Advertisment

‘କେରଳ ମିନି ପାକିସ୍ତାନ’ ବୟାନ ପାଇଁ ବିବାଦରେ ମନ୍ତ୍ରୀ ରାଣେ

କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।

author-image
Hemant Lenka
Rane

Rane

ବିବାଦରେ ମହାରାଷ୍ଟ୍ରର କ୍ଷମତାସୀନ ମହାୟୁତି ସରକାରର ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀତେଶ। ସେ ଦେଇଥିବା ବୟାନ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। କଂଗ୍ରେସର ରାହୁଲ ଗାନ୍ଧି ଓ କେରଳର ୱାୟନାଡରୁ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିବା ବେଳେ ନୀତେଶ ରାଣେ କେରଳକୁ ମିନି ପାକିସ୍ତାନ କହିବାକୁ ମଧ୍ୟ ପଛାଇ ନାହାନ୍ତି।

Advertisment

ଏହାକୁ ନେଇ ବିରୋଧୀ ତାଙ୍କୁ ସମାଲୋଚନା କରିବାରୁ ସେ ବୟାନରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ଲଭ ଜିହାଦ ଓ ଧାର୍ମିକ ପରିବର୍ତ୍ତନ ଘଟଣା କେରଳରେ ବଢ଼ି ଚାଲିଥିବାରୁ ନୀତେଶ ରାଣେ ଏହାକୁ ପାକିସ୍ତାନ ସହ ତୁଳନା କରିଥିଲେ ବୋଲି ସଫେଇ ଦେଇଛନ୍ତି।

ଜୁନିୟର ରାଣେ କହିଛନ୍ତି, “କେରଳ ହେଉଛି ମିନି ପାକିସ୍ତାନ। ଖାସ ଏହି କାରଣ ପାଇଁ ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ସେଠାରୁ ନିର୍ବାଚିତ ହୋଇ ପାରୁଛନ୍ତି। ସମସ୍ତ ଆତଙ୍କବାଦୀ ସେମାନଙ୍କ ପାଇଁ ଭୋଟ ଦେଉଛନ୍ତି। ଏହା ପ୍ରକୃତ ସତ୍ୟ। ଏକଥା ଆପଣ ଯାହାକୁ ବି ପଚାରିପାରିବେ। ସେମାନେ ଆତଙ୍କବାଦୀମାନଙ୍କୁ ସାଙ୍ଗରେ ନେବା ପରେ ସାଂସଦ ହୋଇପାରିଛନ୍ତି।”

Advertisment

ଏହାକୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ମୁଖପାତ୍ର ଅତୁଲ ଲୋନ୍ଧେ କହିଛନ୍ତି, “ନୀତେଶ ରାଣେଙ୍କ ଠାରୁ ଜଣେ ଆଉ କ’ଣ ଆଶା କରିପାରିବ? ସେ ଏସବୁ କାମ କରିବାକୁ ନିର୍ବାଚିତ ହୋଇଛନ୍ତି। ତଥାପି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି।

ଯେଉଁ ବ୍ୟକ୍ତି(ନୀତେଶ ରାଣେ) ରାଜ୍ୟର ଜଣେ ମନ୍ତ୍ରୀ ଭାବେ ସମ୍ବିଧାନର ଶପଥ ନେଇ ଭାରତର ଏକତା ଓ ଅଖଣ୍ଡତାକୁ କାଏମ ରଖିବା ବୋଲି ପ୍ରତିଜ୍ଞା କରିଥିଲେ, ସେ ଏବେ ଦେଶର ଗୋଟିଏ ରାଜ୍ୟକୁ ପାକିସ୍ତାନ ବୋଲି କହୁଛନ୍ତି। ସେ ଭୋଟରମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଉଛନ୍ତି। ଏପରି ସ୍ଥିତିରେ ସେ ମନ୍ତ୍ରୀ ପଦରେ ରହିବା ଉଚିତ କି? ଆପଣ ଦୁଇ ଜଣଙ୍କୁ ମୋର ଏହି ଗୋଟିଏ ପ୍ରଶ୍ନ।”

ଶିବସେନା(ୟୁବିଟି) ନେତା ଆନନ୍ଦ ଦୁବେ ମଧ୍ୟ ରାଣେଙ୍କୁ ସମାଲୋଚନା କରି ମନ୍ତ୍ରୀ ପଦ ଛାଡ଼ିବାକୁ କହିଛନ୍ତି। ବିବାଦ ବଢ଼ୁଥିବାରୁ ରାଣେ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “କେରଳ ଭାରତର ଅଂଶବିଶେଷ। କିନ୍ତୁ ସେଠାରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ହିନ୍ଦୁମାନଙ୍କୁ ମୁସଲିମ ଓ ଖ୍ରୀଷ୍ଟିୟାନରେ ପରିବର୍ତ୍ତନ କରିବା କାମ ସେଠାରେ ପ୍ରତିଦିନ ଚାଲିଛି।”

Maharashtra Nitesh Rane