Advertisment

ରଥଯାତ୍ରା ପରିଚାଳନା: ଆସିବ ବିସ୍ତୃତ ଗାଇଡଲାଇନ୍‌, ୧୯ରେ ବୈଠକ, ଚାପିଦେଲେ କି ଅନୁ ଗର୍ଗ ରିପୋର୍ଟ

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମାର୍ଗଦର୍ଶିକାକୁ ଅନୁସରଣ କରି ରଥଯାତ୍ରା ସମ୍ପାଦନ କରାଯିବ । ତେବେ ମାର୍ଗଦର୍ଶିକାରେ କେଉଁସବୁ ଦିଗ ସ୍ଥାନ ପାଇବ ସେନେଇ ଆସନ୍ତା ୧୯ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

author-image
Ordigital Desk
Lokseva Bhawan

Lokseva Bhawan

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରାରେ ବାରମ୍ବାର ଅଘଟଣ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ବିସ୍ତୃତ ଗାଇଡଲାଇନ(ମାର୍ଗଦର୍ଶିକା) ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତା ୧୯ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ଚଳିତବର୍ଷ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଦଳାଚକଟାରେ ୩ଜଣ ପ୍ରାଣ ହରାଇବା ଓ ୭୦୦ରୁ ଅଧିକ ଲୋକ ଆହତ ହେବା ଘଟଣାରେ କାହାରି ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନାହାନ୍ତି । ଯଦିଓ ଅନୁ ଗର୍ଗ କମିଟି ନିଜର ତଦନ୍ତ ଶେଷ କରି ୧୫ଦିନ ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିସାରିଛନ୍ତି । ସରକାର ଗୋଟିଏପଟେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରାୟ ୧୦ମାସ ପୂର୍ବରୁ ମାଗଦର୍ଶିକା ଆଣିବାକୁ କସରତ ଆରମ୍ଭ କରିଥିବାବେଳେ ଯେଉଁମାନଙ୍କ ତ୍ରୁଟି ଯୋଗୁ ଶ୍ରଦ୍ଧାଳୁ ପ୍ରାଣ ହରାଇଲେ ଓ ସରକାରଙ୍କୁ ବଦନାମ ହେବାକୁ ପଡ଼ିଲା ସେମାନଙ୍କୁ କିଏ ଓ କାହିଁକି ସୁରକ୍ଷା ଦେଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବିସ୍ତୃତ ମାର୍ଗଦର୍ଶିକା

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମାର୍ଗଦର୍ଶିକାକୁ ଅନୁସରଣ କରି ରଥଯାତ୍ରା ସମ୍ପାଦନ କରାଯିବ । ତେବେ ମାର୍ଗଦର୍ଶିକାରେ କେଉଁସବୁ ଦିଗ ସ୍ଥାନ ପାଇବ ସେନେଇ ଆସନ୍ତା ୧୯ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ୱାଇବି ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ନଗର ଉନ୍ନୟନ ସଚିବ ଉଷା ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏସ୍‌.ଅଶ୍ୱଥିଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଏସପି ଯୋଗଦେବେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆଧାରରେ ମୁଖ୍ୟ ସଚିବ ମନୋଜ ଆହୁଜା ଏହି ବୈଠକ ଡାକିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସବୁ ଷ୍ଟେକହୋଲଡରଙ୍କ ସହ ବିଚାରବିମର୍ଶ କରି ରାଜ୍ୟ ସରକାର ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଆଣିବେ । ଯେଉଁଥିରେ ନିର୍ଦ୍ଦିଷ୍ଟସ୍ତରରେ ତ୍ରୁଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତରଦାୟୀ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରାବଧାନ ଥିବା ଜଣାପଡ଼ିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇନାହିଁ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର, ମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସଫଳତାର ସହ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦେଇଥାନ୍ତି ।

ମାର୍ଗଦର୍ଶିକାର ସମ୍ଭାବ୍ୟ ଦିଗ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଯେଉଁ ମାର୍ଗଦର୍ଶିକା ରାଜ୍ୟ ସରକାର ଆଣିବା ପାଇଁ ଯୋଜନା କରୁଛନ୍ତି ସେଥିରେ ପ୍ରତ୍ୟେକଙ୍କର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ହେବ । ଭବିଷ୍ୟତରେ କୌଣସି ଅଘଟଣ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହଜ ହୋଇପାରିବ । ସେହିପରି ରଥଯାତ୍ରାବେଳେ ଶ୍ରୀମନ୍ଦିରର ନୀତିକାନ୍ତି ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ତା’ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣଠୁ ଆରମ୍ଭ କରି ରଥ ଟଣା ଓ ରଥର ସୁରକ୍ଷା ପର୍ଯ୍ୟନ୍ତ ସବୁକିଛି ନିମନ୍ତେ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ ହେବ, ଯାହାକି କୌଣସି ପ୍ରକାରର ଅଘଟଣକୁ ଏଡ଼ାଇବାରେ ସକ୍ଷମ ହେବ । ସେବାୟତ, ପ୍ରଶାସନ ଓ ପୁଲିସ ମଧ୍ୟରେ ସମନ୍ୱୟ ରଖି ରଥଯାତ୍ରାର ସୁପରିଚାଳନା ନିମନ୍ତେ ସରକାର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

Advertisment

ଅନୁଗର୍ଗ କମିଟି ରିପୋର୍ଟକୁ ଚାପି ଦେଲେ କି?

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଗତ ଦୁଇବର୍ଷ ଧରି ରଥଯାତ୍ରାରେ ଅଘଟଣ ହେବାରେ ଲାଗିଛି । ୨୦୨୪ ମସିହାରେ ମହାପ୍ରଭୁ ବଳଭଦ୍ରଙ୍କ ମୂର୍ତ୍ତି ରଥରେ ପଡ଼ିଯିବା ଏବଂ ଚଳିତବର୍ଷ ରଥଯାତ୍ରାରେ ଦଳାଚକଟାରେ ୩ଜଣଙ୍କ ମୃତ୍ୟୁ ହେବା ସତ୍ତ୍ୱେ ରାଜ୍ୟ ସରକାର ଏଥିପାଇଁ କାହାରିକୁ ଦାୟୀ କରିବାରେ ସକ୍ଷମ ହୋଇନାହାନ୍ତି । ଏପରିକି ଅନୁ ଗର୍ଗ କମିଟି ଚଳିତବର୍ଷ ରଥଯାତ୍ରା ଅଘଟଣକୁ ନେଇ ନିଜର ତଦନ୍ତ ରିପୋର୍ଟ ଜୁଲାଇ ୩୧ତାରିଖରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଦାନ କରିସାରିଛନ୍ତି । କିନ୍ତୁ ଏହି ରିପୋର୍ଟକୁ ନା ସାର୍ବଜନୀନ କରାଗଲା ନା କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇଛନ୍ତି । ଯାହାକି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିବା ସହ ସରକାରଙ୍କ ନୀତିନିୟତ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନୁ ଗର୍ଗ କମିଟି ନିଜର ତଦନ୍ତ ରିପୋର୍ଟରେ ମୋଟ ୬୭ଜଣଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ, ମୋବାଇଲ ଭିଡିଓ ଓ ଫଟୋଗ୍ରାଫିକୁ ବିଶ୍ଲେଷଣକୁ ସାମିଲ କରିଥିବା ସୂଚନା ମିଳିଛି । କିନ୍ତୁ ଯେଉଁମାନଙ୍କ ତ୍ରୁଟି ଯୋଗୁ ଏତେବଡ଼ ବିପର୍ଯ୍ୟୟ ହେଲା ଓ ୩ଜଣ ଶ୍ରଦ୍ଧାଳୁଙ୍କ ମୂଲ୍ୟବାନ ଜୀବନ ଅକାଳରେ ଚାଲିଗଲା ସେଥିପାଇଁ କାହାରିକୁ ଉତ୍ତରଦାୟୀ ମଧ୍ୟ କରାଯାଇ ନଥିବା ଜଣାପଡ଼ିଛି ।

ସେହିପରି ପୁରୀରେ ସୁରକ୍ଷା, ନିରାପତ୍ତା ଓ ପରିଚାଳନା ଦାୟିତ୍ୱରେ ନିଜେ ପୁଲିସ ଡିଜି ୱାଇବି ଖୁରାନିଆ ୫-୬ଦିନ ଉପସ୍ଥିତ ରହିଥିଲେ। ନିଜର ବିଶ୍ୱସ୍ତ ୩ଜଣ ବରିଷ୍ଠ ଆଇପିଏସଙ୍କୁ ବିଭିନ୍ନ ଦାୟିତ୍ୱ ଦେଲେ । ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ଅନୁମୋଦନରେ ଇନଭଣ୍ଟଗ୍ରିଡ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀକୁ ପ୍ରାୟ ୮୫.୫୪ଲକ୍ଷ ଟଙ୍କାରେ ପୁରୀ ରଥଯାତ୍ରାରେ ୨୦୨୫ ଜୁନ୍ ୨୪ରୁ ଜୁଲାଇ ୯ତାରିଖ ପର୍ଯ୍ୟନ୍ତ ୨୭୫ଟି ଏଆଇ-ସକ୍ଷମ ସିସିଟିଭି କ୍ୟାମେରା, ୨୨ଟି ଏଲଇଡି ଭିଡିଓ ୱାଲ୍‌, ୬ଟି ଡ୍ରୋନ୍ ଏବଂ ଏକ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ସହିତ ଏକ କମାଣ୍ଡ କେଂଟ୍ରାଲ ସେଂଟର ସ୍ଥାପନ କରିବାର କାର୍ଯ୍ୟାଦେଶ ଦିଆଯାଇଥିଲା । ରାଜ୍ୟ ପୁଲିସ ଚଳିତବର୍ଷ ରଥଯାତ୍ରାରେ ଏହି ଏଆଇ କ୍ୟାମେରା ଓ ଡ୍ରୋନ୍ ଆଦି ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନାକୁ ନେଇ ମାତ୍ରାଧିକ ପ୍ରଚାର କରିଥିଲେ ଏହି ଉପକରଣଗୁଡ଼ିକ କାହିଁକି ଫେଲ୍ ମାରିଥିଲା ତା’ର ଖୋଳତାଡ଼ ମଧ୍ୟ କରାଯାଇନାହିଁ । ଏସବୁ ସତ୍ତ୍ୱେ ଅନୁ ଗର୍ଗ କମିଟି ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କୁ ତଦନ୍ତ ପାଇଁ ଡାକିଥିଲେ ମଧ୍ୟ ସେ ଉପସ୍ଥିତ ହୋଇ ବୟାନ ରେକର୍ଡ କରିନଥିବାରୁ ଏହି ତଦନ୍ତ ରିପୋର୍ଟର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ଉଠିଥିବା ସାଧାରଣରେ ଚର୍ଚ୍ଚା ।