Advertisment

‘ତଥ୍ୟ ଲୁଚାଇଛନ୍ତି ଶାରଦା ନାୟକ; ତାଙ୍କ ନାମାଙ୍କନ ରଦ୍ଦ କରାଯାଉ’

‘ଶ୍ରୀ ନାୟକଙ୍କ ନାମାଙ୍କନକୁ ଖାରଜ କରିବା ପାଇଁ ଆଜି ରିଟର୍ଣ୍ଣିଂ ଅଫିସରଙ୍କୁ ଅନୁରୋଧ କରିଛୁ। ମୋର ଆଶା ଓ ବିଶ୍ୱାସ ସେ ଆମକୁ ଉଚିତ ନ୍ୟାୟ ପ୍ରଦାନ କରିବେ।’

author-image
Manoranjan Sial
BJD

BJD

ନାମାଙ୍କନପତ୍ର ଦାଖଲ ବେଳେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ରାଉରକେଲା ବିଜେଡି ପ୍ରାର୍ଥୀ ଶାରଦା ନାୟକ। ସେ ଅନେକ ତଥ୍ୟ ଲୁଚାଇଛନ୍ତି। ନିଜ ନାଁରେ ଥିବା ୨ଟି ଫୌଜଦାରୀ ମାମଲା ସଂପର୍କରେ ସେ ସତ୍ୟପାଠରେ କୌଣସି ତଥ୍ୟ ଦେଇନାହାନ୍ତି। ତେଣୁ ତାଙ୍କ ନାମାଙ୍କନ ରଦ୍ଦ କରାଯାଉ ବୋଲି ପାନପୋଷ ସବ୍‌ କଲେକ୍ଟରଙ୍କ ପାଖରେ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଆଇନ୍‌ଜୀବୀ ପୀତାମ୍ୱର ଆଚାର୍ଯ୍ୟ।

Advertisment

ସବ୍‌ କଲେକ୍ଟର ବା ରିଟର୍ଣ୍ଣିଂ ଅଫିସରଙ୍କ ଅଫିସରୁ ବାହାରିବା ପରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଶାରଦା ନାୟକ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି। ସେ ଜାଣିଶୁଣି ବିଚାରାଧୀନ ଅପରାଧୀକ ମାମଲା ଗୁଡ଼ିକୁ ସତ୍ୟପାଠରେ ଦର୍ଶାଇ ନାହାନ୍ତି। ଶ୍ରୀ ନାୟକଙ୍କ ବିରୋଧରେ ୨ଟି ଫୌଜଦାରୀ ମାମଲା ରହିଛି। ସେଥିରୁ ଗୋଟିଏ ଫୌଜଦାରୀ ମାମଲାରେ ସେ ଚାର୍ଜଫ୍ରେମ ହୋଇସାରିଛି। ଆସନ୍ତା ମେ’ ୯ ତାରିଖରେ ଟ୍ରାଏଲ୍‌ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ପାନ୍‌ପୋଷ ଏସ୍‌ଡିଜେଏମ୍‌। ସେ ବାବଦରେ ସତ୍ୟପାଠରେ ତଥ୍ୟ ପ୍ରଦାନ କରିନାହାନ୍ତି ବୋଲି ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି, ଶ୍ରୀ ନାୟକଙ୍କ ନିଜ ଘର ହେଉଛି କଟକ ଜିଲ୍ଲାର ଶଙ୍ଖିଲୋରେ। ସେଠାରେ ଥିବା ସ୍ତାବର ଓ ଅସ୍ତାବର ସମ୍ପତ୍ତି ସମ୍ପର୍କରେ ସେ ସତ୍ୟପାଠରେ ଦର୍ଶାଇ ନାହାନ୍ତି। ଯେଉଁଥିପାଇଁ ଆମେ ସେହି ସତ୍ୟପାଠକୁ ମିଥ୍ୟା ସତ୍ୟପାଠ ବୋଲି କହୁଛୁ। ଯଦି ମିଥ୍ୟା ସତ୍ୟପାଠ ଦାଖଲ କରାଯାଏ, ତାହାହେଲେ ରିଟର୍ଣ୍ଣିଂ ଅଫିସର ସେହି ନାମାଙ୍କନକୁ ଖାରଜ କରିବାକୁ ବାଧ୍ୟ। ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ମିଥ୍ୟା ସତ୍ୟପାଠ ପାଇଁ ଅନେକ ନିର୍ବାଚିତ ବିଧାୟକଙ୍କ ଫଳାଫଳକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମୋ ଜାଣତରେ ଓଡ଼ିଶାରେ ୨ ଜଣ ନିର୍ବାଚିତ ବିଧାୟକଙ୍କ ଫଳାଫଳକୁ ହାଇକୋର୍ଟ ଅସିଦ୍ଧ କରିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

Advertisment

ଆଇନ୍‌ଜୀବୀ ପୀତାମ୍ୱର ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ଶ୍ରୀ ନାୟକଙ୍କ ନାମାଙ୍କନକୁ ଖାରଜ କରିବା ପାଇଁ ଆଜି ରିଟର୍ଣ୍ଣିଂ ଅଫିସରଙ୍କୁ ଅନୁରୋଧ କରିଛୁ। ମୋର ଆଶା ଓ ବିଶ୍ୱାସ ସେ ଆମକୁ ଉଚିତ ନ୍ୟାୟ ପ୍ରଦାନ କରିବେ। ଯଦି ନ୍ୟାୟ ନମିଳେ, ତାହାହେଲେ ହାଇକୋର୍ଟ ବା ଉପର କୋର୍ଟକୁ ଯିବୁ। ସବୁଠାରୁ ଗମ୍ଭୀର ବିଷୟ ହେଉଛି, ଆଜି ଶୁଣାଣୀ ଚାଲିଥିବା ବେଳେ ଶାରଦାଙ୍କ ପାଇଁ ଜଣେ ସରକାରୀ ଓକିଲ୍‌ ପ୍ରତିନିଧିତ୍ୱ କରି ଯୁକ୍ତି ବାଢ଼ୁଥିଲେ। ଏହା ମଧ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲାଘନ। ଜଣେ ସରକାରୀ ଓକିଲ୍‌ ନିଜର ସବୁ ଆଚାରଣକୁ ଭଙ୍ଗ କରି ଶ୍ରୀ ନାୟକଙ୍କ ନାମାଙ୍କନର ବୈଧତାକୁ ରକ୍ଷା କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କର ସହିତ ଯୁକ୍ତି କରୁଥିଲେ। ବିନା କାରଣରେ ପାଟିତୁଣ୍ଡ କରୁଥିଲେ। ଶୁଣାଣୀ ଚାଲିଥିବା ବେଳେ ବହୁ ବ୍ୟାଘାତ ସୃଷ୍ଟି କରିଥିଲେ। ଯାହାର ଭିଡିଓଗ୍ରାଫି କରାଯାଇଛି। ଏ ସମ୍ପର୍କରେ ଆମେ ସିଇଓଙ୍କୁ ଅବଗତ କରିବୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ରିପୋର୍ଟ-ରାଉରକେଲାରୁ ପବନ ତିୱାରୀ

BjD Rourkela Sundargarh 2024 General Election