Advertisment

ରେଡ୍‌ ଡାଏରୀ ପଢ଼ି ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଟାର୍ଗେଟ କଲେ ବହିଷ୍କୃତ ମନ୍ତ୍ରୀ

ରେଡ୍‌ ଡାଏରୀରେ ଗେହଲଟଙ୍କ ବେଆଇନ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଥିବା ନେଇ ରାଜେନ୍ଦ୍ର ଦାବି କରିଥିଲେ। ଆଜି ସେ ଏହାର କିଛି ବିଷୟବସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

author-image
Hemant Lenka
Congress

Congress

ରେଡ୍‌ ଡାଏରୀ ଦେଖାଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରୁଥିବା ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧା ଆଜି ନୂଆ ପଦକ୍ଷେପ ନେଇଛନ୍ତି। ରେଡ୍‌ ଡାଏରୀରେ ଗେହଲଟଙ୍କ ବେଆଇନ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଥିବା ନେଇ ରାଜେନ୍ଦ୍ର ଦାବି କରିଥିଲେ। ଆଜି ସେ ଏହାର କିଛି ବିଷୟବସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ବୁଧବାର ସେ ସାମ୍ବାଦିକ ସମ୍ମିଳନୀ କରି ଡାଏରୀର କିଛି ଅଂଶ ପଢ଼ିଛନ୍ତି ଓ ଏଥିରେ ଅଶୋକ ଗେହଲଟ ସରକାରଙ୍କ ଦୁର୍ନୀତିର ଚିଠା ରହିଥିବା ଦାବି କରିଛନ୍ତି। ରାଜେନ୍ଦ୍ର କହିଛନ୍ତି, “ଯଦି ବି ମୁଁ ଜେଲ ଯାଉଛି, ତା’ହେଲେ ବି ଏହି ଡାଏରୀରୁ ନୂଆ ଖୁଲାସା ହେବ। ଏହି ଡାଏରୀରେ ଦୁର୍ନୀତିର ବିସ୍ତୃତ ତଥ୍ୟ ରହିଛି। ଅଶୋକ ଗେହଲଟ ସରକାର କରିଥିବା ସବୁ ଦୁର୍ନୀତିର ତଥ୍ୟ ଏଥିରେ ରହିଛି। ସେମାନେ ଏବେ ମୋ ନାଁରେ ମିଥ୍ୟା କେସ୍‌ କରିବାକୁ ଚେଷ୍ଟା କରୁଛନ୍ତି।”

ଡାଏରୀ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଏଥିରେ ଗେହଲଟଙ୍କ ପୁଅ ବୈଭବ ଓ ପର୍ଯ୍ୟଟନ ବିକାଶ ପରିଷଦର ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରହିଛି। ବୈଭବ ଏବେ ରାଜସ୍ଥାନ କ୍ରିକେଟ ଆସୋସିଏସନର ସଭାପତି ରହିଛନ୍ତି।

Advertisment

ଡାଏରୀରେ ଧର୍ମେନ୍ଦ୍ର ରାଠୋର ଲେଖିଛନ୍ତି, “ବୈଭବଜୀ ଓ ମୁଁ ମିଳିତ ଭାବେ ରାଜସ୍ଥାନ କ୍ରିକେଟ ଆସୋସିଏସନର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କଥା ହୋଇଥିଲୁ। ପୂର୍ବ ଚୁକ୍ତି ଅନୁସାରେ ରାଜସ୍ଥାନ କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ଭବାନୀ ଶଙ୍କର ସାମୋଟା କେମିତି ଲୋକଙ୍କ ଟଙ୍କା ଦେଇ ନଥିଲେ, ସେକଥା ଆଲୋଚନା ହୋଇଥିଲା। ଭବାନୀ ଶଙ୍କର ସାମୋଟା ଓ  ପୂର୍ବରୁ ଆସୋସିଏସନ ସହ ଜଡ଼ିତ ଥିବା ରାଜୀବ ଖାନ୍ନା ଏକାଠି ଘରକୁ ଆସିଥିଲେ।

 ସେମାନେ କ୍ରିକେଟ ଆସୋସିଏସନ ନିର୍ବାଚନର ଖର୍ଚ୍ଚ ସମ୍ପର୍କରେ କିଛି ହିସାବ କରିଥିଲେ। ଅଧିକାଂଶ ଲୋକଙ୍କୁ ଭବାନୀ ଶଙ୍କର କରିଥିବା ପ୍ରତିଶ୍ରୁତିକୁ ପୂରଣ କରି ନଥିଲେ। ମୁଁ ଏହା ଠିକ ନୁହେଁ ବୋଲି କହିଥିଲି। ଏହାପରେ ଭବାନୀ ଶଙ୍କର ସିପି ସାହେବ(ରାଜସ୍ଥାନ ବିଧାନସଭା ବାଚସ୍ପତି) ଙ୍କୁ ସବୁ କିଛି କହିବେ ବୋଲି କହିଥିଲେ। ଏଥିସହ ମୋତେ ଜାନୁଆରୀ ୩୧ ସୁଦ୍ଧା ଜଣାଇବେ ବୋଲି ସୂଚନା ଦେଇଥିଲେ” ବୋଲି ଡାଏରୀରେ ଲେଖାଥିବା ଗୁଧା ପଢ଼ି ସମସ୍ତଙ୍କୁ ଶୁଣାଇଛନ୍ତି।

ଭବାନୀ ଶଙ୍କର କେମିତି ଲୋକଙ୍କୁ ଟଙ୍କା ଦେଇଥିଲେ, ସେକଥା ମଧ୍ୟ ଡାଏରୀରେ ଥିବା ସେ ଦାବି କରିଛନ୍ତି। ଗୁଧା ଦାବି କରିଥିବା ମୁଁ ଶବ୍ଦ ସେ ସମ୍ଭବତଃ ଧର୍ମେନ୍ଦ୍ର ରାଠୋରଙ୍କ ପାଇଁ ବ୍ୟବହାର କରିଥିବା କୁହାଯାଉଛି।

ଧର୍ମେନ୍ଦ୍ର ରାଠୋରଙ୍କ ଘରେ ୨୦୨୦ ଜୁଲାଇରେ ଆୟକର ରେଡ ହୋଇଥିଲା। ଏହି ସମୟରେ ଉକ୍ତ ଡାଏରୀ ଗୁଧା ପାଇଥିବା କହିଛନ୍ତି। ଗେହଲଟଙ୍କ ସରକାରରେ ଗୁଧା ମନ୍ତ୍ରୀ ଥିଲେ। କିନ୍ତୁ ସେ ନିଜ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି। ସେବେଠାରୁ ସେ ରେଡ୍‌ ଡାଏରୀ ଦେଖାଚାଲିଛନ୍ତି।

Ashok Gehlot Rajasthan