ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ: ମମତା ଇନ, ସୁଲତା ଆଉଟ୍‌

ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖର ଏହି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ ଘୋଷଣା କରି କହିଥିଲେ ଯେ, ମୋଟ ୮ଜଣ ସଦସ୍ୟଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି ।

Rajya Sabha

  • Published: Monday, 18 September 2023
  • , Updated: 18 September 2023, 10:22 PM IST

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ୍ ପୁନର୍ଗଠନ ହୋଇଛି । ଆଜି ଏନେଇ ଗୃହରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର ଘୋଷଣା କରିଛନ୍ତି । ଉପାଧ୍ୟକ୍ଷ ପ୍ୟାନେଲରେ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ   ରହିଛି ବୋଲି କହିଛନ୍ତି । ତେବେ ଗତ ଜୁଲାଇ ମାସରେ ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପରିବର୍ତ୍ତେ ମମତା ମହନ୍ତଙ୍କୁ ସ୍ଥାନ ମିଳିଛି ।

ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ପ୍ରଥମ ଦିନରେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଧନଖର ଏହି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ ଘୋଷଣା କରି କହିଥିଲେ ଯେ, ମୋଟ ୮ଜଣ ସଦସ୍ୟଙ୍କୁ ପ୍ୟାନେଲରେ ସାମିଲ କରାଯାଇଛି । ସେଥିରେ ୪ଜଣ ମହିଳା ସାଂସଦ ଅଛନ୍ତି । ମହିଳା ସାଂସଦମାନେ ହେଲେ ବିଜେଡିର ମମତା ମହନ୍ତ,ବିଜେପିର କାନ୍ତା କରଦମ, ସୁମିତ୍ରା ବାଲ୍ମିକୀ ଓ ଗୀତା ଓରଫ ଚନ୍ଦ୍ରପ୍ରଭା । ସେହିପରି କଂଗ୍ରେସର ଅଖିଳେଶ ପ୍ରସାଦ ସିଂ, ଆମ ଆଦମୀ ପାର୍ଟିର ନାରାୟଣ ଦାସଗୁପ୍ତା, ୱାଇଏସଆର କଂଗ୍ରେସର ଭି.ବିଜୟସାଇ ରେଡ୍ଡୀ ଏବଂ ତୃଣମୂଳ କଂଗ୍ରେସର ଶାନ୍ତ୍ୱନୁ ସେନ୍ ଏହି ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ପ୍ୟାନେଲର କାର୍ଯ୍ୟକାଳ ୨୦୨୩ ସେପ୍ଟେମ୍ବର ୧୩ତାରିଖରୁ କାର୍ଯ୍ୟକ୍ଷମ ହୋଇଛି । ଏହି ପ୍ୟାନେଲରେ ୫୦ ପ୍ରତିଶତ ମହିଳାଙ୍କ ପ୍ରତିନିଧିତ୍ୱ ରହିଛି ବୋଲି ଣ୍ରୀ ଧନଖର ଗୃହକୁ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରି ଶ୍ରୀ ଧନଖର ପ୍ରଥମଥର ପାଇଁ ମହିଳାଙ୍କ ପ୍ରତିନିଧିତ୍ୱ ୫୦ ପ୍ରତିଶତ ରଖିଥିଲେ । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ହେବାର ସୁଯୋଗ ମିଳିଥିଲା । ମାତ୍ର ସୁଲତାଙ୍କୁ ଏବେ କାଢ଼ି ଦିଆଯାଇ ତାଙ୍କ ପରିବର୍ତ୍ତେ ମମତା ମହନ୍ତଙ୍କୁ ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ କରାଯାଇଛି ଓ ସେ ଆଜି ପ୍ରଥମଥର ପାଇଁ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ ବୋଲି ଜଣାପଡ଼ିଛି ।

Related story