ବିହାର ନିର୍ବାଚନ
ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ବିହାରବାସୀ ନିଜର ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୬% ଭୋଟିଂ ହୋଇଛି। ୨୦୨୦ ତୁଳନାରେ ଏହା ୮.୫% ଅଧିକ।
୨୦୨୦ ବିହାର ବିଧାନସଭା ନିର୍ବାଚନ(Bihar Election)ର ପ୍ରଥମ ପର୍ଯ୍ୟାୟରେ ୫୬.୧% ଭୋଟିଂ ହୋଇଥିଲା। ରେକର୍ଡ ସଂଖ୍ୟକ ମତଦାନ ପରେ ଉଭୟ ଏନଡିଏ ଓ ମହାଗଠବନ୍ଧନ କ୍ୟାମ୍ପରେ ହଇଚଇ ଦେଖିବାକୁ ମିଳିଛି। ମତଦାନ ହାର ବୃଦ୍ଧି ପାଇବା ପରେ ଉଭୟ କ୍ୟାମ୍ପ ନିଜ ନିଜ ସପକ୍ଷରେ ଜନମତ ଯିବ ବୋଲି ଦମ୍ଭୋକ୍ତି କରିଛନ୍ତି।
ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ନଭେମ୍ବର ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏହାପରେ ଏନଡିଏ ବିହାରରେ ପୁଣି କ୍ଷମତା ଦଖଲ କରୁଛି ନା ମହାଗଠବନ୍ଧନ କ୍ଷମତାକୁ ଫେରୁଛି, ସେକଥା ସ୍ପଷ୍ଟ ହୋଇଯିବ।
ଗୁରୁବାର ରାଜ୍ୟର ୧୮ଟି ଜିଲ୍ଲାର ୧୨୧ ଆସନ ପାଇଁ ଭୋଟିଂ ହୋଇଥିଲା। ପ୍ରାୟ ୩.୭୫ କୋଟି ଭୋଟର ଗୁରୁବାର ଭଳି କାର୍ଯ୍ୟ ଦିବସରେ ଉପସ୍ଥିତ ରହି ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ମୋଟ ଭୋଟରଙ୍କ ଦୁଇ ତୃତୀୟାଂଶ। ୨୦୨୦ ବିଧାନସଭା ନିର୍ବାଚନ ବେଳେ ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ଭୋଟିଂ ହୋଇଥିଲା। ସେହି ବର୍ଷ ୩.୭୦ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୨.୦୬ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ।
ପାରମ୍ପରିକ ଭାବେ ମତଦାନ ବୃଦ୍ଧି ପାଇବାକୁ ସରକାରୀ ବିରୋଧୀ ହାୱା ଭାବେ ବିବେଚନା କରାଯାଇଥାଏ। ଅର୍ଥାତ ଲୋକମାନେ ପରିବର୍ତ୍ତନ ପାଇଁ ମନ ବଳାଇଥିବା ଅନୁମାନ କରାଯାଏ। ତଥାପି ଏହି ପରମ୍ପରା ସବୁବେଳେ ସତ ବି ହୋଇ ନଥାଏ।
ବିହାର ନିର୍ବାଚନ ଇତିହାସ
ବିହାର ନିର୍ବାଚନ ଇତିହାସକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ମତଦାନ ହାର ଯଦି ୫% ଅଧିକ ରହୁଛି, ତା’ହେଲେ ରାଜ୍ୟରେ ସରକାର ବଦଳିଛି। ୧୯୬୭ରେ ଭୋଟିଂ ହାର ୧୯୬୨ ତୁଳନାରେ ବୃଦ୍ଧି ପାଇଥିଲା। ୧୯୬୨ରେ ଭୋଟିଂ ହାର ୪୪.୫% ରହିଥିବା ବେଳେ ୧୯୬୭ରେ ଏଥିରେ ୭% ବୃଦ୍ଧି ଘଟି ୫୧.୫%ରେ ପହଞ୍ଚିଥିଲା। ଭୋଟିଂ ହାର ବଢ଼ିବା କ୍ଷଣୀ ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ଗାଦିଚ୍ୟୁତ ହୋଇଥିଲା। ପ୍ରଥମଥର ପାଇଁ ରାଜ୍ୟ ଅଣ କଂଗ୍ରେସ ଦଳଗୁଡ଼ିକ ମେଣ୍ଟ କରି କ୍ଷମତାକୁ ଆସିଥିଲେ।
୧୯୮୦ରେ ଭୋଟିଂ ହାର ପ୍ରାୟ ୭% ବଢ଼ିଥିଲା। ୧୯୭୭ରେ ଭୋଟିଂ ହାର ୫୦.୫% ରହିଥିବା ବେଳେ ୧୯୮୦ରେ ଏହା ୫୭.୩%ରେ ପହଞ୍ଚିଥିଲା। ଭୋଟିଂ ହାର ବଢ଼ିବା ମାତ୍ରେ କ୍ଷମତାସୀନ ଜନତା ପାର୍ଟି କ୍ଷମତାରୁ ହଟିଥିଲା ଓ କଂଗ୍ରେସ ପୁଣି କ୍ଷମତାକୁ ଫେରିଥିଲା।
୧୯୯୦ରେ ପୁଣି ସମାନ ସ୍ଥିତି ଦେଖାଯାଇଥିଲା। ଭୋଟିଂ ହାର ୫୬.୩%ରୁ ବଢ଼ି ୬୨%ରେ ପହଞ୍ଚିଥିଲା। ଅର୍ଥାତ ମତଦାନ ହାରରେ ୫.୮% ବୃଦ୍ଧି ଘଟିଥିଲା। କଂଗ୍ରେସ କ୍ଷମତାରୁ ହଟିଥିଲା ଓ ଲାଲୁ ପ୍ରସାଦ ଯାଦବଙ୍କ ଜନତା ଦଳ କ୍ଷମତାକୁ ଆସିଥିଲା।
୨୦୨୫ରେ ମତଦାନ ହାର ହଠାତ୍ ୧୬% କମି ଯାଇଥିଲା। ତଥାପି ରାଜ୍ୟରେ ସରକାର ବଦଳିଥିଲା। ୨୦୦୫ରେ ପ୍ରଥମଥର ପାଇଁ ନୀତୀଶ କୁମାରଙ୍କ ଜେଡିୟୁ କ୍ଷମତାକୁ ଆସିଥିଲା। ଏବେ ଅର୍ଥାତ ୨୦୨୫ରେ ମତଦାନ ହାର ରେକର୍ଡ ୮.୫% ବଢ଼ିଛି। ତେଣୁ ଏହାକୁ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାଜନୀତିକ ସମୀକରଣ
ପ୍ରଥମ ପର୍ଯ୍ୟାୟରେ ଗଙ୍ଗାର ଦକ୍ଷିଣ ପ୍ରାନ୍ତରେ ଥିବା ଅଧିକାଂଶ ଆସନରେ ଭୋଟିଂ ହୋଇଛି। ଦକ୍ଷିଣ ପ୍ରାନ୍ତରେ ଥିବା ମିଥିଲାଞ୍ଚଲ, କୋସି, ମୁଙ୍ଗେର, ସାରନ ଭୋଜପୁରୀକୁ ବିହାର ରାଜନୀତିର ସ୍ନାୟୁ ଭାବେ ବିବେଚନା କରାଯାଏ। ୨୦୨୦ରେ ଏହି ୧୨୧ ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ତଥାପି ମହାଗଠବନ୍ଧନ(ଆରଜେଡି, କଂଗ୍ରେସ ଓ ବାମ ଦଳ) ୬୧ଟି ଓ ବିଜେପି ନେତୃତ୍ୱାଧୀନ ଏନଡିଏ ୫୯ଟି ଆସନ ଜିତିଥିଲା।
ତେଜସ୍ୱୀ ଯାଦବଙ୍କ ଆରଜେଡି ଏକାକୀ ସର୍ବାଧିକ ୪୨ଟି ଆସନ ଜିତିଥିବା ବେଳେ ବିଜେପି ୨୩, ଜେଡିୟୁ ୨୩ ଓ କଂଗ୍ରେସ ୮ଟି ଆସନ ପାଇଥିଲା। ବାମଦଳଗୁଡ଼ିକ ପାଖକୁ ୧୧ଟି ଆସନ ଯାଇଥିବା ବେଳେ ଭିଆଇପି, ଏଲଜେପି ଓ ଅନ୍ୟ ଦଳଗୁଡ଼ିକ ବାକି ଆସନ କବଜା କରିଥିଲେ।
କିନ୍ତୁ ୨୦୨୫ରେ ସମୀକରଣ ବଦଳିଛି। କାରଣ ୨୦୨୦ ଭଳି ଚିରାଗ ପାଶୱାନ ଓ ଉପେନ୍ଦ୍ର କୁଶୱାହା ଏକାକୀ ନିର୍ବାଚନ ଲଢ଼ୁ ନାହାନ୍ତି। ସେମାନେ ଏନଡିଏର ସହଯୋଗୀ ଦଳ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେହିପରି ମୁକେଶ ସାହାଣୀଙ୍କ ଭିଆଇପି ମହାଗଠବନ୍ଧନରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/07/bihar-2025-11-07-13-35-09.jpg)