Advertisment

ରଥଯାତ୍ରା ଅବ୍ୟବସ୍ଥା: ଖସିଯିବେ କି ବଡ଼ମୁଣ୍ଡ, ବିଜେଡି ଚୁପ୍, କଂଗ୍ରେସର ଦାବି ବିଚାରପତି ତଦନ୍ତ

ଯେଉଁଠି ପୁଲିସ ବାହିନୀର ଶୀର୍ଷସ୍ତରୀୟ ଅଫିସର ଉପସ୍ଥିତ ଥିବେ ଓ ତଦାରଖ କରୁଥିବେ ସେଠାରେ ଜିଲ୍ଲା ଏସପିଙ୍କ ଭୂମିକା ନାମକୁ ମାତ୍ର ।

ଅଦ୍ୟତନ ହୋଇଛି
CM Mohan Charan Majhi

CM Mohan Charan Majhi

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନରେ ବ୍ୟାପକ ଅବ୍ୟବସ୍ଥାରେ ୩ଜଣ ଲୋକଙ୍କ ଜୀବନ ଗଲା । ପ୍ରାୟ ୭୦୦ ଲୋକ ଆଘାତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମଦିନ ମାତ୍ର ଦୁଇ ପାହୁଣ୍ଡ ଗଡ଼ି ଅଟକିଗଲା । ଦୀର୍ଘଦିନର ପ୍ରସ୍ତୁତି,ବାରମ୍ବାର ବିଭିନ୍ନସ୍ତରରେ ସମୀକ୍ଷା ବୈଠକ ଓ ସମଗ୍ର ପ୍ରଶାସନିକ କଳର ଉପସ୍ଥିତିରେ ଏଭଳି ଅବ୍ୟବସ୍ଥା ହେଲା । କିନ୍ତୁ ୪୮ଘଣ୍ଟା ପରେ ମଧ୍ୟ ଏହି ବିପର୍ଯ୍ୟୟ ନିମନ୍ତେ କାହାରିକୁ ଉତ୍ତରଦାୟୀ କରାଗଲାନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସବୁ ଅବହେଳା ଅକ୍ଷମଣୀୟ କହି କ୍ଷମା ମାଗିବା ସହ ଜିଲ୍ଲାସ୍ତରର ଅଫିସରଙ୍କୁ ବଦଳି ଓ ନିଲମ୍ବିତ କରି ଘଟଣାକୁ ପ୍ରଶମିତ ନିମନ୍ତେ ପ୍ରୟାସ କରିଛନ୍ତି । ତେବେ ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ବିରୋଧୀ ବିଜେଡି ଓ କଂଗ୍ରେସ ନିଜର ସ୍ୱରକୁ ଶାଣିତ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ପୁଣିଥରେ ପୁରୀ ଗସ୍ତରେ ଯାଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ସହ ମହାପ୍ରଭୁଙ୍କ ରଥଯାତ୍ରା ସହ ଜଡ଼ିତ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ଯେଭଳି ଶୃଙ୍ଖଳିତ ହେବ ସେ ନେଇ ସେବାୟତମାନଙ୍କ ସଙ୍ଗେ ଆଲୋଚନା କରିଥିବା ଜଣାପଡ଼ିଛି । ତେବେ ବାସ୍ତବରେ କେଉଁମାନଙ୍କ ତ୍ରୁଟି ଯୋଗୁ ଚଳିତବର୍ଷର ରଥଯାତ୍ରାରେ ଏତେ ଅବ୍ୟବସ୍ଥା ହେଲା ଓ ଦଳାଚକଟା ଘଟିଲା, ସେସମସ୍ତ ଶୀର୍ଷ ପାହ୍ୟାର ଅଫିସରମାନଙ୍କୁ ଖସିଯିବା ପାଇଁ କାହିଁକି ଓ କିଏ ମାର୍ଗ ପ୍ରଶସ୍ତ କରୁଛି ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ପୁଣି ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ରଥଯାତ୍ରା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀ ଯାଇ ପୁଣିଥରେ ସମୀକ୍ଷା କରିବାକୁ ବିଭିନ୍ନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ବହନ କରୁଛି । ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଓ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକୁ ଶୃଙ୍ଖଳିତ କରିବା ରାଜ୍ୟ ସରକାରଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି । ମହାପ୍ରଭୁଙ୍କ ବାହୁଡ଼ା,ସନ୍ଧ୍ୟା ଦର୍ଶନ, ସୁନାବେଶ ଓ ନିଳାଦ୍ରିବିଜେ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ସରକାର ଆଉ କୌଣସି ରିସ୍କ ନେବାକୁ ଚାହୁଁନଥିବା ଜଣାପଡ଼ିଛି । ସେଥିପାଇଁ ରଥଯାତ୍ରା ପ୍ରକ୍ରିୟା ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଯାଇ ସେଠାରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ସମ୍ବିତ ପାତ୍ର, ପୁରୀ ଜିଲ୍ଲାର ୩ଜଣ ବିଜେପି ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟସଚିବ, ପୁଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ରଥଯାତ୍ରା ଦାୟିତ୍ୱ ନେଇଥିବା ଅରବିନ୍ଦ ଅଗ୍ରୱାଲ ଓ ସୌମେନ୍ଦ୍ର ପ୍ରିୟଦର୍ଶୀ, ବରିଷ୍ଠ ପୁଲିସ ଅଧିକାରୀ, ଜିଲ୍ଲାର ନୂଆ ଜିଲ୍ଲାପାଳ ଓ ଏସପିଙ୍କ ସହ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହିତ ସେବାୟତମାନଙ୍କ ସହ ସେମାନଙ୍କର ବିଭିନ୍ନ ଦାବି ସଂକ୍ରାନ୍ତରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଅବ୍ୟବସ୍ଥା ପାଇଁ ଦାୟୀ ଖସିଯିବେ କି?

ମହାପ୍ରଭୁଙ୍କ ଚଳିତବର୍ଷର ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଓ ଜିରୋ କାଜୁଆଲଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ପୁଲିସ ମଧ୍ୟ ହାଇଟେକ୍ ଜ୍ଞାନକୌଶଳ ଉପଯୋଗ ଓ କଂଟ୍ରୋଲ-କମାଣ୍ଡ ସେଂଟର ଖୋଲି ସବୁକିଛି ନିୟନ୍ତ୍ରଣ ହାତପାଆନ୍ତାରେ ହୋଇଯିବ ବୋଲି ଲମ୍ବାଚଉଡ଼ା ଭାଷଣ ମାରିଲା । ପୁଲିସ ଡିଜିପି ୱାଇବି ଖୁରାନିଆ ରଥଯାତ୍ରାର ୪ଦିନ ପୂର୍ବରୁ ପୁରୀରେ ଡେରା ପକାଇଥିଲେ । ସରକାର ମଧ୍ୟ ପୁଲିସ ଡିଜିଙ୍କୁ ନିଜର ପସନ୍ଦର ଅଫିସରମାନଙ୍କ ସହଯୋଗରେ ରଥଯାତ୍ରାକୁ ଜିରୋ କାଜୁଆଲିଟି ଓ ତ୍ରୁଟିଶୂନ୍ୟ କରିବା ନିମନ୍ତେ ଖୁଲା ଛୁଟ୍ ଦେଇଥିଲେ । ମାତ୍ର ପୁଲିସ ଡିଜି ଓ ତାଙ୍କ ଟିମ ସଦସ୍ୟଙ୍କ ଅନଭିଜ୍ଞତା ଓ ଦାୟିତ୍ୱହୀନତା ପାଇଁ ଏତେ ବଡ଼ ବିପର୍ଯ୍ୟୟ ପୁରୀ ରଥଯାତ୍ରାରେ ଘଟିଗଲା ବୋଲି ସମସ୍ତେ କହୁଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ସାମାନ୍ୟତମ ଆକ୍ସନ ନେବାକୁ ସରକାର ସାହାସ ଜୁଟାଇ ପାରୁନଥିବା ଜଣାପଡ଼ିଛି । ଯଦିଓ ମହାପ୍ରଭୁଙ୍କ ନୀତିକାନ୍ତି ଠିକଠାକ୍ ହୋଇଥିଲା କିନ୍ତୁ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ବିରୁଦ୍ଧରେ ସେବାୟତମାନେ ଦୁର୍ବବ୍ୟହାରର ଅଭିଯୋଗ ଆଣି ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ସେବାୟତମାନଙ୍କ ଜିଦକୁ ଦେଖି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସେବାୟତମାନେ ଅନଧିକୃତ ନୁହଁନ୍ତି । ସେମାନଙ୍କୁ କୌଣସି କଷ୍ଟ ହୋଇଥିଲେ ଆମେ କ୍ଷମା ପ୍ରାର୍ଥୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେଭଳି କିଛି ଅପଶବ୍ଦ ପ୍ରୟୋଗ କରିନାହାନ୍ତି । ଅବଶ୍ୟ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ସମସ୍ତ ଦାୟିତ୍ୱ ଦେଇ ସରକାର ପରୋକ୍ଷରେ ଅରବିନ୍ଦ ପାଢ଼ୀଙ୍କୁ ଚେକ୍ ଦେଇସାରିଛନ୍ତି ।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କର୍ଡ଼ନ ଭିତରେ ମାତ୍ରାଧିକ ଲୋକଙ୍କ ପ୍ରବେଶ ଯୋଗୁ ରଥ ନଗଡ଼ିବା, ଭିଡ଼ ନିୟନ୍ତ୍ରଣରେ ବିଫଳ ଯୋଗୁ ରଥଯାତ୍ରା ଦିନ ଠେଲାପେଲାରେ ୭୦୦ଲୋକ ଆହତ ହେବା, ଆଉ ରଥ ଶରଧାବାଲିରେ ପହଂଚିବା ପରେ ସେଠାରେ ଭିଡ଼ ନିୟନ୍ତ୍ରଣରେ ବିଫଳତା ପାଇଁ ଠେଲାପେଲା ଓ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ଓ ବହୁ ଆହତ ହେବା ଘଟଣା ସମେତ ପୁରୀ ସହରକୁ ସଂଯୋଗ କରୁଥିବା ମାର୍ଗରେ ଟ୍ରାଫିକ ସମସ୍ୟା ଯୋଗୁ ଘଣ୍ଟା ଘଣ୍ଟା ଧରି ଗାଡ଼ିମୋଟର ଅଟକି ରହିବା ଭଳି ଅବ୍ୟବସ୍ଥା ହୋଇଥିଲା ।

ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ଦାୟିତ୍ୱରେ ଥିବା ଅଫିସରମାନେ ସମସ୍ତେ ଅଣଓଡ଼ିଆ ଓ ରଥଯାତ୍ରା ପରିଚାଳନା ନେଇ ସାମାନ୍ୟତମ ଅଭିଜ୍ଞତା ମଧ୍ୟ ସେମାନଙ୍କର ନାହିଁ । କିନ୍ତୁ ଡିଜିପି ଶ୍ରୀ ଖୁରାନିଆ ନିଜର ବାହାଦୂରୀ ଦେଖାଇବାକୁ ଏଡିଜି ସଞ୍ଜୟ କୁମାରଙ୍କୁ ରଥଯାତ୍ରାର ସମସ୍ତ ସୁରକ୍ଷା ଦାୟିତ୍ୱ, ଦୟାଲ ଗଙ୍ଗୱାରଙ୍କୁ ଟ୍ରାଫିକ ଓ କଂଟ୍ରୋଲରୁମ୍ ଦାୟିତ୍ୱ, ଅମିତାଭ ଠାକୁରଙ୍କୁ କର୍ଡନ ପରିଚାଳନା ଦାୟିତ୍ୱ ଦେଇଥିଲେ । ନିଜେ ଡିଜିପି ଶ୍ରୀ ଖୁରାନିଆ ଏସବୁର ତଦାରଖ କରୁଥିଲେ । ତେଣୁ ବରିଷ୍ଠ ଅଫିସରମାନେ ଥିବାବେଳେ ଆଇନଶୃଙ୍ଖଳା ପାଇଁ ଜିଲ୍ଲା ଏସପି ବିନିତ ଅଗ୍ରୱାଲ ସରକାରଙ୍କ ରୋଷର ଶିକାର ହେବା କେବଳ ଧର୍ମକୁ ଆଖିଠାର ମାରିବା ଭଳି । ଯେଉଁଠି ପୁଲିସ ବାହିନୀର ଶୀର୍ଷସ୍ତରୀୟ ଅଫିସର ଉପସ୍ଥିତ ଥିବେ ଓ ତଦାରଖ କରୁଥିବେ ସେଠାରେ ଜିଲ୍ଲା ଏସପିଙ୍କ ଭୂମିକା ନାମକୁ ମାତ୍ର । ତେଣୁ ଏହି ୩-୪ଜଣ ଆଇପିଏସ ଅଫିସରଙ୍କ ଖାମଖିଆଲି ମନୋଭାବ ଓ ଅପାରଗତା ଯୋଗୁ ରଥଯାତ୍ରାରେ ଏତେବଡ଼ ଅଘଟଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସରକାରୀସ୍ତରରେ ସାମାନ୍ୟତମ ନୋଟିସ୍ ବି ହୋଇନଥିବା ଜଣାପଡ଼ିଛି ।

ବିଜେଡି ଚୁପ୍ ,କଂଗ୍ରେସର ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି

ରଥଯାତ୍ରାରେ ଅବ୍ୟବସ୍ଥା ଓ ଦଳଚକଟା ଘଟଣାରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି  ଗତକାଲିଠୁ ଅସମ୍ଭବ ନିରବତା ଅବଲମ୍ବନ କରିଛି । ଦଳ ଯେଭଳି ଢଙ୍ଗରେ ଏହି ଘଟଣାରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମାର୍ଗକୁ ପ୍ରଶସ୍ତ କରିବା କଥା ସେଭଳି କରିବାରେ ସକ୍ଷମ ହୋଇନାହିଁ । ଆଉ ବିଜେଡି ନେତାମାନେ ଏଭଳି ନିରବ ରହିବା ପଛରେ ଦଳର ଅଘୋଷିତ ସର୍ବେସର୍ବାଙ୍କ ଦ୍ୱାରା ମୁଖପାତ୍ର ଓ ନେତାମାନଙ୍କୁ ଜାରି ‘ଫତୱା’ ବୋଲି କୁହାଯାଉଛି । ଯେଉଁଥିପାଇଁ ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ରଥଯାତ୍ରାର ଅବ୍ୟବସ୍ଥା ପ୍ରସଙ୍ଗରେ ବି ବିଜେଡି ନେତାମାନେ ନିରବ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ କଂଗ୍ରେସ ଏହି ରଥଯାତ୍ରା ସହ ଜଡ଼ିତ ସମସ୍ତ ଅବ୍ୟବସ୍ଥାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରିଛି । ପିସିସି ସଭାପତି ଭକ୍ତଚରଣ ଦାସ ସିଧାସଳଖ ‘ଉନ୍ନୟନ କମିଶନରଙ୍କ ତଦନ୍ତ’ରେ କିଛି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି । ଯିଏ କମିଟିର ସଦସ୍ୟ ସେ କିପରି ତଦନ୍ତ କରିବେ ବୋଲି ପ୍ରଶ୍ନ କରିବା ସହ କେବଳ ବିଚାରପତିଙ୍କ ଦ୍ୱାରା ତଦନ୍ତରେ ହିଁ ନ୍ୟାୟ ମିଳିବ କହିଛନ୍ତି । ସରକାର ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ କହିବାପରେ ସେ ଗତକାଲି ପୁରୀ ଯାଇ ଘଟଣାସ୍ଥଳ ବୁଲି ଦେଖିବା ସହ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଏସପି-ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସମେତ ସେବାୟତମାନଙ୍କ ସଙ୍ଗେ ଆଲୋଚନା କରିଥିବା ଜଣାପଡ଼ିଛି ।

CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe