Advertisment

RAJYASABHA ELECTION : ନିଜକୁ ଦୂରେଇ ରଖିଲେ ବବି, ଦେବୀ-ପ୍ରତାପଙ୍କୁ ଝଟକା, ସନ୍ତୃପ୍ତଙ୍କ ପାଇଁ ପରିଷ୍କାର ହେଉଛି କି ବାଟ?

ପୁରୁଖା ନେତାଙ୍କୁ କୋଣଠେସା କରି ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ପାଇଁ ଚାଲିଥିବା ଶୀତଳଯୁଦ୍ଧ ଓ  ‘ଗେମପ୍ଲାନ୍‌' ବିଜେଡିକୁ ଦୁଇ ଭାଗ କରାଇଛି। ସନ୍ତୃପ୍ତଙ୍କୁ ପ୍ରୋଜେକ୍ସନ କରିବା ପଛରେ ପାଣ୍ଡିଆନଙ୍କ ରଣନୀତି ରହିଥିବା ଚର୍ଚ୍ଚା ହେଉଛି।

author-image
Prakaash Sethi
Bobby-Das-Debi-Mishra-Prata

ବିଜେଡିର ସମ୍ଭାବ୍ୟ ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ଦଳରେ ଛକାପଞ୍ଝା ତୀବ୍ର ହେବାରେ ଲାଗିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ର ଅଚାନକ ସକ୍ରିୟ ହୋଇ ‘ଅଘୋଷିତ ରାଜ୍ୟସଭା ପ୍ରାର୍ଥୀ’ ଭାବେ ନିଜକୁ ଆଶାୟୀ ଦୌଡ଼ରେ ସର୍ବାଗ୍ରେ ରଖିବା ପରେ ଦଳର ପୁରୁଖା ଆଶାୟୀ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Advertisment

ଏପଟେ ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ନିଜକୁ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ସହ ଏହି ପଦବୀ ପାଇଁ କାହାରି ନାମ ସୁପାରିଶ କରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଥିବା ଜଣାପଡ଼ିଛି। ବବିଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟସଭା ପାଇଁ ଲବି କରୁଥିବା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରତାପ ଜେନାଙ୍କୁ ଶକ୍ତ ଝଟକା ଲାଗିଛି।


ନିଜକୁ ଦୂରେଇ ରଖିଲେ ବବି, ଶୁଣାଇଲେ ନାସ୍ତିବାଣୀ

ବିଜେଡି ସୂତ୍ର ଅନୁସାରେ, ରାଜ୍ୟସଭା ପାଇଁ ଦଳ କାହାରିକୁ ଗ୍ରୀନ୍ ସିଗନାଲ ଦେଇନଥିଲେ ମଧ୍ୟ  ଆଶାୟୀ ଦୌଡ଼ରେ ଏକାଧିକ ନେତା ସାମିଲ ଅଛନ୍ତି।ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଥିବାବେଳେ ପ୍ରଭାବଶାଳୀ ନେତା ବବି ଦାସ ନିଜକୁ ଏହି ପ୍ରକ୍ରିୟାରୁ ଦୂରେଇ ରଖିଥିବା ଜଣାପଡ଼ିଛି। 

Advertisment

ସୂତ୍ର ଅନୁସାରେ, ରାଜ୍ୟସଭା ପାଇଁ ଆଶାୟୀ ବରିଷ୍ଠ ନେତା ଦେବୀ ମିଶ୍ର କିଛିଦିନ ତଳେ ବବିଙ୍କୁ ଭେଟି ତାଙ୍କର ସହଯୋଗ ଲୋଡ଼ିଥିଲେ। କିନ୍ତୁ ନୂଆପଡ଼ା ଉପନିର୍ବାଚନ ପରଠୁ ରାଜ୍ୟ ବ୍ୟାପାରରୁ ନିଜକୁ ଦୂରେଇ ରଖିଥିବା ବବି ତାଙ୍କୁ ସହଯୋଗ କରିବା ତ ଦୂରର କଥା, ସେ କାହାରି ପାଇଁ ସୁପାରିଶ କରିବେ ନାହିଁ କି ନିଜେ ମଧ୍ୟ ରାଜ୍ୟସଭା ଯିବା ରେସରେ ନାହାନ୍ତି ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ। ଅବଶ୍ୟ ଏନେଇ ଉଭୟଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ କେହି କିଛି ପ୍ରତିକ୍ରିୟା ଦେଇନଥିଲେ।

ବବିଙ୍କ ଏଭଳି ନାସ୍ତିବାଣୀ ଓ ସନ୍ତୃପ୍ତ ଅଚାନକ ସକ୍ରିୟ ହେବା ଏବେ ଦେବୀଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ଦଳର ଆଗଧାଡ଼ିର ବିଭିନ୍ନ ନେତାଙ୍କୁ ଭେଟି ଦେବୀ ନିଜ ପାଇଁ ସମର୍ଥନ ଲୋଡ଼଼ୁଥିବା ଜଣାପଡ଼ିଛି। ଏପରିକି ଦଳର ରାଜ୍ୟସଭା ପ୍ରାର୍ଥୀତ୍ୱ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଗତ ୩ଦିନ ତଳେ ଯେଉଁ ମନ୍ତବ୍ୟ ଦେଲେ ଓ ବୁଲେଇବଙ୍କେଇ ସନ୍ତୃପ୍ତଙ୍କୁ ଚେକ୍ ଦେବାକୁ ପ୍ରୟାସ କଲେ ତାହା ମଧ୍ୟ ପୁରୁଖା ନେତାମାନଙ୍କର ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି।


ପ୍ରତାପଙ୍କ ସପକ୍ଷରେ ଲବି ପାଇଁ ନାହାନ୍ତି ବବି କି ଦେବାଶୀଷ

କେବଳ ଦେବୀ ନୁହଁନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା ମଧ୍ୟ ରାଜ୍ୟସଭା ଟିକେଟ୍ ପାଇବାକୁ ଲବି ଜୋରଦାର କରୁଥିବା ଚର୍ଚ୍ଚା ହେଉଛି। ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତ ଥିବାରୁ ବିଜେଡି ତାଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ୍ ଦେଇନଥିଲା। ତେଣୁ ରାଜ୍ୟସଭା ଆସନ ଦେଇ ଦଳ ତାଙ୍କୁ ସନ୍ତୁଷ୍ଟ କରିବ ବୋଲି ତାଙ୍କ ସମର୍ଥକମାନେ ଯୁକ୍ତି ବାଢ଼ୁଛନ୍ତି।

ପ୍ରତାପ ୨୦୨୪ ସଧାରଣ ନିର୍ବାଚନ ପରଠୁ ନବୀନ ନିବାସ ସହ ଘନିଷ୍ଠତା ବଢ଼ାଇଛନ୍ତି ସତ କିନ୍ତୁ ମାହାଙ୍ଗା ଡବଲ ମର୍ଡର ମାମଲା ଏବେବି ତାଙ୍କ ବେକରେ ଫାଶ ହୋଇ ଝୁଲୁଛି। ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ତା’ଛଡ଼ା ପ୍ରତାପଙ୍କ ସପକ୍ଷରେ ବିଭିନ୍ନ ସମୟରେ ଓକିଲାତି କରୁଥିବା ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଓ ବବି ଦାସ ଉଭୟ ଏବେ ଦଳରେ କୋଣଠେସା ହୋଇ ରହିଛନ୍ତି।ଆଉ ଉଭୟଙ୍କର ମଧ୍ୟ ରାଜ୍ୟବ୍ୟାପାରରେ ବିଶେଷ ଗୁରୁତ୍ୱ ବି ନାହିଁ। 

ସେହିପରି ଦଳର ଅନ୍ୟତମ ନେତା ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ବିଜୟ ନାୟକ ଓ ଲେନିନ୍ ମହାନ୍ତି ପ୍ରମୁଖ ରାଜ୍ୟସଭା ଟିକେଟ୍ ଆଶାୟୀ ଥିବା ଚର୍ଚ୍ଚା ହେଉଛି।


ପାଣ୍ଡିଆନଙ୍କ ପ୍ରୋତ୍ସାହନରେ ବଢୁଛି କି ସନ୍ତୃପ୍ତଙ୍କ ପତିଆରା?

ବବିଙ୍କ ନୀରବତା ଓ ପୁରୁଖା ଆଶାୟୀଙ୍କ ଲମ୍ବା ତାଲିକା ମଧ୍ୟରେ କର୍ପୋରେଟ ଜଗତରୁ ରାଜନୀତିରେ ଏଂଟ୍ରି ମାରିଥିବା ସନ୍ତୃପ୍ତ ମିଶ୍ର ଏବେ ବିଜେଡି ରାଜ୍ୟସଭା ଆସନ ପାଇଁ ପ୍ରମୁଖ ଦାବିଦାର ପାଲଟିଛନ୍ତି। ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ସୁଚିିନ୍ତିତ ଢଙ୍ଗରେ ଆଗକୁ ଅଣାଯାଇଛି। ସନ୍ତୃପ୍ତ ଏବେ ଶଙ୍ଖଭବନଠୁ ଆରମ୍ଭ କରି ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି।


ଯଦିଓ ସନ୍ତୃପ୍ତଙ୍କ ଏଭଳି ଅଚାନକ ସକ୍ରିୟତାକୁ ଦେଖି ବରିଷ୍ଠ ନେତା ଅଶୋକ ପଣ୍ଡା ଗତ ୩ଦିନ ତଳେ ବୁଲେଇବଙ୍କେଇ ତାଙ୍କର ପ୍ରାର୍ଥୀତ୍ୱ ଦାବିଦାରକୁ ଖାରଜ କରିବା ସହ ଦଳୀୟ କାର୍ଯ୍ୟକ୍ରମ ଓ ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କୁ ଟିକେଟ୍ ଦେବା ପାଇଁ ପରାମର୍ଶ ଦେଇଥିଲେ।ପୁରୁଖାଙ୍କୁ ରାଜ୍ୟସଭା ଟିକେଟ୍ ଦେବା ପାଇଁ ଅଶୋକଙ୍କ ବୟାନ ପରେ ଏବେ ବିଜେଡିରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ପୁରୁଖା ଓ ସନ୍ତୃପ୍ତଙ୍କ ଗୋଷ୍ଠୀ ମଧ୍ୟରେ ଏହି ଛକାପଞ୍ଝା ବିଜେଡିର ରାଜ୍ୟସଭା ନିର୍ବାଚନକୁ ଉଷ୍ମ କରିଦେଇଛି।

ପୁରୁଖା ନେତାଙ୍କୁ କୋଣଠେସା କରି ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବା ପାଇଁ ଚାଲିଥିବା ଶୀତଳଯୁଦ୍ଧ ଓ ‘ଗେମପ୍ଲାନ୍‌' ବିଜେଡିକୁ ଦୁଇ ଭାଗ କରାଇଛି।ସନ୍ତୃପ୍ତଙ୍କୁ ପ୍ରୋଜେକ୍ସନ କରି ପୁରୁଖା ନେତାଙ୍କୁ କୋଣଠେସା କରିବା ପଛରେ ପାଣ୍ଡିଆନଙ୍କ ରଣନୀତି ରହିଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ,ଆସନ୍ତାମାସରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ(Odisha Rajya Sabha election) ହେବ। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡିକୁ ଗୋଟିଏ ଓ ବିଜେପିକୁ ୩ଟି ମିଳିବାର ସମ୍ଭାବନା ରହିଛି ।

Odisha Rajya Sabha election