ଦଳର ବରିଷ୍ଠ ନେତାମାନଙ୍କ ପରାମର୍ଶ ଓ ଦାବିକୁ ଅଣଦେଖା କରି ଅଣରାଜନୀତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବାକୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଦୁଇବର୍ଷ ପୂର୍ବରୁ ଦଳରେ ମିଶି ଏକାଧିକ ପଦବୀ ହାତେଇଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଦବଦବା ଜାହିର କରିଛନ୍ତି।
ଦଳ ଏବେବି ପାଣ୍ଡିଆନଙ୍କ ‘ରିମୋଟ୍ କଂଟ୍ରୋଲ’ରେ ପରିଚାଳିତ ହେଉଥିବାର ପ୍ରମାଣ ମିଳିଛି। ତେବେ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ରାଜ୍ୟସଭା ପାଇଁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟ ଦଳର ଲକ୍ଷଲକ୍ଷ କର୍ମୀ ଓ ନେତାଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।
ଦଳ ଓ ସଂଗଠନକୁ ସୁଦୃଢ଼ କରିବା ପାଇଁ ପରିଶ୍ରମ କରୁଥିବା କର୍ମୀ-ନେତାଙ୍କ ଅବଦାନକୁ ଅଣଦେଖା କରି କେବଳ ପାଣ୍ଡିଆନଙ୍କ ପ୍ରିୟପାତ୍ର ‘ପାରାସୁଟ୍’ ନେତାଙ୍କୁ ଆଣି ପୁରସ୍କୃତ କରିବାର ଟ୍ରେଣ୍ଡ ବିଜେଡିରେ ଏବେ ଚରମ ସୀମାରେ ପହଂଚିଛି।
ପାଣ୍ଡିଆନଙ୍କ ଖାସ୍ ସନ୍ତୃପ୍ତ ମିଶ୍ରଙ୍କୁ ‘ପୁରସ୍କାର’
ବିରୋଧୀ ଦଳରେ ଥାଇ ମଧ୍ୟ ଦଳ ନିଜର ଦଳୀୟ କର୍ମୀ-ନେତାଙ୍କ ତୁଳନାରେ ପାରାସୁଟ୍ ନେତାଙ୍କୁ ଅଗ୍ରାଧିକାର ଦେଇଛି। ଆଉ ସନ୍ତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ଦଳରେ ନିଜର ଦବଦବାକୁ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନିଜର ଦବଦବା ଜାହିର କରାଇଛନ୍ତି। ୨୦୨୪ ଫେବୃୟାରୀରେ ବିଜେଡିରେ ସାମିଲ ହେବାପରଠୁ ସନ୍ତୃପ୍ତଙ୍କୁ ଯେଭଳି ଏକାଧିକ ପଦବୀ ମିଳିଛି ଓ ଆଜି ରାଜ୍ୟସଭା ପ୍ରାର୍ଥୀ କରାଯିବା ପଛରେ ପାଣ୍ଡିଆନଙ୍କ ଆଶୀର୍ବାଦ ଥିବା କୁହାଯାଉଛି।
ବିଜେଡିରେ ସାମିଲ ହେଉହେଉ ତାଙ୍କୁ ଦଳର ଜାତୀୟ ମୁଖପାତ୍ର, କଟକ ଭଳି ପ୍ରତିଷ୍ଠିତ ଆସନରୁ ଲୋକସଭା ଟିକେଟ୍, ବିଜେଡି ସୁପ୍ରିମୋ ନବୀନଙ୍କ ରାଜନୀତିକ ସଚିବ, ଦଳର ରାଜନୀତିକ ବ୍ୟାପାର କମିଟି ସଦସ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା। ଏସବୁ ପଦବୀ ଦଳର ପ୍ରତିଷ୍ଠା ଦିନରୁ କାର୍ଯ୍ୟ କରୁଥିବା ଅନେକ ଦକ୍ଷ କର୍ମୀ ଓ ନେତାଙ୍କ ପାଇଁ ଏବେବି ସ୍ପପ୍ନ।
ପାଣ୍ଡିଆନଙ୍କ ଇସାରାରେ ସନ୍ତୃପ୍ତଙ୍କୁ ଟିକେଟ୍ ଦିଆଯାଇ ଦଳର ନେତାମାନଙ୍କୁ ଚେକ୍ ଦିଆଯାଇଥିବା ଓ ଦଳର ପାଣ୍ଠିକୁ ସୁରକ୍ଷିତ ରଖିବାକୁ ପ୍ରୟାସ ହୋଇଥିବା ଚର୍ଚ୍ଚା ହେଉଛି। ବିଜେଡି ନେତା ପ୍ରଭାତ ବିଶ୍ୱାଳ(ଆଜି ଦଳରୁ ବହିଷ୍କୃତ) ଏହାର ଆଭାସ ମଧ୍ୟ ଦେଇଛନ୍ତି।
ବିଜେଡିରେ ‘ପାରାସୁଟ୍ ପ୍ରାର୍ଥୀ’ଙ୍କ ଦବଦବା କାଏମ
ପାଣ୍ଡିଆନ ଯେବେଠୁ ବିଜେଡି ବ୍ୟାପାରରେ ନିଷ୍ପତ୍ତି ନେବା ଆରମ୍ଭ କଲେଣି ସେବେଠୁ ଦଳର କର୍ମୀ-ନେତାମାନଙ୍କ ତୁଳନାରେ ପାରାସୁଟ୍ ନେତାମାନଙ୍କୁ ଦଳରେ ମାତ୍ରାଧିକ ଗୁରୁତ୍ୱ ମିଳିବାରେ ଲାଗିଛି ବୋଲି ଚର୍ଚ୍ଚା। ପାଣ୍ଡିଆନଙ୍କ ମାମଲାତି ଯୋଗୁ ଏଭଳି ବ୍ୟକ୍ତିମାନଙ୍କୁ ଦଳ ରାଜ୍ୟସଭା ପଠାଉଛି ଯେଉଁମାନଙ୍କର ନା ଦଳ ପ୍ରତି ଆନୁଗତ୍ୟ ଅଛି ନା କୌଣସି ଅବଦାନ। ଦଳଡ଼ିଆଁ ଓ ଆମଦାନୀ ନେତା ଓ ବ୍ୟକ୍ତିମାନଙ୍କୁ ପୁରସ୍କାର ମିଳିବାର ଟ୍ରେଣ୍ଡ ବିଜେଡିରେ ଏବେବି କାଏମ ରହିଛି।
୨୦୧୮ ଏପ୍ରିଲରେ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କୁ ରାଜ୍ୟସଭା ପଠାଇଥିଲା। ବିଜେଡିରେ ସାମିଲ ହେବାର ପୁରସ୍କାର ସେମାନଙ୍କୁ ମିଳିଥିଲା ଓ ଦଳ ପାଇଁ ବର୍ଷବର୍ଷ ଧରି କାର୍ଯ୍ୟ କରୁଥିବା ନେତା-କର୍ମୀଙ୍କୁ ଅପମାନିତ କରାଗଲା। ୨୦୧୯ ସାଧାରଣ ନିର୍ବାଚନ ପରେ ଖାଲି ପଡ଼ିଥିବା ଆସନରେ ଅମର ପଟ୍ଟନାୟକ (ଚାକିରି ଛାଡ଼ି ଆସିଥିଲେ) ଓ ସସ୍ମିତ ପାତ୍ର (କଂଗ୍ରେସରୁ ଆସିଥିଲେ)ଙ୍କୁ ଦଳ ରାଜ୍ୟସଭା ପଠାଇଲା। ସେତିକି ନୁହେଁ, ସଂଖ୍ୟାବଳ ଥାଇ ମଧ୍ୟ ସେତେବେଳେ ବିରୋଧୀ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପାଇଁ ଗୋଟିଏ ଆସନ ଛାଡ଼ିଦେଇଥିଲା।
୨୦୨୦ ଏପ୍ରିଲରେ ସୁବାସ ସିଂ (ବାମଦଳ), ସୁଜିତ୍ କୁମାର (ଚାକିରି ଛାଡ଼ି), ମମତା ମହନ୍ତ (ଜେଏମଏମ୍) ଓ ମୁନ୍ନା ଖାନଙ୍କୁ ରାଜ୍ୟସଭା ପଠାଗଲା। ସୁବାସ ସିଂ ଓ ସୁଜିତ୍ କୁମାର ୨୦୧୩ରେ ବିଜେଡି ସହ ଯୋଡ଼ି ହୋଇଥିଲେ। ପୁଣି ୨୦୨୨ ଜୁଲାଇରେ କଂଗ୍ରେସରୁ ଆସିଥିବା ସସ୍ମିତ ପାତ୍ରଙ୍କୁ ରିପିଟ୍ କରାଗଲା। ଆଉ କଂଗ୍ରେସରୁ ଦଳଡ଼ିଆଁ ମାରିଥିବା ମାନସ ମଙ୍ଗରାଜ ଓ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରାଗଲା। ସେହିପରି ୨୦୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ପୁଣିଥରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଆସନ ଟେକି ଦେଇଥିଲା ବିଜେଡି । ଆଉ ପାଣ୍ଡିଆନ ନିଜର ମନମର୍ଜି ଦେଖାଇବାକୁ ପୁରୀର ଯୁବନେତା ଶୁଭାଶୀଷ ଖୁଂଟିଆଙ୍କୁ ଅପ୍ରତ୍ୟାଶିତ ଢଙ୍ଗରେ ରାଜ୍ୟସଭା ପଠାଇଲେ। ତେବେ ଏହି ଅବଧି ମଧ୍ୟରେ କେବଳ ମୁନ୍ନା ଖାଁ ଓ ଦେବାଶୀଷ ସାମନ୍ତରାୟଙ୍କୁ ବାଦ୍ ଦେଲେ ଅନ୍ୟ ସବୁ ପାରାସୁଟ୍ ନେତାଙ୍କର ବିଜେଡି ପ୍ରତି ଅବଦାନ କିଛି ନାହିଁ କହିଲେ ଚଳେ ବୋଲି ଚର୍ଚ୍ଚା ହେଉଛି।
ବିଷ୍ଣୁ ଦାସଙ୍କୁ ଅପମାନରୁ ପଡ଼ିଥିଲା ପାଣ୍ଡିଆନଙ୍କ ମୂଳଦୁଆ
୨୦୧୬ ଜୁଲାଇ ମାସରେ ରାଜ୍ୟସଭା( Rajya Sabha)କୁ ଯାଇଥିବା ଦଳର ପୁରୁଖା ନେତା ବିଷ୍ଣୁ ଦାସଙ୍କୁ ମାତ୍ର ୧୦ ମାସ ମଧ୍ୟରେ ଫେରାଇ ଆଣି ପ୍ରତାପ ଦେବଙ୍କୁ ରାଜ୍ୟସଭା ପଠାଇ ପାଣ୍ଡିଆନ ନିଜ ପତିଆରାର ମୂଳଦୁଆ ପକାଇଥିଲେ। ସେବେଠୁ ରାଜ୍ୟସଭାକୁ ଯାହାକୁ ଯେମିତି ପାରୁଥିଲେ ସେ ପଠାଇବାରେ ସକ୍ଷମ ହେଉଥିଲେ। ଆଜି ମଧ୍ୟ ତା’ର ଜ୍ୱଳନ୍ତ ଉଦାହରଣ ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଭଳି ବ୍ୟକ୍ତିଙ୍କୁ ପଠାଇବାର ରଣନୀତିକୁ ସ୍ପଷ୍ଟ ପ୍ରମାଣ ମିଳିଛି। ପାଣ୍ଡିଆନ ଭୁବନେଶ୍ୱରରେ ନଥାଇ ମଧ୍ୟ ପରଦା ପଛରେ ରହି ବିଜେଡିର ଲକ୍ଷ ଲକ୍ଷ କର୍ମୀଙ୍କୁ ଅପମାନିତ ଓ ନିରୁତ୍ସାହିତ କରିବା ଭଳି କାର୍ଯ୍ୟ ଜାରି ରଖିଛନ୍ତି।
ପ୍ରଭାତ ବିଶ୍ୱାଳଙ୍କ ଭଳି ଦଳ ପାଇଁ କାର୍ଯ୍ୟ କରିଥିବା ନେତାଙ୍କ କହିବା ଅନୁସାରେ, ଦଳ ଓ ସଂଗଠନ ପାଇଁ କାର୍ଯ୍ୟ କରିଥିବା ତଥା ଅବଦାନ ଥିବା ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବା ଉଚିତ୍। କିନ୍ତୁ ଯେଭଳି ଢଙ୍ଗରେ ନିଷ୍ପତ୍ତି ନିଆଗଲା ତାହା ଗ୍ରହଣୀୟ ନୁହେଁ ଦଳ ପାଇଁ କ୍ଷତି ବୋଲି ସେ କହିଛନ୍ତି। ଅବଶ୍ୟ ତାଙ୍କର ସ୍ୱରକୁ ଚପାଇ ଦେବା ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
କେବଳ ପ୍ରଭାତ ନୁହଁନ୍ତି ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି। ସେ କବିତା ମାଧ୍ୟମରେ ଲେଖିଛନ୍ତି ଯେ, ସତ ହେଲା ପୂର୍ବାନୁମାନ,ଶକ୍ତିନାନୀ ହେଲେ ଶକ୍ତିହୀନ, ପୁରୁଖା ହେଲେ ହୀନିମାନ । ସେ ୨୦୨୫ ନଭେମ୍ବର ୧୬ତାରିଖର ନିଜର ଗୋଟିଏ ପୋଷ୍ଟକୁ ଉଲ୍ଲେଖ କରିଛନ୍ତି ଯେଉଁଥିରେ ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୀତିକ ଅଭିଜ୍ଞତା ନଥିବା ସନ୍ତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପଠାଯିବାର ସଙ୍କେତ ସେ ଦେଇଥିଲେ ।
ଅନ୍ୟପକ୍ଷରେ ପାଣ୍ଡିଆନଙ୍କ ମାମଲାତି ଯୋଗୁ ଦଳ( Biju Janata Dal)କୁ ୨୦୨୪ରେ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା। ଏବେ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାବେଳେ ପାଣ୍ଡିଆନଙ୍କ ଏଭଳି ରଣନୀତି ବିଜେଡିକୁ ବିସ୍ଫୋରକ ସ୍ଥିତିରେ ଛିଡ଼ା କରାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us