ମାଲକାନଗିରି(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜେପିର ଉଚ୍ଚ ଶିକ୍ଷିତ ଡିପ୍ଲୋମା ଇଞ୍ଜିନିୟରିଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଖୋଜ ହୋଇଯାଇଛନ୍ତି। ଏପରି ଅଭିଯୋଗ ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରୁ ଆସିଛି। ହେଲେ ଏନେଇ ପରିବାର ଲୋକ ମୁହଁ ଖୋଲୁନଥିବା ବେଳେ ତାଙ୍କୁ ଶାସକ ବିଜେଡି ଅପହରଣ କରିଥାଇପାରେ ବୋଲି ବିଜେପି ଅଭିଯୋଗ କରିଛି। ସେପଟେ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ତାଲିକାରେ ପ୍ରାର୍ଥୀଙ୍କ ନାଁ ନାହିଁ। ଏହା ପରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି।
କାଲିମେଳା ପଞ୍ଚାୟତ ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମର ରୀନା କବାସୀ ଜିଲ୍ଲା ପରିଷଦ ଜୋନ୍-୨ର ବିଜେପି ପ୍ରାର୍ଥୀ ହୋଇଥିଲେ। ଏପରିକି ସେ ନାମାଙ୍କନପତ୍ର ଦାଖଲ ମଧ୍ୟ କରିଥିଲେ। ହେଲେ ସୋମବାରଠାରୁ ସେ ନିଖୋଜ ଅଛନ୍ତି। ଦଳୀୟ କର୍ମୀମାନେ ତାଙ୍କୁ ଖୋଜି ପାଉନାହାନ୍ତି। ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଲାଗୁ ନାହିଁ। ପରିବାର ଲୋକ ଏନେଇ ମୁହଁ ଖୋଲୁନାହାନ୍ତି। ରୀନାଙ୍କୁ ନପାଇ କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଏନେଇ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶାସକ ବିଜେଡି ହାରିଯିବା ଭୟରେ ରୀନାଙ୍କ ପରିବାରକୁ ଭୟଭୀତ କରାଇ ଅପହରଣ କରାଇଥିବା ବିଜେପି ଅଭିଯୋଗ କରିଛି।
ମାତ୍ର ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ସେପଟେ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ନିଖୋଜ ରୀନା କବାସୀଙ୍କ ନାଁ ନାହିଁ। ୨୩ ତାରିଖ ତାଲିକାରେ ତାଙ୍କ ନାଁ ଥିଲା। କିନ୍ତୁ ଆାଜି ଚୂଡ଼ାନ୍ତ ତାଲିକାରେ ନାହିଁ। ନିଖୋଜ ପୂର୍ବରୁ ରୀନା କବାସୀ ନାମାଙ୍କନ ପ୍ରତ୍ୟାହାର କରିଥିବା ସନ୍ଦେହ କରାଯାଉଛି।
ସୂଚନାରୁ ପ୍ରକାଶ, ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରେ ବିଜେପିର ଦବ୍ଦବା ରହିଛି। ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ସେହି ଅଞ୍ଚଳରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ଆଶା କରୁଥିଲା। ସେଥିପାଇଁ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲା। ହେଲେ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଗାଏବ ହୋଇଯାଇଛନ୍ତି। ତାଙ୍କ ପତ୍ତା ପାଉନାହାନ୍ତି ଦଳୀୟ କର୍ମୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।