Advertisment

ଓଡ଼ିଶାରେ ଏଥର ମାହୋଲ ବଦଳୁଛି : ରାଜନାଥ

ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ପ୍ରାୟ ୪ ଘଣ୍ଟା ୩୦ ମିନିଟ ବନ୍ଦ ରହିଥିଲା ବୋଲି ମଧ୍ୟ ଶ୍ରୀ ସିଂହ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Rajnath

Rajnath

Advertisment

ବିଜେପି ପାଇଁ ରାୟଗଡ଼ାରେ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଜାତୀୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ବିଜେଡି ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ନାହିଁ ବୋଲି ରାଜନାଥ କହିଛନ୍ତି। ଏଥିସହ ଏଥର ମାହୋଲ ବଦଳିବ ଓ ବିଜେପି ଓଡ଼ିଶାର ସମସ୍ତ ୨୧ଟି ଯାକ ଲୋକସଭା ଆସନରେ ଜିତିବ ବୋଲି ଶ୍ରୀ ସିଂହ କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ପ୍ରାୟ ୪ ଘଣ୍ଟା ୩୦ ମିନିଟ ବନ୍ଦ ରହିଥିଲା ବୋଲି ମଧ୍ୟ ଶ୍ରୀ ସିଂହ ଦାବି କରିଛନ୍ତି।  

Advertisment

ଜନସଭାକୁ ସମ୍ବୋଧନ କରି ଶ୍ରୀ ସିଂହ କହିଛନ୍ତି, “ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି ଲାଗୁଛି। ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି। ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ରହିଛି।

ଗତ ୧୦ ବର୍ଷ ହେଲା କେନ୍ଦ୍ରରେ ମୋଦି ସରକାର କାମ କରୁଛନ୍ତି। ମୋଦିଙ୍କ କାମ କଥା ଲୋକେ କହୁଛନ୍ତି। କଂଗ୍ରେସ ୫୦ ବର୍ଷ ହେଲା ଶାସନ କରିଥିଲେ ହେଁ କିଛି କରି ନଥିଲା। ହେଲେ ମୋଦି ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ଗରିବୀ ରେଖା ତଳକୁ ହଟିଛନ୍ତି। ବିଶ୍ୱର ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞ କହୁଛନ୍ତି ଯେ ଯଦି ମୋଦି ଆଗକୁ ପ୍ରଧାନମନ୍ତ୍ରୀ ରହିବେ, ତା’ହେଲେ ୧୦ରୁ ୧୫ ବର୍ଷ ମଧ୍ୟରେ ଦେଶରୁ ଗରିବୀ ସଂପୂର୍ଣ୍ଣ ଭାବେ ହଟିଯିବ।”

Advertisment

ଓଡ଼ିଶାରେ ୨୫ ବର୍ଷ ହେଲା ଶାସନ କରୁଥିବା ବିଜେଡି ଉପରେ ମଧ୍ୟ ରାଜନାଥ ସିଂହ ବର୍ଷିଛନ୍ତି। ସେ କହିଛନ୍ତି, “ପ୍ରଥମେ ଓଡ଼ିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା। କିନ୍ତୁ ଏବେ ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ସେସବୁ ମିଳିବ। କଂଗ୍ରେସ ଓ ବିଜେଡି କେବଳ ଆଶ୍ୱାସନା ଦେଲେ। କିନ୍ତୁ ପୂରଣ କଲେନି।

ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ। ଗରିବ ହେଉ କି ଧନୀ ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ୭୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ।

ଯାହା ଆମେ କହୁ ତାହା କରୁ, ଏହା ଆମ ଚରିତ୍ର । ଧାରା ୩୭୦ ହଟାଇବୁ କହିଥିଲୁ, ହଟାଇଦେଲୁ। ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, ତାହାକୁ ବି ସତରେ ପରିଣତ କରି ଦେଖାଇଲୁ। ତିନ୍‌ ତଲାକ୍ ସମାପ୍ତ କରିବାକୁ କହିଥଲୁ, ସମାପ୍ତ କଲୁ। କଂଗ୍ରେସ ପୂର୍ବରୁ ରାମ ମନ୍ଦିର କଥା କହୁଥିଲା। ବିଜେପି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଦଳ ନାରା ଦେଉଥିଲା। ହେଲେ ମୋଦି ସରକାର ରାମଲଲାଙ୍କୁ କୁଆଡ଼ୁରୁ ଆଣି ମନ୍ଦିରରେ ବସାଇଛନ୍ତି। ଯେମିତି ରାମ ମନ୍ଦିର ନିର୍ମାଣ ହେଲା, ସେତିମି ପୂରା ଦେଶ ରାମ ରାଜ୍ୟରେ ପରିଣତ ହେବ। ଯେଉଁ ଧର୍ମର ହେଉନା କାହିଁକି ମାଆ, ଭଉଣୀଙ୍କୁ ଅସମ୍ମାନ ବରଦାସ୍ତ ହେବନି।”

ଦୁର୍ନୀତି ପ୍ରସଙ୍ଗରେ ବିଜେଡି ଅପେକ୍ଷା କଂଗ୍ରେସ ଉପରେ ବେଶୀ ବର୍ଷିଛନ୍ତି ରାଜନାଥ ସିଂହ। ସେ କହିଛନ୍ତି, “କଂଗ୍ରେସ ଦୁର୍ନୀତିକୁ ଉଚ୍ଛେଦ କରିବ ବୋଲି କହୁଛି। ହେଲେ କଂଗ୍ରେସ କ୍ଷମତାରେ ଥିବା ବେଳେ ଦୁର୍ନୀତି ହଟାଇଥିଲା କି? କଂଗ୍ରେସ ଶାସନରେ ଭ୍ରଷ୍ଟାଚାର ବଢ଼ିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି କହିଥିଲେ ଯେ ଦିଲ୍ଲୀରୁ ଶହେ ପଇସା ଗଲେ ଲୋକଙ୍କ ପାଖରେ ୧୫ ପଇସା ପହଞ୍ଚୁଛି। କିନ୍ତୁ ଭ୍ରଷ୍ଟାଚାର ନା ସମାପ୍ତ କରିଲେ ନା ରୋକିପାରିଲେ। କିନ୍ତୁ ଜନଧନ ଜରିଆରେ ମୋଦି ଭ୍ରଷ୍ଟାଚାର ହଟାଇଛନ୍ତି। ପୂର୍ବେ ଅନ୍ତର୍ଜାତୀୟ ମଞ୍ଚରେ ଆମ ନେତାଙ୍କୁ ଗୁରୁତ୍ୱ ମିଳୁ ନଥିଲା। ବର୍ତ୍ତମାନ ମୋଦିଙ୍କ ସମୟରେ ଭାରତର ଗୁରୁତ୍ୱ ବଢ଼ିଛି।”

ମୋଦିଙ୍କ ଗୁରୁତ୍ୱ କେମିତି ବିଶ୍ୱରେ ବଢ଼ିଛି, ତା’ର ଉଦାହରଣ ଦେବାକୁ ଶ୍ରୀ ସିଂହ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “କଠିନ ସମୟରେ ପ୍ରାୟ ୨୫ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ସ୍ୱଦେଶ ଅଣାଯାଇଥିଲେ। ଘମାଘୋଟ ଯୁଦ୍ଧ ମଧ୍ୟରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଯୁଦ୍ଧ ବନ୍ଦ କରିବାକୁ କହିଥିଲେ। ମୋଦିଙ୍କ ଫୋନ ପରେ ୪ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ ହୋଇଥିଲା। ଏହାପରେ ଭାରତୀୟଙ୍କୁ ଯୁଦ୍ଧ କ୍ଷତିଗ୍ରସ୍ତ ଅଞ୍ଚଳରୁ ଅଣାଯାଇଥିଲା। ଏହା ବର୍ତ୍ତମାନର ଭାରତ। ଏ ଭାରତ ଦୁର୍ବଳ ନୁହେଁ।”

ରାଜନାଥ ସିଂହ କରୋନା ସମୟରେ ଭାରତର ଦକ୍ଷତା ବଖାଣିଛନ୍ତି। ସେ କହିଛନ୍ତି, ମହମାରୀ କରୋନା ବେଳେ ସମସ୍ତ ଆତଙ୍କିତ ହୋଇ ପଡ଼ି ଯାଇଥିଲେ। ବୈଜ୍ଞାନିକଙ୍କ ସହ କଥା ହୋଇ ମୋଦି କରୋନା ଟିକା ପ୍ରସ୍ତୁତ କଲେ। ଆମ ଦେଶର ଲୋକେ ଟିକା ନେବା ସହ ବିଦେଶକୁ ପଠାଗଲା। ୨୦୦୪ରେ ଭାରତର ସ୍ଥାନ ଅର୍ଥନୀତିରେ ଏକାଦଶ ଥିଲା। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହେଲୁ।

୨୦୨୭ରେ ଆମ ଦେଶ ଟପ୍ ଥ୍ରୀ ଅର୍ଥନୀତି ଭାବେ ଉଭା ହେବ। ଆମେରିକା ଓ ଚାଇନା ପଛକୁ ତୃତୀୟ ସ୍ଥାନରେ ରହିବୁ। ଆଦିବାସୀଙ୍କୁ ସବୁଠୁ ଅଧିକ ସମ୍ମାନ ମୋଦି ସରକାର ଅମଳରେ ମିଳିଛି। ଆଦିବାସୀଙ୍କୁ ଆମ ସରକାର ସବୁଠୁ ଅଧିକ ସମ୍ମାନ ଦିଏ। ବିର୍ସା ମୁଣ୍ଡା ଜନ୍ମଦିନ ସାରା ଦେଶରେ ପାଳନ କରାଯାଉଛି। କଂଗ୍ରେସ ସମୟରେ ଏହା ହୋଇ ପାରି ନଥିଲା।

ପ୍ରସଙ୍ଗ ନଥିବାରୁ ବିରୋଧୀ ଆମ ନାଁରେ ଅପପ୍ରଚାର କରୁଛି। ଆମେ ସମ୍ବିଧାନକୁ ବଦଳାଇ ଦେବକୁ ବୋଲି କଂଗ୍ରେସ କହୁଛି। ହେଲେ କଂଗ୍ରେସ ହିଁ ୮୦ ଥର ସମ୍ବିଧାନ ବଦଳାଇଥିଲା। ସମ୍ବିଧାନର ଆତ୍ମା କୁହାଯାଉଥିବା ପ୍ରସ୍ତାବନାକୁ ମଧ୍ୟ କଂଗ୍ରେସ ଅନେକ ଥର ବଦଳାଇଛି। ଇଡି ଓ ସିବିଆଇ ଦୁର୍ନୀତିକୁ ବନ୍ଦ କରିବା ପାଇଁ କାର୍ଯ୍ୟ କରୁଥିବା ରାଜନାଥ କହିଛନ୍ତି।

Odisha Rajnath Singh Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe