Advertisment

କାମଦେଲାନି ଶପଥ ପାଠ, ବିଜେଡିକୁ ଝଟ୍‌କା; ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ସହ ୨୪ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ମିଶିଲେ

ବଂଶପାଳ ବ୍ଲକ୍‌ର ବିଜେଡି ସମର୍ଥିତ ୨୨ ଜଣ ସରପଞ୍ଚ ଓ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଆସି ବିଜେପିରେ ମିଶିଥିଲେ। ପରବର୍ତ୍ତୀ ସମୟରେ ତେଲକୋଇ ଓ ହରିଚନ୍ଦନପୁର ବ୍ଲକର ପଞ୍ଚାୟତ ପ୍ରତିନିଧିଙ୍କୁ ଦଳରେ ବାନ୍ଧି ରଖିବାକୁ ଜୋରଦାର ଚେଷ୍ଟା କରିଥିଲା ବିଜେଡି।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

କାମଦେଲାନି ଶପଥ ପାଠ। ତାସ୍‌ ପତ୍ତା ପରି କେନ୍ଦୁଝରରେ ଭୁଶୁଡି ପଡୁଛି ବିଜେଡି। ମହାପ୍ରଭୁଙ୍କ ପାଖରେ ଶପଥ ପାଠ ସତ୍ତ୍ୱ ତେଲକୋଇ ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ସମେତ ୨୪ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ଯୋଗଦେଇଛନ୍ତି। ଗୁରୁବାର ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ସହିତ ବିଜେପିରେ ଯୋଗଦେଇଛନ୍ତି। ବିଜେପିରେ ମିଶିବା ପରେ ବିଜେଡି ବିରୋଧରେ ମନଇଚ୍ଛା ବର୍ଷିଛନ୍ତି ସରପଞ୍ଚ ଓ ସମିତି ସଭ୍ୟା/ସଭ୍ୟମାନେ। ଏବେ ବିଜେଡିକୁ ଘାରିଛି ଅନାସ୍ଥା ଭୟ।

Advertisment

୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ତେଲକୋଇ ନିର୍ବାଚନମଣ୍ଡଳୀରେ ରାଜୁତି କରୁଥିଲା। ଲଗାତାର ଭାବେ ଜିତୁଥିବାରୁ ବିଜେଡି ତା’ର ସଙ୍ଗଠନକୁ ସୁଦୃଢ଼ କରିଥିଲା। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଣଦେଖା ଅଭିଯୋଗ ଆଣି ବିଜେଡିରୁ ଇସ୍ତଫା ଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରେମାନନ୍ଦ ନାୟକ। ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ। ପ୍ରେମାନନ୍ଦ ବିଜେପିରେ ଯୋଗଦେବା ପରେ ନିର୍ବାଚନମଣ୍ଡଳୀ ବାହାରୁ ଜଣେ ନେତାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଯେଉଁଥିପାଇଁ ଅସନ୍ତୋଷ ଝାଡ଼ି ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ମିଶିବା ପରେ ପ୍ରେମାନନ୍ଦ ଓ ବେଦବ୍ୟାସ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ହେଲେ ସମସ୍ତଙ୍କୁ ଚକ୍‌ମା ଦେଇ ବିଜେପି ଡାକ୍ତର ଫକୀର ମୋହନ ନାୟକଙ୍କ ପ୍ରାର୍ଥୀ କରିଥିଲା। ଆଉ ସେ ଲୋକଙ୍କ ମନ ଜିଣିପାରିଥିଲେ। ନିର୍ବାଚନରେ ବିଜୟୀ ହୋଇଥିଲେ।

ସେପଟେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ପରାଜୟ ବରଣ କରିଥିଲା। ସଂଖ୍ୟା ଗରିଷ୍ଠତା ସହ ବିଜେପି ଏକାକୀ ସରକାର ଗଢ଼ିଥିଲା। ଆଉ ମୁଖ୍ୟମନ୍ତ୍ରୀ ହୋଇଥିଲେ କେନ୍ଦୁଝର ମାଟିର ପୁଅ ତଥା ସଦର ବିଧାୟକ ମୋହନ ଚରଣ ମାଝୀ। ଶ୍ରୀ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରୁଣମୂଳ ସଙ୍ଗଠନକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲେ। ନେତାଙ୍କ ପାଇଁ ସିପାହୀ ସାଜିଥିବା ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦକୁ କବ୍‌ଜାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଥିଲା ବିଜେପି। ଆଉ ସେଥିରେ କିଛି ମାତ୍ରାରେ ସଫଳ ହୋଇଥିଲା।

