ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟ ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାସୀନ ବିଜେଡି ବେଶ୍ ସହଜ ସ୍ଥିତିରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ନିଜସ୍ୱ ଦମରେ କିମ୍ବା ମିଳିତ ସହଯୋଗରେ ଗୋଟିଏ ବି ଆସନ ଜିଣିବାର ସମ୍ଭାବନା ନଥିବାରୁ ଏହି ସମସ୍ତ ୩ଟି ରାଜ୍ୟସଭା ଆସନ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଛି । ବିଜେଡି ମଧ୍ୟ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ମଧ୍ୟ ବେଶ୍ ମାପିଚୁପି ବହୁ ଆଗରୁ ନିଜର ୩ଜଣ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ତାରିଖରେ ଶେଷ ହେଉଛି।
ବିଜେଡି ସମର୍ଥନରେ ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ ବିଜେପି ଓ ବିଜେଡି ନିଜର ପୁରୁଣା ଫର୍ମୂଲାକୁ ଦୋହରାଇ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା କ୍ଷୀଣ । ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଦୁଇଟି ଆସନ ଖାଲି ହୋଇଥିଲା । ସେମାନଙ୍କର ବାକି ଥିବା କାର୍ଯ୍ୟକାଳରେ ଅମର ଓ ଅଶ୍ୱିନୀ ପ୍ରାର୍ଥୀ ହୋଇଥିଲେ ।
ଓଡ଼ିଶାରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେଡିର ୧୧୦ଜଣ, ବିଜେପିର ୨୨ଜଣ, କଂଗ୍ରେସର ୯ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକଙ୍କ ସମେତ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଆଉ ୪ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ବିଜେଡି ନିଜ ଦଳରୁ ବହିଷ୍କାର କରିଛି ।
୩ଟି ଯାକ ରାଜ୍ୟସଭା ଆସନ ଜିଣିବା ପାଇଁ ବିଜେଡିକୁ ୧୧୧ଟି ପ୍ରଥମ ପସନ୍ଦର ଭୋଟ୍ ଆବଶ୍ୟକ । ବିଜେଡି ପାଖରେ ଏବେ ୧୧୦ଟି ଭୋଟ୍ ରହିଛି । ଆଉ ଗୋଟିଏ ଭୋଟ୍ ବିଜେଡିକୁ ନିଜର ଏହି ୪ ବହିଷ୍କୃତ ବିଧାୟକ କିମ୍ବା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କଠୁ ମିଳିବାର ସମ୍ଭାବନା ବି ବେଶୀ ରହିଛି । ଅତୀତରେ ଶ୍ରୀ ମୁଦୁଲି ମଧ୍ୟ ବିଜେଡିକୁ ସମର୍ଥନ କରିବାର ନଜିର ରହିଛି । ଯଦି ବି ବିଜେଡିକୁ କେହି ସମର୍ଥନ ନକରନ୍ତି ତଥାପି ଦ୍ୱିତୀୟ ପସନ୍ଦର ଭୋଟରେ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇପାରିବେ ।
ରାଜ୍ୟସଭା ଗାଣିତିକ ଫର୍ମୂଲା {(147*100)/(3+1)} +1 ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ ପରିମାଣ ୧୦୦ ହୋଇଥିବାରୁ ରାଜ୍ୟରେ ମୋଟ ଭୋଟ୍ ସଂଖ୍ୟା ହେଉଛି ୧୪୭୦୦। ଅର୍ଥାତ୍ ଜଣେ ପ୍ରାର୍ଥୀ ଜିତିବା ପାଇଁ ପ୍ରଥମ ପସନ୍ଦର ମୋଟ ୩୬୭୬ଖଣ୍ଡ ବା ୩୭ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ । ଏହି ଦୃଷ୍ଟିରୁ ବିଜେଡିକୁ ୩ଜଣ ପ୍ରାର୍ଥୀଙ୍କ ସପକ୍ଷରେ ୧୧୧ଜଣ ବିଧାୟକଙ୍କ ସମର୍ଥନ ଜରୁରୀ । ବିଜେଡି ପାଖରେ ୧୧୦ଜଣ ବିଧାୟକ ଥିବାରୁ ବିଜେଡିର ତୃତୀୟ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ୩୬ଖଣ୍ଡ ମିଳିବ । ଆଉ ଏହି ପ୍ରଥମ ପସନ୍ଦର ଭୋଟକୁ ଛୁଇଁବାକୁ ବି କଂଗ୍ରେସ ଓ ବିଜେପି ମିଳିତ ଭାବେ ସମ୍ଭବପର ନୁହେଁ।
ତେଣୁ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେଡି ସହଜରେ ଏହି ଆସନ ହାତେଇବ ଓ ସଂଖ୍ୟା ଦୃଷ୍ଟିରୁ ବିଜେପି କିମ୍ବା କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ । ତେଣୁ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି।
ବିଜେଡି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ଆଦିତ୍ୟ ବିର୍ଲା ଗ୍ରୁପର ଉପସଭାପତି ପଦରୁ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ସନ୍ତୃପ୍ତ ମିଶ୍ର ଓ ଜଣେ ମହିଳା ନେତ୍ରୀଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି।