Advertisment

ଅସନ୍ତୁଷ୍ଟଙ୍କୁ ମନାଇବାକୁ ବିଜେଡିର ‘ବିଜେପି’ ଥୋପ, ବବିଙ୍କ ପାଇଁ କ୍ଷେତ୍ରପ୍ରସ୍ତୁତ କରୁଛନ୍ତି ସଞ୍ଜୟ

ବିଜେଡିର ସାଂଗଠନିକ ପୁନର୍ଗଠନ ପରେ ଦଳୀୟ କର୍ମୀ-ନେତାମାନଙ୍କ ମଧ୍ୟରେ ଉତ୍ସାହ ନଥିବାକୁ ଦେଖି ପାଣ୍ଡିଆନଅନୁଗାମୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ସାଂଗଠନିକ ପୁର୍ନଗଠନରେ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ବବିଙ୍କ ମାମଲାତି ପୂର୍ବଭଳି ରହିଥିବା ଏବଂ କିଛି ନିର୍ଦ୍ଧିଷ୍ଟ ବରିଷ୍ଠ ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯିବା ଓ କିଛି ନେତାଙ୍କ ଗୁରୁତ୍ୱହ୍ରାସ ପାଇଁ ହୋଇଥିବା ଉଦ୍ୟମକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

author-image
Ordigital Desk
Pranab Prakash Das

Pranab Prakash Das

ବିଜେଡିର ସାଂଗଠନିକ ପୁନର୍ଗଠନ ସତ୍ତେ୍ୱ ଦଳରେ ଅସନ୍ତୋଷ ଥମିବାର ନାଁ ଧରୁନି । ଦଳର ରାଜନୀତିକ ବ୍ୟାପାର କମିଟିରେ ‘ପାଣ୍ଡିଆନ ଅନୁଗାମୀ’ ମେରୁଦଣ୍ଡବିହୀନ ନେତାମାନଙ୍କ ଥଇଥାନ ଓ ବରିଷ୍ଠ ନେତାମାନଙ୍କୁ ସାଂଗଠନିକ ପଦପଦବୀରୁ ଦୂରେଇ ରଖାଯିବାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଆଉ ଏସବୁ ମଧ୍ୟରେ ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବା ପାଇଁ ବିଜେଡିର ‘ପାଣ୍ଡିଆନଅନୁଗାମୀ’ମାନେ ଏବେ ‘ବିଜେପି’ର ଥୋପ ଦେଉଥିବା ଚର୍ଚ୍ଚା ହେଉଛି । ବିଜେଡି ନେତାମାନଙ୍କୁ ‘ବିଜେପି’ ଥୋପ ଦେବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏପଟେ ଏସବୁ ମଧ୍ୟରେ ଦଳର ରାଜନୀତିକ ବ୍ୟାପାର କମିଟିରେ ସ୍ଥାନ ପାଇଥିବା ଉପସଭାପତି ସଞ୍ଜୟ ଦାସବର୍ମା ଏବେ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ପାଇଁ ଆଗୁଆ କ୍ଷେତ୍ର ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପାଣ୍ଡିଆନ-ବବିଙ୍କ ପ୍ରତିନିଧି ହୋଇ ସଞ୍ଜୟ ବୁଧବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଖୁବଶୀଘ୍ର କଳାହାଣ୍ଡି ସମେତ ଅନ୍ୟ ଜିଲ୍ଲାକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଦଳର ସାଂଗଠନିକ ପୁନର୍ଗଠନ ପରେ ପ୍ରଥମଥର ପାଇଁ ୩ଦିନ ତଳେ ସଞ୍ଜୟଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ଦଳର ‘ତ୍ରିରଙ୍ଗା ଯାତ୍ରା’ କାର୍ଯ୍ୟକ୍ରମରୁ ବରିଷ୍ଠ ନେତାମାନେ ଦୂରେଇ ରହିଥିଲେ, ଯାହାକି ପାଣ୍ଡିଆନ ଅନୁଗାମୀମାନଙ୍କ ପ୍ରତି ଦଳୀୟ ଆକ୍ରୋଶକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା ।

Advertisment

ଅସନ୍ତୁଷ୍ଟଙ୍କୁ ‘ବିଜେପି’ ଥୋପ

ବିଜେଡି ସୂତ୍ର ଅନୁସାରେ, ବିଜେଡିର ସାଂଗଠନିକ ପୁନର୍ଗଠନ ପରେ ଦଳୀୟ କର୍ମୀ-ନେତାମାନଙ୍କ ମଧ୍ୟରେ ଉତ୍ସାହ ନଥିବାକୁ ଦେଖି ପାଣ୍ଡିଆନଅନୁଗାମୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ସାଂଗଠନିକ ପୁର୍ନଗଠନରେ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ବବିଙ୍କ ମାମଲାତି ପୂର୍ବଭଳି ରହିଥିବା ଏବଂ କିଛି ନିର୍ଦ୍ଧିଷ୍ଟ ବରିଷ୍ଠ ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରାଯିବା ଓ କିଛି ନେତାଙ୍କ ଗୁରୁତ୍ୱହ୍ରାସ ପାଇଁ ହୋଇଥିବା ଉଦ୍ୟମକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦଳ ୭୧ଜଣିଆ ସାଂଗଠନିକ ପଦପଦବୀର ତାଲିକା ଘୋଷଣା କରିଥିଲେ ମଧ୍ୟ ସେମାନଙ୍କୁ ମଧ୍ୟରୁ ପ୍ରାୟ ୭୦-୮୦ ପ୍ରତିଶତ ନେତା ଏଥିରେ ସନ୍ତୁଷ୍ଟ ନାହାନ୍ତି । ବିଶେଷକରି ଦୀର୍ଘ ଅଢେ଼ଇ ଦଶନ୍ଧି ପରେ ଗଠନ ହୋଇଥିବା ଦଳର ରାଜନୀତିକ ବ୍ୟାପାର କମିଟିରେ ଯେଉଁ ନେତାମାନଙ୍କୁ ସାମିଲ କରାଯାଇଛି ସେମାନଙ୍କର ସାଂଗଠନିକ ଦକ୍ଷତାକୁ ନେଇ ମଧ୍ୟ ଦଳୀୟ ମହଲରେ ନାନାଦି ପ୍ରଶ୍ନ ଉଠିବା ସହ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ଏସବୁ ଦଳୀୟ ଅସନ୍ତୋଷକୁ ଚପାଇବା ନିମନ୍ତେ ‘ପାଣ୍ଡିଆନଅନୁଗାମୀ’ମାନେ ଆଗକୁ ଆସିଛନ୍ତି । ପାଣ୍ଡିଆନଙ୍କ ଖାସ୍ ଅନୁଗତ ବବି ଓ ତାଙ୍କର ଖାସ୍ ଅନୁଗତ ସଞ୍ଜୟ ଦାସବର୍ମା ଉଭୟ ଏବେ ନିଜ ନିଜର ସମର୍ଥକମାନଙ୍କୁ ଧରି ଦଳର ଅସନ୍ତୁଷ୍ଟ ନେତାମାନଙ୍କ ଘରକୁ ଯାଇ ସେମାନଙ୍କୁ ମନାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।  ଏପରିକି ପାଣ୍ଡିଆନଅନୁଗାମୀ ଥିବା କିଛି ନେତା ଏବେ ଖୋଲାଖୋଲି ସେମାନେ ଆଗାମୀ ଦିନରେ ଆନୁଷ୍ଠାନିକ ଭାବେ ବିଜେପିର ‘ବି-ଟିମ’ ହେବେ ବୋଲି କହୁଥିବା ଦଳୀୟ ମହଲରେ ଚର୍ଚ୍ଚା । ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବ ବୋଲି ପୁରୁଣା କାହାଣୀକୁ ପୁଣିଥରେ ଏହି ଗୋଷ୍ଠୀ ଜୋରସୋରରେ ପ୍ରଚାର କରିବା ସହ ‘ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ’ ସମ୍ପର୍କରେ ଟୀକାଟିପ୍ପଣୀରୁ ଦୂରେଇ ରହିବାକୁ ପରାମର୍ଶ ଦେଉଥିବା ଜଣାପଡ଼ିଛି ।

ଦେବୀଙ୍କ ଦଶା ଭୋଗିବନି ତ ସଞ୍ଜୟ

ବିଜେଡିର ୨୪ବର୍ଷର ଶାସନରେ ପୂର୍ଣ୍ଣଚ୍ଛେଦ ପକାଇବାର ଅପକର୍ମ ପାଇଁ ଦଳର  ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିବାକୁ ବାଧ୍ୟ ହୋଇଥିବା ପାଣ୍ଡିଆନ ଓ ବବି ଏବେ ପରଦା ପଛରେ ରହି ସଂଗଠନକୁ ନିୟନ୍ତ୍ରଣ କରିବା ନିମନ୍ତେ ସଞ୍ଜୟଙ୍କୁ ଆଗକୁ ଆଣିଥିବା ଜଣାପଡ଼ିଛି । ଦୁଇଦୁଇଥର ନିର୍ବାଚନରେ ପରାଜିତ ସଞ୍ଜୟ ଏବେ ଦଳର ରାଜନୀତିକ ବ୍ୟାପାର କମିଟିରେ ସ୍ଥାନ ପାଇବାର ଉନ୍ମାଦନାରେ ବବିଙ୍କ ହାତବାରିସି ସାଜିଛନ୍ତି । ମାତ୍ର କିଛିମାସ ପୂର୍ବରୁ ପାଣ୍ଡିଆନ-ବବିଙ୍କ ବିରୋଧରେ ବିଷୋଦଗାର କରୁଥିବା ସଞ୍ଜୟଙ୍କୁ ଉପଯୋଗ କରି ବବି ବିଭିନ୍ନ ଜିଲ୍ଲା ସଂଗଠନରେ ପୁଣିଥରେ ସକ୍ରିୟ ହେବେ ବୋଲି ସୂଚନା ମିଳିଛି । ପାଣ୍ଡିଆନ ଜିଲ୍ଲା ବୁଲିବାବେଳେ ଯେଭଳି ବବି ‘ଆଡଭାନ୍ସ ଟିମ୍’ ଭାବେ ଜିଲ୍ଲାକୁ ଯାଉଥିଲେ ଏବେ ସମାନ ଶୈଳୀରେ ବବିଙ୍କ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ ପାଇଁ ସଞ୍ଜୟ ଜିଲ୍ଲା ଗସ୍ତରେ ଯାଉଥିବା ଜଣାପଡ଼ିଛି । ନିର୍ବାଚନରେ ପରାଜୟର ଆକ୍ରୋଶ ଓ କର୍ମୀ-ନେତାଙ୍କ ମଧ୍ୟରେ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ-ବବିଙ୍କ ଦ୍ୱାରା ସଞ୍ଜୟଙ୍କୁ ‘ବଳିବୋଦା’ କରି ଆଗକୁ ଅଣାଯାଇଛି । ସଞ୍ଜୟ ଜିଲ୍ଲା ଗସ୍ତରେ ଯାଇ ବବିଙ୍କ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରି ସାରିବା ପରେ ତାଙ୍କୁ ଦେବୀ ମିଶ୍ରଙ୍କ ଦଶା ଭୋଗିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ସାଧାରଣ ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ‘ସମନ୍ୱୟ କମିଟି ଅଧ୍ୟକ୍ଷ’ ପଦରେ ଅବସ୍ଥାପିତ କରି ‘ନମ୍ବର-ଟୁ’ ଭାବେ କାର୍ଯ୍ୟ କରିବାର ସୁଯୋଗ ଦିଆଯାଇଥିଲା । ବେଶ୍ କିଛିଦିନ ଧରି ଉଭୟ ପାଣ୍ଡିଆନ ଓ ବବିଙ୍କ ଚାଟୁକାରିତା କଲେ । କିନ୍ତୁ ଏବେ ତାଙ୍କର ଅବସ୍ଥା ‘ଅଜଗା ଘା’ ସଦୃଶ ହୋଇଛି ଯାହାକୁ ସେ ଦେଖାଇ ପାରୁଛନ୍ତି ନା ସହିପାରୁଛନ୍ତି ଭଳି ହୋଇଛି । ଦେବୀଙ୍କୁ ‘ଶଙ୍ଖଭବନ’ ଜଗିବା ଦାୟିତ୍ୱ ଦେଇ ଏକପ୍ରକାର କୋଣଠେସା କରିଥିବା ପାଣ୍ଡିଆନ-ବବି ବେଶ୍ ସୁଚିନ୍ତିତ ଢଙ୍ଗରେ ଏବେ ସଞ୍ଜୟଙ୍କୁ ନିଜର ପ୍ରତିନିଧି ଭାବେ ଆଗକୁ ଆଣିଥିବା ଜଣାପଡ଼ିଛି । ଦଳର ସଂଖ୍ୟାଧିକ ନେତା-କର୍ମୀମାନେ କୌଣସି ପରିସ୍ଥିତିରେ ବି ପାଣ୍ଡିଆନଅନୁଗାମୀଙ୍କ ମାମଲାତିକୁ ସହ୍ୟ କରିବାକୁ ଚାହୁଁନଥିବାବେଳେ  ବବିଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ ନିମନ୍ତେ ସଞ୍ଜୟଙ୍କ ଜିଲ୍ଲା ଗସ୍ତ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରୁଛି ନା ସଂଗଠନକୁ ଭାଗଭାଗ କରୁଛି ତାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି । ପାଣ୍ଡିଆନ ଓ ତାଙ୍କ ଟିମକୁ ଇସାରାରେ ‘କିଛି ବିଦେଶୀ ଶକ୍ତି’ ରାଜ୍ୟର ଖଣିଜସମ୍ପଦ ଲୁଟିନେବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହି ସଞ୍ଜୟ ଗତ ଦୁଇବର୍ଷ ତଳେ  ବେଶ୍ ଚର୍ଚ୍ଚାକୁ ଆସିଥିଲେ ତଥା ଦୀର୍ଘଦିନ ଧରି ତାଙ୍କୁ ସଂଗଠନରେ କୋଣଠେସା କରି ରଖାଯାଇଥିଲା । ଏବେ ପାଣ୍ଡିଆନ-ବବି ନିଜର ଆବଶ୍ୟକତା ପାଇଁ ସଞ୍ଜୟଙ୍କୁ ଆଗକୁ ଆଣିଥିବାବେଳେ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ନିମନ୍ତେ ସଞ୍ଜୟ ମଧ୍ୟ ସେମାନଙ୍କର ପ୍ରତିନିଧି ହୋଇ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

Advertisment

ସୂଚନାଯୋଗ୍ୟ, ଭାରତର ‘ଅପରେସନ ସିନ୍ଦୁର’କୁ ସମର୍ଥନ କରିବା ପାଇଁ ବିଜେଡି ଭୁବନେଶ୍ୱରରେ ‘ତ୍ରିରଙ୍ଗା ଯାତ୍ରା’ର ଆୟୋଜନ କରିଥିଲା । ଏଥିପାଇଁ ଦଳ ସଞ୍ଜୟଙ୍କ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ପାଣ୍ଠିବରାଦ ହୋଇଥିଲା । ବିପୁଳ ଅର୍ଥ ଖର୍ଚ୍ଚ ସତ୍ତେ୍ୱ କାର୍ଯ୍ୟକ୍ରମଟି ‘ଫ୍ଲପ ଶୋ’ ହୋଇଥିଲା ଓ ବରିଷ୍ଠ ନେତାମାନେ ଏଥିରୁ ଦୂରେଇ ରହିଥିଲେ । ଏପରିକି ଭାରତ-ପାକିସ୍ତାନ ମଧ୍ୟରେ ସୀମାନ୍ତରେ ଉତ୍ତେଜନାବେଳେ ମେ’ ୯ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ପାଣ୍ଡିଆନଅନୁଗାମୀ ନେଇଥିବା ନିଷ୍ପତ୍ତିକୁ ନେତାମାନେ ନାପସନ୍ଦ କରିବାରୁ ଏହାକୁ ଶେଷମୁହୂର୍ତ୍ତରେ ବାତିଲ କରାଯାଇଥିଲା ।

Pranab Prakash Das