କଂଗ୍ରେସ କନ୍ଦଳ: ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଲା, ଜୋର୍ ଧରିଲା ଇସ୍ତଫା ଦାବି

ପଂଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ବିଧାନସଭାରେ ୯ରୁ ୯୦ରେ ପହଂଚିବ ବୋଲି ପିସିସି ସଭାପତି କହିଥିଲେ । କିନ୍ତୁ ତାଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନ ରାଜ୍ୟରେ ଖରାପ ରହିଲା ।

ପିସିସି ସଭାପତି ଶରତ ପଟ୍ଟନାୟକ

  • Published: Thursday, 27 June 2024
  • , Updated: 27 June 2024, 07:29 PM IST

ସାଧାରଣ ନିର୍ବାଚନର ପ୍ରାୟ ଦୁଇବର୍ଷ ପୂର୍ବରୁ ପିସିସି ସଭାପତି ଦାୟିତ୍ୱ ନେଇଥିବା ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଛି । ଚଳିତ ବିଧାନସଭା ନିର୍ବାଚନରେ ଶରତ ନିଜେ ପରାଜିତ ହେବା ସହ ତାଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ସରକାରବିରୋଧୀ ହାୱାକୁ ନିଜ ସପକ୍ଷରେ ଆଣିବାରେ ବିଫଳ ହୋଇଥିବାରୁ ସେ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ମହଲରେ ଦାବି ଜୋର ଧରିଲାଣି । ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଶରତ ନିଜର ପ୍ରଭାବ ଦେଖାଇ କିଛି ନେତାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବେ ତାଙ୍କ ପାଇଁ ବୁମେରାଂ ସଦୃଶ ହୋଇଛି । ଗତ ସପ୍ତାହରେ କଂଗ୍ରେସ ଭବନରେ ତାଙ୍କ ଉପରେ କାଳିମାଡ଼ ହେବା ଏବଂ ଜଣେ କଂଗ୍ରେସ ନେତ୍ରୀ ଅନଶନ କରିବା ଯାଗୁ କଂଗ୍ରେସ ଭବନ ଏବେ ତାଲା ପଡ଼ିଛି । ଆଉ ଏଭଳି ସ୍ଥିତିରେ ଶରତ ନୈତିକତା ଆଧାରରେ ତୁରନ୍ତ ପିସିସି ସଭାପତି ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ବରିଷ୍ଠ ନେତା ଜୟଦେବ ଜେନା ଓ ପଂଚାନନ କାନୁନଗୋ ଦାବି କରିଛନ୍ତି ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ଆସନ ସଂଖ୍ୟା ବିଧାନସଭାରେ ୯ରୁ ୯୦ରେ ପହଂଚିବ ବୋଲି ପିସିସି ସଭାପତି କହିଥିଲେ । କିନ୍ତୁ ତାଙ୍କ ନେତୃତ୍ୱରେ କଂଗ୍ରେସର ପ୍ରଦର୍ଶନ ରାଜ୍ୟରେ ଖରାପ ରହିଲା । ଯଦିଓ ସବୁଆଡ଼େ ପରିବର୍ତ୍ତନର ହାୱା ରହିଥିଲା । ରାଜ୍ୟରେ ସରକାରବିରୋଧୀ ହାୱାର ଫାଇଦା ବିଜେପିକୁ ମିଳିଲା । ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ କ’ଣ ଓ କାହିଁକି ରହିଲା ତାହା ସମସ୍ତେ ଜାଣିଛନ୍ତି । ପିସିସି ସଭାପତି ନିଜେ ମଧ୍ୟ ଶୋଚନୀୟ ପରାଜୟ ବରଣ କଲେ । ତେଣୁ ସେ ନୈତିକତା ଦୃଷ୍ଟିରୁ ଦଳ ଓ ନିଜର ପରାଜୟ ପାଇଁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଦେବା ଉଚିତ୍ । ଅବଶ୍ୟ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି କି ନାହିଁ ତାହା ଜାଣିନାହାନ୍ତି ।

ସେ ନିଜେ ମଧ୍ୟ ପିସିସି ସଭାପତିଙ୍କୁ ଚିଠି ଲେଖି କଂଗ୍ରେସର ଏଭଳି ନିର୍ବାଚନ ବିପର୍ଯ୍ୟୟର ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଚାରିଆଡ଼େ ପରିବର୍ତ୍ତନର ହାୱା ରହିଥିଲାବେଳେ ରାଜ୍ୟରେ କଂଗ୍ରେସକୁ କାହିଁକି ଆଶାନୁରୂପକ ସଫଳତା ମିଳିଲା ନାହିଁ ତା’ର ତର୍ଜମା ହେବା ଜରୁରୀ ବୋଲି କହିଥିଲି । କିନ୍ତୁ ସେ ଏହି ଚିଠିର କୌଣସି ଉତ୍ତର ଦେଲେ ନାହିଁ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ସେହିପରି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଯେ, ନିର୍ବାଚନରେ ଦଳର ପ୍ରଦର୍ଶନ ପାଇଁ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେଇଦେବା ଉଚିତ୍ । ଅତୀତରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ୨୦୧୪ ସାଧାରଣ ନିର୍ବାଚନର ଦାୟିତ୍ୱ ମୋତେ ମିଳିଥିଲା । କିନ୍ତୁ ଦଳର ପରାଜୟକୁ ନିଜ ମୁଣ୍ଡରେ ନେଇ ନୈତିକତା ଦୃଷ୍ଟିରୁ ଫଳାଫଳ ପ୍ରକାଶ ପାଇବା ଦିନ ହିଁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିôଲି ବୋଲି ଶ୍ରୀ ଜେନା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଓ କଟକ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ମାନସ ଚୌଧୁରୀ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନୀ ପାଣ୍ଠି ଯୋଗାଣରେ ସମସ୍ୟା, କିଛି ସ୍ଥାନରେ ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେବା ଓ ବିରୋଧୀ ଦଳ ସହ ମିଶି ମନ୍ତ୍ରଣା କରିବା ଆଦି ପାଇଁ ଶରତ ପଟ୍ଟନାୟକଙ୍କୁ ଦାୟୀ କରି ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ ଶ୍ରୀ ଚୌଧୁରୀଙ୍କୁ ଶରତଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ଓ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ମାତ୍ର କଂଗ୍ରେସ ତାଙ୍କ ଦଳ ଓ ସେଥିରୁ ଶରତ ତାଙ୍କୁ କାଢ଼ି ପାରିବେ ନାହିଁ ବୋଲି କହି ଶ୍ରୀ ଚୌଧୁରୀ ଏବେ ଶରତ ପଟ୍ଟନାୟକ ବିରୋଧରେ ଦଳୀୟ ନେତାଙ୍କ ମେଳି କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି ।

Related story