Advertisment

ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ: କୋଟିଏ ସଦସ୍ୟ ଦଳରେ ଜଣେ ବି ନାହାନ୍ତି ଶ୍ରମିକ ନେତ୍ରୀ

ମହିଳା ସଂରକ୍ଷଣର କୁମ୍ଭୀରକାନ୍ଦଣା କାନ୍ଦୁଥିବା ବିଜେଡି ନିଜର ସାମ୍ମୁଖ୍ୟରେ ଜଣେ ବି ଶ୍ରମିକ ନେତ୍ରୀଙ୍କୁ ସାମିଲ କରିବାକୁ ଆଗ୍ରହ ଦେଖାଇନାହିଁ ।

author-image
Ordigital Desk
BJD Symbol

BJD Symbol

କୋଟିଏ ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ଶାସକ ବିଜେଡି ଆଜି ପ୍ରାୟ ୬ବର୍ଷ ବ୍ୟବଧାନରେ ନିଜର ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ କରିଛି । ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦୁଇଜଣ ଉପଦେଷ୍ଟା ଭାବେ ଦେବାଶୀଷ ସାମନ୍ତରାୟ ଓ ପ୍ରଭାସ କୁମାର ସିଂଙ୍କୁ ସାମିଲ କରାଯାଇଛି । ଶ୍ରମିକ ସାମ୍ମୁଖ୍ୟରୁ ଭୁବନେଶ୍ୱର ସେଂଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ରଜ କିଶୋର ପ୍ରଧାନ, ଶାରଦା ନାୟକ, ସୁଶାନ୍ତ ବେହେରା ଓ ସମୀର ଦାସଙ୍କୁ ବାଦ୍ ଦିଆଯାଇଛି । ତେବେ ମହିଳା ସଂରକ୍ଷଣର କୁମ୍ଭୀରକାନ୍ଦଣା କାନ୍ଦୁଥିବା ବିଜେଡି ନିଜର ସାମ୍ମୁଖ୍ୟରେ ଜଣେ ବି ଶ୍ରମିକ ନେତ୍ରୀଙ୍କୁ ସାମିଲ କରିବାକୁ ଆଗ୍ରହ ଦେଖାଇନାହିଁ ।

Advertisment

ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ମହାସଚିବ ଭାବେ କଟକ ମେୟର ସୁବାସ ସିଂଙ୍କୁ ପୁଣିଥରେ ନିଯୁକ୍ତି ମିଳିଛି ସେହିପରି ସାମ୍ମୁଖ୍ୟର ସେଂଟ୍ରାଲ କୋଅର୍ଡିନେଟର ଭାବେ ୧୦ଜଣଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସାଂସଦ ନିରଞ୍ଜନ ବିଶି, ବିଧାୟକ ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତି, ପଂଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି ଓ ଜଗଦୀଶ ବିଶ୍ୱାଳ ଅଛନ୍ତି ।

ସୂଚନା ଅନୁସାରେ, କଟକ ମେୟର ସୁବାସ ସିଂଙ୍କ କବଜାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରହିଛି । ଶ୍ରୀ ସିଂ କଟକ ମେୟର ହେବା ପରେ ମଧ୍ୟ ଭୁବନେଶ୍ୱର କ୍ଲବ ନିକଟରେ ଏକ ସରକାରୀ କ୍ୱାଟର୍ସକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ନାଁରେ ନିଜ ଦଖଲରେ ରଖିଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯାଜପୁର ଜିଲ୍ଲାର ନେତାମାନଙ୍କୁ ଗୁରୁତ୍ୱ ଦିଆଯାଇଥିବାବେଳେ କାହିଁକି ଦଳର କୌଣସି ଜଣେ ଶ୍ରମିକ ନେତ୍ରୀଙ୍କୁ ସ୍ଥାନ ମିଳିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । କୋଟିଏ ସଦସ୍ୟ ଦଳ ବିଜେଡିରେ କ’ଣ ଜଣେ ବି ଶ୍ରମିକ ନେତ୍ରୀ ନାହାନ୍ତି କି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ପୂର୍ବରୁ ଦଳର ନେତ୍ରୀ ସଂଯୁକ୍ତା ମହଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା ।

Advertisment

ସୂଚନାଯୋଗ୍ୟ, ୨୦୧୭ ଏପ୍ରିଲ ମାସରେ ବିଜେଡି ପ୍ରଥମଥର ପାଇଁ ନିଜର ଶ୍ରମିକ ସାମ୍ମୁଖ୍ୟ ଗଠନ କରିଥିଲା । ଆଉ ସେବେଠୁ ଏହି ସାମ୍ମୁଖ୍ୟ ବିଜେଡି ନେତା ସୁବାସ ସିଂଙ୍କ ଦଖଲରେ ରହିଛି ।

BjD