Advertisment

ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତ୍ତି ପ୍ରତ୍ୟାହାର କର, ନଚେତ୍ ଜୋରଦାର ଆନ୍ଦୋଳନ: ବିଜେପି

କେବଳ ଜମି ମାଫିଆ ଓ ଠିକାଦାରଙ୍କ ହାତରେ ଗରିବ ଆଦିବାସୀଙ୍କ ଜମିକୁ ଟେକି ଦେବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

BJP Flag

BJP Flag

Advertisment

ଆଦିବାସୀଙ୍କ ଜମି ବିକ୍ରି ପାଇଁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଛି । କେବଳ ଜମି ମାଫିଆ ଓ ଠିକାଦାରଙ୍କ ହାତରେ ଗରିବ ଆଦିବାସୀଙ୍କ ଜମିକୁ ଟେକି ଦେବାକୁ ରାଜ୍ୟ ସରକାର ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସରକାରଙ୍କ ଏଭଳି ଆଦିବାସୀବିରୋଧୀ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ବିଜେପି ଦୃଢ଼ ବିରୋଧ କରୁଛି । କେଉଁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଫାଇଦା ନେବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।

Advertisment

ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇ ପାରିବ ବୋଲି ଗତ ଦୁଇଦିନ ତଳେ କ୍ୟାବିନେଟ୍ ନେଇଥିବା ନିଷ୍ପତି କାହା ସ୍ୱାର୍ଥରେ? ଆଦିବାସୀମାନେ କିଭଳି ସେମାନଙ୍କର ସର୍ବସ୍ୱ ହରାଇବେ ସେଥିପାଇଁ ଷଡ଼ଯନ୍ତ୍ର କରିଛନ୍ତି ରାଜ୍ୟ ସରକାର । ଜମି ବିକ୍ରି ପାଇଁ ରାଜ୍ୟ ସରକାର ଏବେ ଯେଉଁ ନିଷ୍ପତ୍ତି ନେଇଛନ୍ତି ଏଥିପାଇଁ କୌଣସି ଆଦିବାସୀ ସଂଗଠନ କେବେ ବି ସରକାରଙ୍କ ପାଖରେ ଦାବି କରିନାହାନ୍ତି । ବିଧାନସଭାରେ ମଧ୍ୟ କେବେ କୌଣସି ଆଦିବାସୀ ବିଧାୟକ ଏକଥା ଉଠାଇ ନାହାନ୍ତି । ତା’ହେଲେ ସରକାର କାହା ଚାପରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଗଣ୍ଡ ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିଷ୍ପତ୍ତି ନେବା ପାଇଁ ସରକାର ଯେଉଁ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକର ଆଲୋଚନା ସମ୍ପର୍କରେ କହୁଛନ୍ତି ତାହା ଡାହା ମିଛ କଥା । ସେ ନିଜେ ପରିଷଦର ଜଣେ ସଦସ୍ୟ । କେଉଁ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଲାଭ ପଂହଚାଇବା ପାଇଁ ସରକାର ଏଭଳି ମିଛ କହୁଛନ୍ତି ତାହାର ସ୍ପଷ୍ଟୀକରଣ ରଖନ୍ତୁ । ବିଗତ ଦିନମାନଙ୍କରେ ଅନେକ ଜାଗାରେ ଆଦିବାସୀମାନଙ୍କ ଜମିକୁ ବିଭିନ୍ନ ଅସାଧୁ ବ୍ୟକ୍ତିମାନେ ବେନାମୀ ନାମରେ କିଣିଛନ୍ତି । ରାଜ୍ୟ ସରକାର ଏବେ ଏହି ଆଇନ ଆଣି ସେହି ଅସାଧୁ ଜମି ମାଫିଆମାନଙ୍କ ବେନାମୀ ଜମିକିଣା ବିକାକୁ ଆଇନସମ୍ମତ କରିବା ପାଇଁ ଯାଉଛନ୍ତି । ଏହି ଆଇନ ଲାଗୁ ହେଲେ ସେହି ବେନାମୀ କିଣାବିକାର ପଟ୍ଟା ସେହି ଅସାଧୁ ଜମି ମାଫିଆମାନଙ୍କୁ ମିଳିଯିବ ଏବଂ ଆଦିବାସୀମାନେ ସର୍ବସ୍ୱ ହରାଇବାକୁ ବାଧ୍ୟ ହେବେ ।

Advertisment

ପୂର୍ବରୁ ନିରୀହ ଆଦିବାସୀମାନେ ଅଭାବ ଓ ଦାରିଦ୍ର‌୍ୟ କାରଣରୁ ନିଜର ଜମିକୁ ଶାଗ, ମାଛ ମୂଲ୍ୟରେ ବିକ୍ରି କରିଦେଇ ସବସ୍ୱର୍ ହରାଇ ନିସ୍ୱ ହେଉଥିବାର ନଜିର ରହିଛି । ଯେଉଁଥିପାଇଁ ଆଦିବାସୀମାନଙ୍କ ଜମି ବିକ୍ରି ଉପରେ ସାମ୍ବିଧାନିକ ପ୍ରତିବନ୍ଧକ ଲଗାଯାଇଥିଲା । ଆଦିବାସୀମାନଙ୍କର ନିଜସ୍ୱ ଅଳ୍ପ ଜମି ଛଡ଼ା ପ୍ରାୟତଃ ଅନ୍ୟ କିଛି ସମ୍ପତ୍ତି ନାହିଁ ଓ ସେମାନେ ସେହି ଜମି ଉପରେ ନିର୍ଭରଶୀଳ । ରାଜ୍ୟ ସରକାର ଆଣିଥିବା ଏହି ନିୟମ ଲାଗୁ ହେଲେ ଆଦିବାସୀମାନେ ନିଜର ଜମି ହରାଇବା ସହ ଜୀବିକା ମଧ୍ୟ ହରାଇବେ । ତେଣୁ ବିଜେଡି ସରକାର ନିଜର ଆଦିବାସୀବିରୋଧୀ ମନୋଭାବକୁ ପ୍ରତ୍ୟାହାର ନକଲେ ବିଜେପି ଆଗାମୀ ଦିନରେ ସବୁ ଆଦିବାସୀସମାଜକୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଗଣ୍ଡ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, କ୍ୟାବିନେଟର ଏହି ନିଷ୍ପତ୍ତିକୁ କଂଗ୍ରେସ ମଧ୍ୟ ଦୃଢ଼ ବିରୋଧ କରିଛି । ଆଦିବାସୀମାନଙ୍କ ଜମିକୁ ଲୁଟ୍ ପାଇଁ ଏଭଳି ସରକାରୀ ଷଡ଼ଯନ୍ତ୍ର ହୋଇଛି ବୋଲି କହି ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଗତକାଲି କଡ଼ା ଭାଷାରେ ସମାଲୋଚନା କରିଥିଲେ ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe