ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓଡ଼ିଶା ଛାଡ଼ିବାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଦିଲ୍ଲୀ ଗସ୍ତ କରିଛନ୍ତି । ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟର ୯ ମାସ ପରେ ଗତ ୧୦ଦିନ ମଧ୍ୟରେ ଏହା ନବୀନଙ୍କ ଦ୍ୱିତୀୟ ଦିଲ୍ଲୀ ଗସ୍ତ । ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ସ୍ଥିତି ଏଭଳି ହୋଇଛି ଯେ, ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଦଳର ବିଧାୟକମାନେ ସିଧାସଳଖ ଛାୟା ନେତୃତ୍ୱଙ୍କ(ନବୀନ ନିବାସରୁ ନିୟନ୍ତ୍ରଣ) ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ସ୍ଥିରୀକୃତ ଆଭିମୁଖ୍ୟ ଆଧାରରେ କାର୍ଯ୍ୟ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।
ବିଜେଡି ବିଧାୟକମାନଙ୍କ ଦ୍ୱାରା ମାର୍ଚ୍ଚ ୧୧ତାରିଖରେ ବିଧାନସଭା ପରିସରରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପ୍ରସଙ୍ଗ ମଧ୍ୟ ଏହି ଆଭିମୁଖ୍ୟର ଅଂଶବିଶେଷ ଥିଲା । ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଗୋଷ୍ଠୀର ବିଧାୟକମାନେ ନିଜର ପୂର୍ବ ଅପକର୍ମ ପାଇଁ ବିଜେପି ସରକାର ପ୍ରତି କୋହଳ ଆଭିମୁଖ୍ୟପୋଷଣ କରିବାକୁ ବାଧ୍ୟ ହେଉଥିବାବେଳେ ଦଳୀୟ ବିଧାୟକମାନଙ୍କ ଅନ୍ୟ ଗୋଟିଏ ଗୋଷ୍ଠୀ ସେମାନଙ୍କୁ ବିରୋଧ କରି ନିଜ ଢଙ୍ଗରେ ଗୃହରେ କାର୍ଯ୍ୟ କରୁଛନ୍ତି । ଆଉ ଏଭଳି ମାହୋଲ୍ ପ୍ରସ୍ତୁତ କରି ଆବଶ୍ୟକ ପଡ଼ିଲେ ସବୁଦିନ ପାଇଁ ଓଡ଼ିଶାରେ ‘ଲଣ୍ଠନ’ ଧରି ରାଜନୀତି କରିବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ମଧ୍ୟ ପରୋକ୍ଷରେ ଦଳର ନେତୃତ୍ୱଙ୍କୁ ଚେତାଇ ଦେଇଥିବା ଚର୍ଚ୍ଚା ହେଉଛି ।
ନବୀନଙ୍କ ଦ୍ୱିତୀୟ ଥର ଦିଲ୍ଲୀ
