
ମ୍ୟାଜିକ୍ ନମ୍ବରଠୁ ଢ଼େର ପଛରେ ଥାଇ ମଧ୍ୟ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ବୋଲି ଘୋଷଣା କରି ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ରୋଚକ ମୋଡ଼ ଦେଇଛି । ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ସ୍ପଷ୍ଟ ବହୁମତ ନଥିବାବେଳେ କଂଗ୍ରେସର ଅପ୍ରତ୍ୟାଶିତ ଘୋଷଣା ଆଗାମୀ ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଏଂଟ୍ରି ଉପରେ ଚେକ୍ ଦେବା ସହ ଘୋଡ଼ାବେପାର ଓ ନୂଆ ରାଜନୀତିକ ସମୀକରଣର ସମ୍ଭାବନା ସୃଷ୍ଟି କରିଛି । ଯଦିଓ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ବିଜେପିକୁ ୨ଟି ଓ ବିଜେଡିକୁ ଗୋଟିଏ ଆସନ ମିଳିବ ବୋଲି ଉପରକୁ ଜଳଜଳ ଦିଶୁଛି ମାତ୍ର ଏହି ଦୌଡ଼ରେ କଂଗ୍ରେସ ସାମିଲ ହେବାପରେ ବିଜେପିକୁ ୪ରୁ ୩ଟି ଆସନ(ଚତୁର୍ଥ ଆସନ) ମିଳିବା ଏକପ୍ରକାର ସହଜ ହୋଇଯାଇଛି । ରାଜ୍ୟସଭା ନିର୍ବାଚନକୁ ନେଇ ଏକ ବିସ୍ତୃତ ବିଶ୍ଲେଷଣାତ୍ମକ ରିପୋର୍ଟ....
ରାଜ୍ୟସଭା ନିର୍ବାଚନର ମ୍ୟାଜିକ ନମ୍ବର ଓ ଦଳର ସ୍ଥିତି
ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ସୁଜିତ୍ କୁମାର, ମମତା ମହନ୍ତ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ତାରିଖରେ ଶେଷ ହେଉଛି । ମାର୍ଚ୍ଚ ମାସରେ ଏହି ନିର୍ବାଚନ ନିମନ୍ତେ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ଜାତୀୟ ନିର୍ବାଚନ ଆୟୋଗ ଇତିମଧ୍ୟରେ ନିର୍ଦ୍ଦେଶ ଦେଇସାରିଛନ୍ତି ।
ଓଡ଼ିଶା ବିଧାନସଭାରେ ମୋଟ ୧୪୭ଟି ଆସନ ଥିବାବେଳେ ଏବେ ୪ଟି ଆସନ ପାଇଁ ଭୋଟ ହେବ । ରାଜ୍ୟସଭା ଆସନ ଜିତିବାର ଫର୍ମୂଲା ହେଉଛି [ମୋଟ ବିଧାୟକ/(ଖାଲି ଆସନ+୧) + ୧] । ସେହି ଅନୁସାରେ ଓଡ଼ିଶାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ପ୍ରଥମ ପସନ୍ଦର ମ୍ୟାଜିକ ନମ୍ବର ହେଉଛି ୩୧ [୧୪୭/(୪+୧) + ୧] = ୩୦.୪, ଅର୍ଥାତ୍ ୩୧) । ରାଜ୍ୟସଭା ନିର୍ବାଚନ ‘ସିଙ୍ଗଲ ଟ୍ରାନ୍ସଫରେବୁଲ ଭୋଟ’ (ଏସଟିଭି) ବ୍ୟବସ୍ଥାରେ ହୋଇଥାଏ ।
ଏବେ ବିଧାନସଭାରେ ବିଜେପି ପାଖରେ ୮୨ଜଣ ବିଧାୟକ(୭୯ ବିଜେପି + ୩ ସ୍ୱାଧୀନ ସମର୍ଥିତ) ରହିଛନ୍ତି । ଦୁଇଟି ଆସନ ଜିତିବା ପାଇଁ ୬୨ ବିଧାୟକଙ୍କ ସମର୍ଥନ ପରେ ବିଜେପି ହାତରେ ଆଉ ୨୦ଜଣ ବିଧାୟକଙ୍କ ଭୋଟ୍ ରହିବ । ସେହିପରି ବିଜେଡିର ୪୮ ଜଣ ବିଧାୟକ( ୨ ନିଲମ୍ବିତଙ୍କ ବାଦ୍) ଅଛନ୍ତି ଓ ଗୋଟିଏ ଆସନ ପାଇଁ ୩୧ ବିଧାୟକଙ୍କ ଭୋଟ୍ ପରେ ୧୭ଜଣ ବିଧାୟକଙ୍କ ଭୋଟ୍ ଦଳ ପାଖରେ ରହିବ । ଅନୁରୂପ ଭାବେ କଂଗ୍ରେସର ନିଜର ୧୪ ବିଧାୟକ ଓ ସହଯୋଗୀ ସିପିଆଇର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ଜଣ ବିଧାୟକଙ୍କ ସମର୍ଥନ ରହିଛି ।
