/odisha-reporter/media/post_attachments/uploadimage/library/16_9/16_9_0/Sameer_Das_1713431396.jpg)
Sameer Das
ନିମାପଡ଼ାର ତିନି ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏଥର ଟିକେଟ ଦେଇନି ବିଜେଡି। ତାଙ୍କ ବଦଳରେ ଦଳ ଦିଲ୍ଲୀପ କୁମାର ନାୟକଙ୍କୁ ଟିକେଟ ଦେଇଛି। ଏହାକୁ ନେଇ ମନ ଊଣା କରିଛନ୍ତି ସମୀର ରଞ୍ଜନ ଦାଶ। ଆଜି ଏକ ବୈଠକରେ ଏହା ଜଳ ଜଳ ଦେଖାଯାଇଥିଲା। ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏହି ବୈଠକକୁ ସମ୍ବୋଧିତ କଲା ବେଳେ ସେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା।
ଆସନ୍ତା ଶନିବାର ନିଜ ସମର୍ଥକଙ୍କ ସହିତ ସମୀର ରଞ୍ଜନ ଦାଶ ଦଳ ନିକଟରେ ଟିକେଟ ପରିବର୍ତ୍ତନ ପାଇଁ ନିବେଦନ କରିବେ। ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଜେଡି କିଛି ସ୍ଥାନରେ ତା’ର ପୂର୍ବ ନିଷ୍ପତ୍ତିକୁ ବଦଳାଇ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ତାଙ୍କ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ଆସିବ ବୋଲି ଆଶା ରଖିଛନ୍ତି ସମୀର।
ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ସମୀର ଦେଇଥିବା ଭାଷଣରୁ ସ୍ପଷ୍ଟ ହୋଇଛି ଯେ ଟିକେଟ ନ ପାଇବା ନେଇ ସେ ଦୁଃଖୀ ଅଛନ୍ତି। ତେବେ ଦଳ ବିରୋଧରେ କୌଣସି କାର୍ଯ୍ୟ ନ କରିବାକୁ ସେ ସମର୍ଥକମାନଙ୍କୁ କହିଛନ୍ତି। ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କ ପୂରା ଭରସା ଅଛି ବୋଲି ସେ କହିଛନ୍ତି।
ବୈଠକରେ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମୀର କହିଥିଲେ, ‘ଆମର ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୂରା ବିଶ୍ୱାସ ଅଛି। ଆପଣମାନେ ଏଭଳି ଏକ ବୈଠକ ଆୟୋଜନ କରିଛନ୍ତି ବୋଲି ଆଜି ସକାଳେ ଶୁଣିଲି। ମୋ ପାଖରେ ପୂର୍ବରୁ ସୂଚନା ନଥିଲା। ବାରମ୍ବାର ଆପଣମାନଙ୍କ ଡକରା ପାଇ ମୁଁ ବାଧ୍ୟ ହେଲି ଆସିବା ପାଇଁ। ଏଠାକୁ ଆସିବାକୁ ପ୍ରକୃତରେ ମୋର ଇଚ୍ଛା ନଥିଲା। ୧୯୮୦ରୁ ୨୦୨୪- ମୋର ରାଜନୀତିକ ଜୀବନକୁ ୪୨ ବର୍ଷ ହୋଇଗଲାଣି। ଯେଉଁମାନେ ମୋ ପରିବାର ସହିତ ସଂପର୍କରେ ଅଛନ୍ତି, ସେମାନେ ଜାଣିଛନ୍ତି ଯେ ମୁଁ ମୋ ସ୍ତ୍ରୀକୁ ମଧ୍ୟ ଘଣ୍ଟାଏ ସମୟ ଦେଇ ପାରିନାହିଁ।
ଦଳ ପାଇଁ, ଲୋକଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଜାରି ରହିଛି। ମୋ ନେତା ନବୀନ ବାବୁଙ୍କ ଉପରେ ମୋର ପ୍ରଚଣ୍ଡ ଭରସା ଅଛି। ଏହି ବୈଠକକୁ ଆସିବା ପୂର୍ବରୁ ମୁଁ ଶୁଣିବାକୁ ପାଇଲି ଯେ ଶନିବାର ଏକ କାର୍ଯ୍ୟକ୍ରମ ଆପଣମାନେ ହାତକୁ ନେଇଛନ୍ତି। ନିଶ୍ଚିତ ଭାବରେ ସେ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଦଳ ଓ ଆମ ନେତାଙ୍କୁ ନିବେଦନ କରିବା ଯେ ଆମେ ନିମାପଡ଼ାର ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଛୁ ଓ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଏ ଟିକେଟ ପରିବର୍ତ୍ତନ କରନ୍ତୁ ଓ ସମୀର ଦାଶଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଅନ୍ତୁ। ଏ ନିଷ୍ପତ୍ତି ଆପଣମାନେ ନେଇଛନ୍ତି। ଆପଣମାନଙ୍କ ଏହି ନିଷ୍ପତ୍ତି ସହିତ ମୁଁ ଯୋଡ଼ି ହୋଇ ରହିଛି। ତେବେ ଧୈର୍ଯ୍ୟ ରଖିବା। ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେବା ନାହିଁ।’
ସମୀର ରଞ୍ଜନ ଦାସ ୨୦୦୯ରେ ପ୍ରଥମେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ରେ ସେ ପୁଣି ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
#ଭାବବିହ୍ୱଳ_ହେଲେ_ସମୀର !
ଅନୁଗତ ଓ କର୍ମୀଙ୍କୁ ଦେଖି ଭାବବିହ୍ୱଳ ହେଲେ ସମୀର ଦାଶ। ଟିକେଟ୍ କଟିବା ପରେ ନିମାପଡ଼ାରେ ଏକାଠି ହୋଇଥିଲେ ସମୀର ଦାଶଙ୍କ ସମର୍ଥକ। ତେବେ ନିମାପଡ଼ା ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦାଶ ଟିକେଟ ଆଶାୟୀ ଥିବା ବେଳେ ତାଙ୍କ ପରିବର୍ତ୍ତେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି। #Odisha#BJDpic.twitter.com/aCehjNHStc— Odisha Reporter (@OdishaReporter) April 18, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
