/odisha-reporter/media/post_attachments/uploadimage/library/16_9/16_9_0/IMAGE_1692364453.jpg)
Rahul Gandhi
କଂଗ୍ରେସର ୱାୟନାଡ ସାଂସଦ ରାହୁଲ ଗାନ୍ଧି ୨୦୨୪ ଲୋକସଭା ନିର୍ବାଚନ ଉତ୍ତର ପ୍ରଦେଶର ଆମେଥିରୁ ଲଢ଼ିବେ। କଂଗ୍ରେସର ଗଡ଼ ଭାବେ ପରିଚିତ ଆମେଥିରେ ରାହୁଲ ୨୦୧୯ରେ ହାରି ଯାଇଥିଲେ। କିନ୍ତୁ ୨୦୨୪ରେ ସେ ପୁଣି ଏହି ଆସନରୁ ପ୍ରାର୍ଥୀ ହେବେ ବୋଲି ଆଜି ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାୟ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ରାହୁଲ ଗାନ୍ଧି ୨୦୨୪ ନିର୍ବାଚନ ଆମେଥିରୁ ନିଶ୍ଚିତ ଲଢ଼ିବେ।” ପ୍ରିୟଙ୍କା ଗାନ୍ଧି ଭଦ୍ରା ୨୦୨୪ ନିର୍ବାଚନ ଲଢ଼ି ପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଅଜୟ ରାୟ କହିଛନ୍ତି, “ସେ ଯେଉଁଠି ଚାହିଁବେ, ସେଠାରୁ ନିର୍ବାଚନ ଲଢ଼ିପାରିବେ। ଯଦି ପ୍ରିୟଙ୍କା ଗାନ୍ଧି ବାରାଣସୀରୁ ଲଢ଼ିବାକୁ ଚାହୁଁଛନ୍ତି, ତା’ହେଲେ ସେଠାରେ କେମିତି ସେ ଜିତିବେ ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ।”
ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଉତ୍ତର ପ୍ରଦେଶ ମୁଖ୍ୟ ଭାବେ ଅଜୟ ରାୟଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ରାହୁଲ ଓ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ସମ୍ପର୍କରେ ମତ ରଖିଛନ୍ତି। ଅଜୟ ରାୟ ୨୦୧୪ ଓ ୨୦୧୯ରେ ବାରାଣସୀରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଉଭୟ ଥର ଏଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରାଇଥିଲେ।
ରାହୁଲ ଗାନ୍ଧି ୨୦୧୯ରେ ଆମେଥି ସହ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରେ ସେ ଜିତିଥିବା ବେଳେ ଆମେଥିରେ କିନ୍ତୁ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରି ଯାଇଥିଲେ। ସ୍ମୃତି ଇରାନୀ ୫୫ ହଜାର ଭୋଟ ବ୍ୟବଧାନରେ ଜିତି ଲୋକସଭାକୁ ଯାଇଛନ୍ତି। ଏଥିସହ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି।
ଏବେ ତାଙ୍କୁ ପୁଣିଥରେ ୨୦୨୪ରେ ରାହୁଲ ଗାନ୍ଧି ଆମେଥିରେ ଟକ୍କର ଦେବେ। ସେହିପରି ପ୍ରିୟଙ୍କା ମଧ୍ୟ ଲୋକସଭା ନିର୍ବାଚନରେ ତାଙ୍କର ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଜୟ ରାୟଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ତାଙ୍କ ସ୍ତ୍ରୀ ନିର୍ବାଚନ ଲଢ଼ିବା ସପକ୍ଷରେ ମତ ରଖିଥିଲେ।
ସେ କହିଥିଲେ, “ମୁଁ ଭାବୁଛି ପ୍ରିୟଙ୍କା ପ୍ରଥମେ ସଂସଦରେ ପହଞ୍ଚିବା ଉଚିତ। ସେ ଯଦି ଲୋକସଭା ଯାଉଛନ୍ତି, ତା’ହେଲେ ଲୋକମାନେ ବହୁଲ ଭଲ ଅନୁଭବ କରିବେ। ଆମେଥି ହେଉ କି ସୁଲତାନପୁର, ଦଳ ଯେଉଁଠି ଚାହିଁବ ତାଙ୍କୁ ପ୍ରାର୍ଥୀ କରିପାରିବ। ସେ ଲୋକସଭା ନିର୍ବାଚନ ଲଢ଼ନ୍ତୁ ବୋଲି ମୁଁ ଚାହୁଁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
