Advertisment

ବର୍ଷବର୍ଷ ଧରି ଖୋଲୁନଥିଲା ତହସିଲଦାରଙ୍କ ଚାମ୍ୱର, ଆଜି ଖୋଲିଲେ ରାଜସ୍ୱ ମନ୍ତ୍ରୀ

ମନ୍ତ୍ରୀ ଆହୁରି କହିଛନ୍ତି, ତହସିଲଦାରଙ୍କ ନିଜସ୍ୱ ଚାମ୍ୱର ବର୍ଷ ବର୍ଷ ଧରି ଖୋଲା ହେନଥିଲା। ମୁଁ ସେହି ଅଫିସ୍‌ ଚାମ୍ୱରକୁ ଖୋଲିବା ପାଇଁ କହିଥିଲି। ଏଥିପାଇଁ ୧୦ ମିନିଟ୍‌ରୁ ଅଧିକ ସମୟ ଲାଗିଥିଲା। କେଉଁ ଚାବିରେ ଅଫିସ୍‌ ତାଲା ଖୋଲିବ, ସେ ସମ୍ପର୍କରେ କାହାକୁ ଜଣାନଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Minister

Minister

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସର୍‌ପ୍ରାଇଜ୍‌ ଭିଜିଟ୍‌। ଅଚାନକ ସମ୍ୱଲପୁର ସଦର ତହସିଲରେ ପହଞ୍ଚିଲେ ରାଜସ୍ୱମନ୍ତ୍ରୀ। ଆଉ ତହସିଲରେ ଯାହା ଦେଖିଲେ, ତାହା ତାଙ୍କୁ ବିଚଳିତ କରିଥିଲା। ତହସିଲ୍‌ରେ ଅବ୍ୟବସ୍ଥା ବେଶୀ, ଅଭିଯୋଗ କମ୍‌ ଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ସବୁଠାରୁ ଦୁଃଖର ବିଷୟ ତହସିଲ୍‌ର ମୁଖିଆ ତହଲ୍‌ଦାରଙ୍କ ଚାମ୍ୱର ବର୍ଷ ବର୍ଷ ଧରି ଖୋଲୁନଥିଲା। ଆଜି ମନ୍ତ୍ରୀ ସେହି ଚାମ୍ୱର ଖୋଲିଥିଲେ। ମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ସମ୍ୱଲପୁର ଜିଲ୍ଲାପାଳ ଓ ଏଡିଏମ୍‌।

Advertisment

ଶ୍ରୀ ପୂଜାରୀ କହିଛନ୍ତି, ତହସିଲ କର୍ମଚାରୀଙ୍କ ବିରୋଧରେ ବହୁ ଅଭିଯୋଗ ଆସିଥିଲା। ଏ ନେଇ ତହସିଲଦାରଙ୍କ ସହିତ କଥା ହୋଇଥିଲା। ଯେଉଁ ଅଭିଯୋଗ ଆସୁଛି, ସେ ଗୁଡ଼ିକୁ ସୁଧାରିବା ପାଇଁ ତହସିଲଦାରଙ୍କୁ କହିଥିଲି। ଆଜି ସରକାରୀ କାର୍ଯ୍ୟକ୍ରମରେ ସମ୍ୱଲପୁର ଆସିଥିଲି। ତେଣୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସଦର ତହସିଲ୍‌ ଅଫିସ୍‌ ପରିଦର୍ଶନ କରିଥିଲି। ଆଉ ଦେଖିବାକୁ ପାଇଲି ଅବ୍ୟବସ୍ଥା ବେଶୀ, ଅଭିଯୋଗ କମ୍‌ ଥିଲା ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ତହସିଲଦାରଙ୍କ ନିଜସ୍ୱ ଚାମ୍ୱର ବର୍ଷ ବର୍ଷ ଧରି ଖୋଲା ହେନଥିଲା। ମୁଁ ସେହି ଅଫିସ୍‌ ଚାମ୍ୱରକୁ ଖୋଲିବା ପାଇଁ କହିଥିଲି। ଏଥିପାଇଁ ୧୦ ମିନିଟ୍‌ରୁ ଅଧିକ ସମୟ ଲାଗିଥିଲା। କେଉଁ ଚାବିରେ ଅଫିସ୍‌ ତାଲା ଖୋଲିବ, ସେ ସମ୍ପର୍କରେ କାହାକୁ ଜଣାନଥିଲା। ତହସିଲ୍‌ ଚାମ୍ୱରଟି ମାସ ମାସ ଧରି ସଫେଇ ହୋଇନଥିବା ଦେଖିବାକୁ ପାଇଲି। ଅଫିସ୍‌ରେ ପହଞ୍ଚିଲା ବେଳକୁ ସାଢ଼େ ୧୨ଟାରୁ ଅଧିକ ସମୟ ହୋଇଥିଲା। ହେଲେ କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟାରେ ଦିନ ୧୧ଟା ହୋଇଥିଲା। ଅର୍ଥାତ ଘଣ୍ଟାଟି ଚାଲୁନଥିଲା ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Advertisment

ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ତହସିଲ୍‌ ଅଫିସ୍‌ରେ ଜନ ଶୁଣାଣୀର କୌଣସି ବ୍ୟବସ୍ଥା ନଥିଲା। ମ୍ୟୁଟେସନ୍‌ କେସ୍‌ ନେଇ ଆବେଦନକାରୀ ଓ ଆଇନ୍‌ଜୀବୀଙ୍କଠାରୁ ଯାହା ଶୁଣିବାକୁ ପାଇଲି, ତାହା ମୋତେ ବ୍ୟତିବ୍ୟସ୍ତ କରିଥିଲା। ବର୍ଷେ ତଳେ ଏହି ତହସିଲ୍‌ ଅଫିସରେ ଜଣେ ମହିଳାଙ୍କ ମ୍ୟୁଟେସନ୍‌ କେସର ଆଦେଶ ରିଜେକ୍ଟ ହୋଇଥିଲା। ୩୦ ଦିନ ଭିତରେ ସେ ଅପିଲ୍‌ କରିଥାଆନ୍ତେ। ସେଥିପାଇଁ ତାଙ୍କୁ ସାର୍ଟିଫାଏଡ୍‌ କପି ଦରକାର। ବର୍ଷେ ହେଲା ତାଙ୍କୁ ସାର୍ଟିଫାଏଡ୍‌ କପି ମିଳିନାହିଁ। ବର୍ଷ ବର୍ଷ ଧରି ଯଦି ସାର୍ଟିଫାଏଡ୍‌ କପି ମିଳୁନାହିଁ, ତାହାହେଲେ କେମିତି ରାଜସ୍ୱ ସେବା ଦିଆଯାଉଥିବ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦ ବୁଡି ଅଞ୍ଚଳର ବିସ୍ଥାପିତମାନେ ନୋଟିସ୍‌ ପାଇଛନ୍ତି। ସେମାନେ ନୋଟିସ୍‌ ଧରି ଆସୁଛନ୍ତି। ତାହାହେଲେ ପଞ୍ଜିକରଣ କରିବାରେ ଅସୁବିଧା କେଉଁଠି ରହିଲା? ଗୋଟିଏ ବା ଦୁଇ ଦିନରେ ଜାତୀଗତ ପ୍ରମାଣ ପତ୍ର ମିଳିଯିବା କଥା। ହେଲେ ସେମାନଙ୍କୁ ବାରମ୍ୱାର ତହସିଲ୍‌ ଅଫିସ୍‌ ଆସିବାକୁ କାହିଁକି ପଡୁଛି? ଅବ୍ୟବସ୍ଥାର କାରଣ ହେଉଛି କର୍ମଚାରୀଙ୍କର କାମ ପ୍ରତି ନିଷ୍ଠାର ଅଭାବ। ଆଜି ଶେଷ ଥର ପାଇଁ ତାଗିଦ କରିଛି। ଜିଲ୍ଲାପାଳ ନୂଆ ସିଷ୍ଟମ ଡେଭ୍‌ଲପ୍‌ କରିଛନ୍ତି। ପ୍ରତ୍ୟେକ ଦିନ ପ୍ରୋଗ୍ରେସ୍‌ ରିପୋର୍ଟ ତହସିଲଦାରଙ୍କଠାରୁ ସଂଗ୍ରହ କରୁଛନ୍ତି ଜିଲ୍ଲାପାଳ। ପ୍ରତ୍ୟେକ ମାସରେ ତହସିଲର ପ୍ରୋଗ୍ରେସ୍‌ ରିପୋର୍ଟ ଜିଲ୍ଲା ସଦର ମହକୁମାରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାର କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। ସୁଧୁରି ଯିବାକୁ ଶେଷ ଥର ପାଇଁ କୁହାଯାଇଛି। ଯିଏ ସୁଧୁରିଗଲେ ଭଲ, ନହେଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ତାହା ଛଡ଼ା ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ଗସ୍ତ ବେଳେ ତହସିଲଦାର ଅନୁପସ୍ଥିତ ଥିଲେ। ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ତହସିଲଦାର ଫିଲ୍‌ଡ ଭିଜିଟ୍‌ କରିବା ପାଇଁ ଯାଇଥିଲେ ବୋଲି ଶୁଣିବାକୁ ପାଇଲି। ଆଜି ତାଗିଦ କରିଛି, କେଉଁ ଦିନ ତହସିଲ୍‌ଦାର ଓ କେଉଁଦିନ ଆଡିସିନାଲ୍‌ ତହସିଲ୍‌ଦାର ଅଫିସରେ ରହୁଛନ୍ତି, ତାହାର ନୋଟିସ୍‌ ଲଗାଯାଉ। ଯେମିତି ଲୋକମାନେ ଦୂରଦୂରାନ୍ତରୁ ଆସି ହଇରାଣ ହରକତ ନହେବେ, ସେଥିପ୍ରତି ଦୃଷ୍ଟି ଦିଆଯାଉ। ଅଫିସରମାନେ ଯେଉଁଠି ଯାଉଛନ୍ତି, ସେ ସମ୍ପର୍କରେ ଲୋକଙ୍କୁ ଜଣାଇ ଯାଆନ୍ତୁ। ଏଥିପାଇଁ ଆମେ ବ୍ୟାପକ ସଚେତନତା ଆଣିବାକୁ ଯାଉଛୁ। ରାଜସ୍ୱ ଆଇନ୍‌କୁ ଆହୁରି ସରଳୀକରଣ କରିବାକୁ ଚାହୁଁଛୁ। ପେଣ୍ଡିଂ ମାମଲାକୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବୁ। ବିଳମ୍ୱିତ ନ୍ୟାୟ, ନ୍ୟାୟ ନୁହେଁ। ଆମେ ଚାହିଁବୁ ନ୍ୟାୟ ଦେବୁ, ସମୟ ସୀମା ଭିତରେ ନ୍ୟାୟ ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।

Bjp Sambalpur