ଏହି ଚତୁର୍ଥ ଆସନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ହାସଲ କରିବାକୁ ବିଜେପି ୧୧ଜଣ, ବିଜେଡି ୧୪ଜଣ ଓ କଂଗ୍ରେସ ୧୬ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି ।
ରାଜ୍ୟସଭା ନିର୍ବାଚନକୁ ନେଇ ୩ ଦଳର ଦାବି ଓ ରଣନୀତି
ମାର୍ଚ୍ଚ ମାସରେ ନିର୍ବାଚନ ଥିଲେ ମଧ୍ୟ ୩ଦଳ ନିଜ ନିଜର ରଣନୀତି ଓ ଦାବିର ଆଭାସ ଦେଇଛନ୍ତି । ବିଧାନସଭାରେ ମାତ୍ର ୧୪ଜଣ ବିଧାୟକ ଥିବା କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ । ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ “ହାର ଜିତକୁ ଭୟ ନାହିଁ । ଦଳ ଏକାକୀ ପ୍ରାର୍ଥୀ ଦେବ । ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ ଦଳ ୩-୪ଜଣଙ୍କ ନାଁ ସ୍ଥିର କରିଛି ଓ ଏନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ ।”
ସେହିପରି ବିଜେଡି ନେତା ତଥା ମୁଖପାତ୍ର ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାର ଗୋଟିଏ ସିଟ୍ ଦଳକୁ ମିଳିବା ସୁନିଶ୍ଚିତ । କିନ୍ତୁ ଦ୍ୱିତୀୟ ସିଟ୍ ପାଇଁ ଦଳ ଆଭିମୁଖ୍ୟ କ’ଣ ହେବ ସେକଥା ଆଲୋଚନାସ୍ତରରେ ରହିଛି । ନବୀନ ପଟ୍ଟନାୟକ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ।”
ଅନ୍ୟପକ୍ଷରେ ବିଜେପି ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ “ ଦଳର ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଆମକୁ ଜିତିବାର ରଣକୌଶଳ ଜଣାଅଛି ଓ ଚତୁର୍ଥ ଆସନ ମଧ୍ୟ ଆମେ ଜିତିବୁ ।”
ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଏହି ବୟାନ ପଛରେ ବିଜେପିର ସେହି ବଳକା ୨୦ଜଣ ବିଧାୟକଙ୍କ ଭୋଟ୍ ଓ ‘ଦ୍ୱିତୀୟ ପସନ୍ଦ’ ଭୋଟର ବଡ଼ଗୁମର ଲୁଚି ରହିଛି । ବିଜେପି ଯଦି ଚତୁର୍ଥ ଆସନ ପାଇଁ ତୃତୀୟ ପ୍ରାର୍ଥୀ ଦିଏ ତେବେ ଦଳ ପାଇଁ ବାକି ୧୧ଜଣ ବିଧାୟକଙ୍କ ସମର୍ଥନ କରିବା କଷ୍ଟକର ହେବ ନାହିଁ ବୋଲି ସେ ସଙ୍କେତ ଦେଇଛନ୍ତି । ବିଶେଷକରି ବିଜେଡିର ଦୁଇ ନିଲମ୍ବିତ ବିଧାୟକଙ୍କ ସମେତ ବିଜେଡିରେ ବଢ଼ୁଥିବା କନ୍ଦଳରୁ ଫାଇଦା ଉଠାଇବାକୁ ବିଜେପି ଚାହିଁପାରେ ।
