ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବା ପରଠୁ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିବା ଏବେ କିଛି ଆଗଧାଡ଼ିର ଦଳୀୟ ନେତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି । ବିଜେଡିର ପାଣ୍ଠିକୁ ନିଜ କବଜାରେ ରଖିଥିବା ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଯେନତେନ ପ୍ରକାରେ ସନ୍ତୁଷ୍ଟ କରି ସେମାନଙ୍କ ପ୍ରିୟପାତ୍ର ହେବାକୁ କିଛି ନେତାମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି । ଦଳରେ ତୀବ୍ର ବିରୋଧ ସତ୍ତ୍ୱେ ଗତ ୪ଦିନ ପୂର୍ବରୁ ବବିଙ୍କୁ ସଂଗଠନରେ ଏଂଟ୍ରି କରାଯାଇଥିବାବେଳେ ଆଜି ଏହାକୁ ଯଥାର୍ଥ ଦର୍ଶାଇବାକୁ ଆଗକୁ ଆସିଛନ୍ତି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା । ଯଦିଓ ଦଳର ୨୪ବର୍ଷର ଶାସନର ପତନ ପାଇଁ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ସବୁଠି ଦାୟୀ କରାଯାଉଛି ଓ ସେମାନଙ୍କ ଚାପରେ ଦଳ ଏପର୍ଯ୍ୟନ୍ତ ନିଜର ପରାଜୟର ସମୀକ୍ଷା ବୈଠକ ମଧ୍ୟ କରିପାରୁନି ତଥାପି ଏହି ଯୋଡ଼ିଙ୍କ ସୁରକ୍ଷା ପାଇଁ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ପରେ ଏବେ ସଞ୍ଜୟ ଆଗକୁ ଆସିଛନ୍ତି । ବିଜେଡି ପାଇଁ ବ୍ୟକ୍ତି ନୁହେଁ ବରଂ ବିଚାର ଓ ଆଦର୍ଶ ଗୁରୁତ୍ୱପୂର୍ଣ୍ଣ ବୋଲି କହି ପ୍ରାୟୋଜିତ ଢଙ୍ଗରେ ସଂଗଠନରେ ବବିଙ୍କ ଏଂଟ୍ରି ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସଞ୍ଜୟ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ତେବେ ଜଣେ ଅଣଓଡ଼ିଆ ଅଫିସରଙ୍କ ‘କ୍ରୀତଦାସ’ ଭାବେ ନିଜକୁ ଘୋଷଣା କରିସାରିଥିବା ବବିଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ଆଂଚଳିକ ଦଳ ବିଜେଡିର କେଉଁ ବିଚାର ଓ ଆଦର୍ଶର ପ୍ରତିଫଳନ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ନିଜ ସ୍ୱାର୍ଥ ପାଇଁ ଓଡ଼ିଆଙ୍କ ସମ୍ମାନ ଓ ସ୍ୱାଭିମାନକୁ ଭୂଲୁଣ୍ଠିତ କରିଥିବା ବିଜେଡିର କିଛି ନେତା ଏବେ ଦଳୀୟ ପାଣ୍ଠିକୁ ହାତେଇବା ପାଇଁ ପାଣ୍ଡିଆନ-ବବି ଯୋଡ଼ିଙ୍କ ତୁଷ୍ଟୀକରଣରେ ମାତିଥିବା ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ଗତ ୪ଦିନ ପୂର୍ବରୁ ଅର୍ଥାତ୍ ଜାନୁୟାରୀ ୨୮ତାରିଖରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଜାରି ନିର୍ବାଚନମଣ୍ଡଳୀ ‘ପ୍ରଭାରୀ’ତାଲିକାକୁ ନେଇ ଦଳ ଭିତରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରଭାରୀ ତାଲିକା ମାଧ୍ୟମରେ ବବିଙ୍କୁ ପୁଣିଥରେ ସଂଗଠନରେ ଏଂଟ୍ରି ଦିଆଯାଇଥିବାରୁ ଖୋଲାଖୋଲି ଭାବେ ଦଳୀୟ ମହଲରେ ନେତାମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି। ଯାହାକୁ ପ୍ରଶମିତ କରିବା ପାଇଁ ସଞ୍ଜୟ ଆଜି ନିଜଘରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ବବିଙ୍କ ନିଯୁକ୍ତିକୁ ଯଥାର୍ଥ ଦର୍ଶାଇବାକୁ ପ୍ରୟାସ କରିଛନ୍ତି। ଆଉ ଦଳର ଅଘୋଷିତ ସର୍ବେସର୍ବା ପାଣ୍ଡିଆନଙ୍କ ଇସାରାରେ ବବିଙ୍କୁ ପୁଣିଥରେ ସଂଗଠନ ଦାୟିତ୍ୱ ଦେବା ପାଇଁ ହୋଇଥିବା ରଣନୀତିକୁ କାର୍ଯ୍ୟକାରୀ କରିବାକୁ ଦେବୀ ଓ ସଞ୍ଜୟ ଆଗକୁ ଆସିଥିବା ଜଣାପଡ଼ିଛି । ନିର୍ବାଚନରେ ପରାଜିତ ହେବାପରଠୁ ଦେବୀ ଓ ସଞ୍ଜୟ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ କସରତ ଚଳାଇଛନ୍ତି । ପାଣ୍ଡିଆନ-ବବି ଯୋଡ଼ିଙ୍କ ଆଶୀର୍ବାଦ ବିନା ବିଜେଡିରେ ତିଷ୍ଠିବା ସମ୍ଭବପର ନଥିବାରୁ ଏହି ଦୁଇ ନେତା ଏବେ ସେମାନଙ୍କ ତୁଷ୍ଟୀକରଣରେ ଲିପ୍ତ ଥିବା ଚର୍ଚ୍ଚା ହେଉଛି ।
ସଞ୍ଜୟ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ନିର୍ବାଚନମଣ୍ଡଳୀରେ ସାଂଗଠନିକ ପ୍ରକ୍ରିୟାରେ କିଭଳି ସମସ୍ତଙ୍କୁ ସାମିଲ କରି ସଂଗଠନକୁ ଶକ୍ତିଶାଳୀ କରାଯିବା ସହ ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କ୍ର୍ରିୟାଶୀଳ କରାଯିବ ସେଥିପାଇଁ କିଛି ନେତୃତ୍ୱଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ଉଦ୍ୟମ କର୍ମୀମାନଙ୍କୁ ଏକଜୁଟ କରିବ ଓ ଦଳକୁ ତୃଣମୂଳସ୍ତରରେ ସଂଗଠିତ କରିବ । ଯେଉଁଠି ସଭ୍ୟ ସଂଗ୍ରହ ଅଭିଯାନ ଧିମା ରହିଛି ସେଠି ଗୁରୁତ୍ୱ୍ୱ ଦିଆଯାଇଛି । ତେବେ ବବିଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇଥିବା ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ, ସଂଗଠନକୁ ଯେତେବେଳେ ଶକ୍ତିଶାଳୀ କରାଯାଏ, ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନୁହେଁ ଦଳର ବିଚାର ଓ ଆଦର୍ଶ ଗୁରୁତ୍ୱପୂର୍ଣ୍ଣ । ଆମେ ଗୋଟିଏ ଟିମ୍ ହୋଇ କାମ କରିବୁ ବୋଲି ସେ କହିଛନ୍ତି ।
ବିଜେଡି ସୂତ୍ର ଅନୁସାରେ, ପାଣ୍ଡିଆନ-ବବି ଯୋଡ଼ିଙ୍କ ମାମଲାତି ଓ ହାକିମାତି ଯୋଗୁ ବିଜେଡିର ବିପର୍ଯ୍ୟୟ ହୋଇଥିବା ତଥା ଏବେବି ସେମାନେ ସଂଗଠନକୁ କବଜାରେ ରଖିଥିବାରୁ ଦଳର ଅଧିକାଂଶ ନେତା ଆଗକୁ ଆସିବାକୁ ଆଗ୍ରହ ଦେଖାଉନାହାନ୍ତି । ସାଂଗଠନିକ ନିର୍ବାଚନ ଶେଷ ହେବାପରେ ସଂଗଠନ ପରିଚାଳନା ପାଇଁ କେଉଁ ରୂପରେଖ ପ୍ରସ୍ତୁତ ହେଉଛି ତାହା ଉପରେ ଦଳର ଅଧିକାଂଶ ନେତା ନିରବ ରହି ନଜର ରଖିଛନ୍ତି । ଏପଟେ ଦଳର କିଛି ପରାଜିତ ନେତା ବିଗତ ୬-୭ମାସ ଧରି ଆଗକୁ ଆସି ପାଣ୍ଡିଆନ-ବବି ଯୋଡ଼ିଙ୍କ ପାଇଁ ଦଳୀୟ ମହଲରେ ମାମଲାତି କରିବାରେ ଲାଗିଛନ୍ତି । ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଦଳ ନିର୍ଦ୍ଦିଷ୍ଟ ଭାବେ ୨୭ଟି ନିର୍ବାଚନମଣ୍ଡଳୀକୁ ଚୟନ କରି ୧୦ଜଣ ନେତାଙ୍କୁ ସାଂଗଠନିକ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଦାୟିତ୍ୱ ଦେବାକୁ ମଧ୍ୟ ଦଳର କିଛି ବରିଷ୍ଠ ନେତା ସହଜରେ ହଜମ କରିପାରୁନାହାନ୍ତି । ଏପରିକି ଏହି ନିର୍ବାଚନମଣ୍ଡଳୀଗୁଡ଼ିକର ସ୍ଥାନୀୟ ନେତାମାନେ ମଧ୍ୟ ରାଜ୍ୟସ୍ତରର ସମ୍ପୃକ୍ତ ନେତାମାନଙ୍କ ମାମଲାତିକୁ ବିରୋଧ କରିବେ ବୋଲି ସଜବାଜ ହେଉଥିବା ଜଣାପଡ଼ିଛି । ତା’ଛଡ଼ା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଫେଲ୍ ମାରିଛି ବୋଲି ମଧ୍ୟ ଦେବୀଙ୍କ ‘ପ୍ରଭାରୀ’ ତାଲିକା ପରୋକ୍ଷରେ ସନ୍ଦେଶ ଦେଇଛି ।
ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏସବୁ ଡ୍ରାମା ଦଳୀୟ ପାଣ୍ଠିକୁ ନେଇ ହେଉଛି । ନିର୍ବାଚନ ପୂର୍ବରୁ ଦଳର ସମସ୍ତ ପରିଚାଳନା ପାଣ୍ଡିଆନ ଓ ବବିଙ୍କ ଉପରେ ଥିଲା । ସେମାନେ ହିଁ ଦଳୀୟ ପାଣ୍ଠି ରଖୁଥିଲେ । ଏବେ ଯେଉଁ ନେତାମାନଙ୍କୁ ଦେଖୁଛନ୍ତି କେହି ଦଳୀୟ ପାଣ୍ଠି ସମ୍ପର୍କରେ କିଛି ଜାଣନ୍ତି ନାହିଁ । ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ସଂଗଠନରେ ବିରୋଧ ହେଉଥିବାରୁ ସେମାନେ ବି ଦଳୀୟ ପାଣ୍ଠି(କଳାଧନ) ସେମାନଙ୍କ ପାଖରେ ଆଉ ନାହିଁ ,ଯାହାଥିଲା ସରିଗଲାଣି ବୋଲି ରୋକଠୋକ୍ କହିସାରିଲେଣି । ଦଳୀୟ ପାଣ୍ଠି ଏବେ ନେତାମାନଙ୍କୁ ବାଟବଣା କଲାଣି । ଖାସ୍ ସେଇଥିପାଇଁ ସଂଗଠନରେ ପୁଣିଥରେ ଏହି ଯୋଡ଼ିଙ୍କ ଗୁରୁତ୍ୱ ଆନୁଷ୍ଠାନିକ ଭାବେ ବଢ଼ାଇବାକୁ ଏଭଳି ପ୍ରହସନ ଚାଲିଛି ବୋଲି ସମ୍ପୃକ୍ତ ନେତାଜଣକ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୨୨ ନଭେମ୍ବର ୧୫ତାରିଖରେ ବ୍ରହ୍ମଗିରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସଞ୍ଜୟ ହିଁ ପରୋକ୍ଷରେ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ଟାର୍ଗେଟ୍ କରିଥିଲେ । କିଛି ବିଦେଶୀ ଶକ୍ତି ଏବେ ଓଡ଼ିଶାର ଖଣିଜସମ୍ପଦ,ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାରକୁ ଲୁଣ୍ଠନ କରି ପଳାଇବାକୁ ଷଡ଼ଯନ୍ତ୍ର ରଚିଛନ୍ତି । ଆଉ ସେଦିନ ଏହି ଜାତି ଭିତରେ ଥିବା କିଛି ଶିଖିମନେଇ ବ୍ରିଟିଶକୁ ନିଶାର୍ଦ୍ଧରେ ସ୍ୱାଧୀନ ଦୁର୍ଗ ଜିଣିବା ପାଇଁ ଯେମିତି ବାଟ ଦେଖାଇଥିଲେ ଆଜିବି ସେଭଳି ଶକ୍ତି ସକ୍ରିୟ ଅଛନ୍ତି ବୋଲି କହି ଟାର୍ଗେଟ୍ କରିଥିଲେ । ସଞ୍ଜୟଙ୍କ ଏହି ପ୍ରତ୍ରିକ୍ରିୟା ସେତେବେଳେ ବିଜେଡି କରିଡ଼ରରେ ବେଶ୍ କମ୍ପନ ସୃଷ୍ଟି କରିଥିଲା । ସେତେବେଳେ ଯେଉଁମାନଙ୍କୁ ପରୋକ୍ଷରେ ସଞ୍ଜୟ ଟାର୍ଗେଟ୍ କରି ନୀତିନୈତିକତା କଥା କହୁଥିଲେ ଏବେ କିଭଳି ସେମାନଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।