ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀ ପ୍ରଧାନଙ୍କୁ ତତ୍କାଳ ପ୍ରଭାରୁ ଗୃହ ବିଭାଗକୁ ବଦଳି କରାଯାଇଛି । ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟରତ ଏଏସଓ ଶ୍ରୀ ପ୍ରଧାନ ରାଜଭବନକୁ ଡେପୁଟେସନରେ ଯାଇଛନ୍ତି । ଆଜି ତାଙ୍କୁ ଗୃହ ବିଭାଗକୁ ବଦଳି କରାଯିବା ସହ ଖାଲିଥିବା ପଦବୀରେ ନିଯୁକ୍ତି ମିଳିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
ଉଲ୍ଲେଖଯୋଗ୍ୟ, ଶ୍ରୀ ପ୍ରଧାନ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟପାଳ ଶ୍ରୀ ଦାସ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ୭ଦିନ ମଧ୍ୟରେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଏସଓ ଶ୍ରୀ ପ୍ରଧାନଙ୍କ ପତ୍ନୀ ସାୟୋଜୀ କୁମାରୀ ପ୍ରଧାନ କହଥିଲେ ଯେ, ଆମେ ଧେର୍ଯ୍ୟର ସହ ଅପେକ୍ଷା କରିଛୁ, ଆମକୁ ନ୍ୟାୟ ଦେବା ପାଇଁ ରାଜ୍ୟପାଳ କ’ଣ ପଦକ୍ଷେପ ନେଉଛନ୍ତି । ତା’ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।