Advertisment

Rajya Sabha Battle: ବିଜେଡି-କଂଗ୍ରେସ ଏକଜୁଟ: ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ଭାରି ପଡ଼ିବ କି ବିଜେପିର ରଣନୀତି?

ଯଦି ବିଜେପି ଶେଷ ମୁହୂର୍ତ୍ତରେ ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ନଦିଏ, ତେବେ ଏହା ରାଜ୍ୟ ରାଜନୀତିରେ ଏକ ଭିନ୍ନ ସନ୍ଦେଶ ଦେବ। ଏପରି ହେଲେ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ହୋତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପଥ ସୁଗମ ହୋଇଯିବ ।

MM-NN-BD
Advertisment

ବିଜେଡି ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନଥାଇ ମଧ୍ୟ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶାସକ ବିଜେପିକୁ ଅକଳରେ ପକାଇ ଦେଇଛନ୍ତି। ଚତୁର୍ଥ ଆସନ ପାଇଁ ବିଜେଡିର ‘କମନ୍ ପ୍ରାର୍ଥୀ’ଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ଆଶ୍ୱସ୍ତ କରିଥିବାରୁ ନବୀନ ଏଭଳି ମାଷ୍ଟରଷ୍ଟ୍ରୋକ ମାରିଥିବା କୁହାଯାଉଛି।

Advertisment

 ବିଜେଡିର ବଳକା ଭୋଟ୍ ଓ କଂଗ୍ରେସର ସମର୍ଥନ ମିଶିଲେ ଚତୁର୍ଥ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସହଜରେ ଜିତିଯିବେ ବୋଲି ଉପରକୁ ସରଳ ଦିଶୁଥିଲେ ମଧ୍ୟ ବାସ୍ତବରେ ତାହା ସେତିକି ଜଟିଳ। ରାଜ୍ୟରେ ଶାସକ ବିଜେପି ନିଜର କାର୍ଡ ଏପର୍ଯ୍ୟନ୍ତ ଖୋଲିନଥିବାରୁ ତା’ର ପରବର୍ତ୍ତୀ ରଣନୀତି ଉପରେ ବିଜେଡି-କଂଗ୍ରେସର କମନ୍ ପ୍ରାର୍ଥୀଙ୍କ ଭବିଷ୍ୟତ ନିର୍ଭର କରୁଥିବା ଜଣାପଡ଼ିଛି।

ବିଜେପିର ‘ୱେଟ୍ ଆଣ୍ଡ ୱାଚ୍‌’ ନୀତି ଓ କ୍ରସଭୋଟିଂର ଆଶଙ୍କା

କଂଗ୍ରେସର ସମର୍ଥନରେ ବିଜେଡି ନିଜର ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବ ବୋଲି ଗୋଟିଚାଳନା କରିଛି । ବିଜେପି ରାଜ୍ୟରେ କେତୋଟି ଆସନ ପାଇଁ ପ୍ରାର୍ଥୀ ଦେବ ସେ ନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆମର ଜାତୀୟ ଦଳ ଓ ସବୁ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ଆମେ ଆମର ମତାମତ ଜଣାଇ ଦେଇଛୁ। ରାଜ୍ୟରେ ବିଜେପି ଶାସନରେ ଥାଇ ମଧ୍ୟ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବ କି ନାହିଁ ତା’ର ସ୍ପଷ୍ଟତା ନଥିବାବେଳେ କଂଗ୍ରେସ ସହଯୋଗରେ ବିଜେଡିର ପ୍ରାର୍ଥୀ ଜିତିବା ସହଜ ହୋଇଯିବ ବୋଲି କୁହାଯାଉଛି । 

Advertisment

ତେବେ ରାଜ୍ୟ ବିଧାନସଭାରେ ୩ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟି ୮୨ଜଣ ବିଧାୟକଙ୍କର ସମର୍ଥନ ଥିବା ବିଜେପି ଯଦି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ନଦିଏ ଓ ବିଜେଡି-କଂଗ୍ରେସକୁ ମିଳିତ ଶକ୍ତି ପ୍ରଦର୍ଶନ ପାଇଁ କ୍ଷେତ୍ର ଛାଡ଼ିଦିଏ ତା’ର ପ୍ରଭାବ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ରହିଛି। ବିଜେପି ଏବେ ‘ୱେଟ୍ ଆଣ୍ଡ ୱାଚ୍‌’ ନୀତି ଆପଣାଇଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। 

ଯଦି ଶାସକ ବିଜେପି ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ଦିଏ, ତେବେ ୨ଜଣ ନିଲମ୍ବିତ ବିଜେଡି ବିଧାୟକଙ୍କ ସମେତ ବିଜେଡି-କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କୁ ନିଜ ଆଡ଼କୁ ଆଣି କ୍ରସଭୋଟିଂ କରାଇବାର ସମ୍ଭାବନା ରହିଛି।ରାଜ୍ୟସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ମ୍ୟାଜିକ୍ ନମ୍ବର ୩୦ ଥିବାବେଳେ ଦଳ ପାଖରେ ୨ଟି ଆସନ ଜିଣିବା ପରେ ବି ବଳକା ୨୨ଜଣ ସଦସ୍ୟଙ୍କ ଭୋଟ୍ ରହିଛି। 


ବିଜେପି ପ୍ରାର୍ଥୀ ନଦେଲେ କଣ ହେବ ସମୀକରଣ?

ଯଦି ବିଜେପି ଶେଷ ମୁହୂର୍ତ୍ତରେ ଚତୁର୍ଥ ଆସନ ପାଇଁ କୌଣସି ପ୍ରାର୍ଥୀ ନଦିଏ, ତେବେ ଏହା ରାଜ୍ୟ ରାଜନୀତିରେ ଏକ ଭିନ୍ନ ସନ୍ଦେଶ ଦେବ। ଏପରି ହେଲେ ବିଜେଡି-କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ହୋତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପଥ ସୁଗମ ହୋଇଯିବ । କିନ୍ତୁ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ଏହା ସାଧାରଣରେ ଏକ ଭୁଲ୍ ସନ୍ଦେଶ ଯିବ ଯାହା ରାଜ୍ୟ ବିଜେପି ପାଇଁ ଆତ୍ମଘାତୀ ହୋଇପାରେ। ବିଜେପି ପରୋକ୍ଷରେ ବିଜେଡିକୁ ସହଯୋଗ କରୁଛି ବୋଲି ସାଧାରଣରେ ସନ୍ଦେଶ ଯିବ। ଶାସନରେ ଥାଇ ମଧ୍ୟ ଚତୁର୍ଥ ଆସନକୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଛାଡ଼ିଦେବା ଦଳର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇପାରେ। ତେଣୁ ବିଜେପି ନିଜର ୨୨ଟି ବଳକା ଭୋଟକୁ ନେଇ କି ରଣନୀତି କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି?


ଚତୁର୍ଥ ଆସନ ଓ ରାଜ୍ୟସଭା ନିର୍ବାଚନ ଫର୍ମୁଲା

ରାଜ୍ୟସଭା ନିର୍ବାଚନର ଗାଣିତିକ ଫର୍ମୂଲା ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଜଣ ବିଧାୟକଙ୍କ ସମର୍ଥନ ଜରୁରୀ। ପ୍ରତ୍ୟେକ ବିଧାୟକଙ୍କର ଭୋଟ୍ ସଂଖ୍ୟା ହେଉଛି ୧୦୦ । ରାଜ୍ୟରେ ୧୪୭ ବିଧାୟକଙ୍କ ଭୋଟ୍ ହେଉଛି ୧୪୭୦୦। ଖାଲି ପଡ଼ିଥିବା ୪ ଆସନ ପ୍ଲସ୍ ୧କୁ ମୋଟ ଭୋଟରେ ବିଭାଜନ କରି ସେଥିରେ ୧ ମିଶାଣ କରିବା। ଅର୍ଥାତ୍ ୧୪୭୦୦/୫ +୧ ହେଉଛି ୨୯୪୧ ବା ୨୯.୪୧ । ଅର୍ଥାତ୍ Odisha Rajya Sabha election ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୦ଜଣ ବିଧାୟକଙ୍କ ସମର୍ଥନ ଦରକାର। 

ବିଜେଡିର ୪୮ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ପ୍ରଥମ ପ୍ରାର୍ଥୀଙ୍କୁ ଭୋଟ୍ ଦେଲା ପରେ ୧୮ଟି ଭୋଟ୍ ବଳକା ରହିବ। ଯଦି କଂଗ୍ରେସ ନିଜର ୧୪ଟି ଭୋଟ୍ ଡାକ୍ତର ହୋତାଙ୍କୁ ଦିଏ, ତେବେ ଏହି ସଂଖ୍ୟା ୩୨ରେ ପହଂଚିବ ଓ ସେ ସହଜରେ ବିଜୟୀ ହେବେ। ମାତ୍ର ବିଜେପି ଯଦି ନିଜର ୨୨ଟି ବଳକା ଭୋଟ୍ ସହ ନିଲମ୍ବିତ ବିଧାୟକ ଓ ଅସନ୍ତୁଷ୍ଟ ବିଧାୟକଙ୍କୁ ନିଜ ପକ୍ଷକୁ ନେଇଯାଏ, ତେବେ ଏହି ଗଣିତ ସମ୍ପୂର୍ଣ୍ଣ ଓଲଟପାଲଟ ହେବାର ଆଶଙ୍କା ରହିଛି।

ଦୁଇ ଦଳ ଭିତରେ ସ୍ଥାୟୀ ବୁଝାମଣା ନୁହେଁ: ଭକ୍ତ

ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣର ବାଟ ଫିଟିଥିବା ଚର୍ଚ୍ଚା ହେଉଛି। ଯଦିଓ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଚତୁର୍ଥ ଆସନ ପାଇଁ ତିନି ଦଳ ମଧ୍ୟରୁ କାହାର ବି ଆବଶ୍ୟକ ସଂଖ୍ୟା ନଥିବାରୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଜଣେ ପ୍ରଖ୍ୟାତ ଓଡ଼ିଆଙ୍କୁ ମିଳିତ ପ୍ରାର୍ଥୀ କରିବାକୁ ଆମେ ମୂଳରୁ ଚାହିଁଥିଲୁ। 

ଘୋଡ଼ାବେପାର ରୋକିବା ପାଇଁ ଓ ଏକ ସୁସ୍ଥ ରାଜନୈତିକ ପରମ୍ପରା ସୃଷ୍ଟି କରିବା ପାଇଁ ନବୀନବାବୁଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା ଓ ଉଭୟ ଦଳର ତାଲିକାରେ ଡାକ୍ତର ହୋତାଙ୍କ ନାମ ‘କମନ୍‌’ ରହିଥିଲା।

ତେବେ ଏହା ଦୁଇ ଦଳ ମଧ୍ୟରେ କୌଣସି ସ୍ଥାୟୀ ବୁଝାମଣା ନୁହେଁ, ବରଂ ଏକ ସୁସ୍ଥ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁରୂପୀ ପଦକ୍ଷେପ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ନବୀନଙ୍କୁ ସାଧୁବାଦ ଜଣାଇବା ସହ ସାମ୍ପ୍ରତିକ ରାଜନୈତିକ ସମସ୍ୟାର ସମାଧାନ ପାଇଁ ଏହା ଏକ ମିଳିତ ପ୍ରୟାସ ବୋଲି ଦୋହରାଇଛନ୍ତି।

ମାତ୍ର ବିଜେପି ଯଦି ଚତୁର୍ଥ ପ୍ରାର୍ଥୀ ନଦେଇ ପରୋକ୍ଷରେ ବିଜେଡିର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମାର୍ଗ ପ୍ରଶସ୍ତ କରେ ତାହା ଦଳକୁ ଆଗାମୀ ଦିନରେ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା। ତେବେ ସବୁକିଛି ବିଜେପି ସଂସଦୀୟ ଦଳ ବୋର୍ଡର ନିଷ୍ପତ୍ତି ଉପରେ ନିର୍ଭର କରୁଛି?

Odisha Rajya Sabha election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe