Advertisment

RAJYASABHA ELECTION: ଭକ୍ତଙ୍କ ‘ମିଛ’ ବନାମ ନବୀନଙ୍କ ‘ଚାଲ୍‌’, ଦତ୍ତେଶ୍ୱର କାହା ପ୍ରାର୍ଥୀ?

ପିସିସି ସଭାପତି ଭକ୍ତ ଚରଣ ଦାସ ନାକେବଳ ସମର୍ଥନ ଦେବେ ବୋଲି କହିଛନ୍ତି ବରଂ ଚତୁର୍ଥ ପ୍ରାର୍ଥୀ ଯେଭଳି ନିର୍ବାଚନରୁ ଓହରି ନଯିବେ ଓ ତାଙ୍କ ଉପରେ କୌଣସି ଚାପ ନରହିବ ସେଥିପାଇଁ ପଦକ୍ଷେପ ନେବାକୁ ୨ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବା ସୂଚନା ଦେଇଛନ୍ତି।

BHAKTA-DAS
Advertisment

ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡି ଆଜି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଆଗକୁ ଆଣିଛି। ତାଙ୍କୁ ‘କମନ୍ ପ୍ରାର୍ଥୀ’ କହି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି। ଡାକ୍ତର ହୋତାଙ୍କୁ ମଧ୍ୟ ସମର୍ଥନ ଦେବା ପାଇଁ କଂଗ୍ରେସ ସମ୍ମତି ଦେଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ନାକେବଳ ସମର୍ଥନ ଦେବେ ବୋଲି କହିଛନ୍ତି ବରଂ ଚତୁର୍ଥ ପ୍ରାର୍ଥୀ ଯେଭଳି ନିର୍ବାଚନରୁ ଓହରି ନଯିବେ ଓ ତାଙ୍କ ଉପରେ କୌଣସି ଚାପ ନରହିବ ସେଥିପାଇଁ ପଦକ୍ଷେପ ନେବାକୁ ୨ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବା ସୂଚନା ଦେଇଛନ୍ତି। 

Advertisment


କଂଗ୍ରେସ ଯେଉଁ ୬ଜଣ ବୁଦ୍ଧିଜୀବୀଙ୍କ ନାଁ ଗତକାଲି ଘୋଷଣା କରିଥିଲା ସେଥିରୁ  ଡାକ୍ତର ହୋତାଙ୍କୁ କମନ୍ ପ୍ରାର୍ଥୀ ବୋଲି ବିଜେଡି ବାଛିଥିବାରୁ ନବୀନଙ୍କୁ ଭକ୍ତ କୃତଜ୍ଞତା ଜଣାଇଛନ୍ତି। କିନ୍ତୁ ଡାକ୍ତର ହୋତାଙ୍କ ସମ୍ପର୍କରେ ବିଜେଡି ତାଙ୍କ ସହ କୌଣସି କଥା ହୋଇନଥିବା ମଧ୍ୟ ସ୍ୱୀକାର କରି ନିଜର ଅସହାୟତାକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛି। ଆଉ ଏସବୁ ମଧ୍ୟରେ ଭକ୍ତ ଦାସଙ୍କ ଗତ ଗୁୁରୁବାର ଭୁବନେଶ୍ୱରରେ ଗଣମାଧ୍ୟମକୁ ବୟାନ ଓ ଆଜି ଦିଲ୍ଲୀରେ ‘ଓଟିଭି’କୁ ବୟାନ ମଧ୍ୟରେ ସତ କ’ଣ ଓ କାହିଁକି ଏଭଳି ପରସ୍ପରବିରୋଧୀ ବୟାନ ଦେଇ ପିସିସି ସଭାପତି ନିଜ ପଦମର୍ଯ୍ୟାଦାର ଅପମାନ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


ବିଜେଡି ପାଖରେ ସମର୍ପିତ କି ଭକ୍ତ?


ରାଜନୀତିରେ ନୀତି ଓ ଆଦର୍ଶର କଥା କହୁଥିବା ପିସିସି ସଭାପତି ଭକ୍ତ ଦାସଙ୍କ ମିଛ ଏବେ ପଦାରେ ପଡ଼ିଛି। ନବୀନଙ୍କୁ ଭେଟିବା ପାଇଁ ସମୟ ମିଳିଲାଣି କି ବୋଲି ଗତ ଗୁରୁବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଭକ୍ତ କହିଥିଲେ ଯେ, “ସେ ଆଶା କରୁଛନ୍ତି ନବୀନ ବାବୁ ତାଙ୍କୁ ସମୟ ଦେବେ, କିନ୍ତୁ ଏଯାଏଁ ସେମିତି କିଛି କଥାବାର୍ତ୍ତା ହୋଇନାହିଁ ।” ମାତ୍ର ଆଜି ନୂଆଦିଲ୍ଲୀରେ ‘ଓଟିଭି’କୁ ସ୍ୱତନ୍ତ୍ର ସାକ୍ଷାତକାରରେ ଭକ୍ତ କହିଛନ୍ତି ଯେ, “ସେ ଗତ ସୋମବାର ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟସଭା ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେବା ନେଇ ସକରାତ୍ମକ ଆଲୋଚନା ହୋଇଥିଲା। ଓଡ଼ିଶାର ହକ୍ ପାଇଁ ଜଣେ ବିଜ୍ଞ ଅଣରାଜନୀତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇବାକୁ କଂଗ୍ରେସ ପ୍ରସ୍ତାବ ଦେଇଥିଲା।” କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ନାଁକୁ ନେଇ ସେ ନବୀନଙ୍କ ସହ ଆଲୋଚନା କରିନଥିବା ଆଜି ସ୍ପଷ୍ଟ କରିଛନ୍ତି।

Advertisment


ତେବେ ପ୍ରଶ୍ନ ଉଠୁଛି, ଯଦି ସୋମବାର ସେ ନବୀନଙ୍କୁ ଭେଟିଥିଲେ ତା’ହେଲେ ଗୁରୁବାର କାହିଁକି ସାମ୍ବାଦିକମାନଙ୍କୁ ମିଛ କହିଥିଲେ। ଗୁରୁବାର ଦିନ ପ୍ରଶ୍ନକୁ ଏଡ଼ାଇ ଯାଇପାରିଥାନ୍ତେ। ମାତ୍ର ୪୮ ଘଂଟା ମଧ୍ୟରେ ନିଜ ବୟାନ ବଦଳାଇ ଭକ୍ତ ନିଜେ ନିଜ ଜାଲରେ ଛନ୍ଦି ହୋଇଯାଇଛନ୍ତି।


ଭକ୍ତ ଆଜି ନିଜେ ସ୍ୱୀକାର କରୁଛନ୍ତି ଯେ, ଡାକ୍ତର ହୋତାଙ୍କ ନାଁ ସମ୍ପର୍କରେ ବିଜେଡି ସହ କୌଣସି ଆଲୋଚନା ହୋଇନାହିଁ। ମାତ୍ର ସେ ଯେଉଁ ତାଲିକା ଜାରି କରିଥିଲେ ସେଥିରୁ ଡାକ୍ତର ହୋତାଙ୍କୁ ନବୀନବାବୁ ଚୟନ କରିଥିବାରୁ ତାଙ୍କୁ ଉପରେ ପଡ଼ି କୃତଜ୍ଞତା ଜଣାଇଛନ୍ତି। କଂଗ୍ରେସ ଏକ ଜାତୀୟ ଦଳ ହୋଇଥିବାବେଳେ ଡାକ୍ତର ହୋତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ସହ ଆଲୋଚନା ନକରି ନବୀନବାବୁ ଏକତରଫା ଭାବେ କମନ ପ୍ରାର୍ଥୀ ଘୋଷଣା କରିବା ପରେ ମଧ୍ୟ ଭକ୍ତ ନିଜ ମନକୁ ବୁଝାଇବା ଭଳି ଆଚରଣ କରିବାକୁ ପଛାଇ ନାହାନ୍ତି ଓ ସେ ଦିଲ୍ଲୀ ଗସ୍ତରେ ଯବା ପୂର୍ବରୁ ଦେଇଥିବା ତାଲିକାରୁ ବିଜେଡି ନାଁ ଘୋଷଣା କରିଥିବାରୁ ନବୀନବାବୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭକ୍ତ। ‘ଓଟିଭି’କୁ ଦେଇଥିବା ସାକ୍ଷାତକାର ହିଁ ରାଜ୍ୟସଭା ନିର୍ବାଚନରେ ଭକ୍ତଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି।


ଦତ୍ତେଶ୍ୱର ହୋତା ପ୍ରକୃତରେ କାହା ପ୍ରାର୍ଥୀ?


ଭକ୍ତ ଦାସଙ୍କ କହିବା ଅନୁଯାୟୀ, ଶୁକ୍ରବାର ସେ ଦିଲ୍ଲୀ ଯିବା ପୂର୍ବରୁ ଗଣମାଧ୍ୟମକୁ ଯେଉଁ ନାଁର ତାଲିକା ଦେଇଥିଲେ ସେଥିରୁ ଡାକ୍ତର ହୋତାଙ୍କୁ ନବୀନବାବୁ ବାଛିଛନ୍ତି। ତାକ୍ତର ହୋତା ମଧ୍ୟ ୨-୩ ପୂର୍ବରୁ ତାଙ୍କ ପାଖକୁ ବି ଆସିଥିଲେ ଓ ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଯେହେତୁ କଂଗ୍ରେସ ତାଲିକା ମଧ୍ୟରୁ ବିଜେଡି ଜଣକୁ ଚୟନ କରିଛି ସେଥିପାଇଁ ଆମେ ନବୀନବାବୁଙ୍କୁ ଧନ୍ୟବାଦ ଦେଉଛୁ। ତେବେ ଡାକ୍ତର ହୋତା କଂଗ୍ରେସ ପ୍ରାର୍ଥୀ ବୋଲି ସେ ଆଜି ସିଧାସଳଖ ସ୍ୱୀକାର କରିନାହାନ୍ତି। କିନ୍ତୁ ଡାକ୍ତର ହୋତା ଯେଭଳି ଚାପଗ୍ରସ୍ତ ହୋଇ ନିର୍ବାଚନରୁ ଓହରି ନଯିବେ ସେଥିପାଇଁ କଂଗ୍ରେସ ଆସନ୍ତା ୨ ତାରିଖରେ ବିଧାୟକ ଦଳ ବୈଠକ କରାଯିବ ବୋଲି ଭକ୍ତ କହିଛନ୍ତି।

କଂଗ୍ରେସ ତାଲିକାରୁ ଡାକ୍ତର ହୋତାଙ୍କ ନାଁକୁ ବିଜେଡି ନେଇଥିବା କହି ଭକ୍ତ ଖୁସି ଅଛନ୍ତି ସିନା କିନ୍ତୁ କଂଗ୍ରେସ ବିଧାୟକ ଦଳରେ ଥିବା ଫାଟ ଏହି କମନ୍ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଛି ନା ନାହିଁ ତାହା ମଧ୍ୟ ଭକ୍ତଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡି ପ୍ରାର୍ଥୀ(ସ୍ୱାଧୀନ ନୁହଁନ୍ତି) ଡାକ୍ତର ହୋତାଙ୍କୁ କଂଗ୍ରେସ ବିଧାୟକମାନେ ସମର୍ଥନ ଦେବେ ନା ନାହିଁ ଓ ଯଦି ଦେବେ ତା’ହେଲେ କ’ଣ ରାଜ୍ୟରେ ବିଜେଡି-କଂଗ୍ରେସ ଆଉ ଏକ ନୂଆ ରାଜନୀତିକ ସମୀକରଣର ମୂଳଦୁଆ ପକାଇଲେ କି ବୋଲି ଚର୍ଚ୍ଚା ହେଉଛି ।

ନିଜ ସହଯୋଗୀଙ୍କୁ ବି ଭରସାକୁ ନେଲେନି ନବୀନ

ପିସିସି ସଭାପତି ଭକ୍ତ ଦାସ ନବୀନ ନିବାସରେ ନବୀନଙ୍କୁ ଭେଟିବା ହେଉ ଅବା ଡାକ୍ତର ହୋତାଙ୍କୁ କମନ୍ ପ୍ରାର୍ଥୀ କରାଯିବା, କୌଣସିଥିରେ ବି ଦଳର କୌଣସି ନେତାଙ୍କୁ ବିଶ୍ୱାସକୁ ନବୀନ ନେଇନାହାନ୍ତି ବୋଲି ଜଣାପଡ଼ିଛି । ଯଦିଓ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା ଓ ରାଜ୍ୟସଭା ସଂକ୍ରାନ୍ତ ନିଷ୍ପତ୍ତି ନେବା ପାଇଁ ନବୀନଙ୍କୁ ଅଧିକୃତ କରାଯାଇଥିଲା ତଥାପି ନବୀନ ସେହି ବୈଠକରେ ଦଳର ନେତାମାନଙ୍କୁ ଭକ୍ତ ଦାସଙ୍କ ସହ ସାକ୍ଷାତ କିମ୍ବା ସେ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ସାମାନ୍ୟତମ ସୁରାକ୍ ଦେଇନଥିଲେ ।


କେବଳ ସେତିକି ନୁହେଁ ଡାକ୍ତର ହୋତାଙ୍କୁ ଚତୁର୍ଥ ପ୍ରାର୍ଥୀ ବା କମନ୍ ପ୍ରାର୍ଥୀ ଭାବେ ଆଗକୁ ଆଣିବା ନେଇ ବିଜେଡିର ରଣନୀତି ସମ୍ପର୍କରେ ଦଳୀୟ ନେତାମାନଙ୍କୁ ମଧ୍ୟ ନବୀନ ସାମାନ୍ୟତମ ଆଭାସ ଦେଇନଥିଲେ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି । 


ଆଉ ଏପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେଡି ଓ କଂଗ୍ରେସ ସେମାନଙ୍କର ରଣନୀତି କରିଛନ୍ତି । ବିଜେପି ଏକ ଜାତୀୟ ଦଳ ଓ ସଂସଦୀୟ ବୋର୍ଡ ହିଁ ରାଜ୍ୟସଭା ପ୍ରାର୍ଥୀ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଆମେ ଯାହା ସୂଚନା ଦେବା କଥା ସଂସଦୀୟ ବୋର୍ଡକୁ ଜଣାଇ ଦେଇଛୁ ।


ତେବେ ଭକ୍ତଙ୍କ ‘ମିଛ’ ଓ ନବୀନଙ୍କ ଦଳୀୟ ନେତାମାନଙ୍କୁ ‘ବିଶ୍ୱାସ’କୁ ନନେବା ରାଜ୍ୟସଭା ନିର୍ବାଚନରେ ଉଭୟ ବିଜେଡି ଓ କଂଗ୍ରେସର କମନ୍ ପ୍ରାର୍ଥୀଙ୍କୁ ଭାରି ପଡ଼ିବ ନାହିଁ ତ ବୋଲି ସାଧାରଣରେ ଚର୍ଚ୍ଚା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe