ମୁଖ୍ୟମନ୍ତ୍ରୀଙ୍କ ତାଗିଦ- ରାତି ଅଧରେ ବି ମହିଳାଙ୍କ ଅଭିଯୋଗ ଶୁଣ, ମାମଲା ଦାଏର କର

‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Published: Saturday, 28 September 2024
  • , Updated: 28 September 2024, 02:23 PM IST

‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ ଆଜି କିଛି ଏଭଳି ଭାବେ କଡ଼ା କଥା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଗତକାଲି ଭଳି ଆଜି ବି ଅଧିକାରୀଙ୍କୁ ପାଠ ପଢ଼ାଇଛନ୍ତି ସିଏମ୍। ସମ୍ମିଳନୀ ଆରମ୍ଭରୁ ହିଁ ମହିଳାଙ୍କ ଅପରାଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ୨୦୨୨ ପର୍ଯ୍ୟନ୍ତ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩%। ମହିଳା ଅସଦାଚରଣ ମାମଲା ରାଜ୍ୟରେ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହକ ମଧ୍ୟରେ ଜିଲ୍ଲାୱାରୀ ତଦନ୍ତ ଓ ଦଣ୍ଡବିଧାନ ରିପୋର୍ଟ ପୁଲିସ୍ ଡିଜିଙ୍କୁ ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ସରକାର ବଦଳିଛି, ଏବେ ନୂଆ ସରକାରରେ ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ଥାନାକୁ ଅଭିଯୋଗ ଗଲେ, ବିଶେଷ ଭାବେ ମହିଳା ଅଭିଯୋଗ କଲେ ଧୈର୍ଯ୍ୟର ସହ ସେ ସବୁ ଶୁଣନ୍ତୁ। ରାତି ହେଉ କି ଦିନେ, ଏପରିକି ରାତି ୨ଟାରେ ଥାନାକୁ ଗଲେ ମହିଳାଙ୍କ ସହ ଭଲ ବ୍ୟବହାର ଦେଖାଇ ମାମଲା ତୁରନ୍ତ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ୍।

ପୁଲିସ୍ ହେଉଛି ଜନତାଙ୍କ ବନ୍ଧୁ, ତେଣୁ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରୁ ପୋଲିସ୍। ନିଜ ସହ କେନ୍ଦୁଝର ଥାନାଧିକାରୀ ଓ ଜିଲ୍ଲାପାଳଙ୍କ ବ୍ୟବହାର ଘଟଣାକୁ ନେଇ ଆଜି ପୁଣି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ। ତାସହ ଜିଲ୍ଲାପାଳ ଓ ଏସପିଙ୍କ ଡ୍ୟୁଟିକୁ ନେଇ ବି ପରାମର୍ଶ ଦେଇଥିଲେ।

ସେ ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛନ୍ତି, ୧୨ଟା ଯାଏଁ ଲୋକସେବା ଭବନରେ କାମ କରୁଛନ୍ତି। ତେଣୁ କେବଳ ୮ ଘଣ୍ଟା ଡ୍ୟୁଟିରେ ସୀମିତ ନରହି ୨୪ ଘଣ୍ଟିଆ କାମ କରିବାକୁ ସେ ପୁଲିସ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ଜିଲ୍ଲାପାଳ-ଏସପି ସମ୍ମିଳନୀରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିଜ ଅଭିଭାଷଣ ରଖି  ସାଧାରଣ ଜନତାଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।  ସେ କହିଛନ୍ତି, ପୁଲିସ୍‌ ଅଧିକାରୀ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ସହ ତାଙ୍କ ଅଭିଯୋଗ ଶୁଣିବା ସମୟରେ ଧୈର୍ଯ୍ୟ ରକ୍ଷା କରନ୍ତୁ। ତେବେ ଯାଇ ପୁଲିସ ଜନତାଙ୍କ ବେଶ୍ ଆସ୍ଥାଭାଜନ ହୋଇପାରିବ।

ଆମେ ଜନତାଙ୍କ ପାଇଁ ଏଇଠି ବସିଛନ୍ତି। ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଜରୁରୀ। ସଂଯମତା ରକ୍ଷା କରିବା ସହ ସହନଶୀଳତା ରକ୍ଷା କରି ସେମାନଙ୍କୁ ଶୁଣିବାର ଆବଶ୍ୟକତା ରହିଛି। ମହିଳାଙ୍କ କ୍ଷେତ୍ରରେ ଯଦି କୌଣସି ଅଧିକାରୀ ଦାୟିତ୍ୱ ନିର୍ବାହରେ ଅବହେଳା କରୁଥିବା ଜଣାପଡ଼େ, ତାହାକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ।

ସେହିପରି ପାର୍ବଣବେଳେ ଆଇନଶୃଙ୍ଖଳା ସ୍ଥିତି, ନକ୍ସଲବାଦ ଦମନ ଏବଂ ସାଇବର କ୍ରାଇମ୍ ବିରୋଧରେ ଆକ୍ସନ ନେବା ଜରୁରୀ ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ରୋକିବା ଉପରେ ବି ସେ ଗୁରୁତ୍ୱାରୋପ କରିଛନ୍ତି।

Related story