ଏସବୁ ମଧ୍ୟରେ ବରିଷ୍ଠ ନେତା ଦିଲ୍ଲୀପ ରାୟ ଆଜି ଶ୍ରୀ ହରିଚନ୍ଦନଙ୍କୁ ଭେଟିବାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀପଙ୍କ ନାଁ ରାଜ୍ୟସଭା ପାଇଁ ଚର୍ଚ୍ଚାରେ ଥିବାବେଳେ ସେ କୋଇଲା ବ୍ଲକ ଆବଂଟନ ମାମଲାରେ ଏବେ ଜାମିନରେ ଅଛନ୍ତି ।
ସେପଟେ ଭକ୍ତଙ୍କ ଏହି ପଦକ୍ଷେପ ପଛରେ ଏକ ପ୍ରମୁଖ କାରଣ ହେଉଛି ନିଜର ୧୪ ବିଧାୟକଙ୍କୁ ଏକଜୁଟ୍ ରଖିବା । ଯଦି କଂଗ୍ରେସ ନିଜର ପ୍ରାର୍ଥୀ ଦିଏ, ତେବେ ‘ଘୋଡ଼ା ବେପାର’ର ସୁଯୋଗ କମ୍ ରହିବ ଓ ଦଳୀୟ ହ୍ୱିପ୍ ଜାରି ହୋଇପାରିବ । ପଂଚାୟତ-ପୌର ନିର୍ବାଚନ ପୂର୍ବରୁ ଦଳ ଏକଜୁଟ ରହିଛି ବୋଲି ସନ୍ଦେଶ ଦେବା ସହ ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ କଂଗ୍ରେସର ଭୋଟ୍ ସ୍ଥାନାନ୍ତରର ମାର୍ଗକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।
ସେହିପରି ଚତୁର୍ଥ ଆସନ ପାଇଁ ଲଢ଼େଇ କରିବ କି ନାହିଁ ସେ ନେଇ ନିଜର କାର୍ଡ ଖୋଲିନାହିଁ ବିଜେଡି।
ଦ୍ୱିତୀୟ ପସନ୍ଦ ଭୋଟର ଫର୍ମୂଲା ଓ ସୁବିଧାସ୍ଥିତିରେ ବିଜେପି
Rajya Sabha ଚତୁର୍ଥ ଆସନ ପାଇଁ କୌଣସି ଦଳ ପାଖରେ ମ୍ୟାଜିକ୍ ନମ୍ବର ନଥିବାବେଳେ ବିଧାୟକମାନଙ୍କର ‘ଦ୍ୱିତୀୟ ପସନ୍ଦ’ ଭୋଟର ଭୂମିକା ନିର୍ଣ୍ଣାୟକ ହେବ । ଚଳିତଥର ‘ଦ୍ୱିତୀୟ ପସନ୍ଦ’ ଭୋଟ୍ ହିଁ ଶାସକ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହେବ । ଯଦି ‘ପ୍ରଥମ ପସନ୍ଦ’ ଭୋଟ୍ ଗଣତିରେ କୌଣସି ପ୍ରାର୍ଥୀ ୩୧ଟି ଭୋଟ୍ (ବିଧାୟକଙ୍କ ସମର୍ଥନ) ପାଉନାହାନ୍ତି, ତେବେ ‘ଦ୍ୱିତୀୟ ପସନ୍ଦ’ର ଭୋଟ୍ ଗଣାଯିବ । ବିଜେପି ନିଜର ପ୍ରଥମ ଦୁଇଜଣ ପ୍ରାର୍ଥୀଙ୍କୁ ୩୧-୩୧ ପ୍ରଥମ ପସନ୍ଦ ଭୋଟ୍ ଦେବା ପରେ ମଧ୍ୟ ଦଳ ପାଖରେ ୨୦ଟି ଭୋଟ୍ (୩ ସ୍ୱାଧୀନ ବିଧାୟକଙ୍କ ସମେତ)ବଳକା ରହିବ । ବିଜେପି ଯଦି ତିନିଜଣ ପ୍ରାର୍ଥୀ ଦିଏ, ତେବେ ସେହି ୨୦ ଜଣ ବିଧାୟକ ତୃତୀୟ ପ୍ରାର୍ଥୀ(ଚତୁର୍ଥ ଆସନ ପାଇଁ) ଙ୍କୁ ‘ପ୍ରଥମ ପସନ୍ଦ’ ଭୋଟ ଦେବେ । ଏହାପରେ ବିଜେପିର ସମସ୍ତ ୮୨ ଜଣ ବିଧାୟକ ସେମାନଙ୍କ ବାଲଟରେ ‘ଦ୍ୱିତୀୟ ପସନ୍ଦ’ ଭାବେ ତୃତୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ । ଯାହାକି ଚତୁର୍ଥ ଆସନର ପ୍ରାର୍ଥୀଙ୍କୁ ସହଜରେ ବିଜୟୀ କରାଇବ ।
ସେହିପରି କଂଗ୍ରେସ ନିଜେ ପ୍ରାର୍ଥୀ ଦେବ କହି ବିଜେପି ସହ ମୂଲଚାଲ ପାଇଁ ବିଜେଡିର ପକ୍ଷକୁ ଦୁର୍ବଳ କରିଦେଇଛି । ବିଜେପି ନିଜର ଦ୍ୱିତୀୟ ପସନ୍ଦ ଭୋଟ୍ ଆଧାରରେ ଚତୁର୍ଥ ଆସନକୁ ସହଜରେ ଜିତିବାରେ ସକ୍ଷମ ହେବ ।
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ରକ୍ଷା କରିବ ନା ଚତୁର୍ଥ ଆସନ ପାଇଁ କେଉଁ ଦଳକୁ ବିଜେଡି ସମର୍ଥନ ଦେବ ତାହା ବି ଅସ୍ପଷ୍ଟ । ଯଦି ଚତୁର୍ଥ ଆସନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦଳକୁ ବିଜେଡି ନିଜର ସମର୍ଥନ ନଦିଏ ଓ ନିଜେ ବି ପ୍ରାର୍ଥୀ ଦିଏ ତା’ହେଲେ ‘ଦ୍ୱିତୀୟ ପସନ୍ଦ ଭୋଟ’ ଫର୍ମୂଲାରେ ବିଜେପି ପ୍ରାର୍ଥୀ ସହଜରେ ବିଜୟୀ ହେବେ ।
ଯଦି କୌଣସି କାରଣବଶତଃ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜେଡି ଘୋଷିତ ଅବା ଅଘୋଷିତ ସମର୍ଥନ କରେ ତା’ହେଲେ ସେମାନେ (୧୫+୧୭=୩୨) ମ୍ୟାଜିକ୍ ନମ୍ବର(୩୧କୁ) ସହଜରେ ହାସଲ କରିପାରିବେ । ଏଭଳି ସ୍ଥିତିରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଓ ପୁଞ୍ଜିଭୂତ ଅସନ୍ତୋଷର ଫାଇଦା ଉଠାଇବାକୁ ଶାସକ ବିଜେପି ନିଜର ଗୋଟିଚାଳନା କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏଭଳି କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସ୍ଥିତି ଉପୁଜିଲେ ଓଡ଼ିଶାରେ ପୁଣିଥରେ ରାଜ୍ୟସଭା ନିର୍ବାଚନରେ ‘ହର୍ସ ଟ୍ରେଡିଂ’ ବା ‘ଘୋଡ଼ା ବେପାର’ ଆଶଙ୍କାକୁ ପ୍ରୋତ୍ସାହିତ କରିବ ବୋଲି ଆକଳନ କରାଯାଉଛି ।
ବିଜେଡି ପାଇଁ ଏସିଡ୍ ଟେଷ୍ଟ ଓ ଦଳୀୟ ହୁଇପ୍
ରାଜ୍ୟସଭା ନିର୍ବାଚନ ବିଜେଡି ପାଇଁ ଏସିଡ୍ ଟେଷ୍ଟ ହେବାର ଆଶଙ୍କା ରହିଛି । ତୀବ୍ର ଗୋଷ୍ଠୀକନ୍ଦଳ ଦେଇ ଗତି କରୁଥିବା ଦଳୀୟ ବିଧାୟକମାନଙ୍କୁ ଏକଜୁଟ କରି ରଖିବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ବିଜେଡିର ବାକି ୧୭ଜଣ ବିଧାୟକମାନଙ୍କ(ଗୋଟିଏ ସିଟ୍ ପାଇଁ ୪୮ରୁ ୩୧ଜଣକୁ ବାଦ୍) ଭୂମିକା କ’ଣ ରହିବ ତାହା ଅସ୍ପଷ୍ଟ । ରାଜ୍ୟସଭା ନିର୍ବାଚନ ଏକ ‘ଖୋଲା ବାଲଟ୍’ ପ୍ରକ୍ରିୟାରେ ହୁଇପ୍ ଜାରି ହୁଏ, ଯେଉଁଠାରେ ବିଧାୟକମାନେ କାହାକୁ ଭୋଟ୍ ଦେଉଛନ୍ତି ତାହା ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବା ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିି ଅନୁସାରେ ଏଥିରେ ଦଳୀୟ ହୁଇପ୍ ଲାଗୁ ହୋଇଥାଏ । ଯଦି ଜଣେ ବିଧାୟକ ହୁଇପ୍ ମାନନ୍ତି ନାହିଁ, ତେବେ ଦଳ ତାଙ୍କୁ ବହିଷ୍କାର କରିପାରିବ । କିନ୍ତୁ କ୍ରସ-ଭୋଟିଂ କଲେ ସମ୍ବିଧାନର ଦଶମ ଅନୁସୂଚୀ ଅନୁସାରେ ବିଧାୟକ ପଦ ସିଧାସଳଖ ରଦ୍ଦ ହୁଏନାହିଁ । ଏହି ଆଇନଗତ ଗଳାବାଟ ହିଁ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ସ୍ୱତନ୍ତ୍ର ରଣନୈତିକ ନିଷ୍ପତ୍ତି ନେବା ପାଇଁ ସୁଯୋଗ ପ୍ରଦାନ କରିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