Advertisment

ତା’ପରେ ବିଜେଡିର ଆରମ୍ଭ ହୋଇଥିଲା ଧ୍ୱଂସାଭିମୁଖୀ ଯାତ୍ରା। ଗୋଟିଏ ପରେ ଗୋଟିଏ ବ୍ଲକର ଲୋକପ୍ରତିନିଧି ବିଜେଡି ଛାଡି ବିଜେପିରେ ମିଶିଥିଲେ। ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସଦର ନିର୍ବାଚନମଣ୍ଡଳୀରୁ। କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀର ବିଜେଡି ସମର୍ଥିତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ବିଜେପିରେ ମିଶିଥିଲେ।

କେନ୍ଦୁଝର ସଦର ପରେ ଆସିଥିଲା ତେଲକୋଇର ପାଳି। ଏହି ନିର୍ବାଚନମଣ୍ଡଳୀର ବଂଶପାଳ ବ୍ଲକ୍‌ର ବିଜେଡି ସମର୍ଥିତ ୨୨ ଜଣ ସରପଞ୍ଚ ଓ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଆସି ବିଜେପିରେ ମିଶିଥିଲେ। ପରବର୍ତ୍ତୀ ସମୟରେ ତେଲକୋଇ ଓ ହରିଚନ୍ଦନପୁର ବ୍ଲକର ପଞ୍ଚାୟତ ପ୍ରତିନିଧିଙ୍କୁ ଦଳରେ ବାନ୍ଧି ରଖିବାକୁ ଜୋରଦାର ଚେଷ୍ଟା କରିଥିଲା ବିଜେଡି। ନବୀନ ପଟ୍ଟନାୟକଙ୍କୁ ଭେଟାଇବା ସହିତ ପୁରୀ ନେଇ ଜଗନ୍ନାଥଙ୍କ ନିକଟରେ ବଡ ଦାଣ୍ଡରେ ଶପଥ ପାଠ କରାଇଥିଲେ। କିନ୍ତୁ ବିଜେଡିକୁ କିଛି ଲାଭ ମିଳିଲା ନାହିଁ।

ଗୁରୁବାର ରାତିରେ ବିଜେଡି ସମର୍ଥିତ ତେଲକୋଇ ବ୍ଲକ୍‌ ଉପାଧ୍ୟକ୍ଷା ରଞ୍ଜିତା ମହାନ୍ତ, ୨୪ ଜଣ ସରପଞ୍ଚ ଓ ସମିତି ସଭ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ସ୍ଥାନୀୟ ବିଧାୟକ ଡା ଫକୀର ମୋହନ ନାୟକଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷା, ସରପଞ୍ଚ ଓ ସମିତିସଭ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ବିଜେପିରେ ସାମିଲ ହୋଇଛନ୍ତି। ତେଲକୋଇରେ ଦଳର ନେତୃତ୍ୱ ଅଭାବ ଯୋଗୁ ଏପରି ଘଟୁଥିବା ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲପାରିଷଦ ସଭ୍ୟ କେଦାର ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ତେଲକୋଇ ସମିତିସଭ୍ୟ ରଙ୍ଗାଧର ଓରାମ କହିଛନ୍ତି, ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିଜେଡି ଗୁରୁତ୍ୱ ଦେଉନି। ଯେଉଁଥିପାଇଁ ବ୍ଲକରେ ବିକାଶ ମୂଳକ କାର୍ଯ୍ୟ ହୋଇପାରୁନି। ତେଣୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରେ ଆସନ୍ତୋଷ ପ୍ରକାଶ ପାଉଛି। ଯେଉଁଥିପାଇଁ ଲୋକପ୍ରତିନିଧିମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବୋଲି ରଙ୍ଗାଧର ଓରାମ ପ୍ରକାଶ କରିଛି।

ଏ ଘଟଣା ପରେ ଏବେ ବିଜେଡି ସମର୍ଥନରେ ଜିତିଥିବା ବ୍ଲକ୍‌ ଚ୍ୟାରମ୍ୟାନଙ୍କ ଉପରେ ଅନାସ୍ଥା ଖଣ୍ଡା ଝୁଲୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ପଞ୍ଚାୟତ ପ୍ରତିନିଧିମାନେ ବିଜେଡି ଛାଡି ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ- ତେଲକୋରୁ ଚିନ୍ମୟ କୁମାର ସାହୁ

BjD Bjp Kendujhar Mohan Charan Majhi