Advertisment

Rajya Sabha Elections: ଦିଲ୍ଲୀପଙ୍କୁ ବିଜେପି ଦେବ ସମର୍ଥନ, ବିଜେଡି-କଂଗ୍ରେସକୁ ଘାରିଲା କ୍ରସଭୋଟିଂ ଭୟ

ବିଜେଡି ଓ କଂଗ୍ରେସରେ ବଢ଼ୁଥିବା ଅସନ୍ତୋଷ ଓ ଅଧିକାଂଶ ନେତାଙ୍କ ସହ ନିଜର ବ୍ୟକ୍ତିଗତ ସମ୍ପର୍କକୁ ଦୃଷ୍ଟିରେ ରଖି ଦିଲ୍ଲୀପ ଜିତିବା ପାଇଁ ଆବଶ୍ୟକ ୮ଟି ଭୋଟ୍ ସହଜରେ ହାତେଇ ପାରିବେ ବୋଲି ଚର୍ଚ୍ଚା ହେଉଛି।

DILLIP-RAY-BJP
Advertisment

ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇ ବିଜେପି ଏକ ମାଷ୍ଟରଷ୍ଟ୍ରୋକ ଦେଇଛି। ବିଜେପି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ନାଁ ଘୋଷଣା କରିବା ସହ ଦିଲ୍ଲୀପଙ୍କୁ ପୂର୍ଣ୍ଣ ସମର୍ଥନ ଦେବ କହି ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ନିର୍ବାଚନକୁ ସମ୍ପୂର୍ଣ୍ଣ ନୂଆମୋଡ଼ ଦେଇଛି। 

Advertisment

୪ଦିନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ‘କମନ୍ ପ୍ରାର୍ଥୀ’ ଘୋଷଣା କରି ଯେଉଁ ମାଷ୍ଟରଷ୍ଟ୍ରୋକ ଦେଇଥିଲେ, ବିଜେପି ଆଜି ଦିଲ୍ଲୀପଙ୍କୁ ମଇଦାନକୁ ଓହ୍ଲାଇ ନାକେବଳ ନବୀନଙ୍କ ରଣନୀତିକୁ ପାଣିଚିଆ କରିଦେଇଛି ବରଂ ଉଭୟ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସଭୋଟିଂର ଛନକା ସୃଷ୍ଟି କରାଇଛି। 

ବିଜେଡି ଓ କଂଗ୍ରେସରେ ବଢ଼ୁଥିବା ଅସନ୍ତୋଷ ଓ ଅଧିକାଂଶ ନେତାଙ୍କ ସହ ନିଜର ବ୍ୟକ୍ତିଗତ ସମ୍ପର୍କକୁ ଦୃଷ୍ଟିରେ ରଖି ଦିଲ୍ଲୀପ ଜିତିବା ପାଇଁ ଆବଶ୍ୟକ ୮ଟି ଭୋଟ୍ ସହଜରେ ହାତେଇ ପାରିବେ ବୋଲି ଚର୍ଚ୍ଚା ହେଉଛି। ଦିଲ୍ଲୀପଙ୍କୁ ଆଗକୁ ଆଣି ବିଜେପି ଯେଉଁ ଚକ୍ରବ୍ୟୁହ ରଚନା କରିଛି ତାହା ବିରୋଧୀଙ୍କ ‘କମନ ପ୍ରାର୍ଥୀ’ ରଣନୀତିକୁ ଚିତପଟାଙ୍ଗ କରିବା ସହ ବିଜେଡି ଓ କଂଗ୍ରେସ ନେତୃତ୍ୱ ନିଜ ଦଳ ଉପରୁ ନିୟନ୍ତ୍ରଣ ହରାଇଥିବାର ସନ୍ଦେଶ ଦେବ ବୋଲି ଚର୍ଚ୍ଚା।

Advertisment

ଦିଲ୍ଲୀପଙ୍କୁ ସମର୍ଥନ ଦେବୁ, ନିଶ୍ଚୟ ଜିତିବେ, ୧୬କୁ ଅପେକ୍ଷା କରନ୍ତୁ: ମନମୋହନ

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ରାଜ୍ୟସଭା ପାଇଁ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଦେବାକୁ ବିଜେପି ଘୋଷଣା କରିଛି। 

ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ପ୍ରାର୍ଥୀ ମନମୋହନ ସାମଲ କହିଛନ୍ତି ଯେ, ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ପୂର୍ଣ୍ଣ ସମର୍ଥନ ଦେଉଛି। ଆମେ ଦିଲ୍ଲୀପ ବାବୁଙ୍କୁ ସମର୍ଥନ କରିବୁ ଓ ତାଙ୍କୁ ଜିତାଇବା ପାଇଁ ଯାହା ପଦକ୍ଷେପ ନେବା କଥା ଆମେ ସବୁ ନେବୁ। ବିଜେପି ପାଖରେ ବଳକା ଥିବା ୨୨ଟି ଭୋଟ୍ ପରେ ବାକି ୮ଟି ଭୋଟ୍ କେଉଁଠୁ ଆସିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, "ବାକି ୮ଟି ଭୋଟ୍ ଦିଲ୍ଲୀପ ରାୟ କେଉଁଠୁ ଆଣିବେ ତାହା ସେ ନିଜେ ଦେଖିବେ। କିନ୍ତୁ ସେ ନିଶ୍ଚିତ ଭାବେ ଜିତିବେ ଓ ଯଶସ୍ୱୀ ହେବେ।

ଆସନ୍ତା ୧୬ ତାରିଖ ସନ୍ଧ୍ୟାରେ ରେଜଲ୍ଟ ବାହାରିବ, ସେତେବେଳେ ସବୁ ଜାଣିଯିବେ ବୋଲି ମନମୋହନ କହିଛନ୍ତି। ତାଙ୍କର ଏହି ‘ରହସ୍ୟମୟ' ବୟାନ ପଛରେ ବିରୋଧୀ ଶିବିରରେ କୌଣସି ବଡ଼ ଧରଣର ଫାଟ କରିବାର ରଣନୀତିକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଚର୍ଚ୍ଚା ହେଉଛି। 

ବିଧାନସଭା ସଂଖ୍ୟାଗଣିତ ହିସାବରେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ଓ ସୁଜିତ୍ ଜିତିବା ଏକରକମ ନିଶ୍ଚିତ। ଦଳ( BJP Rajya Sabha strategy) ତୃତୀୟ ଆସନକୁ ହାତେଇବା ପାଇଁ ଦିଲ୍ଲୀପଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ‘ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହେତାଙ୍କୁ ଚେକ୍ ଦେବାକୁ ପ୍ରୟାସ କରିଛି।


ସୁଜିତଙ୍କୁ ରିପିଟ୍ କଲା ବିଜେପି ଓ ଦିଲ୍ଲୀପଙ୍କୁ ‘ସ୍ୱାଧୀନ' ପ୍ରାର୍ଥୀ

ବିଜେପି ସାଂସଦ ତଥା ପୁଣିଥରେ ରାଜ୍ୟସଭା ପାଇଁ ରିପିଟ୍ ହୋଇଥିବା ସୁଜିତ୍ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ବିଜେପି ସବୁବେଳେ ଓଡ଼ିଶାର ବିକାଶ ଓ ସ୍ୱାଭିମାନ ପାଇଁ ଲଢ଼ିଛି। ମୋତେ ପୁଣି ଥରେ ସୁଯୋଗ ମିଳିଛି, ମୁଁ ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଆହୁରି ଶାଣିତ କରିବି। ଆମ ଦଳ ପାଖରେ ସଂଖ୍ୟାବଳ ଅଛି ଓ ଆମର ସମସ୍ତ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀ ବିଜୟୀ ହେବେ।ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବାରୁ ସେ ଦଳୀୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ନିଜ ଆଡ଼ୁ ଘୋଷଣା କରି କହିଛନ୍ତି ଯେ, ଆସନ୍ତା ୫ତାରିଖରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ମୁଁ ଦିଲ୍ଲୀରେ ଓ ଓଡ଼ିଶାରେ ସମସ୍ତଙ୍କ ସହ କଥା ହୋଇଛି। ସ୍ୱାଧୀନ ଭାବେ ଛିଡ଼ା ହେଉଛି ଓ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତଦାସଙ୍କୁ ଭେଟି ସମର୍ଥନ ଲୋଡ଼ିବି। ଜିତିବା ନେଇ ନିଶ୍ଚିତ ଅଛି। ତେବେ ସେ କେଉଁଠୁ ସମର୍ଥନ ଆଣିବେ ତା’ର କାର୍ଡ ଖୋଲିନାହାନ୍ତି। ଗତଥର (୨୦୦୨)ରେ ୩୦ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିଲା ଓ ତାହା ସମ୍ଭବପର ହୋଇଥିଲା କି ନାହିଁ ବୋଲି ଦିଲ୍ଲୀପ ଓଲଟା ପ୍ରଶ୍ନ କରିଛନ୍ତି। 


ଜଟିଳ ହେଲା ଚତୁର୍ଥ ଆସନର ନିର୍ବାଚନ

୪ଦିନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘କମନ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ମଇଦାନକୁ ଓହ୍ଳାଇବାର ଘଣ୍ଟାଏ ନପୁରୁଣୁ କଂଗ୍ରେସ ତାଙ୍କୁ ସମର୍ଥନ କରିଥିଲା। ବିଧାନସଭାର ସଂଖ୍ୟାଗଣିତରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ଡାକ୍ତର ହୋତାଙ୍କ ବିଜୟ ସୁନିଶ୍ଚିତ ବୋଲି ଆକଳନ କରି ଅନେକ ଏହାକୁ ନବୀନଙ୍କ  ମାଷ୍ଟରଷ୍ଟ୍ରୋକ ବୋଲି ଦାବି କରୁଥିଲେ। କିନ୍ତୁ ଦିଲ୍ଲୀପଙ୍କୁ ଚତୁର୍ଥ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମର୍ଥନ ଦେବାକୁ ବିଜେପି ଘୋଷଣା କରିବା ପରେ ନିର୍ବାଚନ ରୋଚକମୋଡରେ ପହଂଚିଛି।

ବିଧାନସଭାରେ ସଂଖ୍ୟାଦୃଷ୍ଟିରୁ ଦେଖିଲେ ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଟି ଭୋଟ୍ ଆବଶ୍ୟକ। ବିଜେପି ପାଖରେ ମୋଟ ୮୨ଟି ଭୋଟ୍ (୭୯ ବିଜେପି + ୩ ସ୍ୱାଧୀନ) ଅଛି। ମନମୋହନ ସାମଲ ଓ ସୁଜିତ କୁମାରଙ୍କ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ। ଏହି ଦୁଇ ପ୍ରାର୍ଥୀଙ୍କ ପାଇଁ ୬୦ଜଣ ବିଧାୟକଙ୍କ ଭୋଟ୍ ଯିବା ପରେ ବଳକା ୨୨ଜଣ ବିଧାୟକଙ୍କ ଭୋଟକୁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପଙ୍କ ସପକ୍ଷରେ ଦେବାକୁ ବିଜେପି ଘୋଷଣା କରିସାରିଛି।

ଦିଲ୍ଲୀପଙ୍କୁ ଜିତିବା ପାଇଁ ଆଉ ମାତ୍ର ୮ଜଣ ବିଧାୟକଙ୍କ ଭୋଟ୍‌୍ ଦରକାର। ନିଲମ୍ବିତ ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ଥିବା ସମସ୍ତଙ୍କୁ ଜଣା, ଆଉ ସନାତନ ମହାକୁଡ଼ ଭୋଟଦାନରୁ ବିରତ ରହିବେ ବୋଲି ସୂଚନା ମିଳିଛି। ଯଦିଓ ବିଜେଡିର ବଳକା ୧୮ ଓ କଂଗ୍ରେସ ୧୪ ମିଶି କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ଦେଉଛନ୍ତି, ତଥାପି ବିଜେଡି କିମ୍ବା କଂଗ୍ରେସ ବିଧାୟକଙ୍କ ସମର୍ଥନ ବିନା ଦିଲ୍ଲୀପଙ୍କ ଜିତିବା ସମ୍ଭବପର ନଥିବାରୁ କ୍ରସଭୋଟିଂର ଆଶଙ୍କା ବଢ଼ିଯାଇଛି।

ବିଜେଡି-କଂଗ୍ରେସ ମେଂଟକୁ ଚେକମେଟ୍‌?

ଦୀର୍ଘ ଅଢ଼େଇ ଦଶନ୍ଧି ପରେ ରାଜ୍ୟ ରାଜନୀତିରେ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି। ଦିଲ୍ଲୀପ ପୁଣିଥରେ ରାଜ୍ୟସଭା ମଇଦାନକୁ ଓହ୍ଲାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ସଜବାଜ ହୋଇଛନ୍ତି। ଦିଲ୍ଲୀପଙ୍କୁ ଚଳିତଥର ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ହେଲେ ବିଜେଡି କିମ୍ବା କଂଗ୍ରେସର ୬ରୁ ୭ଜଣ ବିଧାୟକଙ୍କ ସମର୍ଥନ ଜରୁରୀ।

ଦିଲ୍ଲୀପ ଦୀର୍ଘ ଅଢ଼େଇ ଦଶନ୍ଧି ପୂର୍ବରୁ ନବୀନଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇ ବିଜେଡିରେ କ୍ରସଭୋଟିଂ କରାଇ ସାରିଛନ୍ତି। ଏବେ ଅନୁରୂପ ସ୍ଥିତି ଉପୁଜିଛି ଓ ଦଳରେ ମଧ୍ୟ ନବୀନଙ୍କ ସାଂଗଠନିକ ପରିଚାଳନାକୁ ନେଇ ବହୁ ବିଧାୟକ କ୍ଷୁବ୍ଧ ଅଛନ୍ତି। କଂଗ୍ରେସରେ ମଧ୍ୟ ଅନୁରୂପ ସ୍ଥିତି। ତେଣୁ କ୍ରସଭୋଟିଂ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। 

ତା’ଛଡ଼ା ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ମେଂଟକୁ ଶକ୍ତଝଟକା ଦେବା ମଧ୍ୟ ରାଜ୍ୟ ବିଜେପି ପାଇଁ ଜରୁରୀ ହୋଇପଡ଼ିଛି। 

BJP Rajya Sabha strategy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe