Advertisment

RAJYASABHA ELECTION : ମାର୍ଚ୍ଚ ୧୬ରେ ଭୋଟ୍‌, କଂଗ୍ରେସ ଦେବ ନିଜସ୍ୱ ପ୍ରାର୍ଥୀ, ବିଜେଡିରେ ଅଡ଼ୁଆ

ମାର୍ଚ୍ଚ ୫ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ମାର୍ଚ୍ଚ ୯ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା ହେବ।

Rajya-sabha-100
Advertisment

ଓଡ଼ିଶାର ୪ଟି ଆସନ ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି ହେବାପରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ଉଷ୍ମତା ବୃଦ୍ଧି ପାଇଛି।

Advertisment

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପିକୁ ୨ଟି ଓ ବିଜେଡିକୁ ଗୋଟିଏ ଆସନ ଯିବା ନିଶ୍ଚିତ ଥିବାବେଳେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ କଂଗ୍ରେସ ନିଜସ୍ୱ ପ୍ରାର୍ଥୀ ଦେବ କହି ୪ର୍ଥ ଆସନ ପାଇଁ ରାଜନୀତିକ ଛକାପଞ୍ଝାକୁ ବଢ଼ାଇ ଦେଇଛି। ବିଜେଡିର ବରିଷ୍ଠ ନେତାମାନେ ଜଣକ ପରେ ଜଣେ ଆଗକୁ ଆସି ପୁରୁଖା ଦଳୀୟ ନେତାଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ଯୁକ୍ତି ବାଢ଼ି ବିଜେଡି ନେତୃତ୍ୱଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି।

ନିର୍ବାଚନ କାର୍ଯ୍ୟସୂଚୀ ଜାରି,‘ବାଇଗଣୀ ରଙ୍ଗର ସ୍କେଚ୍ ପେନ୍‌’

ନିର୍ବାଚନ କମିଶନ ଆଜି ରାଜ୍ୟସଭା ଭୋଟ୍ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ରଖିବା ପାଇଁ କେବଳ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ପ୍ରଦତ୍ତ ବାଇଗଣୀ ରଙ୍ଗର ସ୍କେଚ ପେନ୍ ଉପଯୋଗ କରିବାକୁ ଭୋଟର (ବିଧାୟକ) ମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟ କୌଣସି ପେନ୍ ବ୍ୟବହାର କଲେ ଭୋଟ୍ ନାକବ ହୋଇଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। 

Advertisment

ରାଜ୍ୟସଭା ସାଂସଦ ବିଜେଡିର ମୁନ୍ନା ଖାନ ଓ ନିରଞ୍ଜନ ବିଶି ଏବଂ ବିଜେପିର ସୁଜିତ୍ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ଆସନ୍ତା ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ମାର୍ଚ୍ଚ ୫ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ମାର୍ଚ୍ଚ ୯ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା ହେବ। ମାର୍ଚ୍ଚ ୨୦ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


ଜିତିବା ପାଇଁ ‘ମ୍ୟାଜିକ ନମ୍ବର’, କାହା ପାଖରେ କେତେ ସମର୍ଥନ

ଓଡ଼ିଶା ବିଧାନସଭାରେ ମୋଟ ୧୪୭ଟି ଆସନ ରହିଛି ଓ ରାଜ୍ୟସଭା ନିର୍ବାଚନ ‘ସିଙ୍ଗଲ ଟ୍ରାନ୍ସଫରେବୁଲ ଭୋଟ’ (ଏସଟିଭି) ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଥାଏ ।ଏହି ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ପ୍ରଥମ ପସନ୍ଦର ଭୋଟ୍ ବା ମ୍ୟାଜିକ୍ ନମ୍ବର ଆବଶ୍ୟକ ହୋଇଥାଏ । 


ରାଜ୍ୟସଭା ନିର୍ବାଚନ ଫର୍ମୂଲା ଅନୁସାରେ,  ପ୍ରତ୍ୟେକ ବିଧାୟକଙ୍କ ଭୋଟ୍ ମୂଲ୍ୟ ହେଉଛି ୧୦୦ । ମ୍ୟାଜିକ୍ ନମ୍ବର ବା ଜଣେ ପ୍ରାର୍ଥୀ ଜିତିବା ପାଇଁ ଫର୍ମୂଲା ହେଉଛି (ମୋଟ ବିଧାୟକଙ୍କ ସଂଖ୍ୟା /(ଖାଲି ଆସନ+୧) + ୧) । ଓଡ଼ିଶାରେ ମୋଟ ବିଧାୟକ ସଂଖ୍ୟା ହେଉଛି ୧୪୭। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ (୧୪୭୦୦ / ୪+୧) + ୧ = ୨୯୪୧ । ଅର୍ଥାତ୍ ଓଡ଼ିଶାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ପ୍ରଥମ ପସନ୍ଦର ମ୍ୟାଜିକ ନମ୍ବର ହେଉଛି ୩୦ । ଜଣେ ପ୍ରାର୍ଥୀଙ୍କୁ ଅତିକମରେ ୩୦ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏହି ସଂଖ୍ୟାକୁ ନେଇ ଏବେ ସବୁ ଦଳ ନିଜ ନିଜର ଗୋଟିଚାଳନା ଆରମ୍ଭ କରିଦେଇଛନ୍ତି।

