Advertisment

ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ: ବୈଠକରେ ପାଟିତୁଣ୍ଡ, ଅଧାରୁ ଚାଲିଗଲେ ମେୟର ଓ କମିଶନର

ସିଏମସିର କାଉନସିଲ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାକୁ ଥିଲା।

author-image
Hemant Lenka
CMC

CMC

କଟକ ମହାନଗର ନିଗମ(ସିଏମସି) କାଉନସିଲ ବୈଠକରେ ପୁଣି ହୋହଲ୍ଲା। ବାଲିଯାତ୍ରା ଦୁର୍ନୀତିର ତଦନ୍ତ ଦାବିରେ ବିରୋଧୀ କର୍ପୋରେଟରଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ କର୍ପୋରେଟର ବାଲିଯାତ୍ରା ଦୁର୍ନୀତିର ତଦନ୍ତ ଦାବି କରି ପାଟି ତୁଣ୍ଡ କରୁଥିବା ବେଳେ ବୈଠକ ଅଧାରୁ ମେୟର ସୁବାଷ ସିଂ ଓ କମିଶନର ନିଖିଲ ପବନ କଲ୍ୟାଣ ଉଠି ପଳାଇଛନ୍ତି।

Advertisment

ସିଏମସିର କାଉନସିଲ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାକୁ ଥିଲା। କିଛି ପ୍ରସ୍ତାବ ଉପରେ ଅନୁମୋଦନ ହାସଲ କରିବାକୁ ମଧ୍ୟ ମେୟର ସିଂ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବୈଠକ ଆରମ୍ଭରୁ ବିରୋଧୀ କର୍ପୋରେଟର ବାଲିଯାତ୍ରା ଦୁର୍ନୀତି ନେଇ ପ୍ରଶ୍ନ କରିବା ସହ ପ୍ଲା-କାର୍ଡ ଦେଖାଇ ବିରୋଧ କରିଥିଲେ।

ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ମେୟରଙ୍କୁ ଦୁର୍ନୀତି ଅଭିଯୋଗ ଉପରେ ଆଲୋଚନା କରିବାକୁ ସେମାନେ ପ୍ରସ୍ତାବ ବି ଦେଇଥିଲେ। କିନ୍ତୁ ମେୟର କିମ୍ବା କଟକ କମିଶନର ଏହାକୁ କର୍ଣ୍ଣପାତ କରି ନଥିଲେ। ଏଥିଯୋଗୁ ବିରୋଧୀ ସଦସ୍ୟମାନେ ବୈଠକ ଚଳାଇ ଦେଇ ନଥିଲେ।

Advertisment

ଏହାକୁ ଶାସକ ଦଳର କର୍ପୋରେଟରମାନେ ବିରୋଧ କରିଥିଲେ। ଫଳରେ ଶାସକ ଓ ବିରୋଧୀ କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ସ୍ଥିତି ଅଧିକ ଜଟିଳ ହେବାରୁ ବୈଠକ ଅଧାରୁ ବାତିଲ କରି ମେୟର ଓ କମିଶନର ଚାଲି ଯାଇଛନ୍ତି।

ଘଟଣା ସମ୍ପର୍କରେ ମେୟର ସୁବାଷ ସିଂ କହିଛନ୍ତି, “କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ ହାସଲ କରିବାର ଥିଲା। ଏନେଇ ମୁଁ ଭାଇମାନଙ୍କୁ ନିବେଦନ କରିଥିଲି। କିନ୍ତୁ ସେମାନେ ବୈଠକ ଚଲାଇ ଦେଉନାହାନ୍ତି। କାଉନସିଲରେ ସବୁ ଦଳର ସଦସ୍ୟ ରହିଛନ୍ତି। ଏହା ଗଣତାନ୍ତ୍ରିକ ପରମ୍ପରା। ହେଲେ କାଉସିଲକୁ ଚଳାଇ ନ ଦେବା ଠିକ ନୁହେଁ। ପ୍ରସ୍ତାବକୁ ଅନୁମୋଦନ ନ ମିଳିବାରୁ କାମ ହେଉନି। ହାଇକୋର୍ଟ ମଧ୍ୟ କାମ ନ ହେବାରୁ ବିରକ୍ତ ହେଉଛନ୍ତି।

କାମ ହେବା ଦରକାର। ବୈଠକ ବେଳେ ମୁଁ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲି। କିନ୍ତୁ ସେମାନେ ଆଲୋଚନା ନ କରି ପ୍ଲା-କାର୍ଡ ଦେଖାଇ ବିଶୃଙ୍ଖଳା କରିଥିଲେ। ଭିତ୍ତିହୀନ ପ୍ରସଙ୍ଗ ସେମାନେ ଉଠାଇଛନ୍ତି। ୩ରୁ ୪ ଜଣ କର୍ପୋରେଟର ପୂରା ସିମଏମସି କାଉନସିଲ ବୈଠକକୁ ଚଳାଇବାକୁ ଦେଉନାହାନ୍ତି। ସେମାନଙ୍କୁ ଆଲୋଚନା ପାଇଁ ନିବେଦନ କରିଥିଲେ ହେଁ ସେମାନେ କିଛି ବି ଶୁଣୁ ନାହାନ୍ତି।

ସବୁ ବୈଠକରେ ଏପରି ବିଶୃଙ୍ଖଳା ଦେଖିବାକୁ ମିଳୁଛି। ସେମାନେ କେବଳ ଭାଣ୍ଡାମୀ କରୁଛନ୍ତି। କିଛି ଦୁର୍ନୀତି ନାହିଁ। କଟକକୁ ମେଟ୍ରୋ ଆସୁଛି। ୨ ଦିନ ପରେ ଶିଳାନ୍ୟାସ ହେବ। ରୂପାନ୍ତରୀକରଣରେ ସହାୟତା କରନ୍ତୁ। ତ୍ରୁଟି ଥିଲେ ଜଣାନ୍ତୁ। ମିଳିମିଶି ସବୁ କରିବା। କିନ୍ତୁ ଖାଲି ଦୁର୍ନୀତି ଦୁର୍ନୀତି ହେଲେ କ’ଣ ହେବ।”

୨୬ ନମ୍ବର ୱାର୍ଡର କର୍ପୋରେଟର ଗଗନ ଓଝା କହିଛନ୍ତି, “ମହାଦୁର୍ନୀତିର ଯେଉଁ ମହାଶବ୍ଦ କଟକ ମହାନଗର ନଗମରେ ଉଠିଛି। ଏହା କର୍ପୋରେଟରମାନଙ୍କ କଥା ନୁହେଁ। ଏହା ପୂରା କଟକଟବାସୀଙ୍କ କଥା। ଏଜେନ୍ସି ଲଗାଇ ସିଏମସିର କୋଟି କୋଟି ଟଙ୍କା ବର୍ବାଦ କରାଯାଇଛି। ଆଜିର ବୈଠକରେ ଆମେ ବାଲିଯାତ୍ରାରେ ହୋଇଥିବା ବ୍ୟୟର ପ୍ରକୃତ ହିସାବ ମାଗିଥିଲୁ। ମେୟର ଏହା ଶୁଣି ରାଗି ଯାଇଥିଲେ ଓ ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କରିଥିଲେ।

ଗେଟ ପାଇଁ ୩୨ ଲକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି। ଆମେ ତା’ର ହିସାବ କେବଳ ମାଗିଥିଲୁ। ଏଭଳି ମିଛୁଆ ମେୟର ମୁଁ କେବେ ଦେଖିନି। ସେ ଶାଳୀନତା ରକ୍ଷା କରୁ ନାହାନ୍ତି। ସେ କହୁଥିବା ଶବ୍ଦର ମାନେ ନିଜେ ଜାଣି ନାହାନ୍ତି। ସେ ହେଉଛନ୍ତି ଜଣେ ବଡ଼ ମିଛୁଆ। ବାଲି ଯାତ୍ରାରେ ହେଇଥିବା ମହାଦୁର୍ନୀତି ସମ୍ପର୍କରେ ସେ ଆଲୋଚନା କାହିଁକି କରୁ ନାହାନ୍ତି?”

ରିପୋର୍ଟ ଅନୁସାରେ ବାଲିଯାତ୍ରା ପାଇଁ ତିଆରି ହୋଇଥିବା ଦୁଇଟି ଅସ୍ଥାୟୀ ଗେଟ ବାବଦକୁ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବେଲ ଭ୍ୟୁ ସ୍କୋୟାର ଓ ତେଲେଙ୍ଗାପେଣ୍ଠରେ ଏହି ଗେଟ ତିଆରି ହୋଇଥିଲା। ସେହିପରି ବାଲିଯାତ୍ରାର ପ୍ରଥମ ଦୁଇ ଦିନ ଲେଜର ଶୋ’ର ବ୍ୟବସ୍ଥା ହୋଇଥିଲା। ଲାଇଟର ମାନ ଖରାପ ଥିଲେ ହେଁ ଏଥିପାଇଁ ୯୬ ଲକ୍ଷ ଟଙ୍କାର ବିଲ କରାଯାଇଛି। 

Odisha Cmc Cuttack Bali Yatra