Ratha
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଦଳାଚକଟା ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଦାୟିତ୍ୱ ନ୍ୟସ୍ତର ୧୦ଦିନ ପୁରିଲାଣି । କିନ୍ତୁ ଶ୍ରୀମତୀ ଗର୍ଗ ଏହି ଦଳାଚକଟା ଘଟଣାରେ ଆଇନଶୃଙ୍ଖଳା, ଟ୍ରାଫିକ ଓ କର୍ଡନ ପରିଚାଳନା ସମେତ ରଥର ସୁରକ୍ଷା ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସଟିଏ ବି ଜାରି କରିନଥିବା ଜଣାପଡ଼ିଛି । ତେବେ ସାଧାରଣ ଲୋକଙ୍କୁ ଏହି ଦଳାଚକଟା ଘଟଣା ସମ୍ପର୍କରେ ସାକ୍ଷ୍ୟ ଓ ଅଧିକ ତଥ୍ୟପ୍ରମାଣ ଦେବାକୁ ଇମେଲ୍ ଓ ଟେଲିଫୋନ୍ ନମ୍ବର ଜାରି ହୋଇଛି । ଏହାସହିତ ଶ୍ରୀମତୀ ଗର୍ଗ ନିଜେ ଜୁଲାଇ ୯ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନ ଓ ଜୁଲାଇ ୧୦ତାରିଖ ଅପରାହ୍ନ ୩ଟାରେ ପୁରୀ ସ୍ପେଶାଲ ସର୍କିଟ ହାଉସଠାରେ ସାଧାରଣ ଲୋକଙ୍କଠୁ ସାକ୍ଷ୍ୟ ଓ ତଥ୍ୟ ସଂଗ୍ରହ କରିବେ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦଳାଚକଟା ଘଟଣାରେ ୩ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଆହତ ହୋଇଥିଲେ ।
ଦାୟିତ୍ୱରେ ଅବହେଳା ପାଇଁ କାହିଁକି ହୋଇନି ନୋଟିସ୍
ପୁରୀ ଶରଧାବାଲିଠାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ରଥ ପହଂଚିବା ପରେ ହୋଇଥିବା ଦଳାଚକଟା ଘଟଣା ସିଧାସଳଖ ପ୍ରଶାସନର ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଶେଷକରି ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ଓ କମାଣ୍ଡ-କଂଟ୍ରୋଲରୁମ୍ ଦାୟିତ୍ୱରେ ଥିବା ଏଡିଜି ଦୟାଲ ଗଙ୍ଗୱାର, ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଏଡିଜି ସଞ୍ଜୟ କୁମାର ଓ କର୍ଡନ ଦାୟିତ୍ୱରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ଖାମଖିଆଲି ମନୋଭାବ ଓ ଅପାରଗତା ଯୋଗୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଳଜଳ ଦିଶୁଛି । ଏପରିକି ପୁଲିସ ଡିଜି ମଧ୍ୟ ନିଜେ ଉପସ୍ଥିତ ରହି ଏସବୁର ତଦାରଖ କରୁଥିଲେ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନିରଥ ପହଂଚିବା ପରେ ରାତିରେ ତିନି ଠାକୁରଙ୍କ ପହୁଡ଼ ପଡ଼ିବା ଓ ଏହା ଖୋଲିବା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରେ ନିର୍ଭର କରେ । ତେଣୁ ଏହି ପହୁଡ଼ ଖୋଲିବାବେଳେ ହିଁ ଠେଲାପେଲା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେଥିପାଇଁ ଏହି ବରିଷ୍ଠ ଅଫିସରମାନଙ୍କୁ ଜେରା କରି କେଉଁ ପରିସ୍ଥିତିରେ ସେଠାରେ ଦଳାଚକଟା ଓ ଠେଲାପେଲା ଘଟିଲା ଏବଂ ସେମାନେ କାହିଁକି ନିଜ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ଥିଲେ ତା’ର ତଥ୍ୟ ସଂଗ୍ରହ ନକରି ଶ୍ରୀମତୀ ଗର୍ଗ ଓଲଟା ସାଧାରଣ ଲୋକଙ୍କଠୁ ମତାମତ ଓ ଭିଡ଼ିଓ ଫୁଟେଜ୍ ମାଗିବାରେ ରହିଛନ୍ତି । ରଥଯାତ୍ରା ପାଇଁ ସମଗ୍ର ପୁରୀ ସହର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଏଆଇ କ୍ୟାମେରା ଓ ସିସିଟିଭି କ୍ୟାମେରା ଲାଗିଥିବାବେଳେ ସେଥିରୁ ଭିଡ଼ିଓ ସଂଗ୍ରହ ନକରି ସାଧାରଣ ଲୋକଙ୍କଠୁ କାହିଁକି ଭିଡ଼ିଓ ସଂଗ୍ରହ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଉଛନ୍ତି ତାହା ମଧ୍ୟ ସନ୍ଦେହ ବଢ଼ାଇଛି ।
ତଦନ୍ତ କରୁଛନ୍ତି ଅନୁ ଗର୍ଗ ଓ ସହଯୋଗ କରୁଛନ୍ତି ୪ଜଣ ବରିଷ୍ଠ ଓଏଏସ୍
ପୁରୀ ଶରଧାବାଲିଠାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ରଥ ପହଂଚିବା ପରେ ୨୯ତାରିଖ ଭୋର୍ ସମୟରେ ଦଳାଚକଟା ଓ ଠେଲାପେଲାରେ ୩ଜଣଙ୍କ ମୃତ୍ୟୁ ସହ ୫୦ରୁ ଅଧିକ ଲୋକ ଆହତ ହେଲେ । ଏହି ଘଟଣାରେ ରାଜ୍ୟ ସରକାର ତ୍ୱରିତ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବା ସହ ବରିଷ୍ଠ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ସମଗ୍ର ରଥ ପରିଚାଳନାର ଦାୟିତ୍ୱ ନ୍ୟସ୍ତ କଲେ । ଆଉ ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଏହି ଦଳାଚକଟା ଘଟଣାର ତଦନ୍ତ କରି ୩୦ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ । ଅନୁ ଗର୍ଗଙ୍କୁ ସହଯୋଗ କରିବାକୁ ମଧ୍ୟ ୪ଜଣ ବରିଷ୍ଠ ଓଏଏସ୍ ଅଫିସର ମାନସ ରଞ୍ଜନ ସାମଲ, ବିନୟ କୁମାର ଦାଶ, ରଶ୍ମିରଞ୍ଜନ ନାୟକ ଓ ପ୍ରଦୀପ କୁମାର ସାହୁଙ୍କୁ ନେଇ ଏକ କମିଟି ମଧ୍ୟ ସରକାର ଗଠନ କରିଛନ୍ତି । ଏହି ଅଫିସରମାନେ ନିଜ ଦାୟିତ୍ୱ ସହ ଶ୍ରୀମତୀ ଗର୍ଗଙ୍କୁ ସହଯୋଗ କରିବେ । ଜୁନ୍ ୨୯ତାରିଖରେ ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ ହେବାପରେ ସେ ୩୦ରେ ପୁରୀ ଯାଇ ପ୍ରାରମ୍ଭିକ ବିଚାରବିମର୍ଶ କରିଛନ୍ତି । ଏହାସହିତ ଜୁଲାଇ ୩ତାରିଖରେ ବିଭିନ୍ନ ସମ୍ବାଦପତ୍ରରେ ଏକ ବିଜ୍ଞାପନ ଦିଆଯାଇ ତଦନ୍ତରେ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଥିଲା । କେଉଁ ପରିସ୍ଥିତିରେ ଏହି ଦଳାଚକଟା ଘଟିଲା ସେ ସମ୍ପର୍କରେ କୌଣସି ସୂଚନା ଓ ତଥ୍ୟ ଥିଲେ ତାକୁ ଆସନ୍ତା ୨୦ତାରିଖ ସୁଦ୍ଧା ଇ-ମେଲ୍ ମାଧ୍ୟମରେ ପଠାଇବାକୁ କୁହାଯାଇଛି । ଏହାସହିତ ଶ୍ରୀମତୀ ଗର୍ଗ ନିଜେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଜୁଲାଇ ୯ତାରିଖ ଅପରାହ୍ନ ୩ଟାରୁ ଓ ପୁରୀସ୍ଥିତ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରଠାରୁ ଉପସ୍ଥିତ ରହିବେ । ତାଙ୍କୁ ସାକ୍ଷାତ କରି ସାଧାରଣ ଲୋକ ଏ ସଂକ୍ରାନ୍ତରେ ସାକ୍ଷ୍ୟ ପ୍ରମାଣ ଦେଇପାରିବେ ବୋଲି ତାଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା । ଆଇନ ମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟ ସଚିବ ଓ ପୁଲିସ ଡିଜି ନିଜେ ଉପସ୍ଥିତ ରହି ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନାର ତଦାରଖ କରୁଥିଲେ । ତଥାପି କର୍ଡନ ଭିତରେ ପାସଧାରୀଙ୍କ ସଂଖ୍ୟା ଅଧିକ ହେବାରୁ ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖୋଜଟିଏ ବି ଗଡ଼ିପାରିନଥିଲା । କେବଳ ବିଧିରକ୍ଷା ପାଇଁ ରଥ ଚକା ଟିକେ ଗଡ଼ିଥିଲା ବୋଲି କୁହାଯାଉଛି ।
ଅବଶ୍ୟ ରଥଯାତ୍ରାରେ ଦଳାଚକଟା ଓ ଠେଲାପେଲା ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଥିବାବେଳେ ବିଜେଡି ରାଜ୍ୟପାଳଙ୍କୁ ଭେଟି ବିଚାରବିଭାଗୀୟ ତଦନ୍ତ ନିମନ୍ତେ ଦାବିପତ୍ର ଦେଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Ratha_1751984674.jpg)