ଭାଇରାଲ ଭିଡିଓରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ପୁଲିସରେ ରୁଜୁ ହେଲା ମାମଲା

ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ଦିମାନି ଆସନରୁ ନରେନ୍ଦ୍ର ସିଂହ ତୋମାର ବିଜେପି ଟିକେଟରୁ ଲଢ଼ୁଛନ୍ତି। ଏହାପୂର୍ବରୁ ହିଁ ତାଙ୍କ ପୁଅଙ୍କ ଭିଡିଓ ଭାଇରାଲ ହେଉଛି।

ଦେବେନ୍ଦ୍ର ପ୍ରତାପ ତୋମାର

  • Published: Monday, 06 November 2023
  • , Updated: 06 November 2023, 08:39 PM IST

କେନ୍ଦ୍ରମନ୍ତ୍ରୀ ତଥା ମଧ୍ୟପ୍ରଦେଶର ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ସିଂହ ତୋମାରଙ୍କ ପୁଅ ଦେବେନ୍ଦ୍ର ପ୍ରତାପ ସିଂହ ଅଡ଼ୁଆରେ ପଡ଼ିଛନ୍ତି। ସେ କୋଟି କୋଟି ଟଙ୍କାର ବେଆଇନ ନେଣଦେଣ ସମ୍ପର୍କରେ ଆଳୋଚନା କରୁଥିବା ବେଳର ଗୋଟିଏ ଭିଡିଓ ଏବେ ଭାଇରାଲ ହେଉଛି। ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଦେବେନ୍ଦ୍ର ପ୍ରତାପଙ୍କ ଭିଡିଓ ନୂଆ ବିବାଦ ସୃଷ୍ଟି କରିଛି। 

ତେବେ ଉକ୍ତ ଭିଡିଓକୁ ବିକୃତ କରି ପ୍ରସ୍ତୁତ କରାଯାଇଥିବା ଦେବେନ୍ଦ୍ର ଅଭିଯୋଗ କରିବା ପରେ ପୁଲିସ୍‌ ଅଜଣା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ପୂର୍ବରୁ ଏପରି ଭିଡିଓ ଜାରି କରି କିଛି ଲୋକ ତାଙ୍କ ଛବିକୁ ମଳିନ କରିବାକୁ ଚାହୁଁଥିବା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଦେବେନ୍ଦ୍ର ଭିଡିଓ କରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହି ସମୟରେ ସେ ୧୦୦ ଟଙ୍କା ଦେବାକୁ ଉକ୍ତ ବ୍ୟକ୍ତିଙ୍କୁ କହୁଛନ୍ତି। ଆଉ ଏକ କଲ ରେକର୍ଡିଂରେ ଜଣେ ବ୍ୟକ୍ତି ଦେବେନ୍ଦ୍ର ପ୍ରତାପଙ୍କୁ କହୁଛନ୍ତି ଯେ ୪ଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୮ କୋଟି ଟଙ୍କା ଜମା ହୋଇ ସାରିଛି।

ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ଦିମାନି ଆସନରୁ ନରେନ୍ଦ୍ର ସିଂହ ତୋମାର ବିଜେପି ଟିକେଟରୁ ଲଢ଼ୁଛନ୍ତି। ଏହାପୂର୍ବରୁ ହିଁ ତାଙ୍କ ପୁଅଙ୍କ ଭିଡିଓ ଭାଇରାଲ ହେଉଛି।

ତେବେ ଉକ୍ତ ଭିଡିଓକୁ ବିକୃତି କରି ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରି ଦେବେନ୍ଦ୍ର ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମୁଁ କୋଟି କୋଟି ଟଙ୍କାର ନେଣଦେଣ ବିଷୟରେ କଥାବାର୍ତ୍ତା କରୁଥିବା ଦାବି କରାଯାଇଛି।

କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ। ମୋ ଛବିକୁ ମଳିନ କରିବା ଓ ମୋ ସମ୍ପର୍କରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ଏପରି ବିକୃତ ଭିଡିଓ ପ୍ରସ୍ତୁତ କରାଯାଇଛି। ମୋ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ବିଭିନ୍ନ ସୋଶାଲ ମିଡିଆ ପ୍ଲାଟଫର୍ମରେ ଫେକ ଭିଡିଓ ଭାଇରାଲ କରାଯାଉଛି।”

ଦେବେନ୍ଦ୍ରଙ୍କ କହିବା କଥା ଯେ ସେ କିମ୍ବା ତାଙ୍କ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ କେବେ ହେଲେ ବି ଏତେ ପରିମାଣର ଟଙ୍କା ଜମା ହୋଇନାହିଁ। ଯାହା ବି ଅଭିଯୋଗ ଆସିଛି, ସେସବୁ ମିଥ୍ୟା ଓ କପୋଳକଳ୍ପିତ। ତେଣୁ ଏହାର ତଦନ୍ତ ବିସ୍ତୃତ ଭାବେ କରାଯାଇ ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

Related story