ସାଧାରଣ ନିର୍ବାଚନରେ ପରାଜୟର ୯ ମାସ ପରେ ପ୍ରଥମଥର ପାଇଁ ମାର୍ଚ୍ଚ ୧୧ରେ ୫ଦିନିଆ ଦିଲ୍ଲୀ ଗସ୍ତ କରିଥିବା ନବୀନ ଶନିବାର(ମାର୍ଚ୍ଚ ୨୨ରେ) ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ତାଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ବାରମ୍ବାର ଦିଲ୍ଲୀ ଗସ୍ତରେ ଯିବାର ଯଦିଓ କାରଣ ଜଣାପଡ଼ିନି । ତେବେ ସୂତ୍ର ଅନୁସାରେ, ପାଣ୍ଡିଆନ ଓଡ଼ିଶା ଛାଡ଼ି ବିଦେଶ ଗସ୍ତରେ (ଯଦି ଚର୍ଚ୍ଚାରେ ସତ୍ୟତା ଥାଏ)ଯିବା ପୂର୍ବରୁ ଦଳୀୟ ସଂଗଠନ ପରିଚାଳନାର ବ୍ଲୁ-ପ୍ରିଣ୍ଟକୁ ଚୂଡ଼ାନ୍ତ ରୂପ ଦେବେ । ସେଥିପାଇଁ ନବୀନ ନିବାସରେ ବୈଠକ ପରିବର୍ତ୍ତେ ଦିଲ୍ଲୀକୁ ଦଳର ୩-୪ଜଣ ଖାସ୍ ନେତାଙ୍କୁ ଡକାଇ ନବୀନଙ୍କ ଉପସ୍ଥିତିରେ ପାଣ୍ଡିଆନ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ନବୀନ ନିବାସ ଓ ବିଧାୟକଙ୍କ ମଧ୍ୟରେ ଫାଟ
ବିଧାନସଭାରେ ଦଳର ବିଧାୟକମାନେ କେଉଁ ପ୍ରସଙ୍ଗରେ କି ଆଭିମୁଖ୍ୟ ପୋଷଣ କରିବେ ତାହା ଆଉ ବିଜେଡି ନେତୃତ୍ୱ ସ୍ଥିର କରୁନଥିବା ଜଣାପଡ଼ିଛି । ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ଦିନଠୁ ସେଭଳି ସ୍ଥିତି ଉପୁଜିଛି । ନବୀନ ନିବାସରୁ ଯେଉଁ ନିର୍ଦ୍ଦେଶ ଆସୁଛି ତାକୁ ବିଧାୟକମାନେ ଗୁରୁତ୍ୱ ଦେଉନାହାନ୍ତି କିମ୍ବା ଗୃହରେ ସେଭଳି ଆଭିମୁଖ୍ୟ ପୋଷଣ କରୁନାହାନ୍ତି । ଯେଉଁଥିପାଇଁ ବିଧାନସଭାରେ ଦଳର ବିଧାୟକମାନେ କ’ଣ ରଣନୀତି କରିବେ ସେନେଇ କିଛିବି ‘ନିର୍ଦ୍ଦେଶ’ ନବୀନ ନିବାସ ଆଉ ଦେଉନଥିବା ଜଣାପଡ଼ିଛି । ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଜେଡି ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ଶାସକ ବିଜେପିକୁ ଘେରିବାକୁ ପ୍ରୟାସ କରିଥିଲା, ଆଉ ନିଜ ସରକାର ଓ ନେତାଙ୍କ ଦୋଷଦୁର୍ବଳତାକୁ ମଧ୍ୟ ଗୃହ ବିବରଣୀରେ ସବୁଦିନ ପାଇଁ ରେକର୍ଡ ମଧ୍ୟ କରାଇଦେଲା ।
ବିଜୁ ପଟ୍ଟନାୟକଙ୍କୁ ବିଜେପି ସରକାରଙ୍କ ଅସମ୍ମାନ, ଜୟନାରାୟଣ ମିଶ୍ରଙ୍କ ରାଜ୍ୟ ବିଭାଜନ ମନ୍ତବ୍ୟ ଓ ପୋଲାଭରମ୍ ପ୍ରସଙ୍ଗରେ ବିଜେଡି ଯେତିକି ମାଇଲେଜ୍ ନେବ ବୋଲି ଭାବିଥିଲା ସେଥିରେ ଦଳର ଲାଭ କମ୍ କ୍ଷତି ବେଶୀ ହେଲା । ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା କରାଇ ବିଜୁ ଓ ନବୀନଙ୍କ ସମେତ ତାଙ୍କ ସରକାରର ୨୪ବର୍ଷର କଳାଚିଠାକୁ(ବିଜେପି ବିଧାୟକମାନେ ଯାହା କହିଲେ) ଗୃହ ବିବରଣୀରେ ସବୁଦିନ ପାଇଁ ସ୍ଥାନିତ କରାଇ ଦେଲା । ଏସବୁ ସୁଚିନ୍ତିତ ଢଙ୍ଗରେ ବିଧାୟକମାନେ କରିଥିବା କୁହାଯାଉଛି । ବିଜେଡିର ଗୋଟିଏ ଗୋଷ୍ଠୀର ବିଧାୟକମାନେ ବିଧାନସଭା ଭିତରେ ଆକ୍ରଣାତ୍ମକ ଶୈଳୀରେ ସରକାରକୁ ଘେରିବାକୁ ଚାହୁଁଥିବାବେଳେ ଅନ୍ୟ ଗୋଷ୍ଠୀ ସଫ୍ଟ ହେବାକୁ ଚାପ ପକାଉଛି ।
ବିଶେଷକରି ପାଣ୍ଡିଆନ-ବବିଙ୍କ ଖାସ୍ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ‘ସାର୍’ ଚାହୁଁଛନ୍ତି କହି ଜିଦ୍ ଧରି ଗୃହରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ମୁଲତବୀ ଉପରେ ଆଲୋଚନା କରାଇଥିଲେ । ଯଦିଓ ଏହି ଆଲୋଚନା ଦଳ ପାଇଁ ଠିକ୍ ନୁହେଁ ବୋଲି ଅଧିକାଂଶ ବିଧାୟକ ନିଜର ପରାମର୍ଶ ଦେଇଥିଲେ । ଆଉ ବିଜେପି ବିଧାୟକମାନେ ଏହି ସୁଯୋଗରେ ନବୀନ ଓ ବିଜୁଙ୍କ ସମ୍ପର୍କକୁ ନେଇ ଏଭଳି କିଛି ତଥ୍ୟ ଗୃହ ବିବରଣୀରେ ସ୍ଥାନିତ କରିଦେଲେ ଯାହା ସବୁଦିନ ପାଇଁ ରେକର୍ଡ ହୋଇ ରହିଗଲା । ଏସବୁ ଆପତ୍ତିଜନକ କଥାକୁ ହଟାଇବା ପାଇଁ ମଧ୍ୟ ବିଜେଡି ବିଧାୟକମାନେ ଆପତ୍ତି ଉଠାଇଲେ ନଥିବା ଜଣାପଡ଼ିଛି ।
ବିଜେଡିର ଲଣ୍ଠନ ପ୍ରତିବାଦ ପଛର ରହସ୍ୟ
ମାର୍ଚ୍ଚ ୧୧ରେ ବିଜେଡି ବିଧାୟକମାନେ ଲଣ୍ଠନ ଧରି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜିଲେ । ଏଭଳି ପ୍ରତିବାଦ ବିଧାନସଭା ଇତିହାସରେ ନୂଆ ଥିଲା। ସେହିଦିନ ନବୀନ ଓ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଥିଲେ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ଅଚାନକ ଲଣ୍ଠନ ଧରି ପ୍ରତିବାଦ କଲେ । ରଣେନ୍ଦ୍ର ହିଁ ଲଣ୍ଠନ ବିଧାୟକମାନଙ୍କୁ ଦେଇଥିଲେ ଓ ଏହି ଲଣ୍ଠନ ପ୍ରତିବାଦ ପାଇଁ ନବୀନ ନିବାସର ଅନୁମତି ନଥିଲା ବୋଲି ବିଜେଡି ବିଧାୟକମାନଙ୍କ ସୂତ୍ରରୁ ଜଣାପଡ଼ିଛି । ବିଜେପି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲଣ୍ଠନ ଧରି ଖୋଜୁଥିବା ବିଜେଡି ବିଧାୟକମାନେ ଏଭଳି କରି ନିଜର ନେତା ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ୍ କଲେ । କାରଣ ତଥ୍ୟ କହୁଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୪ଦିନ ଗୃହରେ ଉପସ୍ଥିତ ଥିବାବେଳେ ନବୀନ ଗୋଟିଏ ଦିନ ଓ ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ୬ଦିନ ଗୃହକୁ ଆସିଛନ୍ତି ।
ତେଣୁ ଏହି ‘ଲଣ୍ଠନ’ ଧରି ପ୍ରତିବାଦ କରି ବିଜେଡିର ଅସନ୍ତୁଷ୍ଟ ବିଧାୟକମାନେ ରଣେନ୍ଦ୍ରଙ୍କ ନେତୃତ୍ୱରେ ଲାଲୁପ୍ରସାଦ ଯାଦବଙ୍କ ‘ଆରଜେଡି’କୁ ଡିଆଁ ମାରିବେ ବୋଲି ଚେତାଇ ଦେଇଥିବା ଚର୍ଚ୍ଚା ହେଉଛି । ଓଡ଼ିଶାରେ ଜାତି-କାର୍ଡ ଓ ଜାତି ସମୀକରଣ ରାଜନୀତିକୁ ଆଗେଇ ନେବା ପାଇଁ ରଣେନ୍ଦ୍ର ଓ ତାଙ୍କ ଟିମ୍ ଏବେ ଫୁଲ୍ ଦମରେ ଲାଗିପଡ଼ିଛନ୍ତି । ଅନ୍ୟପକ୍ଷରେ ଜୟନାରାୟଣଙ୍କ ଓଡ଼ିଶାରେ ମିଶିବା ଐତିହାସିକ ଭୁଲ୍ କହି ରାଜ୍ୟ ବିଭାଜନ ଭଳି ମନ୍ତବ୍ୟ ଦେବାକୁ ବିଜେଡି ବିରୋଧ କଲା । କିନ୍ତୁ ଜୟନାରାୟଣ ପଶ୍ଚିମଓଡ଼ିଶାରେ ହିରୋ ପାଲଟିଲେ ଓ ବିଜେପି ପ୍ରତି ବଢ଼ୁଥିବା ଜନସମର୍ଥନକୁ ପରଖି ବିଜେଡିର ଅନ୍ୟ ଗୋଷ୍ଠୀ ରଣେନ୍ଦ୍ରଙ୍କ ନେତୃତ୍ୱରେ ବିଧାନସଭାରେ ଲଣ୍ଠନ ପ୍ରତିବାଦ କରି ‘ଜୟନାରାୟଣ ପ୍ରସଙ୍ଗ’କୁ ଗୌଣ କରାଇବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ନବୀନ ଗତ ସପ୍ତାହରେ ବିଧାନସଭାରେ ଥିବା ନିଜ ଚାମ୍ବରରେ ଦଳୀୟ ବିଧାୟକମାନଙ୍କ ସହ ୨-୩ଥର ପ୍ରାୟ ୩୦-୪୦ମିନିଟ୍ ବସି ସେମାନଙ୍କ ହାବଭାବ ପରଖୁଛନ୍ତି ବୋଲି ଜଣାପଡ଼ିଛି । କିନ୍ତୁ ସେହି ବୈଠକରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁପସ୍ଥିତ ରହୁଛନ୍ତି ।
କାହିଁକି ବଢ଼ୁଛି ଫାଟ ଓ ଅସନ୍ତୋଷ?
ଆଂଚଳିକ ଦଳ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ରୁ ଯେଉଁ ନିର୍ଦ୍ଦେଶ ଆସେ ସେଭଳି ଢଙ୍ଗରେ କାର୍ଯ୍ୟ କରିବା ଦଳର ବିଧାୟକ-ସାଂସଦମାନଙ୍କଠୁ ଆରମ୍ଭ କରି ବରିଷ୍ଠ ନେତାମାନଙ୍କ ପାଇଁ ବାଧ୍ୟବାଧକତା ହୋଇଥାଏ । କିନ୍ତୁ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ସତ୍ତ୍ୱେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜେଡି ନେତୃତ୍ୱଙ୍କ ଅନାଗ୍ରହ ଓ ଆକ୍ରମଣାତ୍ମକ ଶୈଳୀର ଅଭାବ ବିଗତ କିଛିମାସ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷକୁ ଚରମସୀମାରେ ପହଂଚାଇଲାଣି । ବିଶେଷକରି ଯେଉଁମାନେ ନିଜର ହାକିମାତି, ଔଦ୍ଧତ୍ୟ ଓ ତ୍ରୁଟିପୂର୍ଣ୍ଣ ରଣନୀତି ପାଇଁ ଦଳର ବିପର୍ଯ୍ୟୟର କାରଣ ପାଲଟିଥିଲେ ଏବେ ସେହିମାନେ ହିଁ ପୁଣିଥରେ ସକ୍ରିୟ ହୋଇ ପୁୁରୁଣା ଇକୋସିଷ୍ଟମରେ ସଂଗଠନକୁ ପରିଚାଳନା କରୁଥିବାରୁ ଦଳର ନେତାମାନେ ହତାଶ ହୋଇପଡ଼ିଛନ୍ତି । ନବୀନଙ୍କୁ ସଖିକଣ୍ଢେଇ ସଜାଇ ଦଳର ପାଣ୍ଠିଠୁ ଆରମ୍ଭ କରି ନିଷ୍ପତ୍ତି ସବୁ ସେହି ୩-୪ଜଣ ହିଁ ନେଉଛନ୍ତି । ତେଣୁ ନିର୍ବାଚନରେ ପରାଜୟ ପରେ ମଧ୍ୟ ବିଜେପି ପ୍ରତି ବିଜେଡି ନେତୃତ୍ୱଙ୍କ ଦୁର୍ବଳତା,ବାଧ୍ୟବାଧକତା, ଦ୍ୱନ୍ଦ୍ୱାତ୍ମକ ଆଭିମୁଖ୍ୟ ଓ ସଂଗଠନକୁ ନିଷ୍କ୍ରିୟ କରି ରଖିବା ଯୋଗୁ ଦଳର ପଂଚାୟତଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ନେତାମାନେ ବି ନିଜର ଭବିଷ୍ୟତକୁ ନେଇ ନିଶ୍ଚିତ ହୋଇପାରୁନାହାନ୍ତି ।
ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଦୀର୍ଘବର୍ଷ ଧରି କ୍ଷମତାରେ ରହି ବହୁ ଦୁର୍ନୀତି ଓ ଅନିୟମିତତା ସହ ଜଡ଼ିତ ଥିବାର ପୁଳାପୁଳା ଅଭିଯୋଗ ଥିଲେ ମଧ୍ୟ ବର୍ତ୍ତମାନର ବିଜେପି ସରକାର ବିଗତ ୯ମାସ ଭିତରେ କୌଣସି ଗୋଟିଏ ପ୍ରସଙ୍ଗରେ ନବୀନ କିମ୍ବା ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିପାରିନାହାନ୍ତି । ତା’ଛଡ଼ା ଅଦୃଶ୍ୟକାରଣରୁ ବିଜେଡି ନେତାମାନଙ୍କୁ ନିଜ ଦଳରେ ସାମିଲ କରିବାର ଆଗ୍ରହ ମଧ୍ୟ ବିଜେପି ଦେଖାଉନାହିଁ । ଏପଟେ କଂଗ୍ରେସ ନିଜର ଦ୍ୱାର ଖୋଲା ରଖିଥିଲେ ବି ଆରମ୍ଭରୁ ଅଣକଂଗ୍ରେସ ରାଜନୀତି ସହ ଜଡ଼ିତ ଥିବାରୁ କଂଗ୍ରେସକୁ ଡିଆଁ ମାରି ‘ରାଜନୀତିକ ଆତ୍ମହତ୍ୟା’ କରିବାକୁ ବି ବିଜେଡି ନେତାମାନେ ଚାହୁଁନାହାନ୍ତି । ତେଣୁ ନିଜ ସଂଗଠନର ଏଭଳି ସ୍ଥିତ ବିଜେଡି ନେତାମାନଙ୍କ ଅସହାୟତାକୁ ପଦାରେ ପକାଇ ଦେଇଛି, ଆଉ ଆତ୍ମମର୍ଯ୍ୟାଦା ସହ ସାଲିସ୍ କରି ସଂଗଠନରେ ରହିବା ଓ ‘ଗୁମୁରି ଗୁମୁରି କାନ୍ଦିବା’ ବି ଏକପ୍ରକାରର ବାଧ୍ୟବାଧକତା ପାଲଟି ଯାଇଥିବା ଚର୍ଚ୍ଚା ହେଉଛି ।