/odisha-reporter/media/post_attachments/uploadimage/library/16_9/16_9_0/IMAGE_1755591367.jpg)
Rahul Gandhi
ଭୋଟର ତାଲିକାରେ ଜାଲିଆତି ଅଭିଯୋଗ ଆଣି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମିଳିତ ଭାବେ ଭୋଟର ଅଧିକାର ରାଲି କରୁଛନ୍ତି। ବିହାରର ନାୱାଡାରେ ଏହି ରାଲି ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ତେଜସ୍ୱୀ ଯାଦବ।
ଆସନ୍ତା ଲୋକସଭା ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଏହାର ଅର୍ଥ ୨୦୨୯ ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧି ହେବେ ବୋଲି ତେଜସ୍ୱୀ ସଙ୍କେତ ଦେଇଛନ୍ତି।
ନାୱାଡାରେ ଚାଲିଥିବା ଭୋଟର ଅଧିକାର ରାଲି ସମୟରେ ତେଜସ୍ୱୀଙ୍କ ସହ ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ତେଜସ୍ୱୀ କହିଛନ୍ତି, “ଆସନ୍ତା ଥର ଆମେ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବୁ।”
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସମେତ ଏକାଧିକ ରାଜନୀତି ଦଳ ଏକାଠି ହୋଇଥିଲେ। ସେମାନେ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ ହେଁ ମେଣ୍ଟ ପକ୍ଷରୁ କାହାକୁ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇ ନଥିଲା। ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱକୁ ନେଇ ମେଣ୍ଟରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଥିଲା।
ନିର୍ବାଚନ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଓ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଥିଲେ। ହେଲେ ସେମିତି କିଛି ବି ବିଧିବଦ୍ଧ ଭାବେ ବିରୋଧୀ ମେଣ୍ଟ ପକ୍ଷରୁ ନିଷ୍ପତ୍ତି ହୋଇ ନଥିଲା।
ଏବେ କିନ୍ତୁ ତେଜସ୍ୱୀ ଖୋଲାଖୋଲି ଭାବେ ୨୦୨୯ରେ ରାହୁଲ ଗାନ୍ଧି ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବ ବୋଲି ସଙ୍କେତ ଦେଇଛନ୍ତି। ଭୋଟ ଅଧିକାର ରାଲିରେ ସେ କହିଛନ୍ତି, “ନିର୍ବାଚନ କମିଶନ ଓ ବିଜେପି ପରସ୍ପର ମଧ୍ୟରେ ଭାଗିଦାରୀ କରି ଭୋଟ ଚୋରି କରିବା ଓ ବିହାର ଲୋକଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି।
ବିଜେପି ଭୋଟ ଦେବାର ଅଧିକାର ଛଡ଼ାଇ ନେବାକୁ ଉଦ୍ୟମ କରୁଛି। ଆମେ ବିହାରୀ। ଜଣେ ବିହାରୀ ସମସ୍ତଙ୍କୁ ମାତ ଦେଇ ପାରିବ। ଆମେ ନିର୍ବାଚନକୁ ଖଇନି ଭଳି ବ୍ୟବହାର କରୁ। ଏହାକୁ ଚୋବାଇ ଥାଉ ଓ ଫିଙ୍ଗି ଦେଇଥାଉ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
