Advertisment

ନିର୍ବାଚନ ପୂର୍ବରୁ ବଢ଼ିଲା ବିଜେପି ଅଡ଼ୁଆ, ଦଳୀୟ ଅଫିସ ବାହାରେ ନେତା ଓ କର୍ମୀଙ୍କ ବିକ୍ଷୋଭ

ଜମ୍ମୁ-କଶ୍ମୀର ବିଧାନସଭାର ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

author-image
Hemant Lenka
ଅଦ୍ୟତନ ହୋଇଛି
BJP

BJP

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। ଜମ୍ମୁ-କଶ୍ମୀର ବିଜେପିରେ ଦେଖାଯାଇଛି ବିଦ୍ରୋହ। ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ।

Advertisment

ଆଜି ଦଳ ପକ୍ଷରୁ ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ଏହାପରେ ଟିକେଟ ପାଇ ନଥିବା ବିଜେପି ନେତା ଓ ସେମାନଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି।

ଆଜି ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଶ ନାଟକୀୟ ଥିଲା। ଦଳ ପ୍ରଥମେ ୪୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ତେବେ ପ୍ରାୟ ୧ ଘଣ୍ଟା ମଧ୍ୟରେ ଏହାକୁ ପ୍ରତ୍ୟାହାର କରି ନିଆ ଯାଇଥିଲା। ଟିକେଟ ବଣ୍ଟାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ବିଜେପି ହାଇକମାଣ୍ଡ ଏପରି ନିଷ୍ପତ୍ତି ନେଇଥିଲେ।

Advertisment

ପ୍ରତ୍ୟାହାର କରିବାର ପ୍ରାୟ କିଛି ସମୟ ପରେ ଦଳ ପକ୍ଷରୁ ପୁଣି ଗୋଟିଏ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ଆସନ ଗୁଡ଼ିକ ପାଇଁ କେବଳ ୧୬ ଜଣଙ୍କ ନାଁ ରହିଥିଲା।

ବାସ ଏହି ତାଲିକା ପରେ ଉକ୍ତ ୧୬ ଆସନରେ ଟିକେଟ ଆଶାୟୀ ଥିବା ବିଜେପି ନେତା ଓ କର୍ମୀମାନେ ତାତିଛନ୍ତି। ସେମାନେ ଜମ୍ମୁ-କଶ୍ମୀର ବିଜେପି ଅଫିସ ବାହାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଣେ ବିଜେପି କର୍ମୀ କହିଛନ୍ତି, “ଆମେ ଭୋଟର ବନିବା ଦିନ ଠାରୁ ବିଜେପି ସହ ରହିଛୁ। କାହିଁକି ସେମାନେ ବିଜେପି ସହ ଥିବା କର୍ମୀଙ୍କୁ ଅଣଦେଖା କରୁଛନ୍ତି। ଉତ୍ତର ଜମ୍ମୁରେ ପରିଚିତ ଚେହେରା ହେଉଛନ୍ତି ଓମି ଖଜୁରିଆ। କିନ୍ତୁ ଏଠାରେ କଂଗ୍ରେସରୁ ଆସିଥିବା ଜଣେ ନେତାଙ୍କୁ ଟିକେଟ ଦିଆଯାଇଛି।

ଶ୍ୟାମ ଲାଲ ଶର୍ମାଙ୍କୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି। ସେଠାରେ ତାଙ୍କୁ କେହି ଜାଣି ନାହାନ୍ତି। ଆମେ ଓମି ଖଜୁରିଆଙ୍କୁ ଟିକେଟ ମିଳୁ ବୋଲି ଦାବି କରୁଛୁ। ଯଦି ଆମ କଥା ଶୁଣା ଯିବ ନାହିଁ, ତା’ହେଲେ ଆମେ ଇସ୍ତଫା ଦେବୁ।

ଯେଉଁମାନେ ଦଳ ପାଇଁ ନିଷ୍ଠାର ସହ କାମ କରିଛନ୍ତି, ସେମାନଙ୍କୁ ଟିକେଟ ମିଳିବା ଦରକାର। ଆମେ କାହିଁକି ଟିକେଟ ମିଳିନାହିଁ ବୋଲି ପଚାରିବାକୁ ଆସିଛୁ।” କେବଳ ଏହି ଗୋଟିଏ ଆସନ ନୁହେଁ, ଏକାଧିକ ଆସନରେ ଟିକେଟ ନ ପାଇ ହତାଶ ହୋଇଥିବା ବିଜେପି ନେତା ଓ କର୍ମୀ ପାର୍ଟି ଅ‍ଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବାକି ଦୁଇଟି ପର୍ଯ୍ୟାୟ ଭୋଟ୍ ପାଇଁ ଦଳ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଜଣାପଡ଼ିଛି।

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି।

Bjp Jammu Kashmir