ଏବେ ବିଧାନସଭାରେ ବିଜେପି ପାଖରେ ୮୨ଜଣ ବିଧାୟକ(୭୯ ବିଜେପି + ୩ ସ୍ୱାଧୀନ ସମର୍ଥିତ) ଅଛନ୍ତି । ଦୁଇଟି ଆସନ ଜିତିବା ପାଇଁ ୬୦ ବିଧାୟକଙ୍କ ସମର୍ଥନ ପରେ ବିଜେପି ହାତରେ ଆଉ ୨୨ଜଣ ବିଧାୟକଙ୍କ ଭୋଟ୍ ରହିବ । ସେହିପରି ବିଜେଡିର ୪୮ ଜଣ ବିଧାୟକ( ୨ ନିଲମ୍ବିତଙ୍କ ବାଦ୍‌) ଅଛନ୍ତି ଓ ଗୋଟିଏ ଆସନ ପାଇଁ ୩୦ ବିଧାୟକଙ୍କ ଭୋଟ୍ ପରେ ୧୮ଜଣ ବିଧାୟକଙ୍କ ଭୋଟ୍ ଦଳ ପାଖରେ ରହିବ। ଅନୁରୂପ ଭାବେ କଂଗ୍ରେସର ନିଜର ୧୪ ବିଧାୟକ ଓ ସହଯୋଗୀ ସିପିଆଇର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଚତୁର୍ଥ ଆସନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ହାସଲ କରିବାକୁ ବିଜେପି ୮ଜଣ, ବିଜେଡି ୧୨ଜଣ ଓ କଂଗ୍ରେସ ୧୫ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛି ।


ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ: ରାଜ୍ୟ ବିଜେପି

ରାଜ୍ୟସଭା ନିର୍ବାଚନ( Odisha Rajya Sabha election) ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଆମ ଦଳର ପ୍ରାର୍ଥୀ କିଏ ହେବେ ସେ ନେଇ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ବାବଦରେ ରାଜ୍ୟ ବିଜେପି ମଧ୍ୟରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା କରାଯିବ । କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଆଧାରରେ ହିଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସମର୍ଥନ ଓ ମିଳିତ ପ୍ରାର୍ଥୀ ନେଇ କଂଗ୍ରେସର ପ୍ରୟାସ

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ, କଂଗ୍ରେସ ନିଶ୍ଚିତ ଭାବେ ଜଣେ ପ୍ରାର୍ଥୀ ଦେବ । ଆମ ଦଳ ଭିତରୁ ହିଁ ଜଣଙ୍କୁ ପ୍ରାର୍ଥୀ କରାଯିବ ଓ ସମସ୍ତ ବିଧାୟକ ଏକଜୁଟ ହୋଇ ତାଙ୍କୁ ଜିତାଇବାକୁ ଚେଷ୍ଟା କରିବୁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ପିସିସି ସଭାପତି କହିଛନ୍ତି । ବିଜେଡି ସହ ଆଲୋଚନା ହେବାପରେ ଅଧିକ ସ୍ପଷ୍ଟତା ଆସିବ । ସମର୍ଥନ ପାଇଁ ପ୍ରୟାସ କରିବାରେ ବା ମିଳିତ ପ୍ରାର୍ଥୀ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

ପୁରୁଖାଙ୍କ ସପକ୍ଷରେ ଅଶୋକଙ୍କ ପରେ ବଦ୍ରି ବାଢ଼ିଲେ ଯୁକ୍ତି

ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲି ନଥିବାବେଳେ ଦଳର ଜଣେ ପରେ ଜଣେ ବରିଷ୍ଠ ନେତା ଏବେ ପୁରୁଖା ଦଳୀୟ ନେତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବାରେ ଲାଗିଛନ୍ତି। ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କ ପରେ  ବରିଷ୍ଠ ବିଧାୟକ ବଦ୍ରି ପାତ୍ର କହିଛନ୍ତି ଯେ, ରାଜ୍ୟସଭାକୁ ରାଜନୈତିକ ଲୋକ ହିଁ ଯିବା ଦରକାର। ଯେଉଁମାନେ ଦଳ ପାଇଁ କଠିନ ପରିଶ୍ରମ କରିଛନ୍ତି, ଯାହାର ତ୍ୟାଗ ଅଛି ଓ ଯେଉଁମାନେ ଅଭିଜ୍ଞ ବ୍ୟକ୍ତି, ସେମାନେ ଗଲେ ଭଲ ହେବ। ଦଳର ଲାଭ ପାଇଁ ନବୀନ ପଟ୍ଟନାୟକ ଯେଉଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ବିଜେପି ଯଦି ୩ଟି ଆସନ ନେଇପାରିବ ତେବେ ନେଇଯାଉ ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି । ବିଜେଡି ପ୍ରାର୍ଥୀ ଦୌଡ଼ରେ ସନ୍ତୃପ୍ତ ମିଶ୍ର ଆଗରେ ଥିବାବେଳେ ଦଳର ବରିଷ୍ଠ ନେତାମାନେ ତାଙ୍କର ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ବୁଲେଇବଙ୍କେଇ ବିରୋଧ କରୁଥିବାରୁ ବିଜେଡିରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ।

ସେହିପରି ଦଳର ମୁଖପାତ୍ର ବିଧାୟକ ଶାରଦା ପ୍ରସାଦ ଜେନା କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ପିଏସି ଓ ଦଳ ସଭାପତି ଏନେଇ ନିଷ୍ପତ୍ତିି ନେବେ। ସେ ବିଜେପି ଉପରେ ଘୋଡ଼ା ବେପାରର ଅଭିଯୋଗ ଆଣିବା ସହ ବିଜେଡି ଏଥିରେ ବିଶ୍ୱାସ କରେନାହିଁ ବୋଲି କହିଛନ୍ତି। 

Odisha Rajya Sabha election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe