ଆସନ୍ତାକାଲିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଧାନସଭାରେ ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା’ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ ।

ବିଧାନସଭା

  • Published: Monday, 19 August 2024
  • , Updated: 19 August 2024, 09:49 PM IST

ଆସନ୍ତାକାଲିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ବିଭାଗର ବଜେଟ୍ ଅନୁଦାନ ଦାବି ଉପରେ ଗୃହରେ ଆଲୋଚନା ଓ ପାରିତ ହେବ ।

ବିଧାନସଭା ସଚିବାଳୟ ପକ୍ଷରୁ ଆଜି ଜାରି କାର୍ଯ୍ୟସୂଚୀ ଅନୁସାରେ,  ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବତନ ବିଧାୟକ ସୁନ୍ଦରମୋହନ ମାଝୀଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆସିବ । ତା’ପରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ପେପର ଓ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହ ପରିଚାଳନା ପାଇଁ କାର୍ଯ୍ୟପରାମର୍ଶଦାତା କମିଟିର ରିପୋର୍ଟକୁ ଉପସ୍ଥାପନ କରିବେ । ଏହାପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବାବୁ ସିଂ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଭୂତିଭୂଷଣ ପ୍ରଧାନ, ରାମଚନ୍ଦ୍ର କାଡ଼ାମ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମନୋହର ରନ୍ଧାରୀ, ସନାତନ ବିଜୁଳି ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୋଟ ୩୯ଟି ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ବିଧାନସଭାରେ ସେପ୍ଟେମ୍ବର ୧୦ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ତା’ପୂର୍ବରୁ ଅଗଷ୍ଟ ୨୧ତାରିଖରେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ୨୨ରେ ରାଜସ୍ୱ ଓ ବିପର୍ଯ୍ୟୟ, ୨୩ରେ ଖାଦ୍ୟଯୋଗାଣ ସ ଖାଉଟି କଲ୍ୟାଣ,ସମବାୟ ବିଭାଗ, ୨୭ରେ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ଓ ପର୍ଯ୍ୟଟନ, ୨୮ରେ ଜଳସମ୍ପଦ, ୨୯ରେ ସ୍କୁଲ ଓ ଗଣଶିକ୍ଷା,ଉଚ୍ଚଶିକ୍ଷା, ୩୦ରେ ଶିଳ୍ପ ଓ ଏମଏସଏମଇ ବିଭାଗ, ୩୧ରେ ଗୃହ, ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ଗୃହରେ ଆଲୋଚନା ହେବା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ସେପ୍ଟେମ୍ବର ୨ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୩ରେ ଇସ୍ପାତ ଓ ଖଣି, ୪ରେ ପଂଚାୟତିରାଜ, ୫ରେ କୃଷି ଓ କୃଷକ କଳ୍ୟାଣ, ୬ରେ ଗୃହନିର୍ମାଣ ଓ ନଗର ଉନ୍ନୟନ ଓ ୯ରେ ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ ବିଭାଗର ବଜେଟ୍ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Related story