/odisha-reporter/media/post_attachments/uploadimage/library/16_9/16_9_0/IMAGE_1690025888.jpg)
Ashok Gehlot
ମଣିପୁର ହିଂସା ଓ ମହିଳା ବିରୋଧୀ ଅତ୍ୟାଚାରକୁ ନେଇ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିପୁର ଉଲଗ୍ନ ଭିଡିଓ ଉପରେ ପ୍ରତିକ୍ରିୟା ଦେବା ପରେ ମୋଦି ରାଜସ୍ଥାନ ଓ ଛତିଶଗଡ଼ର ନାଁ ଧରିଥିଲେ।ତାଙ୍କର ଏପରି ବୟାନ ରାଜସ୍ଥାନବାସୀଙ୍କ ଆତ୍ମସମ୍ମାନକୁ ଆଘାତ ଦେଇଥିବା ସେ କହିଛନ୍ତି।
ତେବେ ଗେହଲଟଙ୍କୁ ମହିଳା ବିରୋଧୀ ହିଂସା ପାଇଁ ପୁଣିଥରେ ଟାର୍ଗେଟ କରିଛନ୍ତି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧା। ଗତକାଲି ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ମନ୍ତ୍ରୀ ପଦ ଯାଇଥିଲେ ମଧ୍ୟ ରାଜେନ୍ଦ୍ର ଏବେ ବି କଂଗ୍ରେସର ବିଧାୟକ ଭାବେ ରହିଛନ୍ତି।
ସେ କଂଗ୍ରେସରେ ରହି ମଧ୍ୟ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦକ୍ଷତା ଥିବା ଲୋକଙ୍କୁ ରାଜ୍ୟର ଗୃହ ବିଭାଗ ଦାୟିତ୍ୱ ହସ୍ତାନ୍ତର କରି ଦିଅନ୍ତୁ ବୋଲି ସେ କହିଛନ୍ତି। ରାଜେନ୍ଦ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁ ନାହାନ୍ତି, ଉତ୍ତର ମଧ୍ୟ ଦେଉ ନାହାନ୍ତି। ସେ ଗୋଡ଼ରେ ବ୍ୟାଣ୍ଡେଜ ବାନ୍ଧି ବସି ରହିଛନ୍ତି। ସେ ଗୃହ ବିଭାଗକୁ ଅନ୍ୟ କାହାକୁ ହସ୍ତାନ୍ତର କରନ୍ତୁ।
ଗେହଲଟ ନିଜର ଉତ୍ତରଦାୟିତ୍ୱ ହରାଇ ସାରିଛନ୍ତି। ମୁଁ ଶ୍ରୀ ଗେହଲଟଙ୍କୁ କହିବାକୁ ଚାହୁଁଛି ଯେ ଆମ ଝିଅମାନେ ସୁରକ୍ଷିତ ନୁହନ୍ତି। ଆମକୁ ଏହା ଉପରେ କାମ କରିବାକୁ ପଡ଼ିବ। କିନ୍ତୁ ପୁଲିସ୍ କେବଳ ଟଙ୍କା ସଂଗ୍ରହ କରିବାରେ ଲାଗିଛି।
ମୁଁ କ୍ୟାବିନେଟ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲି। ସେମାନେ ମୋତେ ବହିଷ୍କାର କରନ୍ତୁ କିମ୍ବା ଜେଲରେ ପୂରାନ୍ତ, ମୁଁ ଏହି ପ୍ରସଙ୍ଗ ଉଠାଇବି। ମହିଳାମାନେ ଆମ ରାଜ୍ୟରେ ସୁରକ୍ଷିତ ନୁହନ୍ତି ଓ ତଥ୍ୟ ଏହା କହୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
