Advertisment

ବ୍ରିଟେନ ନିର୍ବାଚନ: ପରାଜୟ ପରେ ଏପରି କହିଲେ ଋଷି ସୁନକ

ବ୍ରିଟେନ ସାଧାରଣ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ।

author-image
Debibandita Barick
ଅଦ୍ୟତନ ହୋଇଛି
Rishi Sunak

Rishi Sunak

ବ୍ରିଟେନ ସାଧାରଣ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଫଳରେ ତାଙ୍କର ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ମଉଳି ଯାଇଛି। ଏହି ପରାଜୟକୁ ସ୍ୱିକାର କରିବା ସହ ପ୍ରତିପକ୍ଷ ଦଳର ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସୁନକ। 

Advertisment

ସୁନକକହିଛନ୍ତି, "ବ୍ରିଟିଶ ଲୋକମାନେ ଏକ 'ଗୁରୁତ୍ୱପୂର୍ଣ୍ଣ ରାୟ' ଦେଇଛନ୍ତି। ଏଥିରେ ଅନେକ କିଛି ଶିଖିବାର ଅଛି ଏବଂ ଏହାକୁ ପ୍ରତିଫଳନ କରିବାକ ଆବଶ୍ୟକତା ଅଛି। କଞ୍ଜରଭେଟିବ ପାର୍ଟିର ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି।" 

"କଞ୍ଜରଭେଟିବ ପାର୍ଟିର ପ୍ରାର୍ଥୀଙ୍କ ନିରନ୍ତର ଉଦ୍ୟମ, ଉତ୍ସର୍ଗୀକୃତ ସେବା, ସ୍ଥାନୀୟ ଲୋକଙ୍କ ପାଖରେ ଯାଇ ପହଞ୍ଚିବା ଅନେକ କିଛି ଭଲ ପ୍ରତିଫଳନ ଥିବା ସତ୍ତ୍ୱେ ଆମେ ହାରିଗଲେ, ଏଥିପାଇଁ ମୁଁ ଖୁବ୍ ଦୁଃଖିତ।"

Advertisment

ଏଥିସହ ସୁନକ ପ୍ରତିପକ୍ଷ ବିଜୟୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, "ଏହି ସାଧାରଣ ନିର୍ବାଚନରେ ଲେବର ପାର୍ଟିର ବିଜୟ ହୋଇଛି, ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କେର ଷ୍ଟାରମେରଙ୍କୁ ଶୁଭେଚ୍ଛା ଜଣାଉଛି।" 

ବ୍ରିଟେନରେ ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମ୍ମନ୍ସ ପାଇଁ ମ୍ୟାଜିକ୍ ନଂ ହେଉଛି ୩୨୬। ଏଥିରୁ ଲେବର୍ ପାର୍ଟି ୪୧୦ ଆସନରେ ବିଜୟ ସହ ପୂର୍ଣ୍ଣ ବହୁମତ ପାଇଛି। ସେପଟେ ସୁନକଙ୍କ ପାର୍ଟିକୁ ୧୧୬ଟି ଆସନ ମିଳିଥିବା ବେଳେ ଅନ୍ୟାନ୍ୟ ପାଇଛନ୍ତି ୧୧୧ଟି। ତେବେ କଞ୍ଜରଭେଟିଭ ପାର୍ଟିର ୮ ଜଣ କ୍ୟାବିନେଟ ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ସୁନକ କିନ୍ତୁ ଉତ୍ତର-ପୂର୍ବ ଇଂଲଣ୍ଡର ରିଚମୋଣ୍ଡ ଏବଂ ନର୍ଥାଲେରୋଟନ ଆସନ ବଜାୟ ରଖିବା ସହ ୪୭.୫% ଭୋଟ୍ ପାଇଛନ୍ତି।  

୪୪ ବର୍ଷୀୟ ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ। ସେ ମଧ୍ୟ ସମଗ୍ର ଏସିଆ ମହାଦେଶରୁ ପ୍ରଥମ, ଯିଏକି ବ୍ରିଟେନରେ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥଇଲେ। ୨୦୨୨ରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ସୁନକ।

ଏହା ପୂର୍ବରୁ ସେ ବୋରିସ ଜନସନଙ୍କ ସରକାରରେ ଦୁଇ ଥର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ସୁନକ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଚେହେରା ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ସେ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି। 

Rishi Sunak UK Polls Labour Party Conservative Party UK General Election