ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଅଭିଯୋଗର ଶୁଣାଣି କରିବେ । ସେଥିପାଇଁ ୧୮ତାରିଖରୁ ଆଗୁଆ ପଞ୍ଜିକରଣ କରାଯିବ। ପ୍ରତ୍ୟେକ ସୋମବାରରେ ସର୍ବାଧିକ ଏକ ହଜାର ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯେଉଁମାନେ ଆଗ୍ରହୀ ଥିବେ ସେମାନେ ଜନଶୁଶାଣି ପୋର୍ଟାଲ ଅବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହାପରେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।