Advertisment

Rajyasabha Elections: ୫ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ, ସନ୍ତୃପ୍ତ ସବୁଠୁ ଧନୀ, ଦ୍ୱିତୀୟରେ ଦିଲ୍ଲୀପ,ଦେଖନ୍ତୁ କାହାର କେତେ ସମ୍ପତ୍ତି ?

ସୁଜିତ୍ କୁମାର,ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବାବେଳେ ମନମୋହନ ସାମଲଙ୍କ ନାଁରେ ୪ଟି କେସ୍ ବିଚାରାଧୀନ ରହିଛି। ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କ ଜେଲ୍ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଛି ।

author-image
Prakaash Sethi
RS-ALL

ରାଜ୍ୟର ୪ଟି ରାଜ୍ୟସଭା ଆସନ ପାଇଁ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ସମେତ ବିଜେଡିର ସନ୍ତୃପ୍ତ ମିଶ୍ର ଏବଂ ଦୁଇ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। କୌଣସି ବିଧାୟକ ପ୍ରସ୍ତାବକ ନଥିବାରୁ ହାଇଦ୍ରାବାଦର କାନ୍ତେ ସାୟାନ୍ନାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି।

Advertisment

ରାଜ୍ୟସଭା ନିର୍ବାଚନ( Odisha Rajya Sabha election) ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ, ଏହି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସନ୍ତୃପ୍ତ ମିଶ୍ର ସର୍ବାଧିକ ଧନୀ ପ୍ରାର୍ଥୀ। ମୋଟ ପ୍ରାୟ ୫୯୫.୧୪କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିର ସେ ଓ ତାଙ୍କ ପତ୍ନୀ ଅଳକା ମିଶ୍ର ହେଉଛନ୍ତି ମାଲିକ । ସେହିପରି ଦ୍ୱିତୀୟ ସ୍ଥାନରେ ଦିଲ୍ଲୀପ ରାୟ ଅଛନ୍ତି। ଶ୍ରୀ ରାୟଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୫୭କୋଟି ଟଙ୍କା ରହିଛି,ଯେଉଁଥିରେ ତାଙ୍କ ପତ୍ନୀ ପୂଜା ରାୟଙ୍କ ନାଁରେ ପ୍ରାୟ ୨୦କୋଟି ଟଙ୍କାର ସମ୍ପତ୍ତି ରହିଛି। 

ସେହିପରି ତୃତୀୟ ଧନୀ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ମୋଟ ୧୨.୮୫କୋଟି ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଥିବାବେଳେ ଚତୁର୍ଥ ଧନୀ ପ୍ରାର୍ଥୀ ହେଉଛନ୍ତି ସୁଜିତ୍ କୁମାର। ତାଙ୍କ ପାଖରେ ପ୍ରାୟ ୬.୬୯କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ରହିଛି। ଆଉ ଧନୀ ପ୍ରାର୍ଥୀ ତାଲିକାରେ ପଂଚମ ତଥା ଶେଷରେ ମନମୋହନ ସାମଲ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୪.୭୫ କୋଟି ଟଙ୍କା ବୋଲି ଜଣାପଡ଼ିଛି ।

Advertisment

ସୁଜିତ୍ କୁମାର,ସନ୍ତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବାବେଳେ ମନମୋହନ ସାମଲଙ୍କ ନାଁରେ ୪ଟି କେସ୍ ବିଚାରାଧୀନ ରହିଛି।ସେହିପରି ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କ ଜେଲ୍ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଛି ।

ଏହି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସୁଜିତ୍ କୁମାର ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ମାଷ୍ଟରଡିଗ୍ରୀ ହାସଲ କରିଥିବାବେଳେ ସନ୍ତୃପ୍ତ ବ୍ରିଟେନର ଆଷ୍ଟନ ବିଶ୍ୱବିଦ୍ୟାଳୟର ଡିଗ୍ରୀଧାରୀ ଅଛନ୍ତି। ସୁଜିତ୍‌, ଦିଲ୍ଲୀପ ରାୟ ଓ ମନମୋହନ ସାମଲଙ୍କ ପାଖରେ ଆଇନ ଡିଗ୍ରୀ ରହିଛି।


ସନ୍ତୃପ୍ତ ମିଶ୍ର: ସବୁ ଆଶାୟୀଙ୍କୁ ପଛରେ ପକାଇ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ। ସେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ମୋଟ ୫୯୫.୧୪କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଙ୍କ ପାଖରେ ଅଛି । ସେଥିରେ ପତ୍ନୀ ଅଳକାଙ୍କ ନାଁରେ ୨୦.୪୮କୋଟି ଟଙ୍କାର ଅସ୍ଥାବର ଓ ୮.୬୮କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।

୬୦ବର୍ଷୀୟ ସନ୍ତୃପ୍ତଙ୍କର ନିଜସ୍ୱ ଅସ୍ଥାବର ସମ୍ପତ୍ତି ୫୧୨.୯୦କୋଟି ଟଙ୍କା ଓ ସ୍ଥାବର ସମ୍ପତ୍ତିର ପରିମାଣ ୫୩.୦୬କୋଟି ଟଙ୍କା। ତାଙ୍କ ପାଖରେ ମର୍ସିଡିଜ୍ ବେଞ୍ଜ୍ ଓ ବିଏମଡବ୍ଲୁ ଭଳି ଅତି ଦାମୀ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି। ମହାରାଷ୍ଟ୍ରର ରାୟଗଡ଼ ଅଂଚଳରେ ପ୍ରାୟ ୪୦ କୋଟି ଟଙ୍କାର ବିଶାଳ କୃଷି ଜମି ରହିଛି।  

ମୁମ୍ବାଇର ମହଲକ୍ଷ୍ମୀ ଓ ଅନ୍ଧେରୀ ଇଷ୍ଟରେ ବିଳାସପୂର୍ଣ୍ଣ ଫ୍ଲାଟ୍‌, ମୁମ୍ବାଇର ପାୱାଇ ଅଂଚଳରେ ଏକ ବଡ଼ ବାଣିଜ୍ୟିକ କୋଠା, ହାଇଦ୍ରାବାଦର ଗାଛିବୋଲିରେ ଆବାସିକ ଗୃହ ରହିଛି। ଓଡ଼ିଶାରେ ତାଙ୍କର କଟକର ତିଗିରିଆ ଓ ଖୋର୍ଦ୍ଧାର ଜଟଣୀ ଅଞ୍ଚଳରେ ଚାଷ ଜମି ରହିଥିବାବେଳେ ଭୁବନେଶ୍ୱରର ପାତ୍ରପଡ଼ାରେ ଅଣକୃଷି ଜମି ଓ କଟକ ସିଡିଏରେ ଗୋଟିଏ ବାସଗୃହ ମଧ୍ୟ ରହିଛି।

ତାଙ୍କ ପତ୍ନୀ ଅଳକାଙ୍କ ନାଁରେ ମୁମ୍ବାଇ, ଥାନେ ଓ ହରିୟାଣାର ଗୁରୁଗ୍ରାମ ଭଳି ସହରରେ ସମ୍ପତ୍ତି ରହିଛି। ସନ୍ତୃପ୍ତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିବା ସହିତ ୟୁନାଇଟେଡ୍ କିଙ୍ଗଡମର ଆଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଡକ୍ଟର ଅଫ୍ ଫିଲୋସୋଫି ଡିଗ୍ରୀ ପ୍ରାପ୍ତ କରିଛନ୍ତି। ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଶ୍ରୀ ମିଶ୍ର ୨୦୨୪ ସାଧାରଣ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୪୮୨.୨୫କୋଟି ଟଙ୍କା ଦର୍ଶାଇଥିଲେ, ଯାହାକି ମାତ୍ର ଦୁଇବର୍ଷରେ ଅର୍ଥାତ୍ ୨୦୨୬ରେ ୧୧୨.୮୯କୋଟି ଟଙ୍କାକୁ ବୃଦ୍ଧି ପାଇଛି।


ଦିଲ୍ଲୀପ ରାୟ: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି ବିଜେପି ନେତା ଦିଲ୍ଲୀପ ରାୟ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୪୩୭କୋଟି ଟଙ୍କା ଓ ତାଙ୍କ ପତ୍ନୀ ପୂଜା ରାୟଙ୍କ ପାଖରେ ପ୍ରାୟ ୨୦କୋଟି ଟଙ୍କାର ସମ୍ପତ୍ତି ରହିଛି। 

ସତ୍ୟପାଠ ଅନୁସାରେ ୭୪ବର୍ଷୀୟ ଶ୍ରୀ ରାୟଙ୍କ ପାଖରେ ପ୍ରାୟ ୩୯୧.୬୨କୋଟି ଟଙ୍କାର ଅସ୍ଥାବର ଓ ପ୍ରାୟ ୪୫.୫୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ଶ୍ରୀ ରାୟଙ୍କର ଭୁବନେଶ୍ୱର, ରାଉରକେଲା, ନୂଆଦିଲ୍ଲୀ ଓ ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଭଳି ସ୍ଥାନରେ ତାଙ୍କର ଏକାଧିକ ଆବାସିକ ଗୃହ ଓ ଆପାର୍ଟମେଂଟ ରହିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୪୫ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ଉତ୍ତର ୨୪ ପ୍ରଗଣାରେ ପ୍ରାୟ ୮ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏହାବ୍ୟତୀତ ତାଙ୍କ ପତ୍ନୀ ପୂଜାଙ୍କ ପାଖରେ ପ୍ରାୟ ୧୧.୧୭ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତିି ରହିଛି। 

ଶ୍ରୀ ରାୟଙ୍କ ପାଖରେ ପ୍ରାୟ ୨୧୦୩ ଗ୍ରାମ୍ ସୁନା ଓ  ୫୨.୮୪ କ୍ୟାରେଟ୍ ହୀରା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖରେ ୨୯୦୬ ଗ୍ରାମ୍ ସୁନା ଓ ୨୭୮.୩୯ କ୍ୟାରେଟ୍ ହୀରା ରହିଛି । ଶ୍ରୀ ରାୟ ଜଣେ ଆଇନ ଡିଗ୍ରୀଧାରୀ ଓ ସେ ୧୯୭୬ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ନିଜର ଶିକ୍ଷା ସମାପ୍ତ କରିଛନ୍ତି।

ତାଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ଓ କଟକ ଭିଜିଲାନ୍ସରେ ଦୁଇଟି ମାମଲା ଥିବାବେଳେ କୋଇଲା ବ୍ଲକ ଆବଂଟନ ଦୁର୍ନୀତିରେ ୨୦୨୦ ମସିହାରେ ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି।


ଡାକ୍ତର ଦତ୍ତେଶ୍ୱର ହୋତା: ବିଜେଡି, କଂଗ୍ରେସ ଓ ସିପିଆଇଏମ୍ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ହୋତା ମୋଟ ୧୨.୮୫କୋଟି ଟଙ୍କାର ସମ୍ପତ୍ତିର ମାଲିକ। ୬୮ବର୍ଷୀୟ ଡାକ୍ତର ହୋତା ଜଣେ ପ୍ରତିଷ୍ଠିତ ୟୁରୋଲୋଜିଷ୍ଟ ଭାବେ ପରିଚିତ। ତାଙ୍କ ପତ୍ନୀ ସୁଜାତା ପୂଜାରୀ ମଧ୍ୟ ଜଣେ ଡାକ୍ତର ଓ ଏବେ ପୁରୀରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ। ଡାକ୍ତର ହୋତାଙ୍କର ନିଜସ୍ୱ ଅସ୍ଥାବର ସମ୍ପତ୍ତି ପରିମାଣ ପ୍ରାୟ ୪.୯୨ କୋଟି ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ ୨.୭୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। 

ସୋନପୁର ଜିଲ୍ଲାରେ ପ୍ରାୟ ୪୦ଲକ୍ଷ ଟଙ୍କାର ପୈତୃକ କୃଷି ଜମି ରହିଛ। ଏହାବ୍ୟତୀତ କଟକ, ସୋନପୁର ଓ ଭୁବନେଶ୍ୱରରେ ତାଙ୍କର ଘର ଓ ଆପାର୍ଟମେଂଟ ରହିଛି, ଯାହାର ମୋଟ ବଜାର ମୂଲ୍ୟ ପ୍ରାୟ ୩.୩୩ କୋଟି ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଭୁବନେଶ୍ୱରରେ ଏକ ବ୍ୟବସାୟିକ କୋଠା ଓ ଆପାର୍ଟମେଂଟ ରହିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୧.୬୦ କୋଟି ଟଙ୍କା  ବୋଲି ସେ ଦର୍ଶାଇଛନ୍ତି। 

ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବାବେଳେ ସେ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମଇଆରରୁ ଏମ.ସିଏଚ୍ (ୟୁରୋଲୋଜି) ଡିଗ୍ରୀ ହାସଲ କରିଛନ୍ତି । ସେ ୧୯୮୩ରେ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ।

ସୁଜିତ୍ କୁମାର: ବିଜେପି ସାଂସଦ ସୁଜିତ୍ କୁମାରଙ୍କୁ ପୁଣିଥରେ ଦଳ ପ୍ରାର୍ଥୀ କରିଛି। ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ଶ୍ରୀ କୁମାରଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ। ୫୦ବର୍ଷୀୟ ଶ୍ରୀ କୁମାର ଓ ତାଙ୍କ ପତ୍ନୀଙ୍କ ନାଁରେ ମୋଟ ପ୍ରାୟ ୬.୬୯କୋଟି ଟଙ୍କାର ସମ୍ପତ୍ତି ରହିଛି। ତେବେ ଏଥିରେ ପ୍ରାୟ ୧.୩୨କୋଟି ଟଙ୍କାର ଋଣବୋଝ ମଧ୍ୟ ତାଙ୍କ ମୁଣ୍ଡରେ ରହିଛି। ଏଥିରେ ସେ ନିଜ ମା’,ଭାଇ ଓ କିଛି ବନ୍ଧୁଙ୍କଠାରୁ ନେଇଥିବା ୭୫ଲକ୍ଷ ଟଙ୍କାର ଋଣ ମଧ୍ୟ ସାମିଲ ଅଛି।

 ୨୦୨୦ ମସିହାରେ ଶ୍ରୀ କୁମାର ନିଜର ମୋଟ ସମ୍ପତ୍ତିର ପରିମାଣ ୩.୦୬କୋଟି ଟଙ୍କା ଦର୍ଶାଇ ଥିବାବେଳେ ଏବେ ତାହା ୬.୬୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷକରି ଶେୟାର ଓ ବିଭିନ୍ନ ଫଣ୍ଡରେ ନିବେଶ ଯୋଗୁ ବିଗତ ୬ବର୍ଷ ମଧ୍ୟରେ ତାଙ୍କର ୫୨ଲକ୍ଷ ଟଙ୍କାର ନିବେଶ ବୃଦ୍ଧି ପାଇ ୨.୮୪କୋଟି ଟଙ୍କା ହୋଇଛି। ତାଙ୍କର ପିପିଲି ଓ ଭବାନୀପାଟଣାରେ କୃଷି ଜମି ଥିବାବେଳେ ପଟିଆରେ ଉଭୟ ପତି-ପତ୍ନୀଙ୍କ ନାଁରେ କୋଠା ରହିଛି।

ମନମୋହନ ସାମଲ: ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ୬୬ବର୍ଷୀୟ ଶ୍ରୀ ସାମଲ ଆଇନ ଡିଗ୍ରୀ ହାସଲ କରିଥିବାବେଳେ ତାଙ୍କ ନାଁରେ ୪ଟି ଅପରାଧିକ ମାମଲା ବିଚରାଧୀନ ରହିଛି । କୁଜଙ୍ଗ, ଧାମନଗର, ଭଣ୍ଡାରୀପୋଖରୀ ଓ ବନ୍ତ ଥାନାରେ ବିଭିନ୍ନ ସମୟରେ ରୁଜୁ ହୋଇଛି, ଯେଉଁଥିରେ ମୁଖ୍ୟତଃ ଆନ୍ଦୋଳନ ଓ କୋଭିଡ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ରହିଛି । ତେବେ କୌଣସି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ୪.୭୫କୋଟି ଟଙ୍କା। ଏଥିରେ ପତ୍ନୀ ପ୍ରଣତି ସାମଲଙ୍କ ନାଁରେ ୨.୮୬କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଯେଉଁଥିରେ ୭ଟି ଅଶୋକ ଲେଲ୍ୟାଣ୍ଡ ଟ୍ରକ ଓ ଗୋଟିଏ ଇନୋଭା ଗାଡ଼ି ସାମିଲ ଅଛି। 

ଭଣ୍ଡାରୀପୋଖରୀ ଓ ଭଦ୍ରକ ଅଂଚଳରେ ଶ୍ରୀ ସାମଲଙ୍କ ନାଁରେ ମୋଟ ୧.୩୦କୋଟି ଟଙ୍କାର ସମ୍ପତ୍ତି ରହିଛି । ଭୁବନେଶ୍ୱରର ବରମୁଣ୍ଡାଠାରେ ତାଙ୍କର ଏକ ଡୁପ୍ଲେକ୍ସ ଘର ରହିଛି, ଯାହାର ବଜାର ମୂଲ୍ୟ ୧.୦୫କୋଟି ଟଙ୍କା ହେବ। ଶ୍ରୀ ସାମଲଙ୍କ ପତ୍ନୀଙ୍କ ନାଁରେ ଏବେ ୭୫.୧୦ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି।

Odisha Rajya Sabha election