Advertisment

Rajya Sabha Battle: ମ୍ୟାଜିକ-୩୧, କିଏ ଦେବ ମାତ୍ , ଦେଖନ୍ତୁ ୭ ସମ୍ଭାବ୍ୟ ପରିସ୍ଥିତି ଓ ସମୀକରଣ

ରାଜ୍ୟରେ ବିଜେପିର ନିଜସ୍ୱ ସରକାର ଥିବାରୁ ଦଳ ଏଠାରୁ ଜାତୀୟସ୍ତରର କୌଣସି ପ୍ରଭାବଶାଳୀ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ‘ଅଣ-କଂଗ୍ରେସ’ କାର୍ଡ ଖେଳି କିଛି ବିଜେଡି ବିଧାୟକଙ୍କ ନୈତିକ ସମର୍ଥନ ହାସଲ ନିମନ୍ତେ ପ୍ରୟାସ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

MM-NN-BD
Advertisment

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇନି ସତ କିନ୍ତୁ ରାଜ୍ୟର ରାଜନୀତିକ ପାଣିପାଗକୁ ସରଗରମ କଲାଣି ରାଜ୍ୟସଭା ଗଣିତ । ମାର୍ଚ୍ଚରେ ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କେବଳ ‘ପାୱାର ଗେମ୍‌’ କି ସଂଖ୍ୟାବଳର ପ୍ରଦର୍ଶନ ନୁହେଁ ବରଂ ପଂଚାୟତ-ପୌର ନିର୍ବାଚନ ପୂର୍ବରୁ ଏହା ୩ ଦଳର ସାଂଗଠନିକ ଅସ୍ତିତ୍ୱ ଓ ପତିଆରାର ଲଢ଼େଇ ପାଲଟିଛି । ଶାସକ ବିଜେପିର ‘ମିଶନ-୩’କୁ ରୋକିବା ପାଇଁ ବିରୋଧୀଙ୍କ ପାଖରେ ଶେଷ ସୁଯୋଗ ଥିବାବେଳେ ବିଜେଡିର ‘ସମଦୂରତ୍ୱ’ ରଣନୀତି ନିଜ ପାଇଁ କାଳ ହେବ ନା କଂଗ୍ରେସ ସହ ଅଘୋଷିତ ମେଂଟର ନୂଆ ଅଧ୍ୟାୟ ସୃଷ୍ଟି କରିବ, ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

Advertisment


ରାଜ୍ୟରେ ବିଜେପିର ନିଜସ୍ୱ ସରକାର ଥିବାରୁ ଦଳ ଏଠାରୁ ଜାତୀୟସ୍ତରର କୌଣସି ପ୍ରଭାବଶାଳୀ ଚେହେରାଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ବିଜେଡିରେ ଚାଲିଥିବା ତୀବ୍ର ଗୋଷ୍ଠୀକନ୍ଦଳର ଫାଇଦା ଉଠାଇ ବିଜେପି ‘ଅଣ-କଂଗ୍ରେସ’ କାର୍ଡ ଖେଳି କିଛି ବିଧାୟକଙ୍କ ନୈତିକ ସମର୍ଥନ ହାସଲ ନିମନ୍ତେ ପ୍ରୟାସ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । 


 ତେବେ ରାଜ୍ୟସଭା ନିର୍ବାଚନ(Rajya Sabha Election) ଗଣିତ ଅନୁସାରେ ଓଡ଼ିଶାରେ ଗୋଟିଏ ଆସନ ଜିଣିବା ପାଇଁ ମ୍ୟାଜିକ୍ ନମ୍ବର-୩୧ ବା ପ୍ରଥମ ପସନ୍ଦର ଭୋଟ୍ ଜରୁରୀ ଥିବାବେଳେ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଦୁଇଟି ଆସନ ବିଜେପିକୁ ଓ ଗୋଟିଏ ବିଜେଡିକୁ ଯିବା ଜଳଜଳ ଦିଶୁଛି। ମାତ୍ର ସଂଖ୍ୟା ନଥାଇ କଂଗ୍ରେସ ନିଜସ୍ୱ ପ୍ରାର୍ଥୀ ଦେବ ବୋଲି  ଘୋଷଣା କରିବା ପରେ ଚତୁର୍ଥ ଆସନକୁ ନେଇ ଚାଲିଥିବା ଅଙ୍କକଷା ଏପଟସେପଟ ହୋଇଛି । ବିଧାନସଭାରେ ୩ ସ୍ୱାଧୀନ ବିଧାୟକଙ୍କ ସମେତ ବିଜେପିର ମୋଟ ୮୨ଜଣ, ବିଜେଡିର ୪୮ଜଣ(୨ ନିଲମ୍ବିତଙ୍କ ବାଦ) ବିଧାୟକ, କଂଗ୍ରେସର ୧୪ଜଣ ସହ ସିପିଆଇର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ଜଣ ରହିଛନ୍ତି ।

Advertisment


ଆସନ୍ତୁ ଜାଣିବା ରାଜ୍ୟସଭା ନିର୍ବାଚନକୁ ନେଇ ସମ୍ଭାବ୍ୟ ପରିସ୍ଥିତି ଓ ସମୀକରଣ...


ସମ୍ଭାବ୍ୟ ପରିସ୍ଥିତି ୧: ଯଦି ବିଜେପି ୩, ବିଜେଡି ୧ ଓ କଂଗ୍ରେସ ୧ ପ୍ରାର୍ଥୀ ଦିଅନ୍ତି


ଯଦି ବିଜେଡି କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ରୁହେ ଓ କଂଗ୍ରେସ ନିଜର ପ୍ରାର୍ଥୀ ଦିଏ, ତେବେ ଲଢ଼େଇ ବିଜେପିର ତୃତୀୟ ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ହେବ । ଏଠାରେ ବିଜେପି ପାଖରେ ଥିବା ଚତୁର୍ଥ ଆସନ ପାଇଁ ୨୦ଟି ପ୍ରଥମ ପସନ୍ଦ ଭୋଟ କଂଗ୍ରେସର ୧୫ ଭୋଟ ତୁଳନାରେ ଅଧିକ । ଦ୍ୱିତୀୟ ପସନ୍ଦ ଗଣତି ପରେ ବିଜେପି ହିଁ ଲାଭବାନ ହେବ । ଏଭଳି ସ୍ଥିତିରେ ବିଜେଡିର ବଳକା ୧୭ ଭୋଟ କାହା ସପକ୍ଷରେ ଯାଉଛି ତାହା ଗୁରୁତ୍ୱପୂର୍ଣ୍ଣ ହେବ । ଯଦି ବିଜେଡି(BjD) ‘ସମଦୂରତା’ ରକ୍ଷା କରି କଂଗ୍ରେସ କିମ୍ବା ବିଜେପିକୁ ସାହାଯ୍ୟ ନକରେ, ତେବେ ବିଜେପି ଅତି ସହଜରେ ୩ଟି ଆସନ ଜିତିବ ।


ସମ୍ଭାବ୍ୟ ପରିସ୍ଥିତି ୨: ଯଦି ବିଜେପି ୩, ବିଜେଡି ୨ ଓ କଂଗ୍ରେସ ୧ ପ୍ରାର୍ଥୀ ଦିଅନ୍ତି


ଏହା ହେଉଛି ସବୁଠାରୁ ଜଟିଳ ସ୍ଥିତି । ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ତା’ର ଦୁଇଟି ଆସନ ଓ ବିଜେଡି ନିଜର ଗୋଟିଏ ଆସନ ସହଜରେ ଜିତିଯିବ । କିନ୍ତୁ ବାକି ଥିବା ଗୋଟିଏ ଆସନ ପାଇଁ ବିଜେପିର ୨୦, ବିଜେଡିର ୧୭ ଓ କଂଗ୍ରେସର ୧୫ ଭୋଟ୍ ମଧ୍ୟରେ ଟକ୍କର ହେବ । କୌଣସି ପ୍ରାର୍ଥୀ ମ୍ୟାଜିକ୍ ନମ୍ବର-୩୧ ସଂଖ୍ୟା ଛୁଇଁପାରିବେ ନାହିଁ । ଏହି ପରିସ୍ଥିତିରେ ଯେଉଁ ପ୍ରାର୍ଥୀ ସର୍ବନିମ୍ନ ଭୋଟ ପାଇଥିବେ (ସମ୍ଭବତଃ କଂଗ୍ରେସ) ସେ ବାଦ୍ ପଡ଼ିବେ ଓ ତାଙ୍କର ଦ୍ୱିତୀୟ ପସନ୍ଦ ଭୋଟ ଅନ୍ୟମାନଙ୍କୁ ସ୍ଥାନାନ୍ତର ହେବ । ଶେଷରେ ବିଜେପି(Bjp) ନିଜର ଶୃଙ୍ଖଳିତ ଦ୍ୱିତୀୟ ପସନ୍ଦ ଭୋଟ ବଳରେ ଚତୁର୍ଥ ଆସନ ହାତେଇବାର ସମ୍ଭାବନା ସର୍ବାଧିକ ।


ସମ୍ଭାବ୍ୟ ପରିସ୍ଥିତି ୩: ବିଜେଡିର ‘ସମଦୂରତା’ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସୁଯୋଗ


ଯଦି ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରି କେବଳ ନିଜର ଜଣେ ପ୍ରାର୍ଥୀଙ୍କୁ ଜିତାଇ ଚୁପ୍ ରୁହେ, ତେବେ ଚତୁର୍ଥ ଆସନ ପାଇଁ ରାସ୍ତା ଖୋଲା ରହିବ । ଏହି ସମୟରେ ଯଦି କୌଣସି ହେଭିୱେଟ୍ ସ୍ୱାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାନ୍ତି, ତେବେ ସେ ବିଜେଡିର ବଳକା ୧୭ ଓ କଂଗ୍ରେସର ୧୫ ଭୋଟ ମିଶାଇ ମୋଟ୍ ୩୨ଟି ଭୋଟ୍ ପାଇ ଜିତିବାର ସ୍ୱପ୍ନ ଦେଖିପାରନ୍ତି ।

କିନ୍ତୁ ଏଥିପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ  ଅଘୋଷିତ ବୁଝାମଣା ଆବଶ୍ୟକ । ଏଭଳି ସ୍ଥିତିରେ ବିଜେପିର ତୃତୀୟ ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇପାରିବେ । ଆଉ ଏହା ରାଜ୍ୟରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବ ଓ ଶାସକ ବିଜେପିକୁ ବଡ଼ ଝଟକା ମଧ୍ୟ ହେବ । ଏଭଳି ଅଘୋଷିତ ବୁଝାମଣାରେ ଦିଲ୍ଲୀପ ରାୟ, ଡିଆର ପଟ୍ଟନାୟକ ଓ ତାରା ପ୍ରସାଦ ପଟ୍ଟନାୟକଙ୍କ ମଧ୍ୟରୁ କେହିଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା । 


ସମ୍ଭାବ୍ୟ ପରିସ୍ଥିତି ୪: ବିଜେଡିର ୧୭ ବିଧାୟକଙ୍କ ‘ସମଦୂରତା’ ଓ ଭୋଟ ନିଷ୍ପତ୍ତି


ଯଦି ବିଜେଡି ଆନୁଷ୍ଠାନିକ ଭାବେ କାହାକୁ ସମର୍ଥନ ନକରି କେବଳ ଜଣେ ପ୍ରାର୍ଥୀ ଦିଏ ଓ ‘ସମଦୂରତା’ କାର୍ଡ ଖେଳେ, ତେବେ ସେହି ବଳକା ୧୭ ଜଣ ବିଧାୟକ ଭୋଟ୍ ଦେବେ କି ନାହିଁ ତାହା ବଡ଼ ପ୍ରଶ୍ନ । ଯଦି ଦଳ ସେମାନଙ୍କୁ ଭୋଟରୁ ବିରତ ରହିବାକୁ କୁହେ, ଅବା ହ୍ୱିପ୍ ଜାରି ନକରେ, ତେବେ ମୋଟ୍ ମତଦାନ ସଂଖ୍ୟା କମିଯିବ, ଯାହା ବିଜେପି ପାଇଁ ବିଜୟକୁ ଆହୁରି ସହଜ କରିଦେବ । କିନ୍ତୁ ଯଦି ସେହି ୧୭ ବିଧାୟକ ସ୍ୱାଧୀନ ଭାବେ ନିଜର ଦ୍ୱିତୀୟ ପସନ୍ଦ ଭୋଟ ପ୍ରୟୋଗ କରନ୍ତି, ତେବେ ସେମାନେ ନିର୍ବାଚନର ମୋଡ଼ ବଦଳାଇ ଦେବେ । ଏଠାରେ ବିଜେପି ନିଜର ରଣନୈତିକ ଚାଲ୍ ମାଧ୍ୟମରେ ସେହି ଭୋଟକୁ ହାସଲ କରିବାକୁ ଚେଷ୍ଟା କରିପାରେ ।


ସମ୍ଭାବ୍ୟ ପରିସ୍ଥିତି ୫ : ବିଜେଡି-କଂଗ୍ରେସ ମେଣ୍ଟ ଓ ଅନ୍ତଃକନ୍ଦଳର ଭୟ


ଯଦି ଶେଷ ମୁହୂର୍ତ୍ତରେ ବିଜେପିର ‘ମିଶନ ୩' କୁ ରୋକିବା ପାଇଁ ବିଜେଡି ଓ କଂଗ୍ରେସ ଏକାଠି ହୁଅନ୍ତି, ତେବେ ସେମାନଙ୍କ ପାଖରେ ମୋଟ ୩୨ (୧୭+୧୫) ଜଣ ବିଧାୟକଙ୍କ ଭୋଟ୍ ରହିବ, ଯାହା ମ୍ୟାଜିକ ନମ୍ବର-୩୧କୁ ପାର କରିବା ପାଇଁ ଯଥେଷ୍ଟ । କିନ୍ତୁ ବିଜେଡିରେ ଥିବା ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ ଓ ବିଧାୟକମାନଙ୍କ ମତିଗତି ଏଠାରେ ବଡ଼ ବାଧା ସାଜିପାରେ । ଏଭଳି ପରିସ୍ଥିତିରେ ବିଜେପି ନିଜର ଗୋଟିଚାଳନା କରି ବିଜେଡି-କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଓ ମତଦାନ ଦିନ ଅନୁପସ୍ଥିତ ଉପରେ ଗୁରୁତ୍ୱ ଦେଇପାରେ । ଯାହାକି କଂଗ୍ରେସ-ବିଜେଡିର ମିଶ୍ରଣ ଅଙ୍କ ଓ ସମୀକରଣକୁ ଓଲଟପାଲଟ କରିଦେବ । ଆଉ ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଏବେ ଦଳୀୟ ବନ୍ଧନରୁ ମୁକ୍ତ । ସେମାନେ ଯଦି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ତେବେ ବିଜେପିର ପଲ୍ଲା ଅଧିକ ଭାରି ହେବ ଓ ବିରୋଧୀଙ୍କ ରଣନୀତି ଫେଲ୍ ମାରିବ ।


ସମ୍ଭାବ୍ୟ ପରିସ୍ଥିତି ୬: ବିଜେପି-ବିଜେଡି ମଧ୍ୟରେ ବୁଝାମଣା


ଦୀର୍ଘ ଦଶନ୍ଧି ଧରି ବିଜେପି ସହ ବିଜେଡିର ସମ୍ପର୍କ ଯାହା ରହିଛି, ତାକୁ ଦେଖିଲେ ଦୁଇ ଦଳ ମଧ୍ୟରେ ପରଦା ପଛରେ ବୁଝାମଣାକୁ ଏଡ଼ାଇ ଦିଆଯାଇନପାରେ । ଯଦି ବିଜେପି ଓ ବିଜେଡି ମଧ୍ୟରେ କୌଣସିସ୍ତରରେ ସହମତି ହୁଏ, ତେବେ ବିଜେପି ୩ଟି ଓ ବିଜେଡି ୧ଟି ଆସନ ପାଇଁ ପ୍ରାର୍ଥୀ ଦେଇ ସେମାନଙ୍କର ବିଜୟକୁ ସୁନିଶ୍ଚିତ କରିପାରିବେ । ଏହି ବୁଝାମଣା ଜାଣିବା ପରେ ମଧ୍ୟ କଂଗ୍ରେସ ଯଦି ନିଜ ଜିଦରେ ଅଟଳ ରହେ, ତେବେ କଂଗ୍ରେସ((Congress)ର ନିର୍ବାଚନ ଲଢ଼ିବା କେବଳ କାଗଜକଲମରେ ରହିଯିବ ।


ସମ୍ଭାବ୍ୟ ପରିସ୍ଥିତି ୭: ଅନ୍ତରାତ୍ମାର ସ୍ୱର ଓ କ୍ରସ୍‌-ଭୋଟିଂ ଭୟ


ରାଜ୍ୟସଭା ନିର୍ବାଚନରେ ‘ଅନ୍ତରାତ୍ମାର ସ୍ୱର’ ବା କ୍ରସ୍ ଭୋଟିଂର ପୁରୁଣା ଇତିହାସ ରହିଛି । ଯଦି ବିଜେଡି ଭିତରେ ଟିକେଟ୍ ବଂଟନ କିମ୍ବା ଦଳୀୟ ନେତୃତ୍ୱକୁ ନେଇ କୌଣସି ଅସନ୍ତୋଷ ଦେଖାଦିଏ, ତେବେ ତାହାର ଫାଇଦା ଶାସକ ବିଜେପି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେଡିର କିଛି ବିଧାୟକ ଯଦି ବାଧ୍ୟବାଧକତାରେ ନୁହେଁ, ବରଂ ନିଜର ଭବିଷ୍ୟତ ରାଜନୀତିକୁ ଦୃଷ୍ଟିରେ ରଖି ଶାସକ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ତେବେ ଗଣିତ ସମ୍ପୂର୍ଣ୍ଣ ବଦଳିଯିବ । ଏହା ବିରୋଧୀ ଶିବିରରେ ବଡ଼ ଧରଣର ବିଭାଜନ ସୃଷ୍ଟି କରିବାର ଆଶଙ୍କା ରହିଛି । ଯଦି କୌଣସି କାରଣବଶତଃ କିଛି ବିଧାୟକଙ୍କ ଭୋଟ୍ ନାକଚ ହୋଇଯାଏ କିମ୍ବା ସେମାନେ ଭୁଲ୍ ଢଙ୍ଗରେ ବାଲଟପେପର ମାର୍କ କରନ୍ତି, ତେବେ ମ୍ୟାଜିକ୍ ନମ୍ବର ସଂଖ୍ୟା ହ୍ରାସ ପାଇବ । ଏଭଳି ସ୍ଥିତିରେ ଯେଉଁ ଦଳ ପାଖରେ ସର୍ବାଧିକ ଶୃଙ୍ଖଳିତ ଭୋଟ୍ ଥିବ, ସେ କମ୍ ଭୋଟ୍ ପାଇ ମଧ୍ୟ ଜିତିବାର ସୁଯୋଗ ପାଇବେ । ବିଜେପି ପରି ଏକ କ୍ୟାଡର ଭିତ୍ତିିକ ଦଳ ଏଠି ସରକାରରେ ଥିବାରୁ ତାହା ଦଳ ପାଇଁ ଅପେକ୍ଷାକୃତ ସହଜ ହେବ ।


ହ୍ୱିପ୍ ଅମାନ୍ୟର ପରିଣାମ ଓ ଆଇନଗତ ଦିଗ


ରାଜ୍ୟସଭା ନିର୍ବାଚନରେ ‘ଖୋଲା ବାଲଟ୍‌’ ପ୍ରକ୍ରିୟାରେ ହ୍ୱିପ୍ ଜାରି ହୁଏ, ଯେଉଁଠାରେ ବିଧାୟକମାନେ କାହାକୁ ଭୋଟ୍ ଦେଉଛନ୍ତି ତାହା ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବା ବାଧ୍ୟତାମୂଳକ । ଏଥିରେ ଦଳୀୟ ହ୍ୱିପ୍ ଲାଗୁ ହୋଇଥାଏ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଯଦି ଜଣେ ବିଧାୟକ ଦଳୀୟ ହ୍ୱିପକୁ ଉଲ୍ଲଘଂନ କରିବେ ଅବା କ୍ରସ ଭୋଟିଂ କରିବେ, ତେବେ ଦଳ ତାଙ୍କୁ ବହିଷ୍କାର କରିପାରିବ, ମାତ୍ର ତାଙ୍କର ବିଧାୟକ ପଦ ରଦ୍ଦ ହେବ ନାହିଁ । ଏହି ଆଇନଗତ ଗଳାବାଟ ହିଁ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ସ୍ୱତନ୍ତ୍ର ରଣନୈତିକ ନିଷ୍ପତ୍ତିି ନେବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଚର୍ଚ୍ଚା ।

BjD Bjp Congress Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe