KCR
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେସିଆରଙ୍କୁ ଭେଟିଛନ୍ତି। କେସିଆର ବର୍ତ୍ତମାନ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ଥ ଆଜି ସେଠାରେ ପହଞ୍ଚିଥିଲେ। ଏହି ସମୟରେ କେସିଆରଙ୍କ ପୁଅ କେଟିଆର ମଧ୍ୟ ଉପସ୍ଥିତ ରହିଥିଲେ।
ଡିସେମ୍ବର ୭ରେ କେସିଆରଙ୍କ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ହୋଇଛି। ଏହାର ଦିନକ ପୂର୍ବରୁ ସେ ତଳେ ପଡ଼ି ଜଖମ ହୋଇଥିଲେ। ଡିସେମ୍ବର ୩ରେ ତେଲଙ୍ଗାନା ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇଥିଲା। ଏହି ନିର୍ବାଚନରେ କେସିଆରଙ୍କୁ ଗାଦିଚ୍ୟୁତ କରି କଂଗ୍ରେସ କ୍ଷମତା ଦଖଲ କରିଛି। ରେଜଲ୍ଟ ବାହାରିବା ପରେ କେସିଆର ନିଜର ସରକାରୀ ବାସଭବନ ଛାଡ଼ି ହାଇଦ୍ରାବାଦ ସ୍ଥିତ ଫାର୍ମ ହାଉସକୁ ଚାଲି ଯାଇଥିଲେ।
ତେବେ ସେଠାରେ ସେ ପଡ଼ି ଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ତାଙ୍କର ସର୍ଜରୀ ହୋଇଛି। ଏବେ ସୁସ୍ଥ ହେବାକୁ ତାଙ୍କୁ ବେଶ କିଛି ସପ୍ତାହ ଲାଗିବ। ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ବିଧିବଦ୍ଧ ଭାବେ ବିଧାୟକ ଭାବେ ଶପଥ ନେବେ।
ସର୍ଜରୀ ପରେ ହସ୍ପିଟାଲ ବେଡରେ ଥିବା କେସିଆରଙ୍କ ସହ ରେବନ୍ଥ ରେଡ୍ଡୀ ଆଜି ବେଶ କିଛି ମିନିଟ ଧରି ଆଲୋଚନା କରିଥିଲେ। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଡାକ୍ତରୀ ଟିମକୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ଥ କହିଛନ୍ତି।
ରାଜନୀତିକ ମୈଦାନରେ ଦୁଇ ନେତା ପରସ୍ପରକୁ ସମାଲୋଚନା କରୁଥିଲେ। ହେଲେ ରେବନ୍ଥ ଆଜି ହସ୍ପିଟାଲରେ ପହଞ୍ଚି କେସିଆରଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ରାଜନୀତିକ ମହଲରେ ବେଶ ଚର୍ଚ୍ଚା ବିଷୟ ପାଲଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/KCR_1702212578.jpg)