Advertisment

ପୁଣି ବଢ଼ିଲା ମେଣ୍ଟ ଚର୍ଚ୍ଚା, ଖୋରାକ ଯୋଗାଇଲା ରାଜଦୀପଙ୍କ ପୋଷ୍ଟ

କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିବା ବେଳେ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋଶାଲ ମିଡିଆ ପୋଷ୍ଟ ।

author-image
Niharika Rout
Naveen Patnaik & Narendra Modi

Naveen Patnaik & Narendra Modi

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ନେଇ ଲାଗି ରହିଛି ସସ୍‌ପେନ୍ସ। ଦ୍ୱନ୍ଦ୍ୱ ଭିତରେ ପୁଣି ବଢ଼ିଛି ରାଜ୍ୟରେ ମେଣ୍ଟ ଚର୍ଚ୍ଚା। କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡକରା ପାଇ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଥିବା ବେଳେ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋଶାଲ ମିଡିଆ ପୋଷ୍ଟ ।

Advertisment

ଏକ୍ସରେ ରାଜଦୀପ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ । ଏହା ସହ ସିଟ ଶେଆରିଂ ପ୍ରସଙ୍ଗରେ କହିଛନ୍ତି, ମେଣ୍ଟ ହେଲେ ବିଜେପି ୧୩ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ବିଜେଡି ଭାଗରେ ୮ ଆସନ ରହିବ । ସେହିପରି ବିଧାନସଭା ଆସନ ମଧ୍ୟରୁ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ପ୍ରାର୍ଥୀ ଦେଇପାରେ ।

 ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଦିଲ୍ଲୀରେ ଥିବାରୁ ମେଣ୍ଟ ନେଇ ଆଲୋଚନା ହେଉଥିବା ଚର୍ଚ୍ଚା ଦେଉଛି । କିନ୍ତୁ ପୂର୍ବରୁ ମନମୋହନ, ବିଜୟ ସିଂ ତୋମାର ଓ ଲତା ଉସେଣ୍ଡି ମେଣ୍ଟ ପ୍ରସଙ୍ଗକୁ ଅସ୍ୱୀକାର କରି ସାରିଛନ୍ତି।

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଗତ ସପ୍ତାହରେ ଦେଶର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇ ନଥିଲା।

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିବା ପୂର୍ବରୁ ଗତକାଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିଥିଲା। ଏହି ବୈଠକରେ ୮ଟି ରାଜ୍ୟର ୯୯ ସିଟ୍‌ ପାଇଁ ପ୍ରାର୍ଥୀ ଚୟନ ଫାଇନାଲ୍‌ ହୋଇଥିବା ଜଣାଯାଇଛି।

ତେବେ ଏହି ବୈଠକରେ ଓଡ଼ିଶାର ସିଟ୍‌ ପାଇଁ ବି ଆଲୋଚନା ହୋଇଥିବା ଜଣାଯାଇଛି। । ସେହି ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଟିମ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି।

ଦିଲ୍ଲୀ ଯିବା ପୂର୍ବରୁ ମନମୋହନ ସାମଲ କହିଥିଲେ ଯେ “ଦିଲ୍ଲୀରୁ ଯେତେବେଳେ ଡକରା ଆସିବ ସେତେବେଳେ ଆମେ ଯିବୁ। ଡକରା ଆସିଲେ ପୂରା ଟିମ୍ ଦିଲ୍ଲୀ ଯିବ। କ’ଣ ଆଲୋଚନା ହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ।”

ଓଡ଼ିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଉଛି କି ବୋଲି ପ୍ରଶ୍ନରେ ମନମୋହନ କହିଛନ୍ତି, ଜନସାଧାରଣ ବେଷ୍ଟ ଜଜ୍। ସେମାନେ ହିଁ ନିଷ୍ପତ୍ତି ନେବେ ବୋଲି କହିଥିଲେ।

BjD Bjp