Advertisment

ରୁନୁ ଭାଇ ନାହିଁ ତ ବବି ଭାଇ ନାହିଁ; ବାରକୋଟରେ ଶଙ୍ଖ ଚିହ୍ନ ରହିବ ନାହିଁ...

ରୋମାଞ୍ଚଙ୍କ ପରି ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ ଗାଁକୁ ଗାଁ ବୁଲୁଛନ୍ତି। ଗତ ଦୁଇ ବର୍ଷ ହେଲା ଗାଁ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରୁଛନ୍ତି। ତେଣୁ ରାଣୀଙ୍କ ପ୍ରତି ଲୋକଙ୍କର ସ୍ୱତନ୍ତ୍ର ଆବେଗ ରହିଛି ବୋଲି ଆଲୋଚନା ହେଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

‘ରୁନୁ ଭାଇ ନାହିଁ ତ ବବି ଭାଇ ନାହିଁ... ବାରକୋଟରେ ଶଙ୍ଖ ଚିହ୍ନ ରହିବ ନାହିଁ... ବିଜେଡି ପୋଷ୍ଟର ଲାଗବ ନାହିଁ...।’ ଏମିତି କେତେ କ’ଣ...। ଦେବଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା ହେଉନଥିବାରୁ ରୁନୁଙ୍କ ସମର୍ଥକ ତଥା ଦଳୀୟ କର୍ମକର୍ତ୍ତାମାନେ ସଭା କରି ଏପରି ରଣହୁଙ୍କାର ଦେଇଛନ୍ତି। ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ଦଳର ମୁଖିଆଙ୍କ ସହିତ ଅକଳରେ ପଡ଼ିଛନ୍ତି ବବି ଓରଫ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯିଏ ଏଥର ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। 

Advertisment

ଦେବଗଡ଼ ନିର୍ବାଚନମଣ୍ଡଳୀ ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି? ସେ ନିଷ୍ପତ୍ତି ନେଇପାରୁନି ଦଳ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଓରଫ ରୁନୁ। ସେ ମାତ୍ର ୭ ହଜାର ୧୦୬ ଖଣ୍ଡ ଭୋଟ୍‌ରେ ବିଜେପିର ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କଠାରୁ ହାରି ଯାଇଥିଲେ। ଏହା ଭିତରେ ୫ ବର୍ଷ ବିତି ଗଲାଣି। ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ସଜାଡ଼ିଛନ୍ତି ରୁନୁ। ଭାବି ଭାବିଥିଲେ ୨୦୧୯ ପରି ୨୦୨୪ରେ ଟିକେଟ ମିଳିବ। ହେଲେ ସେ ଆଶା ମଉଳିବାକୁ ଯାଉଛି। କାରଣ ଇତି ମଧ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଲାଣି ବିଜେଡି। ହେଲେ ଆଜି ପର୍ଯ୍ୟନ୍ତ ଦେବଗଡ଼ ପ୍ରାର୍ଥୀଙ୍କ ନାଁ ଘୋଷଣା ହେଉନାହିଁ। ତେଣୁ ଟିକେଟ ଆଶାୟୀ ରୁନୁ ଓ ତାଙ୍କ ସମର୍ଥକଙ୍କ ମନରେ ସନ୍ଦେହ ବଢ଼ୁଛି।

ଟିକେଟ ନେଇ ସେମାନଙ୍କ ଆଶଙ୍କା ପଛରେ ଆଉ ଏକ କାରଣ ରହିଛି। ବିଜେଡିରୁ ଟିକେଟ ପାଇବାକୁ ଆଶା ରଖିଛନ୍ତି ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ ଦେବୀ। ସେ ଗାଁକୁ ଗାଁ ବୁଲୁଛନ୍ତି। ଗତ ଦୁଇ ବର୍ଷ ହେଲା ଗାଁ ଲୋକଙ୍କ ସମସ୍ୟା ଶୁଣି ସମାଧାନ କରୁଛନ୍ତି। ତେଣୁ ତାଙ୍କ ପ୍ରତି ଲୋକଙ୍କର ସ୍ୱତନ୍ତ୍ର ଆବେଗ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ରୋମାଞ୍ଚଙ୍କୁ ମଧ୍ୟ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତିଁ ଦଳ। ଯେଉଁଥିପାଇଁ ବିଜେଡି ମୁଖିଆ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି ବୋଲି କୁହାଯାଉଛି। 

Advertisment

ବିଜେଡି ପ୍ରାର୍ଥୀ ଘୋଷଣାରେ ବିଳମ୍ୱ ଓ ରାଣୀଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ବୁଧବାର ବୈଠକ କରିଥିଲେ ରୁନୁଙ୍କ ସମର୍ଥକ। କଲା ଆମ୍ୱ ବଗିଚାରେ ରାତି ଅଧିଆ ବୈଠକ କରିଥିଲେ ସେମାନେ। ରୁନୁଙ୍କୁ ପ୍ରାର୍ଥୀ କରିବାକୁ ଦାବି ଜଣାଇବା ସହିତ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଶୁଣିବାକୁ ମିଳୁଛି- ‘ରୁନୁ ଭାଇ ନାହିଁ ତ ବବି ଭାଇ ନାହିଁ... ବାରକୋଟରେ ଶଙ୍ଖ ଚିହ୍ନ ରହିବ ନାହିଁ... ବିଜେଡି ପୋଷ୍ଟର ଲାଗିବ ନାହିଁ। ଜୟ ରୁନୁ ଭାଇ...।’ ଏମିତି କେତେ କଣ ରୋମାଞ୍ଚଙ୍କ ସମର୍ଥକମାନେ କହୁଥିବା ଶୁଣିବାକୁ ମିଳିଛି ଏହି ଭିଡିଓରେ। 

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

BjD Loksabha Election