କେନ୍ଦୁଝରର ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ଗୁରୁବାର କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା(ଇଓଡ୍ଲ୍ୟୁ) ଗିରଫ କରିଛି । ରାଜାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହ ତାଙ୍କର ଆୟର ସ୍ରୋତ, ଆର୍ଥିକ ଦେଣନେଣ ଓ ବିଭିନ୍ନ ସ୍ଥାନରେ ନିବେଶ ଆଦିର ଖୋଳତାଡ଼ କରିବ । ରାଜା ଚକ୍ରଙ୍କ ଗିରଫ ପରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ, ପ୍ରଣବପ୍ରକାଶ ଦାସ, ମାନସ ମଙ୍ଗରାଜ ଓ ବିଜେଡି ସରକାରରେ ତୃତୀୟ ମହଲାରେ ଅବସ୍ଥାପିତ ଥିବା ଜଣେ ଆଇପିଏସ ଅଫିସରଙ୍କ ଅଡ଼ୁଆ ବଢ଼ିବ ବୋଲି ଚର୍ଚ୍ଚା ହେଉଛି । ରାଜାଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ବୁଧବାର ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଥିଲେ । ଆଜି ରାଜାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ କ୍ରାଇମବ୍ରାଂଚ ଏକ ସାମ୍ବାଦିକ ସମ୍ମିଳନୀ କରି ଅନେକ ଚାଂଚଲ୍ୟକର ତଥ୍ୟ ମଧ୍ୟ ଦେଇଛି ।
କ୍ରାଇମବ୍ରାଂଚ ଦେଲା ରାଜାଙ୍କ କଳାସାମ୍ରାଜ୍ୟର ଚିଠା
କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ଖଣି ଅଂଚଳ ନିକଟରେ ବସବାସ କରୁଥିବା ଗାଁ ଲୋକମାନେ ଇଓଡବ୍ଲ୍ୟୁରେ ମାର୍ଚ୍ଚ ୭ତାରିଖରେ ଏକ ଅଭିଯୋଗ ଦେଇଥିଲେ । ଯେଉଁ ଆଧାରରେ ଆଇପିସିର ଧାରା ୪୦୬,୪୦୯,୪୦୮,୪୨୦,୪୬୭,୪୬୮,୪୭୧ ଓ ୧୨୦-ଖ’ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ରାଜାଙ୍କୁ ଗିରଫ କରାଯାଇଛି । ଗିରଫ ସମ୍ପର୍କରେ ସୂଚନା ଦେଇ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଓ ସୋସାଇଟି ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଛି । ଏହି ଟଙ୍କା ସ୍ଥାନୀୟ ଅଂଚଳର ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେବା କଥା । ପ୍ରାଥମିକ ତଦନ୍ତ ପରେ ଜଣାପଡ଼ିଛି ଯେ ୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ମୋଟ ୧୮୫କୋଟି ଟଙ୍କା ଏହି ଲୋଡ଼ିଂ ଏଜେନ୍ସୀ ଉପାର୍ଜନ କରିଛି । ଏହି ପରିମାଣ ମଧ୍ୟ ଅଧିକ ହୋଇପାରେ ।୨୦୧୨-୧୩ ମସିହାରୁ ଏହି ସୋସାଇଟିର ଅଡିଟ୍ ହୋଇନାହିଁ । କୌଣସି ଦସ୍ତାବିଜରେ ତାଳମେଳ ମଧ୍ୟ ନାହିଁ । ପାରିପାଶ୍ୱିର୍କ ବିକାଶ ନାଁରେ ୩୪କୋଟି ଟଙ୍କା ନିଆଯାଇଛି,ମାତ୍ର ତାହା ସେବାବଦରେ ଖର୍ଚ୍ଚ ହୋଇନାହିଁ ଓ ଏହାକୁ ଆତ୍ମସାତ କରାଯାଇଛି । ସେହିପରି ୯.୧କୋଟି ଟଙ୍କା ମା’ କାଳୀ ପେଟ୍ରୋଲ ପମ୍ପକୁ ପୈଠ କରାଯାଇଛି । ମାତ୍ର ସେହି ପେଟ୍ରୋଲ ପମ୍ପ କୌଣସି ତେଲ ଦେଇନାହିଁ । ସେ କେବଳ ରାଜା ଚକ୍ରଙ୍କ ଗାଡ଼ିଗୁଡ଼ିକୁ ତେଲ ଦେଇଛି,ଯାହାର ବିଲ୍ ଏହି ସୋସାଇଟି ଦ୍ୱାରା ପୈଠ ହୋଇଛି । ସୋସାଇଟିର ସଦସ୍ୟ ଥିବା ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରାୟ ୩୩କୋଟି ଟଙ୍କା ବଂଟନ କରାଯାଇଛି । ସେମାନେ ଯେଭଳି ସର୍ବଦା ରାଜା ଚକ୍ରଙ୍କ ସପକ୍ଷରେ ବାହାରିବେ ତାହା ସୁନିଶ୍ଚିତ କରାଯାଇଛି । ସେହିପରି ଲୋଡ଼ିଂ ଚାର୍ଜ ଓ ମଜୁରୀ ବାବଦରେ ପ୍ରାୟ ୭୪କୋଟି ଟଙ୍କା ପୈଠ ହୋଇଛି । ମାତ୍ର ଦସ୍ତାବିଜରୁ ଜଣାପଡ଼ୁଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି । ତେଣୁ ୨୦୧୨-୧୩ ପରଠୁ ଏଠାରେ ଅଡିଟ୍ ହୋଇନଥିବାରୁ ଏହି ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ରାଜା ଚକ୍ର ଏହି ସୋସାଇଟିର ସଦସ୍ୟ ନଥିଲେ । କିନ୍ତୁ ସେ ନିଜର ଖାସ୍ ସହଯୋଗୀ ସଦାଶିବ ସାମଲ, ସୁଧାଂଶୁ ଶେଖର ନାଏକ ଓ ସମୀର ଜେନାଙ୍କ ମାଧ୍ୟମରେ ଏହି ସୋସାଇଟିକୁ ନିୟନ୍ତ୍ରଣ କରୁଥିଲେ । ସୋସାଇଟି ତାଙ୍କର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଥିଲା ।
ରାଜା ଚକ୍ରଙ୍କର ଶଙ୍କର ମିନେରାଲ, ଶଙ୍କର ଟ୍ରାନ୍ସପୋର୍ଟ, ଶଙ୍କର ରୋଡୱେଜ ଓ ଶଙ୍କର ପ୍ରୋଜେକ୍ଟ ଭଳି ବହୁ ବ୍ୟବସାୟିକ ସଂସ୍ଥା ରହିଛି । ତାଙ୍କର ୪୨ଟି ଗାଡ଼ି ଓ ୨ଟି ସ୍କ୍ରିନିଂ ପ୍ଲାଂଟକୁ ସିଜ୍ କରାଯାଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରାଯିବା ସହ ବ୍ୟାଙ୍କରେ ଥିବା ୨୫ଲକ୍ଷ ଟଙ୍କାକୁ ମଧ୍ୟ ଫ୍ରିଜ୍ କରାଯାଇଛି । ଏହି ସମ୍ପୂର୍ଣ୍ଣ ର୍ୟାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଅଧିକ ଜେରା କରାଯାଉଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ରାଜା ଚକ୍ରଙ୍କ ଗିରଫ ପରେ ବଢ଼ିଲା ବିଜେଡି ନେତାଙ୍କ ଅଡ଼ୁଆ
ରାଜାଙ୍କ ବିରୁଦ୍ଧରେ ଇଓଡବ୍ଲ୍ୟୁରେ ଗୋଟିଏ ଏବଂ କେନ୍ଦୁଝରର ବିଭିନ୍ନ ଥାନାରେ ୧୩ଟି ମାମଲା ରହିଛି । ଏସବୁ ମାମଲାର ପୁଲିସ୍ ପୁଣିଥରେ ତଦନ୍ତ ଆରମ୍ଭ କରିଛି । ତେବେ ବିଜେଡିର ସାମାନ୍ୟ କର୍ମୀରୁ ରାଜା କେମିତି ପାଲଟି ଯାଇଥିଲେ କୋଟିକୋଟି ଟଙ୍କାର ସମ୍ପତ୍ତି ମାଲିକ । ତାହା ଜାଣିବାକୁ ଇଓଡବ୍ଲ୍ୟୁ ତାଙ୍କୁ ଅଧିକ ଜେରା କରୁଛି । ରାଜାଙ୍କ ପାଖରେ ନାମୀଦାମୀ ବ୍ରାଣ୍ଡର ମାଳମାଳ କାର ସହ ଫାର୍ମହାଉସ୍, ଭୁବନେଶ୍ୱର ଓ କୋଲାକାତାରେ କୋଠା ଆଦି ରହିଥିବା ଜଣାପଡ଼ିଛି । ରାଜାଙ୍କ ଠାଣିମାଣି ଏଭଳିି ଯେ, ତାଙ୍କର ମାସିକ ବ୍ୟକ୍ତିଗତ ଖର୍ଚ୍ଚ ପ୍ରାୟ ୩୦ରୁ ୫୦ଲକ୍ଷ ଟଙ୍କା ବୋଲି ଚର୍ଚ୍ଚା ହେଉଛି । ରାଜାଙ୍କୁ କେନ୍ଦୁଝର ଜିଲ୍ଲାରେ ପ୍ରଭାବଶାଳୀ କରାଇଥିବା ବିଜେଡିର କ୍ଷମତାକେନ୍ଦ୍ରଙ୍କ ପାଖରେ କ୍ରାଇମବ୍ରାଂଚ ପହଂଚିବ କି ନାହିଁ ତାକୁ ନେଇ ସନ୍ଦେହ ବଢ଼ିଛି । କାରଣ ବିଜେଡି ସରକାର ସମୟରେ ତୃତୀୟ ମହଲାରେ ଅବସ୍ଥାପିତ ଆଇପିଏସ୍ ଡିଏସ୍ କୁଟ୍ଟେ ହିଁ ଉଭୟ ସରକାର ଓ ବିଜେଡିର ପ୍ରତିନିଧି ଭାବେ ଶିଳ୍ପ ଓ ଖଣି ବ୍ୟାପାର ବୁଝୁଥିଲେ । ରାଜାଙ୍କ ରାଜନୀତିକ ଗଡ଼ଫାଦର ଭାବେ ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜ ମଧ୍ୟ ବିଜେଡି ମହଲରେ ପରିଚିତ । ତେଣୁ ଏମାନଙ୍କ ସହ ରାଜାଙ୍କ ଆର୍ଥିକ ଦେଣନେଣ ତଦନ୍ତ ପରିସରକୁ ଆସିବାର ଆବଶ୍ୟକତା ରହିଛି ।
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ରାଜାଙ୍କ ବ୍ୟବସାୟିକ ଓ ବେଆଇନ ପାଣ୍ଠି ଠୁଳର ଲିଙ୍କ୍ ଖୋଜୁଥିବା କ୍ରାଇମବ୍ରାଂଚ ଯଦି ଆଇପିଏସ୍ ମିତ୍ରଭାନୁ ମହାପାତ୍ର(୨୦୧୯ ଅଗଷ୍ଟରୁ ୨୦୨୩ ମେ’ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଏସପି) ଓ ଆଇଏଏସ୍ ଆଶୀଷ ଠାକରେ( ୨୦୧୮ ଜାନୁୟାରୀରୁ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାପାଳ)ଙ୍କ ଭୂମିକାକୁ ଯାଂଚ କରେ ତା’ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।