବାର୍ତ୍ତା ଆରମ୍ଭ କରାଯାଉ। କିନ୍ତୁ ଏଥିପ୍ରତି ତାଙ୍କର ଆଗ୍ରହ ଥିବା ମୁଁ ଦେଖୁନି।”

ପ୍ରଧାନମନ୍ତ୍ରୀ ନିଜ ହାତରେ ଅନେକ ପ୍ରକାରର ବିକଳ୍ପ ରଖିଛନ୍ତି। କିନ୍ତୁ ହିଂସାକୁ ଶେଷ କରିବା ପାଇଁ ସେ ସେଗୁଡ଼ିକୁ ବ୍ୟବହାର କରୁ ନଥିବା ରାହୁଲ କହିଛନ୍ତି। ସେ କହିଛନ୍ତି, “ମଣିପୁରରେ କୌଣସି ଆଲୋଚନା ହୋଇନି। ରାଜ୍ୟରେ ହିଂସା ସାଂଘାତିକ ରୂପ ନେଇଛି। ପ୍ରଥମ କାମ ହେଲା ହିଂସାକୁ ରୋକିବା ଓ ଏଥିରେ ସବୁଦିନ ପାଇଁ ବିରାମ ଲଗାଇବା। ସେ(ପ୍ରଧାନମନ୍ତ୍ରୀ) କିଛି ବି କରୁ ନାହାନ୍ତି ଓ ସେ କେବଳ ହସୁଛନ୍ତି।”

ସଂସଦରୁ ଜଣଙ୍କ ପରେ ଜଣେ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିବା ପ୍ରଶ୍ନରେ ରାହୁଲ ଗାନ୍ଧି କହିଛନ୍ତି, “ ସରକାର ଯଦି ସାଂସଦମାନଙ୍କୁ ନିଲମ୍ବିତ ବି କରନ୍ତି, ତଥାପି ଆମର କାମ ବଦଳିବ ନାହିଁ। ଆମର ପ୍ରମୁଖ କାମ ହେଲା ମଣିପୁରରେ ହିଂସା ରୋକିବା।”

Congress Rahul Gandhi Manipur Incident Parliament No Confidence Motion