Advertisment

ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ରଜନୀକାନ୍ତ ସିଂହଙ୍କୁ ନିର୍ଦ୍ଦେଶ,ଆସନ୍ତାକାଲି ଦେବେ ଇସ୍ତଫା

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳ ରଜନୀକାନ୍ତ ସିଂଙ୍କ ଉପରେ ଭରସା କରିଛି ।

Rajanikant Singh

Rajanikant Singh

Advertisment

ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂହଙ୍କୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେବେ। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି। ବିଜେଡି ସମାନ ଢଙ୍ଗରେ ଗତ ୫ମାସ ପୂର୍ବରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ ପ୍ରତ୍ୟାହାର କରିନେଇଥିଲା।

Advertisment

ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳ ରଜନୀକାନ୍ତ ସିଂହଙ୍କ ଉପରେ ଭରସା କରିଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଅନୁଗୁଳ ଓ ପାଲଲହଡ଼ା ବିଧାନସଭା କ୍ଷେତ୍ରରେ ବିଜେଡିର ସଂଗଠନ କ୍ରମାଗତ ଦୁର୍ବଳ ହେଉଛି । ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ଆଧାରରେ ବିଜେଡି ତାଙ୍କୁ ଉପବାଚସ୍ପତି ପଦରୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛି । ଗତ ଦୁଇଦିନ ତଳେ ତାଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଏ ସମ୍ପର୍କରେ ପଚରାଯିବାରୁ ଉପବାଚସ୍ପତି ରଜନୀକାନ୍ତ ସିଂହ କହିଛନ୍ତି ଯେ, ସେ ଆସନ୍ତାକାଲି ଭୁବନେଶ୍ୱର ଯିବେ । ଯାହା କିଛି ଆସନ୍ତାକାଲି ହିଁ କହିବେ । କିନ୍ତୁ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ଖବରକୁ ସେ ଖଣ୍ଡନ କରିନଥିଲେ । ତେବେ ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ସିଂହ ଆସନ୍ତାକାଲି ଭୁବନେଶ୍ୱରରେ ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫା ପତ୍ର ଦେବେ।

Advertisment

ଶ୍ରୀ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ମଧ୍ୟ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା କ୍ଷୀଣ । କିମ୍ବା ତାଙ୍କ ସ୍ଥାନରେ ଅନ୍ୟ କୌଣସି ନେତାଙ୍କୁ ଉପବାଚସ୍ପତି କରାଯିବ ନାହିଁ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି ।

ବିଜେଡି ସୂତ୍ର ଅନୁସାରେ, ବିଜେଡିର ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ, ଅନୁଗୁଳ ଜିଲ୍ଲାରେ ଦଳର ସ୍ଥିତି ଖରାପ ହେଉଥିବାରୁ ଶ୍ରୀ ସିଂହଙ୍କୁ ଉପବାଚସ୍ପତି ପଦ ଛାଡ଼ି ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ କଥା ବୁଝିବାକୁ କୁହାଯାଇଛି । ଉପବାଚସ୍ପତି ପଦରେ ଥିବାରୁ ସେ ଦଳୀୟ ସାଂଗଠନିକ କାର୍ଯ୍ୟ କରିବା ସମ୍ଭବପର ହେଉନି । ଅନୁଗୁଳ ବିଧାନସଭା ଆସନରୁ କ୍ରମାଗତ ୪ଥର ଜିତିଥିବା ଶ୍ରୀ ସିଂହ ୨୦୧୯ ଜୁନ୍ ମାସରୁ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ଏହି ସାମ୍ବିଧାନିକ ପଦରେ ଥିବାରୁ ସାଂଗଠନିକ କାର୍ଯ୍ୟ ସମ୍ଭବପର ହୋଇପାରୁନଥିଲା, ଯାହାର ପ୍ରଭାବ ପଂଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଥିଲା। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କଠୁ ରଜନୀକାନ୍ତଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ୁଛି। ୨୦୧୯ରେ ମାତ୍ର ୮୮୨୩ ଖଣ୍ଡ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଏହି ଦୁଇ ସଂସଦୀୟ କ୍ଷେତ୍ରର ରାଜନୀତି ଉପରେ ଅନୁଗୁଳର ପ୍ରଭାବ ଥିବାରୁ ବିଜେଡି ନିଜର ପୁରୁଖା ନେତା ରଜନୀକାନ୍ତ ସିଂହଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଚାହିଁଛି । ଅନୁଗୁଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ଭଞ୍ଜନଗର ବିଶେଷକରି ଗଞ୍ଜାମ ଜିଲ୍ଲାରେ ବିଜେଡିର ସାଂଗଠନିକ ସ୍ଥିତି କ୍ରମାଗତ ଦୁର୍ବଳ ହେବାପରେ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ବିକ୍ରମ କେଶରୀ ଆରୁ୍‌ଖଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଦଳ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଇ ନିଜ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଉପରେ ଅଧିକ ଫୋକସ କରିବାକୁ ପରାମର୍ଶ ଦେଇଥିଲା ।

BjD Rajanikant Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe