Advertisment

ବିରୋଧୀ ମେଣ୍ଟରୁ ଓହରି ଗଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି

ଏମଭିଏରେ ଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଆଜି ମେଣ୍ଟରୁ ଓହରି ଯାଇଛି।

sp

sp

Advertisment

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି(ଏମଭିଏ)କୁ ଶକ୍ତ ଝଟକା ଲାଗିଛି। ଏମଭିଏରେ ଥିବା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଆଜି ମେଣ୍ଟରୁ ଓହରି ଯାଇଛି। ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ସହଯୋଗୀ ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାରେ ବିବାଦୀୟ ବୟାନ ଦେବାକୁ ସପା ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Advertisment

ବାବ୍ରୀ ମସଜିଦ ଭଙ୍ଗା ଯିବା ଘଟଣାର ୩୨ ବର୍ଷ ପୂର୍ତ୍ତି ଅବସରରେ ଉଦ୍ଧବ ଠାକରେଙ୍କ ଶିବସେନାର ବରିଷ୍ଠ ନେତା ମିଲିନ୍ଦ ନରଭେକର ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରିଛନ୍ତି।

ସେ ପୋଷ୍ଟ କରିଥିବା ଫଟୋରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଉଛି। ଏଥିରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଗୋଟିଏ ଉକ୍ତି ରହିଛି। ବାଲା ସାହେବ ଏଥିରେ କହିଛନ୍ତି, “ଏହାକୁ ଯେଉଁମାନେ କରିଛନ୍ତି(ଭାଙ୍ଗିଛନ୍ତି) ସେମାନଙ୍କ ପାଇଁ ମୁଁ ଗର୍ବିତ।” ଏହି ଫଟୋରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ନରଭେକରଙ୍କ ଫଟୋ ମଧ୍ୟ ରହିଛି।

Advertisment

ଏପରି ପୋଷ୍ଟକୁ ବିରୋଧ କରି ସପା ଏମଭିଏରୁ ଓହରି ଯାଇଛି। ମହାରାଷ୍ଟ୍ରରେ ସପାର ୨ ଜଣ ବିଧାୟକ ରହିଛନ୍ତି। ଆଜି ବିଧାନସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଏମଭିଏ ଦଳଗୁଡ଼ିକ ଇଭିଏମକୁ ଦୋଷ ଦେଇ ବୟକଟ କରିଥିଲେ। ହେଲେ ସପାର ରାଜ୍ୟ ସଭାପତି ତଥା ବିଧାୟକ ଅବୁ ଅସିମ ଅଜମି ଓ ବିଧାୟକ ରୈସ ଶେଖ ଏମଭିଏ ନିଷ୍ପତ୍ତିକୁ ଖାତିର ନ କରି ବିଧାୟକ ଭାବେ ଶପଥ ନେଇଛନ୍ତି।

ଅଜିମ ଗୋଟିଏ ବିବୃତିରେ କହିଛନ୍ତି, “ସାଂପ୍ରଦାୟିକ ବିଚାରଧାରା ସହ ସପା କେବେ ହେଲେ ରହିପାରିବ ନାହିଁ। ତେଣୁ ଆମେ ମହା ବିକାଶ ଅଘାଡ଼ିରୁ ନିଜକୁ ପୃଥକ କରୁଛୁ। ଶିବସେନା(ୟୁବିଟି) ପକ୍ଷରୁ ଖବରକାଗଜରେ ବିଜ୍ଞାପନ ଦିଆଯାଇ ବାବ୍ରୀ ମସଜିଦକୁ ଧ୍ୱଂସ କରିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଯାଉଛି। ତାଙ୍କ (ଉଦ୍ଧବ ଠାକରେ) ସହଯୋଗୀ ମଧ୍ୟ ଏକ୍ସରେ ପୋଷ୍ଟ କରି ମସଜିଦ ଭଙ୍ଗା ଘଟଣାକୁ ପ୍ରଶଂସା କରୁଛନ୍ତି।

ଆମେ ଏମଭିଏରୁ ଓହରି ଯାଉଛୁ। ମୁଁ ସମାଜବାଦୀ ସଭାପତି ଅଖିଲେଶ ଯାଦବଙ୍କ ସହ କଥା ହୋଇ ସାରିଛି। ଏମଭିଏରେ ଥିବା କେହି ଯଦି ଏମିତି ଭାଷା କହିବେ, ତା’ହେଲେ ବିଜେପି ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ? କାହିଁକି ଆମେ ସେମାନଙ୍କ ସହ ରହିବୁ।”

ମହାରାଷ୍ଟ୍ରରେ ଅନୁଷ୍ଠିତ ଲୋକସଭା ଓ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସପା ବିରୋଧୀ ମେଣ୍ଟ ଏମଭିଏ ସହ ହାତ ମିଳାଇ ପ୍ରାର୍ଥୀ ଦେଇଥିଲେ। ହେଲେ ଏବେ ମେଣ୍ଟରୁ ଦଳ ଓହରି ଯାଇଛି। 

Akhilesh Yadav Uddhav Thackeray Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe