Advertisment

ଟିକେଟ କଟିବା ପରେ ଶକ୍ତି ପ୍ରଦର୍ଶନ: ‘ସମୀର ନାହିଁ ତ ଶଙ୍ଖ ନାହିଁ’ ନାରାରେ କମ୍ପିଲା ନିମାପଡ଼ା

ସମୀରଙ୍କ ଦାବି ଅନୁସାରେ ଆଜିର ସମାବେଶରେ ୪୦ ହଜାର ସମର୍ଥକ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
Samir Dash

Samir Dash

Advertisment

ଟିକେଟ୍ କଟିବାର ୩ ଦିନ ପରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ନିଜ ନିର୍ବାଚନ ମଣ୍ଡଳୀରେ ହଜାର ହଜାର କର୍ମୀଙ୍କୁ ନେଇ କରିଛନ୍ତି ବିଶାଳ ଶୋଭାଯାତ୍ରା ଓ ସମାବେଶ।

Advertisment

ନିମାପଡ଼ାର ବାରବାଟୀ ପଡ଼ିଆରେ ଆୟୋଜିତ ଏହି ସମାବେଶରେ ନିଜ ସମର୍ଥକଙ୍କ ଗହଣରେ ସମୀର ଦାଶ ଦଳୀୟ ନେତୃତ୍ୱଙ୍କୁ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି। ଏହି ସମୟରେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ ନାରା କମ୍ପିଥିଲା ବାରବାଟୀ ପଡ଼ିଆ ଓ ପୂରା ନିମାପଡ଼ା।

ସମୀରଙ୍କ ଦାବି ଅନୁସାରେ ଆଜିର ସମାବେଶରେ ୪୦ ହଜାର ସମର୍ଥକ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସେମାନେ ୩୦ ହଜାର ଲୋକଙ୍କ ସମାଗମ ଆଶା କରୁଥିବା ବେଳେ ତା’ଠାରୁ ଢେର ଲୋକ ଆସିଥିବାରୁ ସେ ଉତ୍ସାହିତ ଥିବା କହିଥିଲେ ସମୀର।

Advertisment

ସମୀର ଗଣମାଧ୍ୟମକୁ କହିଛନ୍ତି, କର୍ମକର୍ତ୍ତାମାନେ ଆଜିର ସମସ୍ତ ଆୟୋଜନ କରିଥିଲେ। ଟିକେଟ ପୁନର୍ବିଚାର ପାଇଁ ଆମ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛୁ। ତାଙ୍କ ନିଷ୍ପତ୍ତିକୁ ଆମେ ଅପେକ୍ଷା କରିବୁ। ଯଦି ଟିକେଟ ନ ବଦଳିଲା ତା’ହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ, ସେ ନେଇ ନିଷ୍ପତ୍ତି ନେବାକୁ କର୍ମକର୍ତ୍ତାମାନେ ମୋତେ ସଂପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଟିକେଟ ପରିବର୍ତ୍ତନ ନ ହେଲେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ମୁଁ କର୍ମକର୍ତ୍ତାଙ୍କ ସହିତ ବସି ଆଲୋଚନା କରିବି।

ସମୀରଙ୍କ ବଦଳରେ ବିଜେଡି ଏଥର ବିଜେପିରୁ ଆସିଥିବା ଦିଲ୍ଲୀପ ନାୟକଙ୍କୁ ନିମାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତାଙ୍କ ପ୍ରାର୍ଥୀ କରାଯିବାର ପର ଦିନ ଅର୍ଥାତ୍ ଗତ ୧୮ ତାରିଖରେ ସମୀରଙ୍କ ସମର୍ଥକମାନେ ଏକ ବୈଠକ କରିଥିଲେ। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ଶନିବାର ଏକ ବିଶାଳ ସମାବେଶ କରି ସମୀରଙ୍କୁ ଟିକେଟ ଦେବାକୁ ଦଳୀୟ ନେତୃତ୍ୱଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ଏହି ବୈଠକରେ ସମୀର ମଧ୍ୟ ଯୋଗ ଦେଇଥିଲେ। ସେଠାରେ ସେ ଭାବବିହ୍ୱଳ ହୋଇଯାଇଥିଲେ।

ପୁରୀର ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ବିବାଦରେ ଥିଲେ ସମୀର। ତେଣୁ ଦଳ ତାଙ୍କୁ ଟିକେଟ୍ ଦେଇନଥିବା ଚର୍ଚ୍ଚା ହେଉଛି।

BjD Samir Dash 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe